Unknown

 

 

 

 

 

 

 

 

 

 

ନିର୍ଜନ ନଦୀର ନୂପୁର

ଅଧ୍ୟାପକ ରଘୁନାଥ ସେନାପତି

 

 

 

 

 

 

 

 

 

 

 

 

ମୋର ସାନଭାଇ ଉଦୟନାଥ ହାତରେ

 

ସାମାନ୍ୟ କଥନ

 

‘ନିର୍ଜନ ନଦୀର ନୂପୁର’ ମୋର ପ୍ରଥମ ଗଳ୍ପ-ଗୁଚ୍ଛ । ଏଥିରେ ଗୁନ୍ଥା ହୋଇଥିବା ଗଳ୍ପଗୁଡ଼ିକ ବିଭିନ୍ନ ଋତୁରେ ମାନସ, ସହକାର, ଆସନ୍ତାକାଲି, ଅଧୁନା ଓ ତଥାପି ପ୍ରଭୃତି ପତ୍ର-ପତ୍ରିକାରେ ବିକଶିତ ହୋଇଥିଲା । ସେଗୁଡ଼ିକୁ ଏହି ଗଳ୍ପ-ଗୁଚ୍ଛରେ ଏକତ୍ରିତ କରିବା ପାଇଁ ଅନୁମତି ଦେଇଥିବାରୁ ସଂପୃକ୍ତ ସମ୍ପାଦକମାନଙ୍କ ନିକଟରେ ମୁଁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି ।

 

ପୁନଶ୍ଚ ଏନ୍‌. ସି. କଲେଜର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଦାସ, ‘ପ୍ରଜାତନ୍ତ୍ର’ର ସମ୍ପାଦକଶ୍ରୀ ଶ୍ରୀହର୍ଷ ମିଶ୍ର,‘ମାତୃଭୂମି’ର ସମ୍ପାଦକଶ୍ରୀ ବିଚିତ୍ରାନନ୍ଦ କର, ଡକ୍ଟର କୃଷ୍ଣପ୍ରସାଦ ମିଶ୍ର, ଅଧ୍ୟାପକ ବନବିହାରୀ ଚୌଧୁରୀ, କଥା-ଶିଳ୍ପୀ ଶ୍ରୀ ଅଚ୍ୟୁତାନନ୍ଦ ପତି, ଅଧ୍ୟାପକ ଫନୀ ମହାନ୍ତି, ଅଧ୍ୟାପକ ଜୟନ୍ତ କୁମାର ଦାସ ପ୍ରମୁଖ ଶୁଭେଚ୍ଛୁମାନେ ମୋର ସାଧନା ଓ ସୃଷ୍ଟି ପାଇଁ ପ୍ରୋତ୍ସାହନ ଓ ପ୍ରେରଣା ଯୋଗାଇଥିବାରୁ ମୁଁ ନିଜକୁ ଧନ୍ୟ ମଣୁଛି ଏବଂ ଏହି ଗଳ୍ପ-ଗୁଚ୍ଛର ପ୍ରସ୍ତୁତି, ପ୍ରକାଶନ ଓ ପରିପୁଷ୍ଟି ଦିଗରେ ମୋର ଅନ୍ତରଙ୍ଗ ବନ୍ଧୁ ନାଟ୍ୟକାର ଅଧ୍ୟାପକ କାର୍ତ୍ତିକ ଚନ୍ଦ୍ର ରଥଙ୍କ ଏକାନ୍ତ ସହଯୋଗକୁ ସର୍ବାଗ୍ରେ ସ୍ମରଣ କରୁଛି ।

 

ମୋର ସହଧର୍ମିଣୀ ଉମା ସବୁବେଳେ ନେପଥ୍ୟରେ ରହି ମୋତେ ଯେଉଁଭଳି ଅବିଶ୍ରାନ୍ତ ଅନୁପ୍ରେରଣା ପ୍ରଦାନ କରି ଆସିଛନ୍ତି, ପୁସ୍ତକ ପ୍ରକାଶନର ମାଙ୍ଗଳିକ ବେଳାରେ ସେ କଥାକୁ ଅସ୍ୱୀକାର କରିବା ମୋ ପକ୍ଷେ ଅନ୍ୟାୟ ହେବ ।

 

ସର୍ବୋପରି ଏହି ଗଳ୍ପ-ଗୁଚ୍ଛର ପ୍ରଚ୍ଛଦପଟର ଶିଳ୍ପୀ ବନ୍ଧୁ ଶ୍ରୀ ଶିବପ୍ରସାଦ ପାଣିଗ୍ରାହୀ ଓ ପ୍ରକାଶକ ବନ୍ଧୁ ଶ୍ରୀ ରାଧାଶ୍ୟାମ ମହାନ୍ତିଙ୍କ ଯତ୍ନ ଓ ପ୍ରୟାସ ପାଇଁ ଉଭୟଙ୍କ ନିକଟରେ ମୁଁ ଋଣୀ ।

 

ସନ୍ନିବେଶିତ ଗଳ୍ପ-ସମୂହର ସୃଷ୍ଟି, ସଂକେତ, ସ୍ୱାଦ ଓ ସାର୍ଥକତାର ମୂଲ୍ୟାୟନ ବିଦଗ୍‌ଧ ପାଠକ ଓ ଆଲୋଚକମାନେ ହିଁ କରିବେ ।

 

ଚିଙ୍ଗୁଡ଼ିଆ ସାହି

ରଘୁନାଥ ସେନାପତି

ପୁରୁଷୋତ୍ତମପୁର, ଗଞ୍ଜାମ

୨୫।୧୨।୭୬

Image

 

କ୍ରମାନ୍ୱୟରେ

 

୧.

ନିର୍ଜନ ନଦୀର ନୂପୁର

୨.

ବିସ୍ମିତ ପ୍ରଭାତ

୩.

ଲୋଭନୀୟ ଅଭିଶାପ

୪.

ପ୍ରଶାନ୍ତି

୫.

ଅଭିନୟ

୬.

ମାନବିକ

୭.

ସ୍ୱର୍ଗୀୟ ନର୍କ

୮.

ଦୁଖାୟିତ ସୁଖ

୯.

ଭଙ୍ଗା ଚୌତରାରେ ସଞ୍ଜଦୀପ

୧୦.

ନୀରଦ, ଏନି ଏବଂ ତାଙ୍କରି ସହର

୧୧.

କାଚଘରର ଶେଷକଥା

Image

 

ନିର୍ଜନ ନଦୀର ନୁପୂର

 

ନିଜ ଭିଟାମାଟି ଆଉରି ଡାକେ ବାଟ । ଭୋକରେ ହଂସା ଉଡ଼ିଲାଣି । ହାତ ଗୋଡ଼ ଅବଶ ଅବଶ । ନରିଆର ନିଦ ଚାଉଁକିନା ଭାଜିଗଲା । ଆଖି ମଳି ମଳି ସେ ଚାରିଆଡ଼କୁ ଦେଖିଲା-।ସୂର୍ଯ୍ୟ ଦେବତା ମଥାନ ଉପରକୁ ଉଠିଲେଣି । ଭାରି ବେସ୍ତ ହେଇ ଉଠିଲା ସେ । କ’ଣ କରିବ ? ଚାରି ଦିଗ ଅନ୍ଧାର । କେତେ କଷ୍ଟରେ ଚାକିରି ଖଣ୍ଡେ ଯୋଗାଡ଼ କରିଥିଲା । ସେଇଥିପାଇଁ ତା’କୁ କମ୍‌ ମିହନତ୍‌ କରିବାକୁ ପଡ଼ିଛି ? ଭାରିଜାର ଗହଣା ଦି’ଖଣ୍ଡ ବିକି ପଇସା ଯୋଗାଡ଼ କରିଥିଲା । ସେଇ ଟଙ୍କା ଯେଉଁ ବାବୁକୁ ଘୁସ୍‌ ଦେଇ ଚାକିରିଟିଏ ପାଇଥିଲା ଶେଷକୁ ତା’ ହାତରେ, ସେଇ ବାବୁ ହାତରେ ତା’ ଚାକରି ଖଣ୍ଡକ ଗଲା ।

 

ପ୍ରଥମ ଥର ପାଇଁ ନରିଆ ଅନୁତାପ କଲା । ତା’ ଆଖି ଲୁହରେ ତିନ୍ତିଲା । କ’ଣ କହି ସେ ଅନ୍ୟ ଲୋକମାନଙ୍କୁ ସଫେଇ ଦେବ ? ତା’ପରେ ଘଡ଼ିକେ ପ୍ରଚାର ହୋଇଯିବ—ନରିଆର ଚାକିରି ଗଲା; ପୁଅର ଯେଉଁ ମଦାର, ସବୁ ଚାଲିଗଲା । ସତରେ ଏଥର ସେ କାନ୍ଦିଲା । ଏପରି ସେ କେବେ କାନ୍ଦି ନ ଥିଲା । ଏପରିକି ତା’ ବାପାର ଆକସ୍ମିକ ମୃତ୍ୟୁ ତା’ ଆଖିରେ ଏତେ ଲୁହ ଆଣି ନ ଥିଲା । ଏଇ ଖଣ୍ଡ ମଉଜାରେ ତା’କୁ ସମସ୍ତେ ଜାଣନ୍ତି । ତା’ ନାଁରେ କୁହାକୁହି ହୋନ୍ତି—ନରିଆଟା ଖାଣ୍ଟି ମଣିଷଟେ । ଭୟ କ’ଣ ସେ ଜାଣେନି । ଏତେ ଦୁର୍ଦ୍ଧର୍ଷ ! ପାଞ୍ଚ ପାଞ୍ଚଟା ଲୋକ ତା’ର ଗୋଟେ ବାହାକୁ ନିଅଣ୍ଟ......ସେଇ ନରିଆ ଏଇ ନିର୍ଜନ ପଠାର ବରଗଛ ମୂଳେ କାନ୍ଦୁଛି । ନିଜକୁ ଧିକ୍‌କାରୁଛି–କାହିଁକି ଏ କର୍ମ କଲି ?

 

ଉପରିସ୍ଥ ହାକିମକୁ ସନ୍ତୁଷ୍ଟ କରିବାକୁ ଯାଇ ସେ ଯଦି କିଛି କରିଛି ତା’ ତା’ର ଅପକର୍ମ ନୁହେଁ । ତେବେ ସେ କିପରି ଚାକିରିରୁ ବହିଷ୍କୃତ ହେଲା ?

 

ଆଉରି ଟାଇଁ ଟାଇଁ ଖରା ମାରୁଛି । ବିସ୍ତର ଜନଶୂନ୍ୟ ପ୍ରାନ୍ତରଟା ଖାଁ ଖାଁ ଗୋଡ଼ାଉଛି । ନରିଆ ଏଥର ଉଠିଲା । ଆଗକୁ ଯିବ । ଘରକୁ ଯିବ, ନିଜ ଭାରିଜାକୁ ତା’ ଦୁଃଖ କହିବ । କୌଣସି ଅର୍ଜନର ପନ୍ଥା ଧରିବ, ଆଗାମୀ ପୁଅ ଝିଅ ମୁହଁରେ ମୁଠାଏ ଆହାର ଦେବ ।

 

ଶଗଡ଼ ଗୁଳା ରାସ୍ତାରେ ନରିଆ ଚାଲୁଛି । ଜ୍ୟେଷ୍ଠମାସ ଝାଞ୍ଜିରେ ତା’ ଚମ ତାତି ଉଠୁଛି-। ଭୀଷଣ ଭୋକ । ପେଟ ପିଠିକୁ ଲାଗିଲାଣି, ଗଣ୍ଠିଗୁଡ଼ାକରେ ଦରଜ । ତଥାପି ସେ ଚାଲିବ-। ଚାଲୁ ଚାଲୁ ରାସ୍ତାରେ ଯଦି କେଉଁଠି ଟଳି ପଡ଼ିବ ତା’କୁ କେହି ଦେଖି ପାରିବେନି । ଶେଷରେ ତା’ ମଡ଼ା ଚିଲ, ଶାଗୁଣା, ଶୃଗାଳଙ୍କ ଆହାର ହେବ । କିନ୍ତୁ ତା’ର ଅତୃପ୍ତ ଆତ୍ମା ସେଇ ହାକିମକୁ କେବେ କ୍ଷମା ଦେବନି । ନରିଆର ବା ଦୋଷ କ’ଣ ? ହାକିମ ପାଇଁ କୁକୁଡ଼ାମାଂସ ଯୋଗାଡ଼ିବା, ମହୁଲି ମଦ କିଣି ଆଣିବା ଏବଂ ସୁନ୍ଦରୀ ଆଦିବାସୀ ବାଳିକାମାନଙ୍କୁ ବାବୁ ପାଖରେ ହାଜର କରେଇବା ତ ତା’ର କାମ । ଏଥିପାଇଁ ତ ଅର୍ଡ଼ରଲି ।

 

ହଠାତ୍‌ ସେ ଅସମ୍ଭବ ଭାବେ ହିଂସ୍ର ହୋଇ ଉଠିଲା । ସେ ଆଗକୁ ଯିବନି, ପଛକୁ ଲେଉଟିବ । ବାବୁର ତୋଟି କଣା କରି କଞ୍ଚା ରକ୍ତ ପିଇଯିବ । ନା ! ପାରୁନି ! ସେ ଯଦି ସବୁ ମାନ, ଅପମାନ, କର୍ମ, ଦୁଷ୍କର୍ମକୁ ପଛରେ ପକାଇ ଆଗମୁହାଁ ହେଲାଣି—ସେ କେମିତି ଫେର୍‌ ଆଗରୁ ପଛକୁ ଫେରିବ ? ପଶୁ ହେବ ? ଗୋଟାଏ ମଣିଷର ସର୍ବାଙ୍ଗ ଜାଳି ପୋଡ଼ି ଦେଇ ସମାଧି ଦେବ-? ସେ ଶିହରି ଉଠିଲା । ତା’ ଆଗରେ ରକ୍ତ, ଖାସ୍‌ ରକ୍ତରଯାନିଯାତ୍ରା ଶୋଭା ପାଇଲା, ରକ୍ତମୁଖା ମଣିଷମାନେ ରକ୍ତାକ୍ତ ଆଙ୍ଗୁଳି ନେଇ ତା’ ସାମ୍ନାରେ ଯେମିତି ନାଚ ଆରମ୍ଭ କଲେ । ଠିକ୍‌ ଯେମିତି ଗତ ରାତ୍ରିରେ ଗଜା ନିଶୁଆ ଆଦିବାସୀମାନେ ନିଆଁର ଦିହୁଡ଼ି ଓ ଶାଣଦିଆ ଟାଙ୍ଗିଆ ଧରି ତା’ ପଛରେ ଘନ ବନସ୍ତରେ ଦୌଡ଼ୁଥିଲେ । ସେମାନଙ୍କୁ ସେ କୌଣସି ପ୍ରକାରେ ବାଟବଣା କରେଇ ଦେଇ ଡାକବଙ୍ଗଳାରେ ହାଜର ହେଲା । ଧଇଁସଇଁ ହୋଇ ତା’ ଉପର ହାକିମକୁ ଅନୁରୋଧ କରିଥିଲା—ସାର୍‌, ଆପଣ ମୋ’ ସଙ୍ଗରେ ଚାଲି ଆସନ୍ତୁ । ନତୁବା ସେମାନେ ଆପଣଙ୍କୁ ପ୍ରାଣରେ ମାରିଦେବେ । ତା’ ବାବୁ ଶୁଣି ପାରିଲା ଦୂରରେ ମଣିଷର ଆଦିମ ଚିତ୍କାର । ସେମାନେ ଡାକବଙ୍ଗଳା ଛାଡ଼ି ବଣର ବୁଦା ଭିତରେ ରାତି ବିତାଇଲେ । ରାତି ପାହିଲା । ତା’ ବାବୁ ତା’ଠୁ କୈଫିୟତ୍‌ ଚାହିଁଲା । ସେ କି ଉତ୍ତର ଦେବ ? ଏତିକି କେବଳ କହିଥିଲା—‘ସାର୍‌, ମୁଁ ଗୋଟେ ଟୋକୀକୁ ଆପଣଙ୍କ ପାଇଁ ପଟାପଟି କରୁଥିଲି । ଭଲରେ ନ ମାନିଲା ଯେଣୁ ତା’କୁ ଜୋର୍‌ ଜବର କଲି । ତା’ପରେ.......’

 

‘ଥାଉ, ୟୁସଲେସ୍‌, ମୂର୍ଖ.....!’

 

ପରେ ପରେ ଚାକିରି ଗଲା । ନରିଆ କିଛି ବୁଝି ପାରୁନି ତା’ ଦୋଷ କେଉଁଠି । ବାବୁଙ୍କ ଫର୍‌ମାସି ପାଇଁ ନିଜ ଜୀବନକୁ ପଣ କରିଥିଲା । ଆଉ ଫଳ ହେଲା.....ତା’ର ଇଚ୍ଛା ହେଉଥିଲା କେମ୍‍ତିଲମ୍ୱା ଲମ୍ୱା ପାହୁଣ୍ଡ ପକେଇ ଘରେ ପହଞ୍ଚିବ । ପେଟ ଭିତରର କ୍ଷୁଧା ତା’କୁ କଲବଲ କରୁଛି । ଧକ୍‌କା ମାରି ରଙ୍ଗ ମାଟିଆ ରାସ୍ତାର ପୋଖରୀ ହିଡ଼ରେ ଦଣ୍ଡେ ବସିଲା । ଅଞ୍ଜୁଳା ଆଞ୍ଜୁଳା ପାଣି ପିଇଲା । ସାମାନ୍ୟ ସାଷ୍ଟାମ ହେଲା । ପୁଣି ଯାତ୍ରା ଆରମ୍ଭିଲା ।

 

ସନ୍ଧ୍ୟା । ସୂର୍ଯ୍ୟ ଦେବତା ହାଲିଆ ହୋଇ ଝାଉଁଳି ଗଲେଣି । ନରିଆ ଗାଁ ମୁଣ୍ଡର ମଶାଣି ଆଡ଼କୁ ଦେଖିଲା । ଦୂରରେ ତା’ ଗାଆଁର ଭଗବତୀ ମନ୍ଦିର ଝାପ୍‌ପା ଦିଶୁଛି । ଦୀର୍ଘ ଛ’ ମାସ ପରେ ଘରକୁ ଫେରୁଛି । ସେ ଖୁସିରେ ନାଚିବ ନାଚିବ ହେଲା । ପାରିଲାନି। କାରଣ ତା’ ଚେତନା ମନର ଆନନ୍ଦକୁ ଅବଚେତନର ସର୍ବସ୍ୱ ଦୁର୍ଦ୍ଦିନର ରାହୁ ହୋଇ ଗ୍ରାସି ଦେବାକୁ ଆଗୁସାର ହେଲାଣି ।

 

ଫଟା ଭୂଇଁର ଆର୍ତ୍ତନାଦ ତା’ ସମସ୍ତ ସାମଗ୍ରିକ ସତ୍ତାକୁ ଧୂସର ଇଲାକା କରୁଛି । ପରିଚିତ ଗାଁ ମାଟିର କୋଳାହଳ ଶୁଭିଲାଣି । କଅଁଳ ସନ୍ଧ୍ୟାଟା କିଛି ମଧୁ-ମୂର୍ଚ୍ଛନା ତୋଳିଲା ଭଳି ମନେ ହେଉଛି । ସେ ନିଜ ଦୃଷ୍ଟିକୁ ପ୍ରସାରିତ କଲା । ଗାଁ ଗୌନ୍ତିଆର ଭଙ୍ଗା କୋଠାଟା ବାବନା ଭୂତ ଭଳି ଆଖି ମିଟିକା ମାରୁଛି । ଅଜଣା ପୁଲକ-ଫୁଲିର ତେଲ ଚିକିଟା ମୁହଁ, କଳା କଳା କଅଁଳ ମାଂସପେଶୀ । ତା’କୁ ଆଉ ଭୋକ ମାଡ଼ୁନି । ସେ କେମିତି ଘରେ ପହଞ୍ଚିବ, ଥକ୍‌କା ମାରି ବସିବ, ଫୁଲି ଆସିବ, ଆଡ଼ ଆଡ଼ ହୋଇ ଠିଆ ହେବ । ‘କେମ୍‍ତି ଅଛୁ ଲୋ’ ପଚାରିଲେ ଅଭିମାନରେ ଗେଲେଇ ହେବ । ନରିଆକୁ କୁତୁ କୁତୁ, ସଲ ସଲ ଲାଗିବ । ତା’ପରେ ତା’କୁ ସେ କୋଳେଇ ଧରିବ । ଫୁଲି କନ କନ ହେବ, କାମ-ଗୋଡ଼ ହାତରେ ପଡ଼ିବନି ।

 

ତା’ ବାଁ କଡ଼ରୁ ସାଇର ପଧାନ ବୁଢ଼ା ଡାକ ଛାଡ଼ିଛି—‘‘କିରେ, ବାପ ନରିଆରେ......କେବେ ଆସିଲୁ ?’’

 

‘‘ହେଇ ତ ଆସୁଛି, ମଉସା ।’’ ପଧାନ ବୁଢ଼ାର ଦ୍ୱିତୀୟ ପଦକ ଶୁଣିବା ପାଇଁ ନରିଆ ଅପେକ୍ଷା କରିପାରିଲାନି ।

 

ସାଇ ମୁଣ୍ଡରେ ଲଙ୍ଗଳା ପିଲା ଦଳେ ଧୂଳି ଖେଳରେ ମାତିଛନ୍ତି ।

 

ଗାଁ ଗୌନ୍ତିଆ ଆସୁଛି । ସେ ବାଟକାଟି ଚାଲିଯିବ । ଭାବିଲା ବେଳକୁ ସେ ପାଖେଇ ଆସିଲା, ଟାଉଟରି କଣ୍ଠରେ ପଚାରିଲା—‘‘ବାପରେ, ଦୀର୍ଘ ବର୍ଷକର ଘର ଭଡ଼ାଟା ବାକି ରହିଲା........’’

 

‘‘ଏଥର ଦେବି, ସାଉଏ ।’’

 

‘‘ତୋ’ ଇଚ୍ଛା, ବାପ ।’’ ସାଆନ୍ତ ଚାଲିଗଲା । ନରିଆ ଘରମୁହାଁ ହେଲା । ପିଣ୍ଡା ଉପରେ ଗୋଡ଼ ରଖିଛି କି ନାହିଁ ତା’ ମନକୁ ପାପ ଘାରିଲା—କ’ଣ ହେଲା ?ମୋ’ ଘରେ ଏତେ ଲୋକ ? ସେ ଭିତର ଖଞ୍ଜାକୁ ପଶିଲା ବେଳକୁ ସୁଦାର ମା’ ତାକୁ ମନା କଲା—‘‘ନରିରେ । ଭିତରକୁ ଯା’ନା-। ଫୁଲି କଷ୍ଟ ପାଉଛି । ଆରେ ବୋକା, ଏମିତି ବଲବଲ ଚାହିଁଛୁ କାହିଁକି ? ବାପ ହେବୁ । ବୁଝିଲୁ ? ଫୁଲି ଦୁଃଖ ପାଉଛି ।’’

 

‘‘ଦୁଃଖ ! ଫୁଲିର ଦୁଃଖ ?’’ ଗୋବର ଲିପା ପିଣ୍ଡାରେ ମୁଣ୍ଡ ଛୁଇଁ ଗାଁ ଠାକୁରାଣୀକୁ ମାନସିକ ଯାଚିଲା—ମାଲୋ, ମୋ’ ଫୁଲି କେମ୍‍ତି ଦି’ ଭାଗ ହେଉ । ତତେ କଳା ଶାଢ଼ି, କଳା କୁକୁଡ଼ା ଦେବି.... । ସେ ଭିତର ଘରକୁ ଯିବ ବୋଲି ଛଟପଟ ହେଲା । କ୍ଷଣେ ବସି ପାରିଲାନି । ପିଣ୍ଡାରୁ ଘରକୁ ଆଉ ଘରୁ ଅଗଣାକୁ ଖାଲି ଘୂରି ବୁଲିଲା ।

 

ଘର ଭିତରୁ ବୁଢ଼ୀଟିଏ ଦୌଡ଼ି ଆସି ଖବର ଦେଲା—ଫୁଲି ହସ୍‌ପିଟାଲକୁ ଯିବ, ଏଠି ତା’ କଷ୍ଟ ଲାଘବ ହେଇ ପାରିବନି କିମ୍ୱା ତା’ କଅଁଳ ନବଜାତକ ଭୂମିଷ୍ଠ ହେଇ ପାରିବନି । ବେଳକୁ ବେଳ ତା’ର ଦଶା ଖରାପରୁ ଖରାପତର ହେଉଛି । ନରିଆକୁ କିଛି ବୁଦ୍ଧି ଦିଶିଲାନି । କ’ଣ କରିବ-? କେଉଁଠିକି, କେଉଁ ହସ୍‌ପିଟାଲକୁ ତା’କୁ ନେବ ? ଘରେ ତ ଅଧଲାଟିଏ ବୋଲି ନାହିଁ । ସେ ରାହା ପାଉନି । ସାହା ପାଉନି । ତଥାପି ଫୁଲି ବଞ୍ଚିବ ।

 

ଗାଁ ଲୋକଙ୍କ ସାହାଯ୍ୟରେ ଖଣ୍ଡିଏ ବଳଦ ଗାଡ଼ି ଯୋଗାଡ଼ ହେଲା । ସେଇ ଗାଡ଼ିରେ ଫୁଲି ବୁହା ହୋଇ ଚାଲିଲା ନିକଟତମ ସହରର କେଉଁ ସରକାରୀ ହସ୍‌ପିଟାଲକୁ । ନରିଆ ଆଖିରେ ସବୁ ଯେମିତି ଅଶୁଭ ଏବଂ ଅଶୁଭର ନିଦା ନିଦା ଲକ୍ଷଣ । ସାଙ୍ଗରେ ଗାଁର ନିଧି ଭାଇନା କେବଳ । ନିଧି ମଦ୍ୟପ, କିନ୍ତୁ ଲୋକଙ୍କ ଆପଦ ବିପଦ ବେଳକୁ ସିଏ ହିଁ ଏକମାତ୍ର ସମ୍ପଦ ।

 

ଦୀର୍ଘ ଦୁଇ ଘଣ୍ଟାର ଯାତ୍ରା ପରେ ଶଗଡ଼ ଲାଗିଲା ଯାଇ ହସ୍‌ପିଟାଲରେ । ବହୁତ ଦୌଡ଼ାଦୌଡ଼ି କଲା ଉତ୍ତାରୁ ଡାକ୍ତର ଆସିଲେ । ଫୁଲିର ପାଣ୍ଡୁର ମୁହଁଟିକୁ ଦେଖିଲେ, ନାଡ଼ି ଚିପିଲେ-। ଆଉ ବିନା ସମୟ ବ୍ୟୟରେ ଇସ୍ତାହାର ଦେଲେ—‘‘ୟାକୁ କାହିଁକି ଆଣିଛ ? ଇୟେ ତ ମଡ଼ାଟେ.... !’’ ନରିଆ ଆଉ ନିଧି ବିଶ୍ୱାସ କରି ପାରୁ ନାହାନ୍ତି । ଫୁଲି ଯିଏ କି ଏଇ ବର୍ଷେ ହେଲା ବାପ ଘର ଛାଡ଼ି ଶ୍ୱଶୁର ଘରକୁ ବୋହୂ ହୋଇ ଆସିଥିଲା, ସିଏ ଏତେ ଚଞ୍ଚଳ ଆର ପାରିକୁ ଚାଲିଗଲା । ନରିଆ କାନ୍ଦି ପାରୁନି । ନିଧି ଚାଲିଗଲା । ଗାଁକୁ ଆଉ ଦି’ ଚାରିଜଣ ଲୋକଙ୍କୁ ଡାକି ଆଣିବା ପାଇଁ । ନରିଆ ଫୁଲିକୁ ମାଟିରେ ପୋତି ପାରିବନି; ଚିଲ ଶାଗୁଣା, ବିଲୁଆଙ୍କ ଆହାର ହେବାକୁ ଦେବନି । ସେ ତା’କୁ ଏଇ ସହରର ଶ୍ମଶାନରେ ଦାହ କରିବ, ତା’ ହାଡ଼କୁ ଗଙ୍ଗାରେ ତର୍ପଣ ଦେବ ।

 

ଦୀର୍ଘ ପ୍ରତୀକ୍ଷା କଲା । ତଥାପି ଗାଁରୁ କାହାର ଦେଖା ନାହିଁ । ତା’ର ଆଉ କିଏ ବା ଅଛି-! ବାପା, ମା’ ତ ଯାଇଛନ୍ତି ଅନେକ ଦିନରୁ । ଫୁଲି କୁଳରେ ସିଏ ବି ଏକ୍‌ଲା, ହସ୍‌ପିଟାଲ ବାରଣ୍ଡାରେ ଫୁଲିର ଶବ ପଡ଼ିଛି, ଆଉ ତା’ ଉପରେ କୋଚଟ ମଇଳା କନା ଖଣ୍ଡେ ଢାଙ୍କି ଦିଆଯାଇଛି ।

 

କୁଶୁ......କାହାର ପରିଚିତ କଣ୍ଠ ଶୁଣି ହସ୍‌ପିଟାଲର ମେହେନ୍ତର କୁଶୁନା ଅଟକି ଗଲା । ନରିଆ ତା’ ପାଖକୁ ଗଲା; ତା’ ଦୁଃଖର କାହାଣୀ ତା’କୁ ଶୁଣେଇଲା; କିନ୍ତୁ କୁଶୁ ଟିକେ ବି ବିବ୍ରତ ଜଣାଯାଉନି ସବୁ ଜାଣିବା ଉତ୍ତାରୁ ।

 

‘‘କୁଶୁ ଭାଇ, ତୁ ଫୁଲି ପାଖରେ ଟିକେ ଥା’ । ମୁଁ ଯାଇ ଦେଖି ଆସେ—ସେମାନେ କେତେବେଳୁଁ ଗଲେଣି, କିନ୍ତୁ ଏ ଯାଏଁ କାହାର ଦେଖା ନାହିଁ । ତୁ ଥା’, ଏଇ ସାଙ୍ଗେ ସାଙ୍ଗେ ମୁଁ ଆସୁଛି ।’’

 

‘‘କୁଆଡ଼େ ଯିବୁ ?’’

 

‘‘ଏଇ ରାସ୍ତାକୁ..........’’

 

‘‘କାହିଁକି ?’’

 

‘‘ସେମାନେ ଆସୁଥିବେ । ଆସିଲେ ଯାଇ ମୋ’ଫୁଲିର ଶବ ଦାହ ହେବ ।’’ ନରିଆ ପିଲାଙ୍କ ପରି କଇଁ କଇଁ କାନ୍ଦିଲା । ନରିଆ କୁଶୁ ଉପରେ ବିରକ୍ତ ହେଲା—ମୋର ଏତେ ଦୁର୍ଦ୍ଦିନରେ ତା’ର ଟିକେ ବୋଲି ଦୟା ନାଇଁ; ବରଂ......

 

‘‘ଆରେ ପାଗଳ, ଯିଏ ଗଲା, ସିଏ ଗଲା । ତା’ପାଇଁ ତୁ ଏତେ ଧନ୍ଦି ହେଉଛୁ କାହିଁକି ?ଯା’ ଆଉ ଥରେ ବା’ ହୁଅ, ନୂଆ ସଂସାର କର...।’’ ତା’ପରେ ମେହେନ୍ତର କୁଶୁ ନରିଆକୁ ଦୂର ଆମ୍ୱଗଛ ମୂଳକୁ ଡାକିନେଲା । ଫୁଲିର ଶବ ସେମିତି ପଡ଼ି ରହିଥାଏ । କ’ଣ ସେ ବୁଝେଇଲା ବା ଇୟେ କ’ଣ ବୁଝିଲା ସେତିକିରେ ନରିଆର ପରିବର୍ତ୍ତନ ହେଲା, ପଟ୍ଟ ଓଲଟି ଗଲା ।

 

ଯିଏ ମରଣ ସହ ନିତି ଖେଳ ଖେଳିଛି, ମରଣ ତୁଲେ ମୁକାବିଲା କରିଛି, ତା’ପାଇଁ ମରଣ କେବେ ଉପନିବେଶୀ ନୁହେଁ । କୁଶୁ ଏ’ ଜାତିର ମଣିଷ ଯେଉଁ ମଣିଷକି ଜୀବନର ପ୍ରେମରେ ପଡ଼ି ମୃତ୍ୟୁକୁ ମାରିବା ପାଇଁ ସର୍ବଦା ଖଡ୍‍ଗହସ୍ତ ହୋଇଛି; ଯେଉଁ ମଣିଷ ମଣିଷର ଶବକୁ ବଜାରରେ ବିକ୍ରି କରେ, ପଇସା ଅର୍ଜନ କରେ ଏବଂ ଯେଉଁ ପଇସାରେ ନିଜେ ବଞ୍ଚି ରହେ କିଛି ଦିନ ପାଇଁ, ପୁଣି ଶବ ପାଲଟିବା ପାଇଁ, ଫେର୍‌ ବିକ୍ରି ହେବା ପାଇଁ । ଫୁଲିର ସଦ୍ୟ ଶବ ବିକ୍ରି ହେଲା ହସ୍‌ପିଟାଲରେ, ସେ ପଇସା ପାଇଲା । ଢୋକେ ପିଇଲା । ନରିଆ କୁଶୁ ଜାତିର ମଣିଷ ପାଲଟି ଗଲା । ସେ ମଲା ମଣିଷକୁ ନେଇ ବ୍ୟବସାୟ କରିବ, ଶବବେପାରିହେବ ।

 

ନିଧି ଫେରିଛି । ନରିଆ ତା’କୁ ସଫେଇ ଦେଇଛି—‘‘ନିଧିରେ, କୁଶୁର ସାହାଯ୍ୟରେ ଫୁଲିର ଶବ ସତ୍କାର ହେଲା ।’’ ସେ ମିଛ କହିଲା । ତା’ ଆଖିରେ ଲୁହ ନ ଥିଲା; ବରଂ ନିଧିର ଆଖିଗୁଡ଼ାକ ଓଦାଳିଆ, ଓଦାଳିଆ ।

 

ବାବୁର ଅର୍ଡ଼ରଲି ନରିଆର ମୃତ୍ୟୁ ହୋଇଛି । ତା’ର ନୂତନ ସଂସ୍କରଣ—ଶବ—ବେପାରି ନାରଣ ଜେନା... !

Image

 

ଦୁଇ

 

ନରିଆ ଆଜି କାଲି ବେଶ୍‌ ଆରାମରେ ଚଳିପାରୁଛି । ଅବଶ୍ୟ ସାମାନ୍ୟ କଷ୍ଟ ବରଣ କରିବାକୁ ପଡ଼ୁଛି । ଦିନସାରା ବୁଲି ବୁଲି ମୃତ୍ୟୁ କେଉଁଠି ପ୍ରବେଶ କଲା ତା’ରି ଅନିଷା କରୁଛି; ଏବଂ ନିଶାର୍ଦ୍ଧରେ ଶବମାନଙ୍କୁ ମାଟିତଳୁ ଖୋଳି ଆଣି ସକାଳ ହେଲେ ହସ୍‌ପିଟାଲରେବିକ୍ରି କରୁଛି । ବେଶ୍‌ ପଇସା ରୋଜଗାର କରି ହେଉଛି ସେଥିରେ ।

 

ଯଦିଚ ଶବକୁ ନେଇ ତା’ ବଞ୍ଚିବା, ଜୀବନ-ଯାତ୍ରା । ତଥାପି ସିଏ ଅନ୍ୟମାନଙ୍କର ଅମଙ୍ଗଳ ପାଞ୍ଚିନି । ପାଞ୍ଚିନି କେବେ ବି ଯେ ଅନ୍ୟ କେହି ମୃତ୍ୟୁର ଶିକାର ହେଉ, ଶବ ପାଲଟୁ । ସେଇ ଶବ ବିକ୍ରିରେ ତା’ ଜୀବନ ସୁରୁଖୁରୁରେ ଏମ୍‍ତି ଚାଲୁ । ସେ ଶବ ବେପାର କରିଛି ବୋଲି ସମାଜ ତା’କୁ ବାଛନ୍ଦ କରିଛି । ଜାତିରେ ଭୁକ୍ତ ହୋଇ, ଜାତିର ପ୍ରଥା ମାନି, ସମାଜର ବଡ଼ ପଣ୍ଡାମାନଙ୍କର ପାଦ ତଳେ ମୁଣ୍ଡ ଛୁଆଁଇ ଏ ମଣିଷ ଜାତିର କିଏ ଅମର ହୋଇ ପାରିନି କି ପେଟୁଆ ଯମ ତା’କୁ ହାତଛଡ଼ା କରିନି । ଏଣୁ ଜାତିଆଣ ହେବା ଅପେକ୍ଷା ବରଂ ଅଜାତୀୟ (ବିଜାତୀୟ) ଜୀବନ, ବନ୍ଧନହୀନ, ଅଭିନୟବିହୀନ, ଜୀବନ ବହୁ ଗୁଣରେ ଶ୍ରେୟସ୍କର । ସେ ଥରେ ଥରେ ଆତ୍ମ-ପ୍ରଶଂସାରେ ମସ୍‌ଗୁଲ ହୋଇଛିମୁଁ ସେଇ ବଡ଼ବାବୁଠାରୁ ନିଶ୍ଚୟ ଊର୍ଦ୍ଧ୍ୱରେ । କାରଣ ତା’ର ଭୟ ଅଛି—ସେ କିମ୍ୱା ତା’ର ଅପକୀର୍ତ୍ତି କାଳେ ଲୋକଙ୍କ ଆଖିରେ ଧରା ପଡ଼ିଯିବ; କିନ୍ତୁ ମୋର କିଛି ନାହିଁ । ମୋର ଯେହେତୁ କୀର୍ତ୍ତି ନାହିଁ, ଅପକୀର୍ତ୍ତିକୁ ଡରିବାରେ ବି କିଛି ମାନେ ନାହିଁ । ମୁଁ ଏବଂ ମୋର ଜୀବନ......ଏବଂ ବଞ୍ଚିବାପାଇଁ, ଜୀବନକୁ ଦେହ ଭିତରେ ଭିଡ଼ି ଓଟାରି କିଛି ଦିନ ବନ୍ଦୀ କରି ରଖିବା ପାଇଁ ପାଥେୟ: ଶବ-ଅନ୍ୱେଷଣ ।

 

ଏଇ ବଞ୍ଚିବାପାଇଁ ତା’କୁ ଏକ ନୂତନ ସ୍ୱାଦର କଷଣକୁ ମାନି ନେବାକୁ ପଡ଼ିଛି । ସେ ରାସ୍ତାରେ ଶବ ଅନିଷା କଲାବେଳେ କେବେ ତା’ ପଛରେ ବିଦ୍ରୂପର ସ୍ୱର–ଝଙ୍କାର ଶୁଭିଛି–‘‘ହେଇଟି, ଶବ ବିକାଳି ଯାଉଛି ।’’ ସେ ଦେଖିଛି, ରାସ୍ତା ଉପରୁ ଧୂଳି ଖେଳୁଥିବା ପିଲାମାନଙ୍କୁ ଭିଡ଼ି ନେଇ ସେମାନଙ୍କ ମା’ କିମ୍ୱା ବନ୍ଧୁମାନେ ଘରେ କିଳିଣି ଦେଇ ଦ୍ୱାର ବନ୍ଦ କରିଛନ୍ତି । ପିଲାଟିଏ କାଳେ ନରିଆ ଛାଇ ପାତରେ ଡରି ଯାଇଥିବ କହି ତା’ପାଇଁ ଝଡ଼ା ଫୁଙ୍କାର ଆୟୋଜନ ହୋଇଛି । ତା’ ଅଣ୍ଟାରେ କିବା ବାହୁରେ ତାନ୍ତ୍ରିକର ମନ୍ତୁରା କବଚ ଶୋଭା ପାଇଛି । ତଥାପି ବି ନରିଆ ଏଥିରେ ତିଳେ ହେଲେ ବିବ୍ରତ ହୋଇନି; ବରଂ ଦୃଢ଼ ହୋଇଛି—ବଞ୍ଚିବାକୁ ହେଲେ ମଣିଷ ଯେ’ କୌଣସି ଉପାୟରେ ଆଶ୍ରୟ ନେଲେ ବି ସିଏ ତା’ର କର୍ମ; ଅପକର୍ମ ନୁହେଁ ।

 

ରାତି ରାତି ଉଜାଗର ରହି ନରିଆ ମଶାଣିରେ ଶବ ଅଣ୍ଡାଳେ; ଡାହାଣୀ, ପେତିନୀ, ପିଶାଚୁଣୀ, ବିଲୁଆମାନଙ୍କ ସହ ଏକ ହୋଇ ଶବର ଅନିଷା କରେ । ସେ ଅନେକ ଥର ବିଲୁଆ ମୁହଁରୁ ସଦ୍ୟ ଶବ ଛଡ଼ାଇ ଆଣିଛି । ହାତ ଖଣ୍ଡେ କି ଗୋଡ଼ ଖଣ୍ଡେ ଯଦି ବିଲୁଆ ଦାନ୍ତରେ ନଷ୍ଟ ହୋଇଛି ସେଥିପାଇଁ ସେ ଶସ୍ତା ଦରରେ ଶବକୁ ବିକ୍ରି କରିଛି କିମ୍ୱା ଶବକୁ ଫେର୍‌ ସମାଧି ଦେଇ ତା’ର ମାଂସଗୁଡ଼ାକ ପଚି ସଢ଼ି ଗଲାପରେ ହାଡ଼ଗୁଡ଼ିକୁ ଦି’ ଚାରିଅଣା ପଇସାରେ ମେଡ଼ିକାଲ୍‌ ଛାତ୍ରଛାତ୍ରୀଙ୍କୁ ବିକିଛି, କିନ୍ତୁ ସେ ଜାଣି ପାରିନି ଶ୍ମଶାନରେ ଭୟ କ’ଣ, ଜୀବନରେ ମୃତ୍ୟୁ କ’ଣ । ଯେଉଁଦିନ ସଦ୍ୟ ଶବର ଅଭାବ ପଡ଼ିଛି ସେ ମଶାଣିରୁ ମଣିଷର ହାଡ଼, ଖପୁରୀ ଗୋଟାଇଛି, କୁଶୁର ସାହାଯ୍ୟରେ ତା’କୁ ସଫା ସୁତୁରା କରିଛି ଏବଂ ବିକ୍ରି ପରେ କିଛି ପଇସା ବି ପାଇଛି; କିନ୍ତୁ ଆଜି କାହିଁକି ତା’ ମନ ଫିକା ପଡ଼ିଯାଉଛି, ମଶାଣିକୁ ଯିବାପାଇଁ ଅହେତୁକ ଭୟ ମାଡ଼ୁଛି ।

 

ଏମିତି ଯାଯାବର ପରି ସେ’ଦିନ ସନ୍ଧ୍ୟାରେ ବୁଲୁ ବୁଲୁ ସେ ସେଇ ନୀଳ ରଙ୍ଗର ଦି’ ତାଲା କୋଠା ସାମାନାରେ ହଠାତ୍‌ ଛିଡ଼ା ହୋଇଗଲା । ସେ’ କୋଠାରୁ କେଇଟି ନାରୀ ଓ ପୁରୁଷର ବିକଳ କ୍ରନ୍ଦନ ଭାସି ଆସୁଛି । ଅନ୍ୟ ଘରୁ ଯଦି ଏମ୍‍ତି କ୍ରନ୍ଦନ ଭାସି ଆସନ୍ତା ସେ ନିଶ୍ଚୟ ଅଜଣାରେ ଖୁସି ହୁଅନ୍ତା । ସେ ସେଠି ଦଣ୍ଡେ ଛିଡ଼ା ହେଲା । ଖବର ସଂଗ୍ରହ କଲା—ସେଇ ଝୁଅଟି, ଡଉଲ ଡାଉଲ ଝିଅଟି—ଲୀନା—ଚାଲିଗଲା ।

 

ଲୀନା । ଅନେକ ବ୍ୟଥାଦାୟକ ସ୍ମୃତିର ଏକମାତ୍ର ମଧୁର ଆଳାପନୀ ।

 

ଲୀନା (ନରିଆ ମତରେ) ମଣିଷ ନୁହେଁ । କାରଣ, ସେ ମଣିଷକୁ ଘୃଣା କରିବା ଶିଖିନି-। ନରିଆକୁ ଶବ-ବିକାଳି ବୋଲି ଡରିନି କିମ୍ୱା ତା’କୁ ବିଦ୍ରୂପ କରିନି । ଲୀନା ଏକ ଜୀବନ୍ତ ଦେବୀର ମୂର୍ତ୍ତି । ନରିଆର ଇଚ୍ଛା ହେଲା ସେ ଦୌଡ଼ିଯାଇ ଲୀନାକୁ ଶେଷଥର ପାଇଁ ଆଖି ପୂରେଇ ଦେଖନ୍ତା; କିନ୍ତୁ ମଣିଷ ତା’ ବାଟ ଓଗାଳିବ । ତା’କୁ ଧିକ୍‌କାରିବ ।

 

ନରିଆକୁ ମାଟିର ଇଲାକା ଆକାଶର ମେଘିଳ ଅନ୍ଧାର ପରି ଦିଶିଲା । ସେ ଆଗକୁ ଚାଲିଲା । ଏଠି ଠିଆହୋଇ ରହିଲେ ବିପଦ । ଆଜି ତା’କୁ ନିହାତି ଏକ୍‌ଲା ଲାଗୁଛି । ଭୟ ବି । ସେ ଜାଣିପାରୁନି ଏଇ ଭୟର ହେତୁ କ’ଣ ? ତା’ ପଛରେ କୋଳାହଳ—‘ରାମ ନାମ ସତ୍ୟ ହୈ......ହରି ନାମ ସତ୍ୟ ହୈ.....’ ! ହଁ । ମାଲ ଭାଇମାନେ ଲୀନାର ଶବ କାନ୍ଧେଇ ମଶାଣି ଆଡ଼କୁ ମାଡ଼ି ଯାଉଛନ୍ତି । ନରିଆ ହଠାତ୍‌ ଲତା ଗହଳରେ ଲୁଚିଗଲା ।

 

ଶବବାହକମାନେ ବହୁତ ଆଗରେ । ନରିଆ ସେମାନଙ୍କ ପଛେ ପଛେ ଚାଲିଲା । ତା’ର ହରଷ ନାହିଁ । ଯଦିଚ ସେ ସଦ୍ୟ ଶବଟିଏ ପାଇବ । ସବୁ ଖାଁ ଖାଁ, ସାଦା ସାଦା । ସେ ହସ୍‌ପିଟାଲକୁ ଗଲା । କୁଶକୁ ଅନୁରୋଧ କଲା—‘‘ମତେ ଆଜି ଭାରି ଡର ମାଡ଼ୁଛି । ମୋ ସହିତ ମଶାଣିକୁ ଯିବୁ..... ?’’

 

‘‘ନା, ମୁଣ୍ଡ ବିକିଛି ପରା ! ଡ୍ୟୁଟି ଛାଡ଼ି ଯାଇ ହେବନି ।’’ ନରିଆ ତା’କୁ ବେଶୀ ଫୁସୁଲେଇବାକୁ ପସନ୍ଦ କଲାନି । ସେ ଏକୁଟିଆ ଚାଲିଲା । ନିର୍ଜନ ମଶାଣି ପଠା । ଏ କୂଳରେ ରୂପା ପାତିଆ ପରି କୁନି ନଈଧାରଟି ଗଡ଼ି ଚାଲିଛି । ଲୀନାର ସମାଧି ଆବିଷ୍କାର କରିବା ତା’ ପକ୍ଷେ କଷ୍ଟ ଦେଲାନି । କାରଣ ଗୋଟିଏ ବାଲିଆ ସ୍ତୂପ ନିକଟରେ ଦଳେ ବିଲୁଆ ଠିଆହୋଇ କିଛି ଶୁଙ୍ଘିବାରେ ଲାଗିଛନ୍ତି । ସେ ବିଲୁଆଗୁଡ଼ାକୁ ହୁରୁଡ଼େଇ ଦେଲା । ଆଣ୍ଠୁ ମାଡ଼ି ଏକା ନିଃଶ୍ୱାସରେ ବାଲି ଖୋଳିଲା । ତା’ର ମନେ ହେଉଛି, ସେ ପାହାଡ଼ ଖୋଳୁଛି ହଜି ଯାଇଥିବା ମଣି ହାର ପାଇବା ପାଇଁ । ଲୀନାର ମୃତ ଶରୀର, ଫାଳିକିଆ ଜହ୍ନ ଆଲୁଅରେ ଲୀନା ମନଲୋଭା ଦିଶୁଛି । ଦି’ଟା ଘୁମନ୍ତ ଆଖି, ଜ୍ୟୋତ୍ସ୍ନାସ୍ନାତ କୁନି ମୁହଁଟିଏ । ସାଇଁ ସାଇଁ ଅନ୍ଧାରର ଅଜବ୍‌ ଖନିନରେ ନରିଆର ନିଶବ୍ଦ କ୍ରନ୍ଦନ ପ୍ରତିଧ୍ୱନିତ ହେଉଥିଲା । ଲୀନାର ଶବ ଦେହରୁ ଧୂଳିମଳି ସଫା କଲା । କାନ୍ଧରେ ଝୁଲେଇ ପଛକୁ ଫେରୁଥିଲା । ଫେର୍‌ ଆଗକୁ ଲେଉଟିଲା—ନା, ୟା’କୁ ସେ ସାମାନ୍ୟ ପଇସା କେତୋଟି ପାଇଁ ବିକ୍ରିକରି ପାରିବନି । ଲୀନାକୁ ସେ ଜାଳିଦେବ, ପୋଡ଼ିଦେବ, ଭସ୍ମ କରିଦେବ; ଏ ନଦୀର ସ୍ରୋତରେ ସେ ପାଉଁଶ ମୁଠାକ ଭସେଇ ଦେବ । ତା’ପରେ......ଲୀନା ଜୀବନର ଜଟିଳ ଛନ୍ଦରୁ ମୃତ୍ୟୁର ବନ୍ଧନରୁ ମୁକ୍ତ ହେବ ।

 

ନରିଆକୁ ଯେମ୍‍ତି ସ୍ୱର୍ଗ ମିଳିଛି । ଶବକୁ କାନ୍ଧରେ ଝୁଲେଇ ନଈତଟର ଶୁଖିଲା ଥୁଣ୍ଟା ବୃକ୍ଷମାନଙ୍କରୁ ଶାଖା, ପ୍ରଶାଖା, ପତ୍ର, ବକଳ ଆଦି ସଂଗ୍ରହ କଲା । ଶ୍ମଶାନର ନିରୋଳା କୋଣରେ ଜୁଇ ଜାଳିଲା । ଲୀନାକୁ ସେ ପୋଡ଼ିବ ? ତା’କୁ ନିରେଖି ଚାହିଁଲା । ସେଇ ଓଠ—ଯାହା କାନ୍ଦୁଣୁ ମାନ୍ଦୁଣୁ ହୋଇ କୋଉଠି ଅଳି କରୁଛି—‘‘ବୋଉ, ପାଣି ମୁନ୍ଦେ ଦେ । ଲୋକଟି ମାଗୁଛି ।’’ ସେ ପିଇବା ଲୋକଟି ନରିଆ । ଦିନେ ରାସ୍ତାରେ ଚାଲୁ ଚାଲୁ ସେ ସଂଜ୍ଞାହୀନ ହେଲା, ସଂଜ୍ଞା ଫେରିବା ପରେ ପରେ ସେ ପାଣି ପାଇଁ ଚିତ୍‌କାର କରିଥିଲା । ଲୋକମାନେ ନାକ ଟେକି ଚାଲି ଯାଇଥିଲେ । ଆଉ ଲୀନା ପାଣି ଗ୍ଲାସେ ଧରି ଘରୁ ଦୌଡ଼ି ଆସିଥିଲା । ତା’ ବୋଉ ପଛରୁ ଡାକ ଛାଡ଼ୁଥିଲେ–‘‘ଝିଅ, ଯା’ନି ।’’ ଲୀନା ମନା ମାନି ନ ଥିଲା । ଛାଟି ପିଟି ହୋଇଥିଲା । ଏଇ ଲୀନାକୁ ସେ ପାଉଁଶ କରିବାକୁ ଯାଉଛି । ତା’ ଅନ୍ତର-ମଣିଷ ତା’କୁ ମନା କରୁଥିଲା ।

 

ରାତି ଜଳୁଛି । ଚିତା ବି ଜଳୁଛି । ନରିଆ ଲୀନା ମୁହଁରେ ହାତ ବୁଲେଇ ଆଣିଲା । ଶୀତଳ ଶରୀର । ଜୁଇ ହୁତ୍‌ ହୁତ୍‌ ଜଳୁଛି ।

 

ନରିଆ ଲୀନା କପାଳରେ ବୋକ ଖାଇଲା । ସର୍ବାଙ୍ଗ ବରଫ ।

 

ଲୀନା ଜଳିଯିବା ମୁହୂର୍ତ୍ତ ପାଖେଇ ଆସିଲା । ନରିଆ ଆଖି ଆଗରେ ସେ ଜଳିଯିବ ! ଜୀବନ ପାଖରେ ମୃତ୍ୟୁର ମରଣ ହେବ । ଆଦିଶକ୍ତି ଆକାଶରେ ସୁବିସ୍ତୃତ ମଶାଣି ଭୂଇଁରେ । ମଲା ଜହ୍ନର ଫିକା ଜ୍ୟୋତ୍ସ୍ନାରେ ଏବଂ ଜଳନ୍ତା ଚିତାର ଅଗ୍ନି ଉତ୍ସବରେ ଅଶରୀରି ଅନ୍ଧାରର ରାଜତ୍ୱ ବ୍ୟାପିଗଲା ।

 

ଅଗ୍ନିର ବଳୟ ଭିତରେ ଲୀନା ଶୋଇଗଲା । ନରିଆର ଆଖିରେ ଖାଲି ଅନ୍ଧାର ଆଉ ଅନ୍ଧାରର ଭୂତ ନାଚିବାରେ ଲାଗିଲା ।

Image

 

ବିସ୍ମିତ ପ୍ରଭାତ

 

ସେ ଆସୁଥିବେ । ଆଜି ରାତିକର ପ୍ରଳୟ ସରିଲେ ସୂର୍ଯ୍ୟୋଦୟ ହେବ । ସେ ଆସିବେ-। ଯଦି ଉପେକ୍ଷା କରନ୍ତି । ସେ ଭାଙ୍ଗି ପଡ଼ିବ । ତୋଳି ନେଲେ ଆଶାୟୀ ହେବ ।

 

ଅନ୍ଧାରରେ ସ୍ମୃତିମାନେ ଶର୍ଫରୀ ମାଛ ପରି ଫର୍‌ ଫର୍‍ ହୁଅନ୍ତି । ଅନ୍ଧାର ଘରେ ଅତୀତର ଘଟଣାମାନେ ଚକା ଚକା ଭଉଁରୀ ଖେଳନ୍ତି । ମଣିଷ ଜାଣି ଜାଣି ଚେଷ୍ଟା କରେନି ସେ ମାଛକୁ ହାତ ଆଞ୍ଜୁଳାରେ ଅକ୍ତିଆର କରିବା ପାଇଁ କିମ୍ୱା ସେ ଉଜାଣିର ଖେଳରେ ମସ୍‌ଗୁଲ ହେବା ପାଇଁ । କିନ୍ତୁ ବାହ୍ୟିକ ପରିସ୍ଥିତି ତା’କୁ ବାଧ୍ୟ କରେ ।ତା’କୁ ଚେତେଇ ଦିଏ—ତମେ ବନ୍‌ସି ଧରି କୂଳରେ ଜଗି ବସି ଅଣ୍ଟାରେ ଲୁଗା ଭିଡ଼ି ସ୍ରୋତ ଉପରକୁ ଲମ୍ଫ ଦିଅ । ସେ ଆଗେଇ ଆସେ, କରିବ କରିବ ହୁଏ । ପରିଶେଷରେ ମାଛଗୁଡ଼ିକର ରୂପ ଆଗରେ ଏବଂ ସ୍ରୋତର ଶକ୍ତି ସାମ୍ନାରେ ତା’ସାହସ କୁଳାଏନି । ଘରେ ଦୀପ ଜଳେ, ସେ ଅନ୍ଧାରକୁ ଟିକ୍‌ ଟିକ୍‌ କରେ । ଅହେତୁକ ଶୂନ୍ୟତାକୁ ଆଶାର ସ୍ତମ୍ଭ ମନେକରି କୁଣ୍ଢେଇ ଧରେ ।

 

ପ୍ରାୟ ଦିନ ଦି’ପହର ବେଳୁ ବାହାରେ ଅବିଶ୍ରାନ୍ତ ବର୍ଷା କୁଢ଼େଇ ହୋଇ ଚାଲିଛି । ରାତି ଏଗାର ବାଜିବାକୁ ବସିଲାଣି । ସାରା ଜଗତ ଉପରେ ଯେମିତି କୌଣସି ଏକ ଭୟଙ୍କର କୋକୁଆ ତା’ ଭୈରବୀ ରାଜତ୍ୱ ଘୋଷଣା କରି ଚାଲିଛି । କିଟିକିଟିଆ ଅନ୍ଧାର ରାତିରେ ସବୁ ଯାଦବ ପୁତ୍ରମାନେ କୋକୁଆ ପଛରେ ଝାଡ଼ୁ, ଟାଙ୍ଗିଆ, କୁରାଡ଼ି ଧରି ଯାତ୍ରା ଆରମ୍ଭ କରୁଛନ୍ତି । ସେମାନେ ସତରେ ସେଇ ଦୂର ଜଙ୍ଗଲର କଦମ୍ୱ ମୂଳରେ ପହଞ୍ଚିବେ । ଏରକା ବଣରୁ ସାତରା ଗଛ ଉପାଡ଼ି ଯୁଦ୍ଧ କରିବେ କିନ୍ତୁ ଯୁଦ୍ଧରେ ଯାଦବ ଦଳର ମୃତ୍ୟୁ ହେବ ଏବଂ କୋକୁଆ ତା’ ବାଟରେ ନଦୀକୁ ଚାଲିଯିବ, ସମ୍ଭବତଃ ଏକଥା ସେମାନେ ଜାଣି ପାରୁ ନାହାନ୍ତି ।

 

ଅଧ୍ୟାପିକା ରାକା ରାୟ ବ୍ୟସ୍ତ ହୋଇ ଉଠିଲା । ସେଇ କାଳ ବର୍ଷାରେ ଭିଜି ଭିଜି ଲିଲି, ମିନୁ, ରାଜୁ ସମସ୍ତେ ଚାଲିଗଲେ । କିଏ ପୁଅ, ଝିଅ, ସ୍ୱାମୀ ସଂସାର ଧରି ଘର କରିଛି ଆଉ କିଏ ହୁଏତ ବାପା, ମା’ଙ୍କ କଡ଼ା ଶାସନକୁ ମାନି ନେଇଛି । ସେମାନେଙ୍କୁ ରାକା ଅନେଇ ପାରିଲାନି ।

 

ତା’ ଫ୍ଲାଟ୍‌ର ଚଉଦିଗରେ ଘନୀଭୂତ ଅନ୍ଧାରର ଆସ୍ତରଣ । ନିହାତି ଏକଲା । ତଥାପି ସେ ଉପାୟଶୂନ୍ୟ । ଅନ୍ଧାରକୁ ହୁଏତ ସେ ମୁକାବିଲା କରି ପାରିବ । କିନ୍ତୁ ତା’ର ଅନ୍ତର ଭିତରେ ଯେଉଁ ସର୍ବଗ୍ରାସୀ ଶୂନ୍ୟତାର ରାଜୁତି ଚାଲିଛି ! ରାକାର ଆଖି ଲୁହରେ ବୁଡ଼ି ସାରିଲା ପରେ ପାପୁଲି ବିହୀନ ହାତ ସାହାଯ୍ୟରେ ମହ୍‌ମବତୀକୁ ଅନିଚ୍ଛା ସତ୍ତ୍ୱେ ବାଧ୍ୟ ହୋଇ ଜଳାଇଲା ।

 

ଓଃ ! ଏକ ଭୟଙ୍କର ରାତ୍ରି ! ସତରେ ଏକ କାଳରାତ୍ରି ! ଆଜି ରାତିରେ ଯଦି ତା’ ଉପରେ ଏଇ ସଜଳ ପୃଥିବୀର ଆକାଶଟା ଭାଙ୍ଗି ପଡ଼େ ତା’କୁ ଆଉ କିଏ ସାହାଯ୍ୟ କରିବ ? ସେ ପାଗଳୀଙ୍କ ପରି ଚିତ୍କାର କରିବ । କିନ୍ତୁ ସେ ଚିତ୍କାର ଆକାଶର ତାରା ଭେଦକରି ଅବଶିଷ୍ଟ ପୃଥିବୀର ଦ୍ୱାରରେ ପହଞ୍ଚି ପାରିବନି ।

 

ବୋଉ ! ରାକା ଏଥର କାନ୍ଦିଲା । ଛୋଟ ପିଲାଙ୍କ ଭଳି ବେଡ଼୍‌ ଟେବୁଲ୍‍ ଅଣ୍ଡାଳିଲା । କିନ୍ତୁ ବୋଉ କେଉଁଥିରେ ଲୁଚି ଯାଇନି । ସେ ତା’ରି ଆଗରେ ସେଇ ଡକାୟତମାନଙ୍କ ଶିକାର ହେଲା । ସେଇ ପାହାଡ଼ ତଳର କୋଠା ଉପରେ ତା’ ବୋଉର ସ୍ଥାଣୁ ଶରୀର ପଡ଼ି ରହିଲା । ସେ ରାତି ଆଜିର ରାତି ଭଳି ଏମିତି ଭୟଙ୍କର ଜଣା ଯାଉଥିଲା, ଦିନସାରା ତୁହାକୁ ତୁହା ବର୍ଷା ଅଜାଡ଼ୁଥିଲା । ଅଶରୀରିର ଚିତ୍କାର ପୃଥିବୀର ଛାତି ଥରାଉଥିଲା ।

 

ଠିକ୍‌ ମନେ ପଡ଼ୁନି.....ସିଏ ଥିଲା ରଙ୍ଗୀନ ଫ୍ରକ୍‌ ପିନ୍ଧା ଏକ ସରଳା ବାଳିକା । ତା’ ଅଙ୍ଗରେ ଉଜାଗର ନ ଥିଲା କି ଯୌବନର ଜୁଆର ତା’ ଶରୀର ଉପକୂଳରେ ମଥା ପିଟୁ ନ ଥିଲା । ବାପା ଥିଲେ ମାଇନିଂ ଇଞ୍ଜିନିୟର । ପାହାଡ଼ ଖୋଳି ଧନ ରତ୍ନର ଅନିସା କରିବା ତାଙ୍କର ଝୁଙ୍କ୍‌ ।

 

ସେଦିନ ରାତିରେ ବାପା ଘରକୁ ଫେରୁ ଫେରୁ ଅସମ୍ଭବ ଡେରି ହୋଇଥାଏ । ଭିତର ଘରେ ବୋଉ ବ୍ୟସ୍ତ । ରାକା ବାହାର ବାରଣ୍ଡାରେ ଗୁମ୍‌ ହୋଇ ବସିଥାଏ । ବର୍ଷଣମୁଖର ରାତିର ସଙ୍ଗୀତ ତା’କୁ ବେଶ୍‌ ଆରାମ ଲାଗିଥିଲା । ବାବା ଫେରିବେ.....ଅପେକ୍ଷା କରି କରି ରାକା ଆଖିରେ ନିଦ୍ରାର ପ୍ରଥମ ସୂଚନା ପହଞ୍ଚିଲା ।

 

ହଠାତ୍‌ ତା’ ଆଗରେ ଦି’ଜଣ କଳା କଳା ଡେଙ୍ଗା ଲୋକ । ସେମାନେ ଘର ଭିତରକୁ ପଶିଲେ । ସେମାନେ ଦାଣ୍ଡ ପଟର ଦରଜା ଭିତରୁ କିଳିଲେ । ବୋଉକୁ ଭୀଷଣ ମାଡ଼ଦେଲେ । ପେଡ଼ି ସିନ୍ଦୁକର ଚାବି ଖୋଲିଲେ । ତା’ର ଅନେକ ଖେଳଣା ରକ୍ତାକ୍ତ ହେଲା । କିଛି ସମୟର ଉତ୍ପାତ ପରେ ସେମାନେ ଚାଲିଗଲେ । ବୋଉ ଚିତ୍‌ ହୋଇ ଶୋଇଛି । ତା’ଦେହରେ ସୂତା ଖିଏ ବି ନ ଥିଲା । ରାକା କାନ୍ଦୁଣୁ ମାନ୍ଦୁଣୁ ହେଲା । ଚିତ୍କାର କଲା, ବୋଉ....!

 

ବୋଉ...! ହଠାତ୍‌ ରାକା ଚମକି ଗଲା । ବାହାରେ ସେମିତି ବର୍ଷା ହମ୍‌ ହମ୍‌ ନାଚୁଛି ।

 

ଦରଜା ଉପରେ କାହାର ଶବ୍ଦ । ସେ ଦରଜା ଖୋଲିଲା । ହୋଟେଲ୍‌ ନ୍ୟୁଲାଇଟ୍‌ର ପିଲାଟି ତା’ ଟେବୁଲ୍‍ ଉପରେ କ୍ୟାରିଅର୍‌ ରଖି ଚାଲିଗଲା । ତା’ଠି ଭୀଷଣ ଭୋକ । କିନ୍ତୁ ଖାଦ୍ୟକୁ ଛୁଇଁବା ପାଇଁ ଆଗ୍ରହର ଅଭାବ ।

 

ଏମିତି.....ଅଧ୍ୟାପିକା ରାକା ରାୟ ଶୋଇଗଲା । ବୋଉ ଚାଲିଗଲା । ସେମାନଙ୍କ ଲୁହାର ହାତରୁ ବୋଉକୁ ମୁକୁଳେଇ ସେ ଆଣି ପାରି ନ ଥିଲା । ସାରା ପୃଥିବୀ ନିଦ୍ରାଗ୍ରସ୍ତ । କଲୋନୀରୁ ନିଶାର୍ଦ୍ଧରେ କେଉଁ ଛୁଆ ତା’ ମା’ର ସ୍ତନ ପାଇଁ ଅଳି କରୁ କରୁ କାନ୍ଦଣା ଆରମ୍ଭ କରୁଛି-। ଆଜି ଯେମିତି ପ୍ରଳୟର ରାତ୍ରି । ଏ ରାତିରେ ସମସ୍ତେ ଏକାକାର ହେବେ । ସମୁଦ୍ର କୂଳ ଲଙ୍ଘି ସହର, ପଲ୍ଲୀକୁ ଚାଟିଦେବ ।

 

ମହମବତୀଟା ଜଳି ଜଳି କେତେବେଳୁ ଶେଷ ହେଲାଣି । ପୂର୍ବପରି ଅନ୍ଧାର । ଏ ଦୁଃସମୟରେ ଦୁଃସ୍ୱପ୍ନ । ରାକା ଚାଉଁକିନା ଅନୁଭବ କଲା । ଶେଯ ଛାଡ଼ି ଉଠି ବସିବ ବୋଲି ଯେତେ ଚେଷ୍ଟା କଲେ ବି ପାରୁନି । ତା’ଉପରେ ଯେମିତି କେତେ ଲୋକ ମାଡ଼ି ମକଚି ବସିଛନ୍ତି । ତା’ ଦେହ ଥରୁଛି । ସେ ଚିତ୍‌କାର କରୁଛି । ପାପୁଲିବିହୀନ ହାତକୁ ଚାରିଆଡ଼େ ଫିଙ୍ଗୁଛି । ତଥାପି ସେ ଶକ୍ତ ବନ୍ଧନରୁ ମୁକ୍ତି ପାଇନି । ଆହୁରି ଜୋରରେ ଚିତ୍କାର କଲା । ଅନ୍ଧାର କଟିଗଲା । ବିଜୁଳିବତୀ ଜଳିଲା ।

 

ଆଲୋକ ! ଆଲୋକରେ ହିଁ ମୁକ୍ତି !

 

ରାକା ଉଠି ବସିଲା । ଦେହଟା ଭୀଷଣ ଅବଶ ଲାଗୁଛି । କେରି କେରି କେଶ ଗାଲ ଓ ଛାତି ଉପରେ ଦୋଳି ଖେଳୁଛି । ସେ ଭୟରେ ଚିହିଁକି ଉଠିଲା । ତା’ ମନକୁ ଅଶୁଭ ଛୁଇଁଲା—କିଏ କ’ଣ ତା’କୁ ଆକ୍ରମଣ କରୁଥିଲା ? ତା’ ଚିତ୍କାରରେ ଭୟଭୀତା ହୋଇ ଚାଲିଗଲା । ନା କେହି ତା’କୁ ଛୁଇଁ ନାହାନ୍ତି । ନିଜକୁ ସାନ୍ତ୍ୱନା ଦେଲା । ସେ ଅନ୍ଧାରକୁ, ଶୂନ୍ୟତାକୁ ଅଶରୀର ରାତ୍ରିମାନଙ୍କରେ ସଙ୍ଗୀତକୁ ଭୟ କରୁଛି । କୌଣସି ଦୁଃସ୍ୱପ୍ନକୁ ମୁକାବିଲା କରିଛି ।

 

ଅନେକ ବେଳ ବିତି ଗଲାଣି । ଭାରି ଭୋକ । କ୍ୟାରିଅର୍‌ ଖୋଲିଲା । ନା, ସେ ଗୁଡ଼ାକ ଖାଇ ହେବନି । ବାହାରେ ବର୍ଷାଟା ସାମାନ୍ୟ ଧିମେଇ ଗଲାଣି । କିନ୍ତୁ ମେଘାଚ୍ଛନ୍ନ ଦିଗନ୍ତ । ସିନ୍ଦୂରା ଫାଟିବାକୁ ଅଳ୍ପ ସମୟ ବାକି । ସେ ଶୋଇଯିବ ! ପାରୁନି । ରାତି ବି କିମିଆ ଜାଣେ । ତା’ଠି କିନ୍ତୁ ନିଃସଙ୍ଗ ପ୍ରାଣର ଯନ୍ତ୍ରଣା । ସେ ଦୃଢ଼ ହେବ—ରାତିକୁ, ଅନ୍ଧାରକୁ ଭୟ କଲେ, ଏକଲା ଯାତ୍ରାକୁ ପାଥେୟ ନ କଲେ କିଏ ବା ତା’କୁ ଧୈର୍ଯ୍ୟ ଦେବ ?

 

ଦୁଃସ୍ୱପ୍ନର ତା’ ଦେହରେ ଅସମ୍ଭବ ଅରାଜକତା; କିନ୍ତୁ ଏଇ କିଛି ବର୍ଷ ତଳେ ତା’ ଦେହ ଉପରେ ଅତ୍ୟାଚାର ହୋଇଥିଲା । ସେଇ ବର୍ଷର ମଣିଷ ଖିଆଲର ବେଦି ତଳେ ତା’ ହାତର ପାପୁଲିକୁ ବଳି ଦିଆଯାଇଥିଲା । ଅବଶ୍ୟ ବହୁତ ଦିନର କଥା । ସେତେବେଳେ ତା’ ବାବା ଜୀବିତ ଥିଲେ ।

 

ଉତ୍ତେଜନା । ମତେ ଯଦି ସେମାନେ ସମୂଳେ ଶେଷ କରି ଦେଇଥା’ନ୍ତେ ? ମୁଁ ସେ ପୁରରେ ସେମାନଙ୍କୁ କେବେ ଅଭିଶାପ ଦେଇ ନ ଥାନ୍ତି । ତା’ ସେମାନେ କଲେନି ଏବଂ ସେଥିପାଇଁ ଆଜି ମୋର ଏ ଦୁର୍ବିସହ ଜୀବନ । ଦେଶ ମୋର ଯଦି ପରାଧୀନ ହୋଇ ରହିଥାନ୍ତା, ତାହାହେଲେ ବୋଧେ ମତେ ଆଜି ଏ ଦୁଷ୍କର ଜୀବନକୁ ବୋକ ଦେବାକୁ ହୁଅନ୍ତାନି । ସେ ସବୁ ଦିନର କଥା ମନେପଡ଼ିଲେ ଆଜି ସେମାନଙ୍କୁ ଘୃଣା କରିବାକୁ ଇଚ୍ଛା ହୁଏ । ସେ ସବୁଦିନ—ପରାଧୀନ ଦେଶର ସ୍ୱାଧୀନତା ପାଇଁ ଉତ୍ସାହଦାୟକ ଅଭିମାନ । ଘଡ଼ି ଘଡ଼ିକେ ବୁଲେଟ୍‌ର ବର୍ଷା ଛୁଟେ । ଲମ୍ୱା ଲମ୍ୱା ବସ୍ତିଗୁଡ଼ିକ ଅଗ୍ନିର ଲେଲାହାନ ଶିଖାରେ ଭସ୍ମ ପାଲଟେ, ନିରସ ଜନତା ସଙ୍ଗୀନ୍‌ ମୁନ ସାମ୍ନାରେ ଟଳି ପଡ଼େ । ଓଃ ! କେତେ ଉତ୍ତେଜନା, ଉଦ୍ଦୀପନା । ଆଜି କିନ୍ତୁ ଯନ୍ତ୍ରଣା, ନିଛକ ଯନ୍ତ୍ରଣା !

 

ରାକା ନିଜ ପ୍ରତି ଦୟା ଦେଖାଇଲା । ଶିହରି ଉଠିଲା । ତମେ ମୋ ଦେହ ଉପରେ ଅତ୍ୟାଚାର କଲ, ସତୀତ୍ୱ ହରଣ କଲ; କିନ୍ତୁ ତୋଟିଚିପି ମାରିଦେବାପାଇଁ କେଉଁ ଅଦୃଶ୍ୟ ଶକ୍ତି ବା ତମକୁ ମନା କଲା ? ଅଧ୍ୟାପିକା ରାକା ଖଟର ବାଡ଼ା ଉପରେ ମୁଣ୍ଡ ପିଟିଲା । ରକ୍ତ ଧାରେ ଝରିଲାନି ।

 

ସେଦିନ ଆଜି ଭଳି ଅମାବାସ୍ୟା ଅନ୍ଧାରରେ ଢାଙ୍କି ହୋଇ ଶୋଇଥିଲା । ଶତ୍ରୁ ସୈନ୍ୟ ପରାସ୍ତ ହେଲେ, ଅମୁକ ସହର ମୁକ୍ତି ସଂଗ୍ରାମୀଙ୍କ କବଳରେ ପଡ଼ିଲା । ସେମାନେ ଆସୁଛନ୍ତି । ବାବା ଆଉ ରାକା ଘରର ମୋହକୁ ତୁଚ୍ଛ ମନେକରି ବାଡ଼ିପଟ ଦରଜା ଦେଇ ବାହାର ପୃଥିବୀର ଅନ୍ଧାରରେ ମିଶି ଯିବାକୁ ଉଦ୍ୟମ କଲେ । ଶତ୍ରୁ ସୈନ୍ୟ ଆଗେଇ ଗଲେଣି । ସାମ୍ନାରେ ଜୀବନ । ପଛରେ ମୃତ୍ୟୁ । ଦେଖୁଦେଖୁ ତା’ ବାବା ଟଳି ପଡ଼ିଲେ । ବାବାଙ୍କୁ ତୋଳି ଧରୁ ଧରୁ ରାକାର ସୁଗଠିତ ତନୁ କେଉଁ କର୍କଶ ବାହୁ ବନ୍ଧନୀରେ କୟେଦୀ ହେଲା ।

 

ରାକା ସେମାନଙ୍କ ଗୋଡ଼ ଧରି ନେହୁରା ହେଲା—ମୋ ବାବାଙ୍କୁ ମତେ ଦିଅ; ତାଙ୍କୁ ଏମିତି ଗୋଇଠା ମାରନି—ତାକୁ ସେମାନେ ତାତ୍ସଲ୍ୟ କଲେ । ତାକୁ ସେମାନେ ଶୂନ୍ୟରେ ଟେକି ଧରି ପଥ-ପ୍ରାନ୍ତର ଏକ ଭଙ୍ଗା ଚାଳିଆକୁ ଦୌଡ଼ିଗଲେ । ତା’ପରେ ତା’ଦେହ ଉପରେ ସେମାନଙ୍କ ଆକ୍ରମଣ । ପ୍ରତିବାଦ କରିବାକୁ ଜୁ ନାହିଁ । ସବୁ ସହିନେଲା । ତା’ ଦେହର ରକ୍ତ ନୀଳ ପାଲଟିବା ପୂର୍ବରୁ, ତା’ ଶରୀର ଶରତ ଋତୁର ଶିଶିର ପରି ଥଣ୍ଡା ହେବା ଆଗରୁ ସେମାନେ ଚାଲିଯିବାକୁ ବସିଲେ । ଚାଲି ଯାଉ ଯାଉ ଫେରି ପଡ଼ିଲେ । ରାକାର ଆଙ୍ଗୁଠିଗୁଡ଼ାକ ଖଣ୍ଡ ବିଖଣ୍ଡିତ ହେଲା । ଦି’ ପାପୁଲିକୁ ଛିନ୍ନ କରାଗଲା । ତା’ପରେ ମୁଣ୍ଡା ମୁଣ୍ଡା ମାଂସ ଓ ହାଡ଼ର ଟୁକୁରା ରାସ୍ତା ଉପରେ ପଡ଼ି ରହିଲା । ଆଉ ତା’ପରେ ରାକା କିଛି ଜାଣି ପାରି ନଥିଲା । ସକାଳ ହେବା ପୂର୍ବରୁ ସେ ଚେତା ପାଇଲା । ନିଜକୁ ଦଳେ ପୁରୁଷ ଆଉ ସ୍ତ୍ରୀଙ୍କ ମେଳରେ ଆବିଷ୍କାର କଲା । ତା’ ଦି’ହାତ ଉପରେ ମୋଟା ବ୍ୟାଣ୍ଡେଜ୍‌ । ସେ ଖଣ୍ଡିଏ ଛିଣ୍ଡା ସପ ଉପରେ ଶୋଇଛି । ନିଜେ ଅନେକ କାନ୍ଦିଲା, ବାପାଙ୍କୁ ଖୋଜିଲା । ବାପା କିନ୍ତୁ ରେଣୁ ରେଣୁ ହୋଇ ତା’ ଦେଶର ମାଟିରେ ମିଶି ଯାଇଥିଲେ ।

 

ହଠାତ୍‌ ରାତିଟା ଶେଷ ହେଲା । ଚାରିଦିଗ ଫର୍ଚ୍ଚା, ଫର୍ଚ୍ଚା । କଲୋନୀଟା ଚଞ୍ଚଳ ହୋଇଉଠିଲା ।

 

ଏ ଜୀବନ ଅତି ଦୁର୍ବିସହ । କେତେଦିନ ବା ଏମିତି ଏକୁଟିଆ ଜୀବନକୁ କୋଳେଇ କାଖେଇ ମଣିଷ କରିବ ? ଏଇ ମୃତବତ୍‌ ଜୀବନଠାରୁ ମୃତ୍ୟୁ ବରଂ ଶ୍ରେୟସ୍କର । ତା’ ଦୁନିଆରେ ତା’ର ହୋଇ ଆଉ କେହି ନାହାନ୍ତି । ସମସ୍ତେ ସେଇ ଅଶ୍ୱମେଧ ଯଜ୍ଞରେ ନିଜକୁ ଆହୂତି ଦେଇ ଦେଇଛନ୍ତି । ଖାଲି ସେ ବଞ୍ଚିଗଲା ଏବଂ ବଞ୍ଚିଗଲା ବୋଲି ଅତୀତର ସ୍ମୃତି ତା’କୁ ମରଣର କୋଠରୀକୁ ଶ୍ୱେତବାନାଧରି ଧଷେଇ ପୂରାଉଛି ।

 

ପ୍ରଭୁ ! ମତେ ମୁକ୍ତି ଦିଅ । ମୁଁ ପରିଣାମଚାହେଁ । ସେ ଅନେକ ଥର ଚେଷ୍ଟା କରିଛି ଆତ୍ମହତ୍ୟା କରିବ ବୋଲି । କିନ୍ତୁ ଯେଉଁ ଜଗତରେ ଭଗବାନ ନାହାନ୍ତି, ମଣିଷ ମଣିଷକୁ ମୃତ୍ୟୁ ଅକ୍ଳେଶରେ ଦେଇ ପାରୁଛି, ସେଇ ଦେଶରେ କ’ଣ ଆତ୍ମହତ୍ୟା ସମ୍ଭବ ?

 

ରାକା ତକିଆ ଉପରୁ ମୁହଁ ଉଠାଇଲା । ବାହାରେ ସମ୍ଭବତଃ ଗୋଲାପି କିରଣ ଶାଖାରେ ଶାଖାରେ ଡାଳ ମାଙ୍କୁଡ଼ି ଖେଳୁଛି । ତା’ ମୁଣ୍ଡ ଉପର ଟେବୁଲ୍‍ ଉପରେ ନୀଳ ଲଫାପା ଖଣ୍ଡିକ ଚିତ୍‌ ହୋଇ ଶୋଇଛି ।

 

ନୀଳ ଲଫାଫା ଭିତରେ ନେଳୀ ନେଳୀ ଅକ୍ଷରର ଚିଠି । ସୁଦୂର ରାଜ୍ୟରୁ କବି ରଶ୍ମିରଞ୍ଜନ ନାୟକ ଲେଖିଛି । ବିଚାରା କେତେ ଆଗ୍ରହରେ ଧାଇଁ ଆସୁଥିବ ! ମନରେ ଅନେକ ଇନ୍ଦ୍ରଧନୁର ରଙ୍ଗ ନେଇ, ନବ ବସନ୍ତର ହିଲ୍ଲୋଳ ପୂରେଇ ଗାଡ଼ି ଚଢ଼ିଥିବ; କିନ୍ତୁ ତା’କୁ ଦେଖିଲା ପରେ... ! ରାକା କିଛି ଭାବିପାରୁନି ।

 

ରାକା ତା’ ବାନ୍ଧବୀମିନୁ ଉପରେ ବିରକ୍ତ ହେଲା । କାହିଁକି ସେ ଏତେ କାଣ୍ଡ କଲା ? କେଉଁ ଏକ ଦୈନିକ ସମ୍ୱାଦପତ୍ରରେ ବିଜ୍ଞାପନ ଦେଲା—ପାତ୍ର ଆବଶ୍ୟକ—ଆଉ ତା’ ତଳେ ରାକାର ଫଟୋ । ମୋ ପରି ଏକ ଅଭିଶପ୍ତା ନାରୀକୁ ବରି ନେବାକୁ କିଏ ବା ସବୁ ମୋହ ତୁଟାଇ ଦେଇପାରିବ ? ରଶ୍ମିରଞ୍ଜନ ଆସିଲେ । ସେ ଆସିବାରେ ହୁଏତ କାରଣ ଥାଇପାରେ । କାରଣ—ସିଏ କବି ଏବଂ କାଚର ଆଖି ଦେଇ ବାହାର ଜଗତକୁ ନିରୀକ୍ଷଣ କରନ୍ତି । କବି—ଯିଏ ଆକାଶରେ କଳା ହାଣ୍ଡିଆ ମେଘକୁ ଦେଖି ନୀଳ ସରୋବରର କଳ୍ପନା କରିପାରେ....। ରାକା ହସିଲା । ତା’କୁ କୁତୁ କୁତୁ ଲାଗିଲା । ଭଗବାନଙ୍କ ସୃଷ୍ଟିରେ ଏକ ଖାପ୍‌ଛଡ଼ା ଜୀବ ।

 

ସେ ଏଇ ସକାଳ ଗାଡ଼ିରେ ଆସୁଥିବେ । ଆସନ୍ତୁ ସେ । ତାଙ୍କୁ ତା’ ଅନ୍ତର ତଳର ଲାଭାରେ ଭାସିଯିବା ପାଇଁ ଉତ୍ତେଜିତ କରେଇବନି । ସେ ତାକୁ ତୋଳି ନିଅନ୍ତୁ କି ଉପେକ୍ଷା କରନ୍ତୁ, ସବୁ ଏକ । ତା’କୁ ସେ ଏଇ କିଛିଦିନ ଭିତରେ ତାଡ଼ା ତାଡ଼ା ଚିଠି ଦେଇଛନ୍ତି; କିନ୍ତୁ ତା’ ପାଖରୁ ଖଣ୍ଡେ ହେଲେ ମନ ମତାଣିଆ ଚିଠି ପାଇ ନାହାଁନ୍ତି । କେମିତି ଲେଖିବ ? ତା’ ବାନ୍ଧବୀକୁ ସେ ହୁଏତ ଅନୁରୋଧ କରିଥାନ୍ତା; କିନ୍ତୁ ସିଏ କ’ଣ ରାକାର ଆକାଙ୍‌କ୍ଷାକୁ ସମ୍ପୂର୍ଣ୍ଣ ରୂପ ଦେଇ ପାରନ୍ତା-?

 

ରାକା ଭାବପ୍ରବଣ ହୋଇ ଉଠୁଛି । ରଶ୍ମି ଭାବୁଥିଲା ରାକା ଆଦ୍ୟ ଅଷାଢ଼ର ପ୍ରତ୍ୟୁଷର ଗୋଲାପି କିରଣରେ ନିଜକୁ ବେଶ୍‌ କମନୀୟ କରି ସଜେଇଥିବ....ମତେ ହାତଯୋଡ଼ି ନମସ୍କାର କରିବ....କବିର ଅତି ଆତ୍ମୀୟପରି ନିଜକୁ ସଜେଇଥିବ—ଆଖିରେ ନାଇଥିବ ସୁରମାର ରେଖା, କପୋଳରେ ଝଟକୁଥିବ କୁଙ୍କୁମର ବିନ୍ଦୁ ଆଉ ଦେହରେ ଗୁଡ଼େଇ ହୋଇ ରହିଥିବ ନୀଳଚନ୍ଦ୍ରର ଶାଢ଼ି-। ରାକା ହାତଘଡ଼ି ଦେଖିଲା—ସାତ ! ଗାଡ଼ି କେତେବେଳୁ ଲାଗିବଣି । ଷ୍ଟେସନରୁ ତା’ ଫ୍ଲାଟ୍‌ ଡାକେ ବାଟ । ସେ ଆସୁଥିବେ । ମୁହଁ କିନ୍ତୁ ଶାଢ଼ି ପଣତରେ ଟିକେ ପୋଛିଦେଇ ଅସ୍ତବ୍ୟସ୍ତ ବିଛଣାଟିକୁ ସଜେଇଲା । ଟେବୁଲ୍‌ ଉପରେ ବିକ୍ଷିପ୍ତ ହୋଇ ପଡ଼ିଥିବା ବହି, ନୋଟ୍‌ ଆଦିକୁ ସଜାସଜି କରୁଛି, ବାହାର ଦରଜା ଉପରେ କାହାର ଶବ୍ଦ ଶୁଣି ପାରିଲା ।

 

ସେ ଆସିଗଲେ ।

 

ରାକାକୁ ଲାଜ ମାଡ଼ିଲା । କେମିତି ସେ ଦରଜା ଖୋଲିବ ? କ’ଣ ବୋଲି କହି ସମ୍ଭାଷଣ କରିବ ?

 

ପୁନଶ୍ଚ ଶବ୍ଦ ।

 

ରାକା ଦରଜା ଖୋଲି ଆଡ଼େଇ ହୋଇ ଠିଆହେଲା । କବି ନିଜର ପରିଚୟ ଜଣେଇଲେ—ମୁଁ ରଶ୍ମିରଞ୍ଜନ । କବି ତା’ ମୁହଁକୁ ସ୍ଥିର ଦୃଷ୍ଟିରେ ଚାହିଁ ରହିଛନ୍ତି । ତା’ଠି ପଢ଼ୁଛନ୍ତି, ଯେମିତି ସେଠି ଚନ୍ଦ୍ରର ଉଦୟ ଅବା ଶୁଭଙ୍କରୀ ଜୀବନ ।

 

ମ୍ଳାନ ହସହସି ରାକା ହାତ ବଢ଼େଇଲା—ଆସନ୍ତୁ ।

 

ପାପୁଲି ବିହୀନ ହାତ । ତା’ ଆଖିରୁ ଲୁହ ବିନ୍ଦୁ ଝଲ୍‌କି ଯାଇ ଚଟାଣ ଉପରେ ଲୋଟି ଯାଉ ଯାଉ କବିଙ୍କ ହାତପାପୁଲିର ଆଶ୍ରା ପାଇଗଲା । ରାକା ଆଖିର ନିସ୍ପନ୍ଦ ଚାହାଣି ସାଙ୍ଗରେ ରଶ୍ମିରଞ୍ଜନଙ୍କ ଲୁହରେ ଜକେଇ ଆସୁଥିବା ଆଖିର ଦୃଷ୍ଟି ରେଖା ମିଳେଇ ଯାଇଥିଲା ।

Image

 

ଲୋଭନୀୟ ଅଭିଶାପ

 

ମିତା, ଲିତୁ ମୋ କଞ୍ଚା ବୟସର ଦୁଇଜଣ, ଭିନ୍ନ ଆଦର୍ଶର ନିରୀହା ନାୟିକା । ମୁଁ ଯେତେବେଳେ ମିତାର ସରଳତାକୁ ତା’ରି ମାଧ୍ୟମରେ ନିଜର କରିବାପାଇଁ ଜ୍ୱାଳା ଅନୁଭବ କରୁଥିଲି ସେତେବେଳେ, ଠିକ୍‌ ସେତିକିବେଳେ ଲିତୁର ଆଦର୍ଶ ମୋ ହାତ ଟାଣି ଆଗକୁ ନେଇଥିଲା—ସରଳତାକୁ ଭଲପାଇ, ନିଜେ ସରଳ ମଣିଷ ହୁଏତ ଦେବତା ପାଲଟି ପାରେ, କିନ୍ତୁ ମଣିଷ ହେବା ପାଇଁ ପଶୁତ୍ୱ ଦର୍କାର । ତା’ର ଏ ଆଦର୍ଶ ମତେ ମିତାଠାରୁ ଦୂରକୁ ନେଲା, ପାହାଡ଼ ଚଢ଼େଇଲା । ପାହାଡ଼ ଉପରେ ମୁଁ ଦିନରାତିମାନଙ୍କଠି କ’ଣ କାହାକୁ ଖୋଜିଲି ଆଜି (ଦୀର୍ଘ କୋଡ଼ିଏ ବର୍ଷ ପରେ) ଖାଲି ରଙ୍ଗଛଡ଼ା ଝାପ୍‌ସା ସ୍ମୃତି । ଲିତୁ ! ତୁମରି ଆଦର୍ଶ ମତେ ଏକ ଉଚ୍ଚ ସ୍ଥାନକୁ ନେଲା, ମତେ ଆକାଶ ଦେଖାଇଲା । କିନ୍ତୁ ରାତିର ଆକାଶ ଜୁଡ଼ାରେ ଫୁଲ ଭଳି ଝଟକୁଥିବା ତାରାମାନଙ୍କର ଦ୍ୟୁତି ମୁଁ ପୁରା ଉପଭୋଗ କରିପାରିଲି ନାହିଁ । ଫେର୍‌ ବାଧ୍ୟ ହେଲି ତଳକୁ ଓହ୍ଲେଇବା ପାଇଁ, ମିତା ପାଖକୁ ଆସିବା ପାଇଁ । ପାହାଡ଼ ସିନା ଚଢ଼ିଗଲି, କିନ୍ତୁ ତଳକୁ ଓହ୍ଲାଉ ଓହ୍ଲାଉ ଡର ମାଡ଼ିଲା, ତଳକୁ ତଳକୁ ଗଡ଼ିଲି । ଭୂଇଁରେ କଚାଡ଼ି ହୋଇ ପଡ଼ିଲି । ଆଣ୍ଠୁ, ଗଣ୍ଠି ଛିଣ୍ଡିଲା । ହାତ, ଗୋଡ଼ ମକଚି ଗଲା, ମୁହଁଟା ବିକୃତ ହେଲା, ଏବଂ ଆଖି ଗୋଟିଏ ଫୁଟିଯାଇ ଆଖି ଥିଲା ବୋଲି ସ୍ମୃତି ଖାଲି ରହିଲା ।

 

ମିତା ! ମୁଁ ପାହାଡ଼ ତଳେ ତମକୁ ଖୋଜିଲି । କିନ୍ତୁ ତମେ ନଥିଲ । ଲିତୁ ପାହାଡ଼ ଉପରେ ଥିଲା । ମୋର ଏ ଦୟନୀୟ ଅବସ୍ଥା ଦେଖି ସେ ହସି ପାରୁନି କି ସମବେଦନା ଜଣେଇବା ପାଇଁ ଶୀର୍ଷରୁ ନିମ୍ନକୁ ଖସି ପାରୁନି । କାରଣ, ସେ ମଣିଷ, ତା’ର ଇଗୋ ଅଛି, ତା’ର ସ୍ୱାର୍ଥ ଅଛି, ମଣିଷ ହିସାବରେ ସ୍ୱାତନ୍ତ୍ର୍ୟ ଦାବି କରିବାର ଅଭିଲିପ୍‌ସା ଅଛି । ଯେଉଁ ମଣିଷ ରାଜପୁରୀର ଶଙ୍ଖମଲମଲ ପଥର ଘେରା ପ୍ରାସାଦର ତୂଳିତଳ୍ପ ଶେଯ ଉପରେ ମଧୁ-ଚନ୍ଦ୍ରିକା ବିତେଇଛି, ସୁନାର ଥାଳିରେ ମିଷ୍ଟାନ୍ନ ଭୁଞ୍ଜିଛି, ସିଏ କେମିତି ବା ଗୋବର ଲିପା ମାଟିର ଚଟାଣ ଉପରେ ସପ ପାରିବ-? ମିତା ! ମୁଁ ତମକୁ ଖୋଜିଲି । କିନ୍ତୁ ତମେ ଏଇ ସହରର ରଙ୍ଗମାଟିଆ ରାସ୍ତା, ଆଉ ସେଇ ରାସ୍ତାର ଡେଙ୍ଗା ଡେଙ୍ଗା ତାଳବଣ ଛାଡ଼ି କେବଠୁଁ ଅନ୍ୟ ଇଲାକାକୁ ଚାଲିଗଲଣି । ମୁଁ ନିଜ ଇଚ୍ଛା ମୁତାବକ ପାହାଡ଼ରୁ ତଳକୁ ଗଡ଼ିଲି ।

 

ମୁଁ କ୍ଷତ, ଆରକ୍ତ, ମିତା ଏସବୁ ଜାଣିଲା । ମତେ କିନ୍ତୁ ଟିକେ ଅନୁକମ୍ପା ଜଣେଇବା ପାଇଁ ଆଗେଇ ଆସି ପାରିଲାନି । କାରଣ, ସିଏ କେଉଁ ବୁଢ଼ୀ ଅସୁରୁଣୀର ଗୁମ୍ଫାରେ ବନ୍ଦୀ । ସେ ଆମ ଘର ସାମ୍ନା ରାସ୍ତାରେ ତା’ ବୁଢ଼ୀ ଅସୁରୁଣୀ ସହିତ ବନସ୍ତକୁ ଯାଇଛି । ମୁଁ ଲକ୍ଷ୍ୟ କରିଛି, ସେ ମୋ’ ଘର ପଟକୁ ଆଡ଼ ଆଖିରେ ବି ଚାହିଁନି । ସେ ମୋତେ ଘୃଣା କରିଛି, କାରଣ ତା’ ସ୍ୱାର୍ଥ ସୁରା ପାଇନି ।

 

ମୁଁ ଯେଉଁ ଦିନ ଲିତୁ ସହ ପାହାଡ଼ ଚଢ଼ୁଥିଲି ସେ ତଳେ ଥାଇ ଭୀଷଣ ହସିଥିଲା—ନାଇଁ, ମୁଁ ଏଠି ଅଛି ତମେ ଫେରିବା ଯାଏଁ—ମୋ’ ଫେରିବା ବାଟକୁ ସେ ରାଧାର ଉତ୍କଣ୍ଠା ନେଇ ପ୍ରତୀକ୍ଷା କଲା । କିନ୍ତୁ ମୁଁ ପାହାଡ଼ ଉପରେ ସୂର୍ଯ୍ୟକୁ ଦେଖି ଏତେ ମୋହାସକ୍ତ ହୋଇଗଲି ଏବଂ ଭୁଲିଗଲି ଯେ ଦିନେ ମୁଁ ମିତାର ମଣିଷ ଥିଲି । ମୁଁ ପାଶୋରିଲି ମୋ ସ୍ପର୍ଶ ପାଇ କେଉଁ ଅହଲ୍ୟା ନଦୀ ତଟରେ ପଥର ହୋଇ ପଡ଼ିଛି । ମିତା ପାହାଡ଼ ତଳେ କୁଡ଼ିଆ ତିଆରି କଲା । ଏ ସମାଜର ମଣିଷଛାଲ ପିନ୍ଧା ପଶୁମାନେ ମିତାକୁ ପାହାଡ଼ ତଳ ଦେଶରେ ଦେଖିଲେ ଏବଂ ଚେତେଇ ଦେଲେ ଥରେ ଉଡ଼ିଯିବା ପକ୍ଷୀ ଆଉ ପଞ୍ଜୁରୀକୁ ଫେରେନି । ସେ ଉପରକୁ ଗଲାଣି । ତା’ପାଇଁ ତୁ କାହିଁକି ଗେରୁଆ କଉପୁନି ପିନ୍ଧି, କମଣ୍ଡଳୁ ଧରି ବଣକୁ ଯିବୁ ? ତୁ ମଣିଷ । ତୋ’ର କ’ଣ ସ୍ୱାର୍ଥ ଅଛି ? ଅନ୍ୟର ସ୍ୱାର୍ଥରେ ତୁ କାହିଁକି ନିଜକୁ ବଳିଦାନ ଦେବୁ ? ସେଦିନଠାରୁ ମିତା ମତେ ଘୃଣା କଲା, ମତେ ଅଭିଶାପ ଦେଲା ।

 

ମୁଁ ବନ୍ଧୁମାନଙ୍କ ତୁଣ୍ଡରୁ ଶୁଣିଛି—ବୁନା—ଆଜିଯାଏଁ ବି ତୋ’ ମିତା ଏ ପାହାଡ଼ ତଳକୁ ଆସେ, ମୁଣ୍ଡାଏ ପଥର ମୁଣ୍ଡରେ ସିନ୍ଦୂର ନେସିଛି, ସେ ପଥରକୁ ଦେବତାର ସମ୍ମାନ ଦେଇଛି । ସେ ପାଣି-ଆଞ୍ଜୁଳିରେ ଅଭିଶାପ ଦେଇଛି । ମତେ କିମିଆ କିମିଆ ଲାଗୁଛି । ଯେଉଁ ମିତା ଦେହରେ ମୋର ଦେହ ଅକସ୍ମାତ୍‌ ବାଜିଗଲେ ସିଏ କହୁଥିଲା ହେଣ୍ଡା ବାଣ ବୋ ବାବୁ......ଏ ସବୁ ହୁଏ କିପରି-? ସିଏ କେମିତି ଶିଖିଲା ସ୍ୱାର୍ଥ କ’ଣ ? ହିଂସା କ’ଣ ? ମଣିଷ ହେବା ପାଇଁ ପଶୁତ୍ୱର ଆଶ୍ରୟ ବା ନର୍କଗମନ ?

 

ମୁଁ ପାହାଡ଼ ତଳେ ପଡ଼ିଲି । ମୋ ସର୍ବାଙ୍ଗ ବିକୃତ ହେଲା । ଏ ବିକୃତ ଚେହେରାକୁ କିଏ ବା ବରିନେବ ? ତା’ପରେ ନିତା (ବର୍ତ୍ତମାନ ମୋର ପତ୍ନୀ, ମୋ ହାତ ଆଙ୍ଗୁଳିରେ ରକ୍ତକୁ ଦେଖି ଯିଏ ଅଦେଖାରେ ଘୃଣା କରିଛି ।) ଆମ ଘରକୁ ଆସିଲା, ମତେ ଦେଖିଲା ଏବଂ ମତେ ତା’ ନିଜର କରିବ ବୋଲି ଅସର ଇସାରା ଦେଲା, ମତେ ଖୁସି ଲାଗିଥିଲା, ମତେ ବି ଜଣେ ପ୍ରେମ କରିପାରେ-! ମୋର ଏ ଦୁର୍ଦ୍ଦିନରେ ମତେ ବି ଜଣେ ସହାନୁଭୂତିଦେଖାଇ ପାରୁଛି ! ମୋ ହାତ ଧରି ଜୀବନସାରା ଚାଲିପାରିବ ବୋଲି ପ୍ରତିଶ୍ରୁତି ଦେଇ ପାରୁଛି ! କିନ୍ତୁ ନିତୁର ଏସବୁରେ ମଣିଷର ସ୍ୱାର୍ଥ ଅଛି । ସିଏ ବି ମୋ ପରି କଦାକାର । ମୋର ଏ ରୂପ ଏକ ଦୁର୍ଘଟଣାରୁ । ତା’ର ଆଜନ୍ମରୁ । ସିଏ ବି ମାନି ନେଉଛି—ମୁଁ ବି ପ୍ରେମ କରିପାରେ ଏବଂ ମୋ ପ୍ରେମକୁ ବି ବୁନା ପରି ଏକ ମଣିଷ ସ୍ୱୀକାର କରିପାରେ ।

 

ମିତା । ଲିତୁ । ନିତା ।

 

ତମେ ସମସ୍ତେ ଜାଣି ରଖ ଯେ ସମୟର ବିଭିନ୍ନ ଲିପିରେ ଭିନ୍ନ ଭିନ୍ନ ଶୋକ ଅଛି ।

 

ମୁଁ । ବୁନା ଦାସ, ଆଗ ଓଭର୍‌ସିଅର୍‌ ଚାକିରି କରୁଥିଲି । ବର୍ତ୍ତମାନ ବହିଷ୍କୃତ ।

 

ମିତା । ତା’ ପ୍ରକୃତ ନାଁ ହେଉଛି ଫୁଲକି । ମୁଁ ତା’କୁ ନାଁ ଦେଇଥିଲି—ମିତା । ଆଦିବାସୀ ଲଳନା । ମୁଁ ଯେଉଁ ପାହାଡ଼ ଉପରେ କ୍ୟାମ୍ପ୍‌ କରୁଥିଲି । ସିଏ ସେଠି ଏକ ଦୈନିକ ରେଜା ଥିଲା । ତା’ର କାଶତଣ୍ଡି ଫୁଲର ଶୁଭ୍ର ସରଳତାକୁ ପ୍ରେମ କଲି । ନିଜର ପତ୍ନୀ ରୂପେ ତାକୁ ବାରିନେବାକୁ ଚାହିଁଲା ବେଳେ ଲିତୁ ମତେ ଆଗକୁ ଟାଣିଲା ।

 

ଲିତୁ । ଡାକ୍ତର । ସରକାରୀ ଚାକିରିରୁ ବହିଷ୍କୃତ । କେଉଁ ଅଖ୍ୟାତ ପଲ୍ଲୀରେ ଆଜିକାଲି କ୍ଲିନିକ୍‌ ଖୋଲିଛି । କେଉଁ କବି ପ୍ରାଣ ସ୍ୱାମୀ ସହ ତିନିବର୍ଷ ବିବାହିତ ଜୀବନ ବୁଝାଇବା ପରେ ସ୍ୱାମୀକୁ ଡାଇଭର୍ସ ଦେଇଛି ଏବଂ ସ୍ୱାମୀ ଔରସରୁ ଜାତ କନ୍ୟା ସହ ବର୍ତ୍ତମାନ ଜୀବନ ବିତଉଛି ।

 

ମିତା ପରି ମଣିଷକୁ ଦୁର୍ଦ୍ଦଶାରୁ ମୁକୁଳେଇ ଆଣିବା ପାଇଁ ଯେଉଁ ଲିତୁ ମୋତେ ଆହ୍ୱାନ ଦେଇଥିଲା, ସିଏ ଓ ତା’ ଆହ୍ୱାନ ମୋ’ପାଇଁ ଆଦର୍ଶ ହେଲେ ଏବଂ ସେଇ ଆଦର୍ଶ ମୋ ହାତ ଗୋଡ଼ ଟାଣିଲା । ଲିତୁ ମତେ ଭଲ ଲାଗିଥିଲା ଆଉ ଭଲ ଲାଗିଥିଲା ବି ମିତା ପରି ମଣିଷମାନଙ୍କ ପାଇଁ ତା’ ଦରଦୀ ପ୍ରାଣ ।

 

ମିତା ଓ ଲିତୁ ! ମୁଁ ତମ ଦୁହିଁଙ୍କୁ ହରେଇ ପ୍ରତି ମୁହୂର୍ତ୍ତରେ ଅସାମାନ୍ୟ ଯନ୍ତ୍ରଣା ପାଉଛି । ଅତୀତ ମତେ ବାଟ ବତାଏ ତମକୁ ଖୋଜିଲା ପାଇଁ । ପାଏନି । ହାଲିଆ ହୁଏ । ଏବଂ ନିତାର ଅଜଣାରେ ରକ୍ତ ଆଞ୍ଜୁଳିରେ ଲୁହକୁ ମିଶାଏ । ଲୁହ ! (ଅତିକାୟ ସମୁଦ୍ରର ବୁନ୍ଦାଏ ଲୁଣି ପାଣି) । ମୁଁ ନିଜେ ହସିବି କି କାନ୍ଦିବି ବୋଲି ତମକୁ ପର କଲି । ସେଇ ପର କରି ଦେବାରେ ମତେ କେତେ ଯେ ଆଘାତ ସହିବାକୁ ପଡ଼ିଲା, ତା’ର ସାକ୍ଷୀ ପ୍ରମାଣ ଦେବ ମୋ ପେଜୁଆ ଆଖି କୋଣର ଲୁହ ।

 

ମିତା ଆଉ ଟାଙ୍ଗରା ପାହାଡ଼ ।

 

ଫୁଲ୍‌କି !

 

ତମର ସେ ଟାଙ୍ଗରା ପାହାଡ଼ ଉପରେ ମୁଁ ନୂଆ ଚାକିରି ଆରମ୍ଭ କରିଥାଏ । ପାହାଡ଼ ଦେହରୁ ପାଣି ଝରେଇବା ପାଇଁ ପଥର ଟୁଂ ଟାଂ ଶବ୍ଦ ଭିତରେ ଯିଏ ମତେ ପଦିଏ ସଙ୍ଗୀତ ଶୁଣାଇଥାଏ ସିଏ ହଉଛ—ତୁମେ । ତୁମର ସରଳତା ଆଉ ତୁମର ମୋ’ପ୍ରତି ଝୁଙ୍କ ପଡ଼ୁଥିବା ମନୋଭାବ । ତୁମେ ମତେ ଏତେ ଭଲ ଲାଗିଥିଲ ଯେ ମୁଁ ଏ ସମାଜକୁ ବି ଅସ୍ୱୀକାର କରିବାକୁ ପ୍ରସ୍ତୁତ ଥିଲି । ତୁମର ସରଳତା ଆଗରେ ବାପାଙ୍କ ସେଇ ଅଭିମାନୀ, କଥାଗୁଡ଼ାକ ମୋ’ପାଇଁ କୌଣସି ମୂଲ୍ୟାଙ୍କନ କରିପାରି ନଥିଲା । ମନେପଡ଼ୁଛି, ବାପା କହିଥିଲେ—ବୁନା, ତୁ ଯଦି ସେ ଆଦିବାସୀ ଝିଅକୁ ମୋର କୁଳବୋହୂ କରିବା ପାଇଁ ଆଗ୍ରହୀ...। ସେଥିରେ ବି ତମ ପାଇଁ ମୋ ନିଷ୍କଳଙ୍କ ପ୍ରେମରେ କିଛିଟା ଲୁଣଛିଟା ବାଜି ନଥିଲା । ମୁଁ ବି ମନେ ମନେ ପ୍ରତିଜ୍ଞା କରିଥିଲି—ଯିଏ ମୋ ଦେହରୁ ସର୍ପର ବିଷ ନେଇ ଖୁନ୍ଦି ଥିଲା, ମୁଁ ତା’ରି ପାଖରେ ଚିରଋଣୀ ଏବଂ ସେଇ ମୋର ଜୀବନସଙ୍ଗିନୀ।

 

କେଉଁ ଏକ ମୁହଁସଞ୍ଜ । ତୁମେ ଅନ୍ୟମାନଙ୍କ ସହିତ ପାହାଡ଼ ତଳର ସେଇ ସବୁଜ ବଣ ଘେରା ପଲ୍ଲୀ ଭିତରକୁ ଫେରୁଥିଲ । ହଠାତ୍‌ ମୋ ଗୋଡ଼ରେ ସର୍ପରଦଂଶନ । ଯନ୍ତ୍ରଣାରେ ଛଟପଟ ହେଲି । କାନ୍ଦିଲି । ତୁମେ ଦୌଡ଼ି ଆସିଲ । ଆହୁରି ହସିଲ, କହିଲ—କ’ଣ ହେ । ବାବୁ, ଏତେ ଘାବରେଇ ଯାଉଛ.....କାଏଁ ହେଲା ଯେ..... ? ତୁମେ ଯେନ୍ତା ହେଲେ ବଚନ ହେଇଯିବା......ତା’ପରେ ତୁମେ ମୋ ଗୋଡ଼ ଉପରେ ଓଠ ଲଗେଇ ମୋ’ ଦେହରୁ ସର୍ପର ବିଷ ଶୋଷିନେଲ, ମତେ ଜୀବନ ଦେଲ । ମତେ ଆଶ୍ୱସ୍ତ ଲାଗିଲା । ତା’ପରେ ମୁଁ ଜାଣେନା, କେଉଁ ଅଦୃଶ୍ୟ ହାତର ଇଙ୍ଗିତରେ ମୁଁ ତୁମର ନିଜର ମଣିଷ ହେବାକୁ ଚାହିଁଲି ।

ବିଶେଷତଃ ତୁମେ ଥିଲେ ମୋର ଉତ୍ତେଜନା । କାହାରି ପ୍ରେରଣାରେ ମୁଁ ଯଦି ଟାଙ୍ଗରା ଭୂଇଁରେ କବିତା ଫୁଟାଇଥାଏ ସିଏ ହେଉଛ.....ତୁମେ, ତୁମର ଆତ୍ମୀୟତା ।

ଲିତୁର ଆଦର୍ଶ ମତେ ହିପ୍ନୋଟାଇଜ୍‌ଡ୍‍ କଲା । ଲିତୁର ଲୋଭନୀୟ ଆଦର୍ଶ ଗର୍ଭରେ ମୁଁ ବେଶ ମସ୍‌ଗୁଲ ହେଲି । ଭାବିଲି, ମୁଁ ଏ’ ସମାଜର ଢାଞ୍ଚା ବଦଳେଇ ଦେବି । ସମାଜକୁ ଧାରଣା ବି ଦେବି ଯେ ଦେଖ, ସେମାନେ ହାତରେ ଅଗ୍ନିର ଦିହୁଡ଼ି ଧରି ଆଗେଇ ଆସୁଛନ୍ତି । ତୁମେ ବଦଳିଯାଅ, ବଦଳେଇ ଦିଅ । ମୁଁ ଆଉ ଲିତୁ ବିପ୍ଳବାର୍ଥେ ସଂଗଠନ କଲୁ, ରାତି ରାତି ନିର୍ଜନ ଗଳିର ଅନ୍ଧକାରରେ ବୁଲି କାନ୍ଥ ବାଡ଼ରେ ବିପ୍ଳବର ସ୍ଳୋଗାନ୍‌ ଲେଖିଲୁ, ସଭାସମିତିରେ ବସି ଟେବୁଲ୍‌ବାଡ଼ିଆ ଭାଷଣ ଦେଲୁ । ତଥାପି ଏ ମଣିଷ ଆମ କଥାରେ ଜମା ଭୁଲିଲାନି । ତା’ପରେ ସମସ୍ତେ ଅନ୍ୟାୟ ବିରୁଦ୍ଧରେ ଆରମ୍ଭ କଲୁ ଆରକ୍ତ ସଂଗ୍ରାମ । ଯେଉଁ ସଂଗ୍ରାମରେ ସବୁ ଜଳିପୋଡ଼ି ମୁଠାଏ ପାଉଁଶ ହେବ, ରକ୍ତର ନଈ ସନ୍ତରଣ କରିବାକୁ ଆମେ ସମସ୍ତେ ଦୁର୍ଯ୍ୟୋଧନ ପାଲଟିବୁ । କିନ୍ତୁ ଏ ବିପ୍ଳବ ବିରୁଦ୍ଧରେ କେଉଁ ଏକ ଶକ୍ତି ମୋର ସର୍ବ ଶୁଭ୍ର ଚେତନାରେ ଶଙ୍ଖ ବଜେଇ ନୀତିଶିକ୍ଷା ଦେଲା—ତୁ ରକ୍ତ ମାଂସ, ହାଡ଼ର ମଣିଷ । ଦୁନିଆଁର ସର୍ବଶ୍ରେଷ୍ଠ ଜୀବ । ତୁ କେମିତି ରକ୍ତରେ ହୋରି ଖେଳିବୁ ? ସେ ଦିନଠୁ ଲିତୁର ଆଦର୍ଶକୁ ଘୃଣା କଲି । ଲିତୁ ମୋ’ପ୍ରତି ହିଂସ୍ର ହେଲା-। ତା’ ହିଂସ୍ରତାର ଶରବ୍ୟ ହେଲି । ଏଣୁ ମୋର ଆଜି ଏ ବିକଳାଙ୍ଗ ରୂପ । ସେଇ ଆଘାତ ଆଜି ମୋ ଆଞ୍ଜୁଳିରେ ହାବୁକା ହାବୁକା ରକ୍ତର ଉପହାର ଦିଏ । ତଥାପି ମୁଁ ଲିତୁର ଶୁଭ ମନାସୁଛି–ପ୍ରଭୁ-! ତା’କୁ ଜୀବନରେ ସୁଖୀ କରାଅ । ଏଥିରେ ମଣିଷର କିଛି ଦୋଷ ନାହିଁ । ଦୋଷ ତମରି । କାରଣ ତୁମେ ମଣିଷକୁ ସ୍ୱାର୍ଥପର କରିଛ । ସେଇ ସ୍ୱାର୍ଥର ରୂପାୟନ ପାଇଁ ମଣିଷ ପାପ କରେ ଏବଂ ସେଇ ତା’ ପାପ ପାଇଁ ନର୍କ ଗତି ।

ହିଲ୍‌ ଷ୍ଟେସନ ଓ ଡାକ୍ତର ଲିତୁ ।

ଲିତୁ, ତୁମରି ଆଦର୍ଶ ମୋତେ ଯେପରି ଆକର୍ଷି ପାରିଥିଲା, ଠିକ୍‌ ସେମିତି ମିତାର ସରଳତା ମତେ ତା’ ପାଖକୁ ଟାଣିଥିଲା । ମିତାର ସେଇ ଟାଙ୍ଗରା ପାହାଡ଼ ତଳର ହସ୍‌ପିଟାଲଦ୍ୱାରା କେତେ ଯେ କିପରି ଉପକୃତ ହୋଇଥିଲେ ତା’ର ଇୟତ୍ତା ନାହିଁ । ଲିତୁ ! ଯେଉଁ ସନ୍ଧ୍ୟାମାନଙ୍କରେ ସର୍ଦ୍ଦାରଜୀ ଫୁଲ୍‌କି ପରି ଆଦିବାସୀ ଝିଅକୁ ପଇସା ବାଣ୍ଟୁଥିଲା ଏବଂ ସେଇ ଅର୍ଥ ଲୋଭରେ କେତେ ଯେ ଆଦିବାସୀ ବାଳିକା ନିଜର ସତୀତ୍ୱର ତୋଟି ଚିପିଲେ, ତା’ ତୁମେ ଜାଣ । ମୁଁ ଜାଣେ ସେମାନଙ୍କ ପାଇଁ ତୁମ ପ୍ରାଣ କାନ୍ଦିଥିଲା । ତୁମେ କ୍ରୁଶବିଦ୍ଧ ହୋଇଥିଲ । ବିପ୍ଳବ ପାଇଁ ଲୋକଙ୍କୁ ଭାଷଣ ଶୁଣାଇଥିଲ—ସୁଧୀଜନ ! ଦେଖନ୍ତୁ ! ଏକ ମହାନ୍‌ ଶପଥ ନେଇ ବିପ୍ଳବ ଆସୁଛି-। ତା’ ଗତିପଥକୁ ଆମେ କେହି ପ୍ରତିରୋଧ କରି ପାରିବାନି । ସେଇ ମହାନ୍‌ ସ୍ରୋତରେ ଆମକୁ ଝାସ ଦେବାକୁ ପଡ଼ିବ; ନିଜତ୍ୱ ହରାଇବାକୁ ପଡ଼ିବ......କିନ୍ତୁ ଲିତୁ ! ହେଲା କ’ଣ ? ତୁମ ଆଦର୍ଶ ପ୍ରତି ମୋ ସାମ୍ନାରେ କିଛିଟା ମହଳତା ରଙ୍ଗର ଛାଇ ପଡ଼ିଲା । ଅନେକ ନିରୋଳା ମୁହୂର୍ତ୍ତରେ ମୁଁ ତୁମକୁ କହିଥିଲି—ଶାନ୍ତିର ପନ୍ଥା ଅବଲମ୍ୱନ କରି ଏଇ ସମାଜକୁ କିଏ ବଦଳେଇ ପାରିନି । ତୁମେ ଇତିହାସ ପଢ଼ । ଦେଖିବ ସମାଜର ପରିବର୍ତ୍ତନ ପାଇଁ ଅମୋଘ ଅସ୍ତ୍ର ହେଲା ରକ୍ତପାତ । ପ୍ରଥମେ ରକ୍ତ ତା’ପରେ ବିପ୍ଳବ, ପରିବର୍ତ୍ତନ । ତୁମେ ମୋତେ ଓଲ୍‌ଟି ବୁଝେଇଥିଲ—ବିପ୍ଳବ ପାଇଁ ରକ୍ତର ଆବଶ୍ୟକତା ନାହିଁ । ତା’ ପରଠୁଁ ମୁଁ ତମଠୁ ଦୂରେଇଯିବାକୁ ଚାହିଁଲି । ତା’ର କାରଣ, ତୁମରି ଆଦେଶ ଉପରେ ମୁଁ ମୋ ନିଜତ୍ୱକୁ ଜାହିର କରିବାକୁ ଅକ୍ଷମ ହେଲି।

କେଉଁ ଏକ କାଳରାତ୍ରିର ଶୁଭଙ୍କରୀ ମୁହୂର୍ତ୍ତ.......

ଲିତୁ ! ପ୍ରଥମେ ଏ ଭୋକିଲା ମଣିଷକୁ ରୁଟି ଦିଅ । ତା’ପରେ ତୁମର ଏ ଘଣ୍ଟା ଘଣ୍ଟା ଓଜସ୍ୱିନୀ ବକ୍ତୃତା ତାଙ୍କର କାମରେ ଲାଗିବ ! ସେଇ ରୁଟି ପାଇଁ ଆମର ଦରକାର ରକ୍ତ । ରକ୍ତାକ୍ତ ସଂଗ୍ରାମ । ସେ ଦିନଠାରୁ ତୁମର ପରିବର୍ତ୍ତନ ହେଲା । ଏବଂ ମୁଁ ତୁମର ଅତି ନିକଟକୁ ଆସିଲି । କିନ୍ତୁ ସେଇ ଡକାୟତି ଧନରେ ସମ୍ପାଦିଥିବା ରୁଟିକୁ କିଏ ବେଶିଦିନ ସ୍ୱୀକାର କଲାନି । ସମାଜ ଆମ ପଛରେ ଧୋ.....ଧୋ.......କଲା, ଢେଲା ଫିଙ୍ଗିଲା । ସେମାନଙ୍କ ଭୟ ହେଲା ରକ୍ତପାତରେ ରୁଟି ଦାନ ତାଙ୍କରି ପତନ । ସେମାନେ ଭୟରେ ଥରିଲେ । କିଛିଦିନ ପାଇଁ ଆମର ଆଉ କୌଣସି ଉପାୟ ନ ଥିଲା । ମୁଁ ସେମାନଙ୍କ ଭଗବତ୍‌ ବିଶ୍ୱାସ ଆଡ଼କୁ ଟାଣି ହେଲି, ତୁମକୁ ବୁଝାଇଲି—ଯେଉଁ ମାଟିର ପ୍ରତି କଣାରେ ଧର୍ମ ସଞ୍ଚରି ଯାଇଛି, ଚାରା ମାଡ଼ି ଯାଇଛି, ସେଇ ମାଟିରୁ ଆମେ ଧର୍ମକୁ ତଡ଼ି ପାରିବାନି । ଯେଉଁମାନଙ୍କ ପାଇଁ ଆମେ ନିଜର ଜୀବିକାକୁ ବଳି ଦେଲେ, ବାପା, ମା’, ଭାଇ-ବନ୍ଧୁଙ୍କ ସ୍ନେହ, ପ୍ରେମକୁ ଅସ୍ୱୀକାର କଲେ ଏବଂ ପରିଶେଷରେ ଡକାୟତି କଲେ, ସେମାନେ ଯଦି ଆମ ସହ ଅସହଯୋଗ କରନ୍ତି, ତେବେ ଆମ ଚେଷ୍ଟାର କୌଣସି ମୂଲ୍ୟ ନାହିଁ ।

ବୁନା ଭାଇ ! ମୂଲ୍ୟାଙ୍କନ ପାଇଁ ତୁମେ କାହିଁକି ଏତେ ଅସ୍ଥିର ?

ତା’ପରଠୁଁ ଆମ ଦିହିଁଙ୍କ ମଧ୍ୟରେ ବାଡ଼ ଠିଆ ହେଲା ? ମୁଁ ହଠାତ୍‌ ସେଇ ପାହାଡ଼ ଘେରରୁ ମୁକୁଳି ଆସିଲି । ଘନ ବନସ୍ତରେ ଲୁଚିଲି । କାରଣ ମୋ ପଛରେ ପୋଲିସ୍‌ର ହ୍ୱିସିଲ୍‌ ଆଉ ମୋ ଆଗରେ ମାଇଲ୍‌ ମାଇଲ୍‌ ଦୀର୍ଘପଥ । ତୁମେ ମତେ ଆବିଷ୍କାର କଲ । ତୁମରି ପ୍ରରୋଚନାରେ ଅନ୍ୟମାନେ ମତେ ରକ୍ତାକ୍ତ ଅବୟବ ଦେଇ ବିଦା କଲେ ।

ମୁଁ ପାହାଡ଼ ଊର୍ଦ୍ଧ୍ୱରୁ, ଘନ-ଜଙ୍ଗଲର ଆରଣ୍ୟକ ଅନ୍ଧାରରୁ ତଳକୁ ଆସିଲି, ସମାଜକୁ ଆସିଲି । ସମାଜ ମତେ ଘେନିଲାନି । ଜେଲ ଗଲି, ଘଣା ପେଲିଲି, ଅଫିସର୍‌ମାନଙ୍କୁ ସଲାମ୍‌ ବଜେଇଲି । ପରେ ମୁଁ ନଗଣ୍ୟ ମଣିଷ ହେଲି । ନିତାର ସ୍ୱାମୀ ପାଲଟିଲି ।

ଉପସଂହାର

ମୁଁ ଶୁଣୁଛି—ଆଜିକାଲି ଫୁଲ୍‌କି ତିନି ଚାରୋଟି ଛୁଆର ଜନନୀ । ତା’ ଘର-ସଂସାର ଦାଉ ଦାଉ । ଲିତୁ ସନ୍ୟାସିନୀର ଜୀବନଯାପନ କରୁଛି । ତା’ ବିପ୍ଳବ ଭଣ୍ଡୁର ହେଲା । ଏବଂ ସିଏ ବି ପ୍ରତିଦିନ ଭୋରରେ ‘ରଘୁପତି ରାଘବ ରାଜା ରାମ......’ ଗାଇ ଗାଇ ରାମଧୂନ ପାଳନ କରୁଛି । ନିଜର ଛୋଟ ଝିଅ ରାନୁକୁ ନୀତିଶିକ୍ଷା ଦେଉଥିବ—ଦେବୀରେ, ହିଂସାତ୍ମକ ଉପାୟରେ ବିପ୍ଳବ କେବେ ସମ୍ଭବ ହୋଇନି, ଜୀବନରେ କାମ୍ୟ ଶାନ୍ତି ।

ରକ୍ତ-ଆଞ୍ଜୁଳିର ତର୍ପଣରେ ମୁଁ ନିଜକୁ ବିଶ୍ଳେଷଣ କରୁଛି । ମିତା ! ନିତାଠି ମୁଁ ତୁମର ସେଇ ସରଳତା ଖୋଜୁଛି । ଲିତୁ ! ନିତାଠି ତୁମର ସେଇ ଆଦର୍ଶକୁ ଅଣ୍ଡାଳୁଛି ? କିନ୍ତୁ କେଉଁଠି ସେ ସରଳ ଆଦର୍ଶ କି ଆଦର୍ଶ ସରଳତା ପାଉନି ।

ସମାଜର ଏ ଅସାମାଜିକତା, ଶୋଷଣ, ବୈଷମ୍ୟ ମତେ ଅସ୍ତବ୍ୟସ୍ତ କରୁଛି । ଏବଂ ସେଥିପାଇଁ ତୁମ ଦିହିଁଙ୍କର ସ୍ମୃତିକି ଗଣ୍ଠିଲି କରି, ପେଟ ଭିତରୁ ରକ୍ତର ହୁକ୍‌କା ଉତ୍ୟକ୍ତ ହୋଇ ଉଠି ଆସୁଥିଲେ ବି କିଛି ଦିନ ଏଇ ବାଘଭାଲୁପୂର୍ଣ୍ଣ ସମାଜରେ ବଞ୍ଚିଯିବି ବୋଲି ଆଶାୟୀ ହୋଇଛି ।

Image

 

ପ୍ରଶାନ୍ତି

 

ପ୍ରଭା କାନ୍ଦିବ କାନ୍ଦିବ ହେଲା, କାନ୍ଦି ପାରିଲାନି । ତା’ର ମନେହେଲା ଏ ଘରର ପ୍ରତ୍ୟେକ ମଣିଷ, ପ୍ରତ୍ୟେକ ପଦାର୍ଥ, ହରେକ୍‌ ପଶୁପକ୍ଷୀ ତା’ ବିରୁଦ୍ଧରେ ଏକ ଅହେତୁକ ଷଡ଼ଯନ୍ତ୍ର ଚଳାଇଛନ୍ତି । ଯଦ୍ଦ୍ୱାରା କି ସେ ଦପ୍‌ କରି ଲିଭି ପାରିବନି, ବରଂ ଦିକ୍‌ ଦିକ୍‌ ହୋଇ ଦୀର୍ଘ ସମୟ ଯାଏଁ ଜଳିବା ପରେ କେଜାଣେ ଅନ୍ୟମାନଙ୍କ ଅଜଣାରେ ସମୂଳେ ଲିଭିଯିବ ।

 

ତା’ ନିଜର ମଣିଷ—ବିରଳ ରାୟ—ଗାଡ଼ି ଚଢ଼ି ଚାଲିଗଲେ । ତାଗିଦ୍‌ କରିଦେଇ ଗଲେ, ମୋ ଚିଡ଼ିଆଖାନାର ବାଘ ଆଜି ଯେମିତି ପ୍ରଚୁର ମାଂସ ପାଇବ । ପ୍ରଭା ନିଜ ସ୍ୱାମୀଙ୍କ ସାମ୍ନାରେ ହଁ କି ନା କିଛି ଉତ୍ତର ଦେଇ ପାରିଲାନି । ସେ ଡରିଗଲା । ଯଦି କିଛି କହିଦିଏ ତା’ହେଲେ ତାଙ୍କରି ଆଖିରୁ ଯେଉଁ ଅଗ୍ନି ନିର୍ଗତ ହେବ ସେଥିରେ ତା’ଦେହ, ମନ, ପ୍ରାଣ ସବୁ ଫୋକା ଫୋକା ହେବ । ବରଂ ଚୁପ୍‌ ରହିବା ଶ୍ରେୟସ୍କର ।

 

ଗତ ରାତିରେ ତାଙ୍କରି ପାଳିତ ବାଘଟି ଭୋକିଲା ରହିଲା ବୋଲି ସ୍ୱାମୀଙ୍କର ପ୍ରତ୍ୟେକ ପଦକୁ ତା’କୁ ମୁଣ୍ଡପାତି ସହି ନେବାକୁ ପଡ଼ିଥିଲା । ସେ ଜାଣେ, ତାଙ୍କୁ ଉତ୍ତର ଦେଲେ ବିପଦ । ଉତ୍ତର ନ ଦେଲେ ବି ତାଠୁଁ ବଳି ବିପଦ । ପ୍ରଭା ବିରଳଙ୍କ ଏଇ ଅଜବ୍‌ ଖିଆଲ ପାଇଁ ଆଶ୍ଚର୍ଯ୍ୟ ହୋଇଥିଲା; କିନ୍ତୁ ତାଙ୍କର ସେ ଅଶୁଭ ମନାସି ନ ଥିଲା । କାରଣ, ସିଏ ତା’ର ଇହକାଳର ଦେବତା ଓ ପରକାଳର ଆଶା । ସେ ସ୍ୱାମୀଙ୍କୁ ଅନେକଥର ବୁଝେଇବାକୁ ଚେଷ୍ଟାକରି ନିଜେ ହାରି ଯାଇଛି । ହାରି ଯାଇଛି ବୋଲି ମରଣର ସ୍ତୂପୀକୃତ ପିଣ୍ଡ ଉପରେ ତାକୁ ଦଣ୍ଡ ଭୋଗିବାକୁ ପଡ଼ିଛି ।

 

ପ୍ରଭା ମନେ ମନେ ବିରକ୍ତ ହେଲା । ବଜାରରେ ମାଂସ ମିଳିଲାନି ବୋଲି କି ତାଙ୍କର ଚାକର ପୂଝାରି ତା’ କଥା ମାନିଲେନି ବୋଲି ସିଏ କ’ଣ ଦାୟୀ ! କିନ୍ତୁ ସେ ସଫେଇ ଦେଇ ନ ଥିଲା ।

 

ତା’ର ମନେ ପଡ଼ୁଛି—ଅବଶ୍ୟ ବେଶି ଦିନର କଥା ନୁହେଁ । ଯେଉଁଦିନ ଏ ବାଘଟି ଏ ଘରେ ଜଣେ ହେଲା, ସେ ଦିନ ତା’ର ବୟସ ଥିଲା ବହୁତ କଅଁଳ, ଆଉ ସିଏ ବି ଦେଖିବାକୁ ଠିକ୍‌ ଗୋଟାଏ ବିରାଡ଼ି ଭଳି । ଏଇ ବାଘ ଛୁଆକୁ ଧରି ବିରଳ ରାୟବଂଶର ନଗ୍ନ ବାରଣ୍ଡାରେ ଗୁମ୍‌ ହୋଇ ବସି ପଡ଼ିଥିଲେ । ପ୍ରଭା ଆଉ ଭାବି ପାରୁନି । ଭାବିଲା ବେଳକୁ ତା’ଠି ଯେମିତି ପୃଥିବୀର ସମସ୍ତ ଭୟ, ଭ୍ରାନ୍ତିମାନେ ସୁଆଙ୍ଗର ଦଳ ନେଇ ସଂକୀର୍ତ୍ତନ ପାଇଁ ଆଗେଇ ଆସୁଛନ୍ତି । ପ୍ରଭା ଚାରିଆଡ଼କୁ ଆଖି ବୁଲେଇ ଆଣିଲା । କିଏ କେଉଁଠି ନାହାନ୍ତି, ଶୂନ୍‌ଶାନ୍‌ ଅନ୍ଧାର ଘର । ବାଡ଼ିପଟ ଚିଡ଼ିଆଖାନାରୁ ପବନର ତରଙ୍ଗରେ ବାଘର ହେଣ୍ଟାଳ ଭାସି ଆସୁଛି । ତା’ ରଡ଼ି ପ୍ରଭାକୁ ସୂଚେଇ ଦେଉଛି—ମତେ ମାଂସ ଦିଅ, କଞ୍ଚା ମାଂସ ଦିଅ, ନତୁବା ଫେର୍‌ ତୁମ ଉପରେ ଗାଳି ମାଡ଼ ବର୍ଷଣ ହେବ ।

 

ପ୍ରଭା ଆଉ କିଛି ଶୁଣିପାରୁନି । ଦେଖିଲା, ବାଡ଼ିପଟ ଖଞ୍ଜାର ଦରଜା ମୁକୁଳା । ଅବଶ ଦେହ, ଅଳସ ଅବୟବ ନେଇ ସେ ଧୀରେ ଧୀରେ ଉଠିଲା । ପଞ୍ଜୁରୀ ଭିତରୁ ମହାବଳ ବାଘ ତା’ ଆଡ଼କୁ କ୍ଷୁଧାରେ ଅନେଇ ରହିଛି । ଓଃ—ତା’ ଆଖିରେ କେତେ ଫଗୁଣର ଦୀପ୍ତିମନ୍ତ ଉତ୍ସ, ତା’ ମୁନିଆ ମୁନିଆ ନଖଗୁଡ଼ାକ ବି ଭୋକିଲା ଜଣାଯାଉଛନ୍ତି । ତା’କୁ ଭୟ ମାଡ଼ିଲା । ତା’ ହାତ ଥରିଲା-। ତା’ ଭିତରେ କେମିତି ଏକ ଅସମୟର ପୂର୍ଣ୍ଣ ବାଟବଣା ହେଲା । ନିସ୍ତେଜ ହାତରେ ସେ ଦ୍ୱାର ବନ୍ଦ କଲା । ଅଗଣାକୁ ଆସିଲା । ଘର ଭିତରେ ବିଶିକେଶନ—ଅନ୍ଧାର । କେହି ଏ ଯାଏଁ ଲେଉଟି ନାହାନ୍ତି । ସେ ଜାଣି ଜାଣି ଆଲୁଅ ଜାଳିଲାନି । ଆଲୋକର ଉତ୍ସଠାରୁ ଏ ଅନ୍ଧାର ବରଂ ବନ୍ଦନୀୟ । ସେ ଥକ୍‌କା ମାରି ବସିଲା । ପୂର୍ବପରି ତା’ ମୁଣ୍ଡରେ ଗତ ଦିନର ଭାବନା ।

 

ବିରଳ । ଶିକାରୀ ବିରଳ ରାୟ । ଜମିଦାର ସୁବ୍ରତ ରାୟଙ୍କ ପୁତ୍ର । ଅନ୍ୟ ଦିନ ପରି ସେଦିନ ମଧ୍ୟ ସେ ସୁବାସଙ୍କୁ ସାଥିରେ ଧରି ବଣକୁ ଯାଇଥିଲେ । ପ୍ରଭା ସେତେବେଳକୁ ଏ ଘରେ ନୂଆ ବୋହୂ । ସ୍ୱାମୀଠାରୁ ରାତିକର ବିଚ୍ଛେଦ ତା’ପାଇଁ ଅସହ୍ୟ ହେଲା । ତଥାପି ସେ ତାଙ୍କୁ ବାରଣ କରି ନ ଥିଲା । କାରଣ, ସିଏ ଜାଣେ—ବିରଳ ନିହାତି ଏକ୍‌ଜିଦିଆ, ଯାହା ଥରେ ଭାବିଛନ୍ତି ସେ କାର୍ଯ୍ୟକୁ ହାତକୁ ନ ନେଲାଯାଏଁ ତାଙ୍କରି ମନ କୌଣସିଥିରେ ଲାଗିନି । ସେ ତା’ କଥା ରଖିବେନି । ବରଂ ରାଗିବେ ଏବଂ ତା’ର ବାରଣ ହୁଏତ ବିରଳଙ୍କ କିଛି ଅମଙ୍ଗଳ ଘଟାଇପାରେ । ସ୍ୱାମୀର ଶୁଭ ଚିନ୍ତାକରି ସେ ନିରୋଳାରେ ଅନ୍ଧାର ଘରେ ଶୋଇଯାଇଥିଲା । କେହି ନାହାନ୍ତି ତାକୁ ଉପଦେଶ ଦେବା ପାଇଁ କି ବିପଦବେଳେ ପ୍ରକୃତ ପନ୍ଥାର ସନ୍ଧାନ ଦେବା ପାଇଁ । ଶାଶୁ ବହୁତ ଦିନରୁ ଏ ଜଗତରୁ ବିଦାୟ ନେଲେଣି । ଖଜଣା ଆଦାୟ କରୁ କରୁ, ମୋକଦ୍ଦମା ଲଢ଼ୁ ଲଢ଼ୁ ଶ୍ୱଶୁର ସୁବ୍ରତ ରାୟଙ୍କୁ ବେଳ ଅଣ୍ଟୁନି । ସେ ସେମିତି ଶୋଇ ରହିଲା । ଘରର ବିଶ୍ୱସ୍ତ ଚାକରାଣୀ, ମାନୁ ତା’ କୋଠରୀ ଭିତରକୁ ଆସି ଅନୁରୋଧ କରିଥିଲା, ମା’, ଚାଲ । ଅନେକ ରାତି ହେଲାଣି, ଭୋଜନରେ ବସିବ । ଚାକରାଣୀର ଏଇ ମା’ ପଦ ଶ୍ରବଣରେ ତା’ ହୃଦୟରେ କୋହ ଉଠୁଥିଲା । ଆଖିରୁ ଥପ୍‌ ଥପ୍‌ ହୋଇ ନିଗିଡ଼ି ପଡ଼ୁଥିବା ଲୁହକୁ ସମ୍ୱରଣ କରି ପ୍ରଭା ପିଲାଳିଆ କଣ୍ଠରେ ଉତ୍ତର ଦେଇଥିଲା–ମାନୁ, ମତେ ବିଲକୁଲ ଭୋକ ନାହିଁ । ହଁ–ବାବୁ ଫେରିଲେଣି ?

 

ନା, ଖଜଣା ଆଦାୟ ପାଇଁ ବିରାଦପୁର ଯାଇଛନ୍ତି । ଏ ରାତିରେ ସେ ଫେରୁଛନ୍ତି କି ନାହିଁ ସନ୍ଦେହ । ସାନବାବୁ ପାରିଧିକି ଯାଇଛନ୍ତି । ସେ ଫେରୁ ଫେରୁ କାଲି ସକାଳ ।

 

: ମାନୁ ! ମୁଁ ଗୋଟାଏ କଥା ପଚାରନ୍ତି....

 

: ପଚାରୁନା । ମୁଁ କ’ଣ ତମର ପର ?

 

: ନାହିଁ ଯେ—ମୋ’ ମନଟା ଆଜି କିଆଁ ପାପ ଛୁଉଁଚି—

 

: ସେ କିଛି ନୁହଁ । ଉଠ, ଖାଇବ । ରାତି ଅନେକ ହେଲାଣି ।

 

ତା’ପରେ ସେ ଗମ୍ଭିରୀ ଘରୁ ପାଦ କାଢ଼ିଛି କି ନା ବାହାର ଘରେ କାହାର ପାଟି ଶୁଭିଲା-। ସେ କାନ ଡେରି ଶୁଣିଲା, ସୁବାସଙ୍କ କଣ୍ଠସ୍ୱର । ଭିତର ଖଞ୍ଜାରୁ ସେ ଲକ୍ଷ୍ୟ କଲା ସୁବାସ ବିରଳଙ୍କ ରକ୍ତାକ୍ତ ଅବୟବ କାନ୍ଧ ଉପରେ ବୋହିଛନ୍ତି । ତାଙ୍କର ଅନ୍ୟ ହାତରେ ବାଘ ଛୁଆଟି । କିନ୍ତୁ ସେ ବାହାର ଘରକୁ ଆସି ପାରିବନି । ସ୍ୱାମୀଙ୍କ ଏ ଦୁର୍ଦ୍ଦଶାରେ ସମବେଦନା ଜଣାଇ ପାରିବନି, କ୍ଷତରେ ମଲମ୍‌ ଟିକେ ମାଲିସ୍‌ କରି ପାରିବନି । ଏ ସବୁ ତା’ପାଇଁ ନିଷିଦ୍ଧ ସହର । କାରଣ, ଭିତର ଘର, ଭିତର ଖଞ୍ଜା, ଅଗଣା, ବାଡ଼ି ପଟ ଛାଡ଼ି ଦାଣ୍ଡ ବାରଣ୍ଡା କି ବାହାର ଘରକୁ ଆସିବା ପାଇଁ ତା’ର ଅଧିକାର ନାହିଁ । ସେ ଜମିଦାର ରାୟ ବଂଶର କୁଳବଧୂ । ପ୍ରଭାର ମନ ଆଉଟୁ ପାଉଟୁ ହେଲା । ତଥାପି ସେ ନିରୁପାୟ । ସେ ଦିନ ରାତିର ଅନ୍ଧକାରର ମାୟାରେ ପ୍ରଭା ଅଣନିଶ୍ୱାସୀ ହୋଇ ଉଠିଲା । ସ୍ୱାମୀଙ୍କୁ ଦେଖିବାର ଉତ୍କଣ୍ଠା ବେଳକୁ ବେଳ ତା’ର ତୀବ୍ର ହେଲା । ଉତ୍କଣ୍ଠାକୁ ଦୀର୍ଘ ସମୟ ଧରି ଚପେଇ ରଖିବା ପରେ ସେ ଆଉ ପାରିଲାନି । ଚାକର, ପୂଝାରି ଆଦି ଯେ ଯୁଆଡ଼େ ଶୋଇ ଗଲେଣି । ବାହାର ଘରେ ନିଷ୍ପ୍ରଭ ଆଲୁଅ ଜଳୁଛି । ସୁବାସ ପାଖରେ ବସିଛନ୍ତି । ଏ ଘରୁ ପ୍ରଭା ସ୍ପଷ୍ଟ ଶୁଣି ପାରୁଛି ତା’ ସ୍ୱାମୀଙ୍କ କରୁଣ ଚିତ୍କାର । ଭାରି ଯନ୍ତ୍ରଣା ଦେଉଛି ବାଘର ନଖ, ଦନ୍ତ ଆଘାତ । ସେ ପାଦ କାଢ଼ିଲା । ଡରି ଡରି ବିରଳ ସାମ୍ନାରେ ଠିଆ ହେଲା—

 

: ତମେ ଏଠି । ତମକୁ ଏଠିକି କିଏ ଡାକିଲା ?

 

ପ୍ରଭା ନିରୁତ୍ତର ।

 

: ମୁଁ ପଚାରୁଚି, ତମେ ଏଠି କୋ’ ସାହସରେ ?

 

: ମୁଁ ନିଜେ ଆସିଚି ।

 

ପର ମୁହୂର୍ତ୍ତରେ ବିରଳଙ୍କ ଶକ୍ତ ଧକ୍‌କାରେ ପ୍ରଭା ଭୂମିଶାୟୀ ହେଲା । ତା’ ଆଖିରୁ ଯନ୍ତ୍ରଣାର ଲୋତକ ବହିବା ପରିବର୍ତ୍ତେ ଅନୁକମ୍ପାମାନେ ଖରା ଦିନର ଆକାଶ ପରି ନିର୍ମଳ ଦେଖା ଯାଉଥିଲେ ।

 

ବହୁତ ସାହସ ସଞ୍ଚୟ କରି, ନଗ୍ନ ଭୂଇଁ ଉପରୁ ପ୍ରଭା ପଚାରିଥିଲା, ‘ତମ ଦେହ....!’

 

‘ସେଥିରେ ତୁମର କିଛି ଯାଏ ଆସେନା, ଗେଟ୍‌ଆଉଟ୍‌ !’ ତାକୁ ଧକ୍‌କା ଦେଲେ । ସେ ଦ୍ୱିତୀୟବାର ତଳେ ପଡ଼ୁ ପଡ଼ୁ ସୁବାସ ଛାତିରେ ଧକ୍‌କା ଖାଇଲା ।

 

ଭଙ୍ଗା ମନ ନେଇ ଭିତର ଖଞ୍ଜାକୁ ପ୍ରଭା ଚାଲିଯାଇଥିଲା । ସେ ରାତିରେ ସେ ଅନେକ କାନ୍ଦିଛି । ରାତି ଶେଷ ହେଲେ ବାପଘରକୁ ଚାଲିଯିବ ବୋଲି ମନସ୍ଥ କରିବାକୁ ଚେଷ୍ଟା କରିଛି । କିନ୍ତୁ ପାରିନି । କାରଣ, ତା’ ସ୍ୱାମୀ ଅସୁବିଧା ଭୋଗିବେ । ତା’ ଆଖିର ଉତ୍ତପ୍ତ ଲୁହ ବିରଳଙ୍କ କିଛି ଅଶୁଭ ଘଟାଇବ—ସେ ରାତି ରାତି ଏମିତି ଉଜାଗର ରହିଛି, ଭିତର ଖଞ୍ଜାରୁ ବାହାର ଘରକୁ ଉଦ୍‌ବିଗ୍ନ ହୋଇ ନିରେଖିଛି, ବିରଳ ଆରୋଗ୍ୟ ହେବାଯାଏଁ । ଏ ଘରେ ବାଘ ଛୁଆ ବଢ଼ିଛି ଏବଂ ଆଜି ଏକ ମହାବଳ ବାଘ ପାଲଟିଛି । ପ୍ରଭା ଠିକ୍‌ କରିଛି ବାଘ ଛୁଆ ହିଁ ତା’ର କାଳ, ତା’ ସ୍ୱାମୀଙ୍କ ବିକୃତ ରୂପର ସ୍ରଷ୍ଟା । ନା, ସେ ଭୁଲ୍‌ ଭାବୁଛି । ଏଇ ବାଘ ନୁହେଁ, ଏଇ ବାଘର ମା’ ତା’ ସ୍ୱାମୀଙ୍କ ଗୋଟିଏ ଆଖି ଝାମ୍ପି ନେଇଛି, ତାଙ୍କରି ବାମ ପାଦରୁ ପୁଳାଏ ରାମ୍ପୁଡ଼ି ଖାଇଛି । ସେ ଦିନର ବାଘଛୁଆ ଆଜିର ମହାବଳ ବାଘ ପାଇଁ ତା’କୁ ଏମିତି ପ୍ରତିଦିନ କିଛି ନା କିଛି ଗାଳି ଶୁଣିବାକୁ ପଡ଼ିଛି, ଯେଉଁଦିନ ବଜାରରେ ମାଂସ ମିଳିନି କିମ୍ୱା ମାଂସ ସଂଗ୍ରହ ପାଇଁ ଚାକରମାନେ ଚେଷ୍ଟା କରି ନାହାନ୍ତି । ଏଇ ବାଘର ମୃତ ମା’ ହୁଏତ ପ୍ରଭାକୁ କି ତା’ ସ୍ୱାମୀଙ୍କୁ ଅଭିଶାପ ଦେଇ ପାରିଥାଏ ବି—ରେ ମଣିଷ, ତୁ ମତେ ମାରି ମୋ ଛୁଆକୁ ମୋ ପାଖରୁ ଛଡ଼େଇ ନେଇଛୁ; ଏଥିପାଇଁ ତତେ ହେଉ କି ତୋ’ର ଆତ୍ମୀୟମାନଙ୍କୁ ହେଉ, ମୋ ଅଭିଶାପରେ ସନ୍ତୁଳି ହେବ—ମୋ’ ଛୁଆ ଦିନେ ନା ଦିନେ ମୋ ମୃତ୍ୟୁର, ତୋ ଶିକାରର ପ୍ରତିଶୋଧ ନେବ—

 

ପ୍ରଭାକୁ ଏ ଘର ଭିତରେ କେହି ଖାତିର କରନ୍ତିନି । ସମସ୍ତେ ଜାଣନ୍ତି ପ୍ରଭା ଯଦିଚ ସାନବାବୁଙ୍କ ଧର୍ମପତ୍ନୀ ତଥାପି ସିଏ ତାଙ୍କର ଶ୍ରଦ୍ଧାଭାଜନ ନୁହନ୍ତି । କିନ୍ତୁ ସୁବାସଙ୍କ ମାନବିକତା ପ୍ରଭା ପାଇଁ ଥରେ ଥରେ ଚିନ୍ତିତ ହୁଏ । ସିଏ କିନ୍ତୁ ପ୍ରକାଶ କରିପାରନ୍ତିନି । କାରଣ, ବଡ଼ ଘର, ବଡ଼ କଥା । ପ୍ରଭା ହୁଏତ ତା’କୁ କହିପାରେ, ସୁବାସ, ମୁଁ ତୁମ ଅନୁକମ୍ପାର ପାତ୍ରୀ ନୁହେଁ—ମୁଁ ଭିକାରୀ ନୁହେଁ—ମୁଁ କାହିଁକି ତୁମ ହାତଟେକା ଭିକ୍ଷା ମୁଠାକୁ ଆଶ୍ରା କରିବି ?

 

ଚାକର ପୂଝାରିମାନେ ତା’କୁ ମୁହେଁ ମୁହେଁ ଉତ୍ତର ଦିଅନ୍ତି । ତା’ର ହୋଇ ଏ ଦୁନିଆଁରେ ଆଉ କେହି ନାହାନ୍ତି । ହୁଏତ ତା’ର ବାପା ମା’ ଅଛନ୍ତି; କିନ୍ତୁ ବିବାହିତା ନାରୀ ପାଇଁ ବାପା ମା’ ବା ଆଉ କେଉଁ କାମରେ ଆସିବେ । ଝିଅ ବୋଲି, ସେମାନେ ହୁଏତ ନୀରବରେ ଦି’ ଟୋପା ଲୁହ ଢାଳିବେ କିମ୍ୱା ଝିଅର ଶୁଭପାଇଁ କେଉଁ ଏକ ଆଭିଜାତ୍ୟପୂର୍ଣ୍ଣ ଯଜ୍ଞର ଆୟୋଜନ କରି ଗ୍ରହ ଶାନ୍ତି ପାଇଁ ଦେବତାଙ୍କୁ ଘୃତାହୁତି ଦେବେ । ମାନୁ ଅନେକ ଦିନୁଁ ମରିଲାଣି । ଜମିଦାର ସୁବ୍ରତ ରାୟ ବି ଚାଲିଗଲେଣି ।

 

ହଠାତ୍‌ ପ୍ରଭାର ଭାରାକ୍ରାନ୍ତ ଚିନ୍ତା ଦୋହଲି ଉଠିଲା । ତା’ ଶ୍ୱଶୁର । ଦୀର୍ଘ ଛ’ ଫୁଟର ଭୀମକାନ୍ତ ଚେହେରା, ମୋଟା ନିଶ, ଚଉଡ଼ା ଛାତି ଆଉ ଯେଉଁ ବାଡ଼ି ଖଣ୍ଡେ ହାତରେ ଧରି ଶ୍ୱେତ ଅଶ୍ୱଯୋଚା ଯାନରେ ପାରିଧିକି ଯାଆନ୍ତୁ କି ପ୍ରଜାମାନଙ୍କର ସୁବିଧା ଅସୁବିଧା ତଦାରଖ ପାଇଁ ଯାଆନ୍ତୁ, ସେଇ ବାଡ଼ି ଖଣ୍ଡକୁ ସମସ୍ତେ ସମ୍ମାନ ଦେଇଛନ୍ତି । ପ୍ରଜାମାନେ ଭୟରେ ଜଡ଼ସଡ଼ ହୋଇଛନ୍ତି; କିନ୍ତୁ ସେ ଦିନର ଅନ୍ଧାର ରାତିରେ କୌଣସି ସଂଘବଦ୍ଧ ଷଡ଼ ଯନ୍ତ୍ରର ସିଏ ଶରବ୍ୟ ହେଲେ ।

 

ସେଦିନ ଗୁରୁବାର । ଲକ୍ଷ୍ମୀବାର । ଭିତର କୋଠିରେ ମାଣ ବସିଛି । ସୁବ୍ରତ ରାୟ ଭାବିଲେ ଆଜି ଠିକ୍‌ ସମୟ, ସମସ୍ତେ ଯେଝା ଘରେ ଥିବେ । ସିଏ ଦି’ ଚାରିଜଣ ବିଶ୍ୱସ୍ତ ଚାକରଙ୍କୁ ସାଙ୍ଗରେ ଧରି ବାହାରିଲେ ନୀଳପୁର ଅଞ୍ଚଳକୁ । ରାସ୍ତାସାରା ଅଶୁଭ ଶକୁନ ଦେଖାଦେଲେ ବି ସେ ତା’କୁ ଖାତିର କରି ନ ଥିଲେ । ଆଡ଼େଇ ଦେଇ ବଢ଼ି ଚାଲିଥିଲେ । ପ୍ରଭା ଜାଣେ, ସେ ଅତ୍ୟାଚାରୀ ନ ଥିଲେ । କିନ୍ତୁ କ’ଣ ପାଇଁ ଯେ ଗଣର ବେଦି ଉପରେ ତାଙ୍କୁ ବଳି ହେବାକୁ ପଡ଼ିଲା, ତା’ର ସୋର୍‌ କେହି ପାଇ ପାରିଲେନି । ତିନି ଚୋଟ ଗୁଳିରେ ସେ ଟଳି ପଡ଼ିଲେ । ଗୁଳିର ଦିଗ ଜଣାଯାଉଥିଲା; କିନ୍ତୁ ଗୁଳି କିଏ ମାରିଥିଲା ତା’କୁ କେହି ଆବିଷ୍କାର କରିପାରି ନ ଥିଲେ । ବଣବୁଦାର ରଙ୍ଗମାଟିଆ ରାସ୍ତାରେ ସେ ଟଳିପଡ଼ିଲେ । ଶ୍ୱେତ ଅଶ୍ୱଯୋଚା ଗାଡ଼ି ସୁବ୍ରତ ରାୟଙ୍କ ମଡ଼ାକୁ ଧରି ଘରକୁ ଫେରିଲା । ସେ ଦିନଠୁଁ ପ୍ରଭା ନିଜକୁ ଅତି ନିଃସହାୟ ମନେ କରିଛି । ନିଜର ମଣିଷ ମଦ୍ୟପ, ଶିକାର ପ୍ରିୟ । ତାଙ୍କୁ ସେ ପ୍ରକୃତ ବାଟକୁ ଆଣିବା ପାଇଁ ଚେଷ୍ଟା କରୁ କରୁ ବିଫଳତାରେ ତା’ର ଧାରଣା ଦୃଢ଼ତର ହୋଇଛି—ସିଏ କିଏ ନିର୍ଜନ ଦ୍ୱୀପ ରୂପେ ହିଁ ବଞ୍ଚିବ । ଯେଉଁ ଦ୍ୱୀପକୁ ଜନାକୀର୍ଣ୍ଣ କରିବା ପାଇଁ ସମୁଦ୍ର ବକ୍ଷରେ କୌଣସି ରାସ୍ତା ନ ଥିବ କି ସମୁଦ୍ର ପାରିହେବା ପାଇଁ ତା’ ଦ୍ୱୀପରେ କୌଣସି ନଉକା କିମ୍ୱା ପୋତ ନ ଥିବ । ଅସହ୍ୟ ନିଃସଂଗତାରେ ସେ ଶିହରି ଉଠିଛି । କେତେବେଳେ ଭୟ ପାଇଛି, ଆଉ କେତେବେଳେ ଅନନ୍ୟୋପାୟ ହୋଇ ନିଜକୁ ସାନ୍ତ୍ୱନା ଦେବା ପାଇଁ କାନ୍ଦିଛି ।

 

ସୁବ୍ରତ ରାୟଙ୍କ ପରେ ଖାନ୍‌ଦାନି ରାୟ ବଂଶର ଇତିହାସ ପୂରାପୂରି ବଦଳି ଯାଇଛି । ବିରଳ ଯା’ ଯେଉଁଠି ପାଇଲେ ତା’କୁ ଖୋଲାବଜାରରେ ବିକ୍ରୟ କରି ମଦ କୋଠିରେ ବେହୋସ୍‌ ହୋଇଛନ୍ତି କିମ୍ୱା ରୂପବତୀ ବେଶ୍ୟାଳୟରେ ରାତି ଯାପନ କରିଛନ୍ତି । ନିଜର ସଉକ ପାଇଁ ଶିକାରପ୍ରିୟ ହୋଇ ଉଠିଛନ୍ତି । ବାଡ଼ିପଟେ ଏକମାତ୍ର ବାଘକୁ ପୋଷି ଚିଡ଼ିଆଖାନାର ଜଞ୍ଜାଳ ମୁଣ୍ଡେଇବା ପାଇଁ ବ୍ୟଗ୍ର ହୋଇ ଉଠିଛନ୍ତି ।

 

ବାଡ଼ିପଟୁ ଭାସି ଆସୁଥିବା ବାଘର ରଡ଼ିରେ ପ୍ରଭାର ଧ୍ୟାନ ମହଳଣ ପଡ଼ୁଥିଲା । ସତର୍କ ହେଲା, ବାଡ଼ିପଟ ଦରଜା ବନ୍ଦ । ତା’ପରେ ଯାକିଯୁକି ବସି ରହିଲା । ପଡ଼ିଶାଘର ଛୁଆ କ’ଣ ପାଇଁ ସମ୍ଭବତଃ ଅଳି କରୁଛି । ତା’ ଜନନୀ ରନ୍ଧାଘରେ ବ୍ୟସ୍ତ ଅଛି । ତା’ ନିଜ ପୁରୁଷ ଛୁଆକୁ ଗେଲ କରୁଛି—ଆ, ଜହ୍ନମାମୁଁ ସରଗ ଶଶି, ମୋ’ କନା ହାତେ ପଡ଼ରେ ଖସି—ତଥାପି ଛୁଆଟି ରାହାଧରି କାନ୍ଦୁଛି । ପୁରୁଷଟି ବ୍ୟସ୍ତହୋଇ ଉଠିଲା, ନିଅ ନା, ରନ୍ଧା ସେତିକିରେ ଥାଉ—ଗୁଡ଼ଘର କ’ଣ ଜନ୍ଦା ଖାଇ ଯାଉଛନ୍ତି ଯେ ଏତେ ତରବର......

ପ୍ରଭା କାନ ଚାପି ଧରିଲା । ନା, ସେ କିଛି ଶୁଣି ପାରିବନି । ସେ ବେହୋସ୍‌ ହୋଇଯିବ-। ଦିନେ ସୁଦ୍ଧା ସେ ବିରଳଠୁ ପଦିଏ ମଧୁର କଥା ଶୁଣିନି । ସର୍ବଦା ଲାଲ ଆଖିର ମତୁଆଲାରେ ପ୍ରଭା ଡରିଯାଇଛି । ବିବାହର ଦୀର୍ଘ ଏଗାର ବର୍ଷ ବିତିଲେ ବି ସେ ଜାଣି ପାରିଲାନି ସ୍ୱାମୀ କ’ଣ, ସ୍ୱାମୀଙ୍କ ସ୍ନେହ ସରାଗ କେମିତି, ବୈବାହିକ ଜୀବନର ଜାହ୍ନବୀ ଧାରାରେ ଜୁଆର ଆଉ ଭଟ୍ଟାର ଅର୍ଥ କ’ଣ କିମ୍ୱା ବୋଉ ଅବା ମା’ ଡାକରେ ନିହିତ ସ୍ୱାଦର ଆକଣ୍ଠ ଭୋଜନ ।

ତା’ ବିବାହର ମଧୁର ମୁହଁସଞ୍ଜ । ସେ ବିବାହ ବେଦିରୁ ଫେରିବା ପରେ ସୁବ୍ରତ ରାୟ ତା’ ପାଖକୁ ଆସିଲେ । ତାଙ୍କ ଆଖି କୋଣରେ ଲୁହମାନେ ଅମାନିଆ, ବାଟବଣା । ବହୁ କଷ୍ଟରେ ସେ କହିଥିଲେ—ମା’, ଶାଶୁ ନାହିଁ ବୋଲି ତୁ କେବେ ଭାବନା କରିବୁନି—ନେ, ଏଇ ହାର ପିନ୍ଧ୍‌, ଇଏ ଆମ ବଂଶବୁନିଆଦିର ସନ୍ତକ, ତୁ ଏ ଘରର ଲକ୍ଷ୍ମୀ, ତୁ ଏ ଘରର ଭବିଷ୍ୟତ, ସବୁ କିଛି.......ଆ !’ କୁଆଡ଼େଗଲା ସେ ଦିନ । ଆଜି ଆଉ ସିଏ ନାହାନ୍ତି ଦୁର୍ଦ୍ଦିନରେ ପ୍ରଭାକୁ ଭରସା ଦେବାପାଇଁ, ନତୁବା ଦୁଃଖରେ ତା’କୁ ସାନ୍ତ୍ୱନା ବାଣୀ ଶୁଣେଇବା ପାଇଁ । ତା’ ଅଜଣାରେ ତା’ ଆଖି ଜକେଇ ଉଠିଲା । କାନି ପଣତରେ ଲୁହ ପୋଛୁ ପୋଛୁ ସେ ଚାରିଆଡ଼କୁ ଥରେ ଆଖି ବୁଲେଇ ଆଣିଲା—ବାହାର ଘର ଖୋଲା, ବାହାରେ ଆଲୁଅ, ଘରସାରା ଅନ୍ଧାର ।

ପ୍ରଭାକୁ ଏଇ କେଇପଦ କହି ବାହାରକୁ ଚାଲିଗଲେ ଭୋଜିଭାତର ତଦାରଖ କରିବାପାଇଁ । ସାଙ୍ଗସାଥି ମେଳରେ ପ୍ରଭା ସମୟ କାଟିଲା । ତା’କୁ ଆଜି ସବୁ ଯେମିତି କିମିଆ କିମିଆ ଲାଗୁଛି ।

ବିବାହ । ମଧୁରାତି । ଏ ରାତିର ଆଗମନ ପାଇଁ ମଣିଷ କେତେ ପ୍ରତୀକ୍ଷା ନ କରେ ସତେ ! ବିରଳ ବାସର ଘରକୁ ଆସିଲେ । ବେକରୁ ଛାତି ଉପରେ ଲମ୍ୱିଥିବା ଗଜରା ହାର ଓ କର୍ପୂର ବାସ୍ନା ମଦର ଉତ୍କଟ ଗନ୍ଧଠାରୁ ବଳିଯାଇ ନ ଥିଲା । ପ୍ରଭା ଚମକିଲା, ତା’ ଛାତି ଅଜଣା ଆଶଙ୍କାରେ ଥରିଲା । ମୋ ନିଜର ପୁରୁଷ କ’ଣ ତେବେ—? ତା’ ଧାରଣା ଅମୂଳକ ହୋଇନି । ପରେ ସେ ଜାଣିପାରିଲା, ବିରଳ ମଦ୍ୟପ, ବାପାଙ୍କୁ ଲୁଚେଇ ସେ ପ୍ରଚୁର ମଦ ପିଅନ୍ତି, ମଦକୋଠିକୁ ଯାଇ ଆଡ୍‍ଡା ଜମାନ୍ତି । ପ୍ରଭା ସେ ଦିନଠୁଁ ବିରଳ ଗୋଡ଼ତଳେ ପଡ଼ି, ପାଦ ଜାବୁଡ଼ି ପ୍ରାର୍ଥନା କରିଛି—‘ତୁମେ ମଦ ଖାଅନି, ମୋ ରାଣ, ତୁମେ ମଦ ଛାଡ଼ିଦିଅ’—ସେ ତା’କୁ ଗୋଇଠା ମାରିଛନ୍ତି, ତା’ ଆଖିର ଲୁହକୁ ତିଳେ ବି ଖାତିରି କରି ନାହାନ୍ତି ।

 

ଅନ୍ୟ ଏକ ରାତିର ଶୋକ ।

 

ସେ ବହୁତ ପ୍ରତୀକ୍ଷା କଲା । ବିବାହର ମାସେ ବି ପୂରିନି । ଭୋକିଲା ପେଟରେ ଶୋଇଯିବ ବୋଲି ଭାବିଲା । ବିରଳ ପାହାନ୍ତା ବେଳକୁ ଫେରିଲେ । ମଦ ଭଣଭଣ ଗନ୍ଧ, ପ୍ରଭାକୁ ପଦେ ସୁଦ୍ଧା ନ କହି ସେ ଚିତହୋଇ ଶୋଇଗଲେ । ସ୍ୱାମୀଙ୍କ ସେଇ ସରଳ ମୁହଁକୁ ଦେଖି ସେ କାନ୍ଦିଛି—ମଣିଷ ଭିତରେ କ’ଣ ଜାନୁଆର୍‌ ସର୍ବଦା ଜୀବନ୍ତ ? ପ୍ରଭୁ ! ମତେ ମୋ ସ୍ୱାମୀଙ୍କୁ ଫେରାଇ ଦିଅ । ସେ ଅଗଣାକୁ ଆସିଲା । ମାନୁ ଶୋଇଛି । ଆଜି ତା’କୁ ଭାରି ନିଛାଟିଆ ଲାଗୁଛି । ଜ୍ୟୋସ୍ନାସ୍ନାତ ଆକାଶରେ ନିର୍ଜନ ନକ୍ଷତ୍ରଙ୍କର ରୋଷଣି ଲିଭି ଲିଭି ଆସୁଛି ।

 

ମାନୁ......ମାନୁ.....ଦି’ ଚାରି ଡାକରେ ମାନୁର ନିଦ ଭାଙ୍ଗିଲା । ଆଖି ମଳି ମଳି ଦେଖିଲା ବେଳକୁ ପ୍ରଭା ।

 

ମା’, ଏତେ ବ୍ୟସ୍ତ ଜଣାଯାଉଛ ।

 

ନା । ନିଦ ଜମା ହେଲାନି ।

 

କାହିଁ ? ସାନବାବୁ ଫେରିଲେଣି ?

 

ହଁ, ଅବିକା ଫେରିଲେ । ଚୁପ୍‌ଚାପ୍‍ ଶୋଇଗଲେ । ମତେ ଭୟ ମାଡ଼ୁଛି । ସେ ଖାଇଛନ୍ତି କି ନା—

 

ନା, ମା’ । ସେଇ ଅଲକ୍ଷିଣୀ ତାଙ୍କୁ କ’ଣ ନ ଖୁଆଇ ଛାଡ଼ିଥିବ ?

 

ଅଲକ୍ଷିଣୀ ! ପ୍ରଭା ଆଗରେ ଯେମିତି ଜୀବନ୍ତ ବିସ୍ମୟ ।

 

ପ୍ରଭା ଜାଣିଲା ତା’ ସ୍ୱାମୀ ବିରଳ ରାୟ, ବେଶ୍ୟାସକ୍ତ ।

 

ସେ ନିଜକୁ ଘୃଣା କରିଛି.....ସେ ସ୍ତ୍ରୀ ହୋଇ କେମିତି ନିଜ ପୁରୁଷକୁ ସଦ୍‌ବୁଦ୍ଧି ଦେଇ ପାରୁନି । ଭଲ ବାଟରେ ପଥିକ ହେବାପାଇଁ ତାଙ୍କଠୁ ଉତ୍ତେଜନା ଆଣି ପାରୁନି ।

 

ଆଜି ଆଉ ସେଇ ଶ୍ୱଶୁର ନାହାନ୍ତି କି ସେ ମାନୁ ନାହିଁ । ସମସ୍ତେ ଆରପାରିରେ । ଅଛି ସେଇ ପୁରୁଣା ମଦକୋଠି ଓ ନୂଆ ନୂଆ ଯୁବତୀ ବେଶ୍ୟାଦ୍ୱାରା ପରିପୂର୍ଣ୍ଣ ସେଇ ପରିଚିତ ଗଳି । ପ୍ରଭା ଧକେଇ ଧକେଇ କାନ୍ଦିଲା । ତା’ର ଆଉ କୌଣସି ରାହା ନାହିଁ, ଚାରିଆଡ଼େ ଅନ୍ଧାରଏବଂ ସେଇ ଜଳନ୍ତା ଅନ୍ଧାରରେ ସେ ଯେମିତି କୌଣସି ଦିଗନ୍ତ ପାଉନି, ଦିଗହଜା ହେବା ପୂର୍ବରୁ ଗୋଡ଼ ଖସୁଛି ଏବଂ ସେଥିରେ ସେ ପୋତି ହୋଇ ନିଜକୁ ବିସ୍ମୃତ କରୁଛି । ଲୁହ ପୋଛି ପୋଛି ସେ କୋଠା ଉପରକୁ ଆସିଲା । ବାହାର ରାସ୍ତାରେ ସ୍ୱାଭାବିକ ଜୀବନର ଜୟଯାତ୍ରା ରାତିକୁ ପୂରା ଭୁଲିଯାଉଛି । ଧୂଳିଆ ରାସ୍ତରେ ଦଳ ଦଳ ଲୋକ ଚାଲିଛନ୍ତି । ଜହ୍ନ ରାତିର ଜ୍ୟୋତ୍ସ୍ନା ଟିକେ ଆରାମ୍‌ ଲାଗିଲା । ପଡ଼ିଶା ଘର ବୋହୂଟି ସ୍ୱାମୀର ବାହାକୁ ଗେଲରେ ଚିମୁଟି ଦେଇ ଘର ଭିତରକୁ ଧଷେଇ ପଶୁଛି । ତା’ ପୁରୁଷ ତା’କୁ ଗୋଡ଼ାଇ ଧରିବା ଚେଷ୍ଟା କରୁଛି । ପ୍ରଭା ଆଉ ଦେଖିପାରୁନି । ତା’ ମୁଣ୍ଡ କ’ଣ ହୋଇଯାଉଛି । ଆଖିକୁ ହାତ ପାପୁଲିରେ ବନ୍ଦ କରି ସେ ତଳେ କଚାଡ଼ି ହୋଇ ବସିରହିଲା ।

 

ବାଡ଼ିପଟୁ ବାଘର ଭୋକିଲା ରଡ଼ି ଶୁଭୁଛି । ସେ ଯେମିତି ଲୁହାର କବାଟକୁ ଦାନ୍ତରେ ଖିନ୍‌ଭିନ୍‌ କରି ଖାଇଯିବ । ଚାରିଆଡ଼ ଦୁଲ୍‌ ଦୁଲ୍‌ ଚମକି ଉଠିଲାଣି । ପ୍ରଭା ତଳକୁ ଓହ୍ଲାଇ ଆସିବ ହେଲା । କିନ୍ତୁ ତା’ ନିସ୍ତେଜତା ତା’କୁ ବାରଣ କଲା, ବାଟ ଓଗାଳିଲା ।

 

ହଠାତ୍‌ ଆଶାୟୀ ହୋଇଉଠିଲା । ବାହାର ଘରେ ଜଳିବା ବତୀରୁ ଆଲୁଅ ବିଛାଡ଼ି ହୋଇ ମୁକ୍ତ ଅଗଣା ଛାଇ ଦେଉଛି । ସେ ଦୌଡ଼ିଆସିଲା—ବିରଳ ଆସିଗଲେ । ସେ ଆସି ନାହାନ୍ତି। ପୂଝାରି ଜଣକ ବଜାରରୁ ଫେରିଛି । ତା’ର ଟିକେ ଖାତିର୍‌ ନାହିଁ—ଏତେ ରାତି ହେଲାଣି, କାଳେ ସା’ନ୍ତାଣୀ କିଛି କହିବେ । ସେ ବି ମଦ ନିଶାରେ ଟଳମଳ ।

 

ପାଣ୍ଡୁ । ମାଂସ ଆଣିଛ..... ?

 

ମାଂସ.....। ସମ୍ଭବତଃ ସେ ଭୁଲିଯାଇଛି; କିନ୍ତୁ କଥା ବାଆଁରେଇ ନେଲା । ମା’, ସାରାବଜାର, ସାରା ଗାଁ ବସ୍ତି ଖୋଜିଲି; କିନ୍ତୁ କେଉଁଠି ମାଂସ ତ ମାଂସ, ଶୁଖିଲା ହାଡ଼ ଟୁକୁରାଏ ବି ପାଇଲିନି ।

 

ତା’ହେଲେ ରବି କ’ଣ ଖାଇବ ?

 

(ବିରଳ ସେଇ ମହାବଳ ବାଘକୁ ଆଦରରେ ରବି ନାଁ ଦେଇଛନ୍ତି ।)

 

ଆଜି ରାତି ଭୋକିଲା ରହିଗଲେ କ୍ଷତି କ’ଣ ?

 

ପ୍ରଭା ଆଉ ଅଧିକ କିଛି ପଚାରିବାକୁ ଇଚ୍ଛା କଲାନି ।

 

ସେ ରାତିରେ ବିରଳ ଫେରିଲେନି । ସେ ରାତି ତମାମ୍‌ ଉଜାଗର ହେଲା । ସକାଳ ହେଲା, କିନ୍ତୁ ବିରଳ କି କିଶୋର କେହି ଫେରିଲେନି । ପ୍ରଭା ମନକୁ ପାପ ଛୁଇଁଲା । ସେ ବିକଳରେ ଛଟପଟ ହେଲା । ଉତ୍କଣ୍ଠିତ ପ୍ରତୀକ୍ଷାରେ ଯେମିତି ଏକ ଶରାହତ ମୃଗୁଣୀ । ତା’ ଚାରିପଟେ ଅଶ୍ୱତ୍‍ଥାମା ବୀରମାନେ ବ୍ୟୂହ ରଚନା କରିଛନ୍ତି ଏବଂ ସେହି ବ୍ୟୂହରୁ ମୁକୁଳିବା ବାଟ ତା’ପାଇଁ ଅଜଣା ।

 

ତା’ ଭାବନାର ଭାରସାମ୍ୟ ସହ ତାଳ ରଖି ସାରାରାତି ରବି ରଡ଼ି ଛାଡ଼ୁଛି—ମତେ ମାଂସ ଦିଅ, ମୁଁ ଭୋକିଲା, ମତେ ଖାଦ୍ୟ ଦିଅ । ପ୍ରଭା ବିରକ୍ତ ହେଲା । ଭଲା, ଏ ବାଘଟି ପିଞ୍ଜରା ଖାଲି କରି ଚାଲିଯାନ୍ତା ।

 

ରାତି ଶେଷ ହେଲା । ଦିନ ଶେଷ ହୋଇ ଆର ରାତି ହାଜର ହେଲା । ତଥାପି ବିରଳ ପାରିଧିରୁ ଫେରି ନାହାନ୍ତି । ଏ କଥା ସେ କାହାକୁ କହିବ । ସେ ଶ୍ରୀଯୁକ୍ତ ରାୟ ବଂଶର କୁଳପ୍ରତିମା-। କୌଣସି ଚାକର ପୂଝାରି ତା’ କଥାକୁ ଗୁରୁତ୍ୱ ଦେଉ ନାହାନ୍ତି । ତା’ ନିବେଦନକୁ କାନ ଡେରି ନାହାନ୍ତି । ସେମାନେ ବେଳକୁ ବେଳ ତୁଚ୍ଛା ଆଉ ମିଛ ଖବର ଦେଉଛନ୍ତି–ବାବୁ ହେଇ ଫେରିବେ–ସଞ୍ଜ ଗଡ଼ିଲା, ଅନ୍ଧାର ଲହଡ଼ି ଭାଙ୍ଗିଲା । ବର୍ଷାର ଘନଘଟାରେ କାନ ତାବ୍‌ଦା ହୋଇଯାଉଛି । ବାଡ଼ିପଟୁ ବାଘର ହେଣ୍ଟାଳ ଆକାଶ ଫଟାଇ ଦେଲାପରି ମନେହେଉଛି । ସେ ନିଃସହାୟ, ନିଃସଙ୍ଗ-। ଆଜିର ରାତି ପରି ତା’ ଆଖିରେ ଲୁହାମାନେ ବି ଭୟାନକ । ସେ କଇଁ କଇଁ କାନ୍ଦିଲା । ଘର ଭିତରେ, ବାହାରେ ଅନ୍ଧାର । ବାଡ଼ିପଟ ଚିଡ଼ିଆଖାନାରେ ଭୋକିଲା ବାଘର ଚିତ୍‌କାର, ଆର୍ତ୍ତନାଦ । କ’ଣ ବା ସେ କରିବ ?

 

ପ୍ରଭା ଦୃଢ଼ପ୍ରତିଜ୍ଞ ହେଲା । ଯେମିତି ହେଲେ ସେ ବାଘକୁ ଆଜି ସେ ମୁକ୍ତି ଦେବ । ତା’କୁ ସିଧା ବଣକୁ ପଠାଇଦେବ । ସେ ବାଘଟିର କ’ଣ ଟିକେ ବୋଲି ହୃଦୟ ନାହିଁ ତା’ ମନକଥା, ହୃଦୟର ବେଦନା ବୁଝିବାପାଇଁ । ୟା’ର ମା’ ମୋ ସ୍ୱାମୀଙ୍କୁ ବିକଳାଙ୍ଗ କରିଛି । ୟେ ବି ମୋ ସ୍ୱାମୀଙ୍କ କୌଣସି ମଙ୍ଗଳ ପାଞ୍ଚୁନି । କି ଅଶୁଭ, ଚିତ୍‌କାର.....! ଆଜି ତା’ର ମୁକ୍ତି କାମ୍ୟ । ସେ ଯାଉ-। ମାଂସପାଇଁ ସର୍ବଦା ଏମିତି ଯମରଡ଼ି ନ ଦେଉ ।

 

ସେ ଦୃଢ଼ ହେଲା । ହଠାତ୍‌ କେମିତି ତା’ ପାଖରୁ ସବୁ ଭୟମାନେ ସାତ ତାଳ ପଙ୍କ ଭିତରେ ପ୍ରୋଥିତ ଫରୁଆର ନଃସଙ୍ଗତାକୁ ଉଚିତ୍‌ ମନେକଲେ । ଯେଉଁ ପ୍ରଭା ବାଘର ନିଶ ହଳକୁ ଦେଖିଲେ ଆଖି ବନ୍ଦ କରେ, ତା’ ମୁଣ୍ଡ ଘୂରେଇ ଦିଏ, ସିଏ ଆଜି ଯାଉଛି ବାଘ-ଯନ୍ତାର ଦରଜା ଖୋଲିବ ଏବଂ ବାଘକୁ ଏ ଘରୁ ନିକାଲି ଦେବ । ବାଘ ବଣକୁ ଯିବ । ପ୍ରଭା ଆନନ୍ଦିତ—କାରଣ, ଏଇ ବାଘ ପାଇଁ ତା’କୁ ଆଉ ଗାଳି ଶୁଣିବାକୁ ପଡ଼ିବନି—ତୁମେ ଯଦି ମାଂସ ଯୋଗାଡ଼ କରି ନ ପାରିଲ ତେବେ ନିଜର କିଛିଟା ହାତ, ଗୋଡ଼କୁ ବାଘମୁହଁରେ ତା’ କ୍ଷୁଧା ଉପଶମ ପାଇଁ ଫିଙ୍ଗି ପାରିଲନି ? ବାଘ ବି ତୃପ୍ତ ହେବ ଯେ ଏତେ ଦିନ ପରେ ସେ ସ୍ୱାଧୀନ ହେଲା, ମୁକ୍ତି ପାଇଲା, ବଣକୁ ଯାଇ ନିଜ ଅନ୍ତରଙ୍ଗମାନଙ୍କୁ ଭେଟିଲା ।

 

ବାଘର ହେଣ୍ଟାଳ ତୀବ୍ରତର ହେଉଛି । ବାଘ ତା’କୁ ଚାହିଁ ରହିଛି । ଆଃ, କି ଦୟନୀୟ ରୂପ, ଦି’ ଦିନ ହେଲା ଆହାର ପାଇନି, ବିଚାରା କେଡ଼େ ନିରିମାଖି.....ଦୁର୍ବଳ ବାଘ ପ୍ରତି ତା’ ଦୟା ଜାତ ହେଲା । ବାଘ ତାକୁ ଅନେଇ ରହିଚି । ରଡ଼ି ବନ୍ଦ ହେଲାଣି ।

 

ଘରେ ଚାକରମାନେ କେହି ନାହାନ୍ତି । ଅନ୍ଧାର ରାତି । ବିରଳ ଓ ସୁବାସ ଏ ଯାଏଁ ଫେରି ନାହାନ୍ତି ।

 

ପିଞ୍ଜରାର ଦରଫାଙ୍କ ଦରଜା ପୂରା ଖୋଲିନି । ବାଘ ଲମ୍ଫ ଦେଇଛି । ତା’ର ସେ ବିରାଟ ପାଟିର ମୁନିଆ ଦାନ୍ତମାନେ ପ୍ରଭାର ତୋଟିକୁ ସଶସ୍ତ୍ର ପ୍ରହରୀ ପରି ଚିପି ଧରିଛନ୍ତି ।

 

ଘର ଭିତରେ ମୁଁହ ଦେଖାଯାଉନଥିବା ଅନ୍ଧାର । ଚାରିଆଡ଼ ଖୋଲା । ବିରଳ ଓ ସୁବାସ ଫେରିଛନ୍ତି । ବିରଳ ଦେହ ଖଣ୍ଡିଆ ଖାବରା, ତାଙ୍କ ହାତରେ ଗୁଳିଭରା ବନ୍ଧୁକ । ସୁବାସ କାନ୍ଧରେ ରକ୍ତାକ୍ତ ବାର୍‍ହା । ଘର ଭିତରେ ପାଦ ନ ପଡ଼ୁଣୁ ବିରଳଙ୍କ ରବି ଡାକ ସ୍ୱାଭାବିକ ଗତିରେ ବାଘ ପାଖରେ ପହଞ୍ଚିଛି ।

 

ସେମାନେ ସିଧା ବାଡ଼ିପଟକୁ ବଢ଼ିଲେ ।

 

ବିଶ୍ୱାସ କରି ହେଉନି........ପ୍ରଭାର ମୁହଁ ଉପରେ ବେଦନାର ଗାରେ ରେଖା ବି ଟାଣି ହୋଇନି । ତା’ ମୁହଁରେ ଯେମିତି ସମସ୍ତ ଶୁଭ ଆକାଶ ଓ ଦିଗହଜା ସମୁଦ୍ରର ପ୍ରଶାନ୍ତି ନେସି ହୋଇ ଯାଇଛି । ରବିର ଆଖିଗୁଡ଼ାକ ଭୋକିଲା ଜଣାଗଲେ ବି ସେଠି ସରଳତା ଆଉ ନିରୀହ ଚାହାଣି ବ୍ୟତିରେକେ ଅନ୍ୟ କିଛି ନାହିଁ ।

 

ସୁବାସ ବୁଲିପଡ଼ି ଦାଣ୍ଡ ପଟକୁ ଫେରି ଆସୁଥିଲେ । ତାଙ୍କ ଆଖିର କେଇବୁନ୍ଦା ଲୁହ ଭିଜାବାଲିରେ ଭିଜି ଯାଉଛି ।

 

ମଲା ବାର୍‌ହାକୁ ଦେଖି ବାଘ ଟିକେ ବି ହଲଚଲ ହେଲାନି । ସେ ଯେମିତି ଆଜି ସ୍ଥାଣୁ, ନିର୍ଜୀବ ପଥର ଖଣ୍ଡେ । ତା’ମୁହଁ ମଣିଷର ଭଗବାନଠାରୁ ବି ଶାନ୍ତ, ସୁଧୀର ।

 

ବିରଳଙ୍କ ଆଖିପତା ଓଦା ହେଲାଣି । ସେ ବନ୍ଧୁକର ଟ୍ରିଗାର୍‌ ଉପରେ ଆଙ୍ଗୁଠିର ଚାପା ଦେବା ପୂର୍ବରୁ ମେଘ-ମେଦୁର ଆକାଶରୁ ବିଚ୍ଛୁରିତ ଦମକାଏ ବିଜୁଳିର ଝଲକ ତାଙ୍କ ମୁହଁ ଉପରକୁ ଦଲକାଏ ଉଷ୍ମରକ୍ତ, କଞ୍ଚାରକ୍ତ ଫିଙ୍ଗିଦେବ ଫିଙ୍ଗିଦେବ ହେଲା ।

Image

 

Unknown

ଅଭିନୟ

 

ଅଭିନୟରେ ଆତ୍ମୀୟତା ଥିଲେ ତା’ କୁଆଡ଼େ ବାସ୍ତବତାଠୁଁ ବଳି ଯାଇଥାଏ । ସତଟାକୁ ଲୁଚେଇ ଅଭିନୟ କଲେ ନିଜ ପ୍ରତି ବର୍ତ୍ତମାନ ପାଇଁ କୌଣସି ବିପଦ ମାଡ଼ି ଆସେନି, ଅଧାରୁ ଯବନିକା ନଇଁ ପଡ଼େନି—ୟା’କୁ ମୁଁ ଦିନେ ଶୁଣାକଥା ବୋଲି ଭାବିଥିଲି । କିନ୍ତୁ ଆଜି ସେ ଶୁଣା କଥାରେ ଏକ ବ୍ୟତିକ୍ରମ ମୋ’ପାଇଁ ।

 

ଯେଉଁ ରାସ୍ତା ଅନ୍ୟମାନଙ୍କ ପଦରଜରେ ଚିକ୍‌କଣ, ସେଇ ରାସ୍ତାରେ ନିଜେ ବଢ଼ିଲେ ନିଜକୁ ସିନା ନୂତନର୍‌ ଦୀପ୍ତି ମିଳେନି, ସେ ଚାଲିବାଟାରେ କିଛି ନୂଆ ନୂଆ ବି ଅନୁଭବ କରି ହୁଏନି; କିନ୍ତୁ ସହଜରେ ଆଗକୁ ଯାଇହୁଏ । ସେ ରାସ୍ତାରେ ଆଗେଇବା ସଂଖ୍ୟା ଭିତରେ ମୋ ବନ୍ଧୁ—ଆତ୍ମିକ ବନ୍ଧୁ—ସୁକାନ୍ତ କିଛି ବ୍ୟତିକ୍ରମ ପାଇଛି । ସେ ନିଜେ ଏ ଦୁନିଆଁର ଜଞ୍ଜାଳରୁ ମୁକ୍ତ ହେବାକୁ ଚାହିଁଲେ ବି ତା’ ଚାରିପଟେ ଘୂରୁଥିବା ପୃଥିବୀର ମୃତ୍ୟୁ ଦେଖି ପାରିବନି ।

 

ସେ ଦିନ......ହଠାତ୍‌......

 

ସୁକାନ୍ତ ଆଖିରେ ଲୁହର ଫଲ୍‌ଗୁ । ତା’ ଆଖି ଆଉ ମୁହଁରୁ ସମସ୍ତ ଜ୍ୟୋତି କେଉଁ ଏକ ଭାରାକ୍ରାନ୍ତ ଚିନ୍ତାର ମେଘ ଆଢ଼ୁଆଳରେ ପାଂଶୁଳ ହେଲା । ଯେଉଁ ସୁକାନ୍ତ ଟିକେ ଟିକେ କଥାରେ ମତେ ହସେଇ ହସେଇ ବେଦମ୍‌ କରୁଥିଲା, ତା’ ସାଙ୍ଗମାନଙ୍କ ପାଇଁ ସର୍ବଦା ଏକ ଅଦମ୍ୟ ଉଦ୍ୟମର ଉତ୍ସ ଥିଲା, ସେ ଫେର୍‌ ଆଜି କାନ୍ଦୁଛି.......ଯେଉଁ ସୁକାନ୍ତ ପୌରୁଷର, ନିଜତ୍ୱର, ଇଗୋର ପରଶରେ ଦୃଢ଼ ହୋଇ ମୋ ଆଗରେ ଠିଆ ହୁଏ । ସିଏ କିମିତି ମୋ ହାତକୁ କଅଁଳ ବୟସର ଛୁଆପରି ଭିଡ଼ିଧରି କଇଁକଇଁ କାନ୍ଦୁଛି ।

 

ଯଦିଚ ସୁକାନ୍ତ ଆଉ ମୁଁ ବନ୍ଧୁ......ତଥାପି ସୁକାନ୍ତ ତା’ ଦୁର୍ବଳତାକୁ (ଯାହାକି ମଣିଷର ସହଜାତ ବି ।) ତା’ ଘରୋଇ କଥାକୁ ମତେ ଜାଣିବାର ସୁଯୋଗ ଦେଲେ ବି ମୁଁ ଚାହେଁନି । ଅନ୍ୟର କିଛି ନଜାଣି ଅନ୍ୟ ସହ ବନ୍ଧୁ ବାନ୍ଧିବା ନିଜର ଏକ ପରମ ସୌହାର୍ଦ୍ଦ୍ୟତା ।

 

(ଇଗୋ—ମଣିଷର ଏକ ପ୍ରବୃତ୍ତି । ତା’ ମନର ବିକାର ନୁହେଁ କି ଖିଆଲ ନୁହେଁ । ମଣିଷ ମୁଁ, ସୁକାନ୍ତ ବି ମଣିଷ । ଏଣୁ ମଣିଷ ହିସାବରେ ମଣିଷର ଇଗୋକୁ ଭଲ ପାଇବା ମୋର କ’ଣ ମାନବିକତା ନୁହେଁ ?)

 

ସୁକାନ୍ତର ନିଜର, ଅତି ନିଜର ଘରୋଇ କଥା । ତା’ ଗୁପ୍ତ କଥା, ତା’ ସ୍ତ୍ରୀ କଥା ମୁଁ କେବେ ଜାଣିବାକୁ ଭଲ ପାଏନି । କାହିଁକି ? ସୁକାନ୍ତର ଏକାନ୍ତ କିଛି ଜାଣିଗଲା ପରେ, ତା’ ଯଦି କଦର୍ଯ୍ୟ ହୋଇଥାଏ—ସେ ମୋର ବନ୍ଧୁତ୍ୱକୁ ଖଣ୍ଡିଆ ଖାବରା କରିବ । ମୁଁ ବନ୍ଧୁତ୍ୱରେ ରଙ୍ଗ ଚାହେଁନି, ଚାହେଁନି ବି ଛଳନା.....ଚାହେଁ କେବଳ ସରଳତା, ଶୁଭ୍ରତା । ସେ ନିଚ୍ଛକ ଶୁଭ୍ରତା, ସେ ଶୁଭଙ୍କରୀ ନିଶାଣ ମୁଁ ପାଇଛି । ଏତିକି ମୋର ଯଥେଷ୍ଟ ।

 

ସୁକାନ୍ତ ସର୍ବଦା ମତେ କହେ, ଗାଳି ବି ଦିଏ—ସୁଧୀର, ତୁ ନିହାତି ଇଡ଼ିଅଟ୍‌ଟିଏ । ତୋ’ର ଇମୋସନ୍‌ ନାହିଁ, ଫିଲିଙ୍ଗ୍‌ ନାହିଁ, ନାହିଁ ବି କିଛି ନରମତା, ଉତ୍ତେଜନା । ହଇରେ, ତୁ ସିନା ଆଜି ବୁଝି ପାରୁନୁ.....କିନ୍ତୁ ଜୀବନରେ ଏମିତି ଗୋଟାଏ ଦିନ ଆସେ, ଦିନ ନ ଆସିଲେ ଅନେକ ମୁହୂର୍ତ୍ତ ଆସେ ଯେତେବେଳେ କି ତୁ ନିଜପ୍ରତି ପ୍ରତି ସେକେଣ୍ଡରେ ରାଗି ଉଠିବୁ, ଘୃଣା କରିବୁ, ଅତି ଆତ୍ମୀୟ ସତ୍ତା ଆଉ ସ୍ମୃତିକୁ ଗାଳି ନ ଦେଇ ରହି ପାରିବୁନି....

 

(ମତେ କାହାକୁ ପ୍ରେମ କରିବାକୁ ଭଲ ଲାଗେନି । କୌଣସି ଝିଅର ଟଣା ଟଣା ଆଖି, ଅଳତାବୋଳା ପାଦ, ସଙ୍ଗୀତଭରା ଦେହ, ସ୍ପନ୍ଦନପୂର୍ଣ୍ଣ ମାଂସ ମୋ ଆଖିରେ ମନରେ ମଲ୍ଲିକାର ବାସ ବୋଳି ମତେ ବାଉଳାକରି ପାରେନି । ତା’ ମାନେ ନୁହେଁ ଯେ ମୁଁ ପ୍ରେମ କରିବାକୁ ଅଯୋଗ୍ୟ-। କିନ୍ତୁ ଏତିକି—ହାଡ଼େଇ ଝିଅକୁ ତନୁ ପାତଳୀ କହି ତା’ ପ୍ରଶଂସା ଗାଏନି । ମତେ ସରଳତା ଭଲ ଲାଗେ । ଏ ଦୁନିଆଁର ମହକଭରା ବଗିଚାର ବର୍ଣ୍ଣଖୁନ୍ଦା ପଳାଶ ମତେ ରଙ୍ଗୀନ୍‌ କରିପାରେନା, ମନରେ ହୋଲିର ପିଚ୍‌କାରୀ ମାରେନା, ଚମ୍ପା ଫୁଲର ବାସ୍ନାରେ ବାଟ ହୁଡ଼େନା କି ଝୁମି ଯାଏନା । ଯଦି କେଉଁଠି ତିକ୍ତ ନିମ୍ୱଫୁଲ ଥାଏ, ନିମ୍ୱଫୁଲ ପରି କୁନି କୁନି ସରଳତା ଥାଏ, ତା’କୁ ହିଁ ମୁଁ ଭଲ ପାଇପାରେ ।

 

ଥରେ ଥରେ.....ସୁକାନ୍ତ ତା’ କଲେଜ ଜୀବନର ବହୁତ ରୋମାଣ୍ଟିକ୍‌ କାହାଣୀ ମତେ ଶୁଣାଏ । ସେ କେମିତି ନାଟକରେ ହିରୋ ସାଜି ମଞ୍ଚ ଉପରେ ହିରୋଇନ୍‌କୁ ବିବାହ କରିଛି । ଆଖିରେ ଗ୍ଲିସେରିନ୍‌ ମାରି ସେ କେଉଁ ରୋଲରେ କୌଣସି ଝିଅର ପାଦକୁ ଭିଡ଼ିଧରି କଇଁ କଇଁ କାନ୍ଦିବା ବେଳେ ତା’ ଅଭିନୟ ତା’କୁ କିମିତି ହସେଇଛି......ଏମିତି ଅନେକ କଥା ।

 

ଆଉ ଦିନେ......ସେ ତା’ ସ୍ତ୍ରୀ ବିଷୟରେ ଅନେକ ଗପିଲା.....(ପ୍ରେମର ରଙ୍ଗ କେତେ ମୁଲାଏମ୍‌, ପ୍ରେମର ନିଶା କେଡ଼େ ଆରାମ୍‌........ବିରହ ବି.......ବିରହରେ ବିସ୍ମୃତି । ଶତାୟୁ ସ୍ମୃତି ପ୍ରାଣକୁ ସିନା କନ୍ଦାଏ କିନ୍ତୁ ସେ ଜ୍ୱାଳା, ସେ ଦହନ କେଡ଼େ ବର୍ଣ୍ଣିଳ, କେଡ଼େ ମଧୁର !)

 

‘କି ଆବସର୍ଡ଼ କଥା ତୁ କହୁଛୁ ?’ (ଅଗ୍ନିରେ କେବେ ହିମତା ମିଳେ ? ନା ମିଳିଥାଏ ଦାହିକା ଶିଖାରେ ଆଲପ୍‌ସ ପର୍ବତର ମାୟା ନା କାବେରୀ ଜଳର ତରଙ୍ଗାୟିତ ଛଳ ଛଳ ଆବାହନୀ !)

 

(ମୁଁ ! ସୁକାନ୍ତ ଆଖିରେ–ନିର୍ଜନ ଦ୍ୱୀପରେ ବାୟବୀୟ ଧ୍ୱନି । ମୋ ଦେହରେ କୁଆଡ଼େ–ମୁଁ ପ୍ରେମ କରେନି ବୋଲି–ସାନ୍ଧ୍ରିକ ଶୀହରଣ ନାହିଁ କି ମୂର୍ଚ୍ଛିତ ଉନ୍ମାଦନା ବି ନାହିଁ ?)

 

ସୁକାନ୍ତର ସ୍ତ୍ରୀ କାବେରୀଙ୍କ କଥା ନତୁବା ସୁକାନ୍ତର କାବେରୀ ପ୍ରତି ପ୍ରେମ, କାବେରୀକୁ ଭଲ ପାଇବା, ବିବାହ କରିବା—ଏସବୁ ତା’ର ନିହାତି ଘରୋଇ କଥା । ସେ ସବୁ ମୋର ଜାଣିବା ଉଚିତ୍‌ ନୁହେଁ । ଜାଣିଗଲା ପରେ ସୁକାନ୍ତପାଇଁ ମୋ ବନ୍ଧୁତ୍ୱରେ ନିହିତ ସୌହାର୍ଦ୍ଦ୍ୟତା କିଛି କମି ଯାଇପାରେ । (ଯଦି ତା’ ଘରୋଇ ଜିନିଷ ମୋ ଗତାନୁଗତିକ ନୀତି ସହ, ନିୟମ ସହ ତାଳ ଦେଇ ନ ପାରେ) । ନତୁବା କିଛି ବଢ଼ି ବି ଯାଇପାରେ (ଯଦି ତା’ ବ୍ୟକ୍ତିଗତ କଥା ମୋ ଖିଆଲକୁ ତୃପ୍ତ କରିପାରେ) । ସୁକାନ୍ତକୁ ମୁଁ ଅନୁରୋଧ କରିଥାନ୍ତି—ଏ ସବୁ ତୋ’ର ବ୍ୟକ୍ତିଗତ, ତୋ’ ଭଲ ପାଇବା ଏକ ଦୁର୍ବଳତା, କେଉଁ ଦୁର୍ବଳ ମୁହୂର୍ତ୍ତର ଆବେଗ । ତୁ ମତେ ଶୁଣାନା । ତା’ ଗତ ଦିନର କଥାରେ ଏତେ ଭାବ ପ୍ରବଣତା, ଛନ୍ଦ, ଏତେ କ୍ରମ ।

 

(ଦିନେ କାବେରୀକୁ କ୍ଲାସରେ ନ ଦେଖିଲେ ତା’ ଭିତରେ କେତେ ଯେ ବାସନ୍ତୀ ମୁହୂର୍ତ୍ତର ହିଲ୍ଲୋଳ ଅଗ୍ନିକଣା ପାଲଟେ, ତା’ ଆକାଶରୁ ସବୁ ଶରତର ଆୟୁ ଉଭେଇଯାଏ ।)

 

ତା’ ବାବା ତାକୁ କୁଆଡ଼େ କହନ୍ତି—ଏ ଦୁନିଆଁ ଧନତନ୍ତ୍ରର । ପ୍ରଜାତନ୍ତ୍ର କି ଗଣତନ୍ତ୍ରର ନୁହେଁ । ଏ ଦୁନିଆଁରେ ଯା’ର ଧନ ନାହିଁ; ବଂଶ ପରମ୍ପରା ନାହିଁ, ସେ ମଣିଷର ପରିଧି ବି ନାହିଁ । ସେ ସିନା ବଡ଼ ହେବାର କାମନା ରଖି ନିତି ପଥର ଦେଉଳର ପାହାଚ ତଳେ ମୁଣ୍ଡପିଟି କରୁଣ ପ୍ରାର୍ଥନା ବାଢ଼େ, କିନ୍ତୁ ସେଥିରେ ପଥରର ଆଖିରୁ ଲୁହ ଗଡ଼େନି କି ପଥର ଦେହରୁ ରକ୍ତ ଝରେନି ।

 

‘ସୁଧୀର, କାବେରୀ ବହୁତ ସୁ.....ନ୍ଦର ।’ ସୁକାନ୍ତ ସ୍ୱପ୍ନାବିଷ୍ଟ ମନେ ହେଉଥିଲା ।

 

ମୁଁ ଚୁପ୍‌ ରହିଲି ।

 

‘ତୁ ତେବେ କାବେରୀର ସୌନ୍ଦର୍ଯ୍ୟକୁ ପସନ୍ଦ କରୁନୁ ?

 

‘କରୁଛି ।’

 

‘ସୁଧୀର, ସତରେ ସୌନ୍ଦର୍ଯ୍ୟଟା କ’ଣ ଭଲ ପାଇବାର ମାପକାଠି ? କାବେରୀ ସିନା ନିହାତି ପାତଳି (ପାତଳି ଝିଅଗୁଡ଼ାକ ଭଲ କିନ୍ତୁ । କାରଣ ସେମାନେ ପୁରୁଷ ଦେହରେ ପୂରା ଚାପି ହୋଇ ଲୋଟି ଯା’ନ୍ତି, ଲଟେଇ ଯା’ନ୍ତି ।) ସେ ବେଶୀ ଗୋରୀ ନୁହଁ । ତା’ମାନେ ସେ ଅସୁନ୍ଦରୀ ! ସୁଧୀର, ଦୁନିଆଁରେ ସୁନ୍ଦର ଆଉ ଅସୁନ୍ଦର ବୋଲି କିଛି ନାହିଁ । ସୌନ୍ଦର୍ଯ୍ୟ—ଆତ୍ମିକ ମନ୍ମୟ ତୃପ୍ତିର ଏକ ମାଧ୍ୟମ ମାତ୍ର । ସବୁ ଖାଲି ଏକ କଳ୍ପନା—କିନ୍ତୁ ସେ କଳ୍ପନା ବାୟବୀୟ ନୁହଁ । ଉପଭୋଗ କରିବାର ଆକାଙ୍‌କ୍ଷା, ପାଇବାର ଲାଳସା, ଅପେକ୍ଷାରେ ପ୍ରାପ୍ତର ସଂକେତ ଥିଲେ ତା’ ନିଜ ପାଇଁ ସବୁବେଳେ ସୁନ୍ଦର ।

 

‘ସୁକାନ୍ତ, ଏତିକି ଥାଉ । ଆଉ ବୋର୍‌ କରନା ।’

 

ସେ ଅଭିମାନ କଲାନି ! ମୋ ବନ୍ଧୁର ମୁଁ ଦୁର୍ବଳତା ସହିପାରେ କିନ୍ତୁ ମୋ କଥାରେ ତା’ ମନରେ ଜନ୍ମିତ ଆଘାତ ଦେଖିପାରେନି । ମୁଁ ଅନୁତପ୍ତ । ତା’ ଇଗୋ କ’ଣ ରକ୍ତାକ୍ତ !

 

ସୁକାନ୍ତର ଅନୁରୋଧ ରଖି ଅନେକଥର ମୁଁ ତା’ ଘରକୁ ଯାଇଛି । ସେ ମତେ ଜବରଦସ୍ତ ଘଣ୍ଟା ଘଣ୍ଟା ଧରି ବସେଇଛି । ମୋ ସହ ଗପିଛି । ତା’ ସ୍ତ୍ରୀ ମୋଠି ଲାଜ କରନ୍ତି । ସେ ଡ୍ରଇଁ ରୁମରୁ ରଡ଼ି ଛାଡ଼େ.....କା..ବେ..ରୀ....(ତା’ କାବେରୀ ଡାକଟା ମୋ କାନକୁ ଭାରି ଅଡ଼ୁଆ ଅଡ଼ୁଆ ଲାଗେ....ମୁଁ ମନେ ମନେ ଭାବେ—ମାଇଚିଆ । ଡାକୁଛି କା..ବେ..ରୀ..ସୁକାନ୍ତର ଏ ଅହେତୁକ ସ୍ତ୍ରୀ ପ୍ରୀତି ଦେଖି ମତେ ଲାଜ ମାଡ଼େ ।)

 

ବେଳେ ବେଳେ ମୁଁ କାବେରୀ ଚୁଡ଼ିର ଧ୍ୱନି ଶୁଣିଛି । (ସେ ଧ୍ୱନିରେ ଏତେ ଅଜନ୍ତାର କ୍ରାନ୍ତିକାରୀ ନିଦ୍ରା, ଏତେ କ୍ରମ !) ଥରେ ଥରେ ସରଳା କାବେରୀଙ୍କ ପୁଷ୍ପିତା ହସ ମୋ କାନର ଏରୁଣ୍ଡି ସେପାରେ କିଛି ସମୟ ଗୁଣୁ ଗୁଣୁ ହୁଏ ।

 

କିନ୍ତୁ ଆଜି......ସୁକାନ୍ତ କାନ୍ଦୁଛି । ତା’ ମୁହଁରେ ଧଳା କାଗଜର ରଙ୍ଗହୀନ ବର୍ଣ୍ଣ ।

 

‘ସୁଧୀର ! ତୁ ଅବିବାହିତ ।’ ସୁକାନ୍ତ କହିବାକୁ ଚେଷ୍ଟା କରୁଛି ।

 

‘ସୁକାନ୍ତ ତୁ କାନ୍ଦୁଛୁ ଯେ ।’

 

‘ହଁ, ଆଜି ମୋର ନିଦ ଭାଙ୍ଗିଗଲା ବୋଲି ମୁଁ କାନ୍ଦୁଛି । କିନ୍ତୁ ଆସନ୍ତାକାଲି—ଯେତେବେଳେ କାବେରୀର ନିଦ ଭାଙ୍ଗିଯିବ, ତା’ ଭିତରେ ତା’ ଅନ୍ତର ବାଳିକା ଆଖି ମଳି ମଳି ଉଠିବ, ସେ’ ଦିନ ସମସ୍ତେ କାନ୍ଦିବେ । ଆଉ ତୁ କ’ଣ ଚୁପ୍‍ ହୋଇ ଆମ ଆଖିମାନଙ୍କୁ ବୋକାଙ୍କ ପରି ଅନେଇ ରହିଥିବୁ ? ମୁଁ କାନ୍ଦୁଛି ମୋ ଆଦରର ପୃଥିବୀ କାବେରୀ ପାଇଁ........’

 

‘ତେବେ, କିଛି ମନୋମାଳିନ୍ୟ—’

 

‘ନା, ମୁଁ ଆଜି ଯାଏ—’

 

‘କୁଆଡ଼େ—’

 

(ମୁଁ ଯିବି ଅନ୍ୟ ଫସିଲକୁ ଯେଉଁଠୁ ଚେଷ୍ଟା କଲେ ବି ମଣିଷ ଅନ୍ଧାର ବନାନୀର ଦିଗହଜା ଦିଗନ୍ତ ପାରିହୋଇ ପୃଥିବୀକୁ ଫେରେନା ।)

 

(ସୁକାନ୍ତ ମୋ’ ଆଗରେ କାନ୍ଦି କାନ୍ଦି ଯୁକ୍ତି ବାଢ଼ୁଛି—ମୁଁ ଫେରିବା ଆଗରୁ ତୋତେ ମୋର ଅନୁରୋଧ, ତୁ କାବେରୀକୁ ନିଜର ପତ୍ନୀ ରୂପେ ପାଇ ତୁ ବି କେବେ ଦେଖି ପାରିବୁନି ସ୍ୱର୍ଗର ଛାଇ ଆଉ ପାଇ ପାରିବୁନି ପାରିଜାତର ବାସ୍ନା ?କହ ତୁ ଚୁପ୍‍ ରହିଲୁ ଯେ । କହ ସୁଧୀର, ମୁଁ ମରିବା ଆଗରୁ ଅନ୍ତତଃ ଶାନ୍ତିରେ ମୁହୂର୍ତ୍ତଟିଏ.....)

 

ସୁକାନ୍ତର କଥାକୁ ମୁଁ ବିଶ୍ୱାସ କରି ପାରୁନି । ସୁକାନ୍ତ—ଯିଏ ବିରାଟ ଆଶାବାଦୀର ନିରାଟ ନିଦା ପିଣ୍ଡ, ସେ କିମିତି ଆଜି ହତାଶାର, ମରଣର ନାଚ ଦେଖି ପାରୁଛି ? ତା’ହେଲେ ସୁକାନ୍ତର ଜୀବନରେ ଜୟ ଯାତ୍ରା କ’ଣ ଶୁଭଙ୍କର ହୋଇନି !

 

—ଦୀର୍ଘଦିନ ଧରି ଦୁନିଆ ସହ ଟକର ଦେବା ପାଇଁ ଅଭିନୟ କଲି । କିନ୍ତୁ ଆଜି ସୂର୍ଯ୍ୟ ଦୀପ୍ତିକୁ ଚାହିଁ ପାରୁନି, ଅନ୍ଧ ହେଉଛି ବୋଲି ତୋତେ ଅନୁରୋଧ କରୁଛି, ନିଜର ମୃତ୍ୟୁ ମାଗୁଛି—

 

(ସେ ଚାହେଁ ତା’ ପୃଥିବୀ—କାବେରୀ—ସବୁଜ ହେଉ, ସବୁଜିମାର ରଙ୍ଗ ହାସ ଲୋଟି ଯାଉ ।)

 

ମୁଁ ନୀରବ । ମୋ ଆଖିରେ ଲୁହ ।

 

: ସୁଧୀର ! ମୁଁ ନପୁଂସକ—ମୋ’ ପୌରୁଷ କ୍ଳୀବ କିନ୍ତୁ କିମିତି ମୋ ରକ୍ତରେ କମ୍ପନ, ମନରେ କମକରା ସପନ ।

 

(ମୁଁ ଭାବୁଛି—ସୁକାନ୍ତ କ୍ଳୀବ । ଆଦିମ କ୍ଷୁଧା ଉପଶମ ପାଇଁ ତା’ ଦେହରେ ଏତେ ସୁନ୍ଦର ବସନ୍ତ ଅଛି ବୋଲି ସେ ଖାଲି ଅଭିନୟ କରୁଥିଲା । ତା’ ଦୁର୍ବଳତା ସେ କାହାରିକୁ ଜାଣିବାର ସୁଯୋଗ ଦେଇନି । ମାଂସ ଚାଖିବା ପାଇଁ ତା’ ରକ୍ତର ପ୍ରବାହରେ ଇଚ୍ଛା ଥିଲା ସିନା କିନ୍ତୁ ଦେହଜାତ ଶକ୍ତି ନ ଥିଲା । କାବେରୀ ମଣିଷ.....ତାଙ୍କ ମନରେ ନିଶା ଥିଲା ବୋଲି ସେ ଶାଶ୍ୱତୀକୁ ଭ୍ରୂକୁଟି କରି ପାରୁଥିଲେ । ତେବେ ସ୍ୱାମୀ ସୁଖ, ସାଂସାରିକ ଜଞ୍ଜାଳର ମାୟା ପାଇଁ ତାଙ୍କଠି କ’ଣ ପୁଲକ ନାହିଁ-? ନିଶ୍ଚୟ ଅଛି । କାରଣ, ସେ ରକ୍ତ ମାଂସର ମଣିଷ ।)

 

ସୁକାନ୍ତ କହିଲା—ପ୍ରେମ ଏକ ସନ୍ଧାନ । ଦେହଦାନ ନୁହେଁ । ସମ୍ଭୋଗ ନୁହେଁ । ମୋଠି ସିନା ଦହନ, ଜ୍ୱଳନ, ଆରଣ୍ୟକ କ୍ଷୁଧା ନାହିଁ । କିନ୍ତୁ କାବେରୀଠି.......

 

(ଅଭିନୟ ! ଜୀବନରେ ଏମିତି ବି ହୁଏ ଯେତେବେଳେ କି ଅଭିନୟକୁ ବନ୍ଦାପନା ଜଣେଇ ଆମେ ଲାଲ ଶାଢ଼ି ପିନ୍ଧାଉ, ବାସର ଶେଯକୁ ପାଛୋଟି ନେଇଥାଉଁ—)

 

ମୁଁ ସୁକାନ୍ତକୁ କ’ଣ କହି ବୁଝେଇବି ? (ମଣିଷ ମୁଁ, ସୁକାନ୍ତ ବି । ମଣିଷ ବୋଲି ଆମର ସ୍ୱାର୍ଥ ଅଛି । ତୁ କାହିଁକି ତୋ’ ଅତି ନିଜର ପୃଥିବୀ ଛାଡ଼ି ଅନ୍ୟ ଇଲାକାରେ ଉପନିବେଶ ସାଜିବୁ ? ତୁ କାହିଁକି ସମୂଳେ ଲିଭିଯିବୁ । ମୁଁ ଜାଣେ, ତୋ’ର ସ୍ୱାର୍ଥ ନାହିଁ । ତୁ ବଞ୍ଚି ରହ । ଦିନ ଆସିବ, ଦେଖିବୁ ଯେ ସେମାନେ ଆସୁଛନ୍ତି.....ତୋ’ ପୃଥିବୀ ଟାଙ୍ଗରା ଭୂଇଁ ହେବନି, ତୋ’ ପୃଥିବୀ ଜନଶୂନ୍ୟ ହୋଇ ପାରିବନି । ତୋ’ ପୃଥିବୀରେ ହେବ ନିତି ନିତି ସୂର୍ଯ୍ୟସ୍ନାନ, ବର୍ଣ୍ଣିଳ ବର୍ଣ୍ଣାଳୀ ଅଙ୍କନ । ଆଗାମୀକୁ ଅପେକ୍ଷା କର ।)

 

ଏ ଜୀବନଟା ଖାଲି ଏକ ଅପେକ୍ଷା......ପ୍ରାପ୍ତିର ସମ୍ଭାବନା ନେଇ ପ୍ରତୀକ୍ଷା......ଅତୀତକୁ ଭୁଲିଗଲେ ସବୁ ସୁନ୍ଦର । ଜୀବନରେ ସବୁ କଥା ମନେ ରହେନି । ଭୁଲିଯିବାଟାହିଁ ଜୀବନର ପାଥେୟ-। ଆଜି ସିନା ରାସ୍ତାରେ ରାସ୍ତାରେ ବିଧବା ରାତିମାନେ ଶବାଧାର ପରି ନିସ୍ତେଜ । କିନ୍ତୁ କାଲି ? ଭବିତବ୍ୟ ସମ୍ଭାବନାର ନିଶାଣ ମିଳିବ, ପ୍ରାପ୍ତିର ଶଙ୍ଖଧ୍ୱନି ବାଜି ଉଠିବ ।

 

ମୁଁ ସୁକାନ୍ତକୁ ଅନେକ ଉପଦେଶ ଦେଲି, ତତ୍ତ୍ୱାଲୋକ ଦେଲି । ତଥାପି.....

 

‘ନା, ନା, ସୁଧୀର । (ମୋର ଏ ସବୁ କି କାମରେ ଆସିବ । ମତେ ଦରକାର ମୋ ବିରାଟ ପୃଥିବୀ । ମୋ ନିଚ୍ଛକ ବାସ୍ତବତା । ତୁ ସ୍ୱପ୍ନ କୋରକ ହୁଅନା । ସ୍ୱପ୍ନ ସୁରା ନୁହେଁ କି ଜଳ ନୁହେଁ । ସିଏ ଖାପ ଛଡ଼ା ରଙ୍ଗର କୁନି କୁନି କାଚ ରେଣୁରେ ତିଆରି ଭଙ୍ଗା ପିଆଲା) ତୁ ଉଭୟଚର ପ୍ରାଣୀ.....ତୁ ସ୍ୱପ୍ନର ସାଗରରେ ଭାସି ପାରିବୁ । କିନ୍ତୁ ମୁଁ..... ?

 

(ମଣିଷର ମନଟା ଏମିତି ଏକ ପଦାର୍ଥ ଯାହାକି ସ୍ଥୂଳତାରେ ସୂକ୍ଷ୍ମତାକୁ ଖୋଜେ । ମୁହଁକୁ କିମ୍ୱା ଛାତିକୁ ଦେଖି କାହାର ପରିସୀମା ମାପିବା ପାଇଁ ମନର ପରିମିତି ଲୋଡ଼ା ।)

 

‘ସୁଧୀର ! ପାରିବୁନି ?’

 

ମୁଁ ନୀରବ, ନିଶ୍ଚଳ ।

 

(ମୁଁ ସଙ୍ଗୀତଜ୍ଞ—ମୋର ସଙ୍ଗୀତ ଦରକାର । କାବେରୀ ତନ୍ତ୍ରୀରେ କ’ଣ ସଙ୍ଗୀତ ମିଳିବ-? ସେ କ’ଣ ମୋର ଶରୀର-ସଙ୍ଗୀତା ହୋଇ ପାରିବ?)

 

ସୁକାନ୍ତ ଆଖିର ଉପକୂଳରେ ଏତେ ଆଲୁଅର ବନ୍ୟା । ସେ ଆଖି ପୋଛି ପୋଛି ଫେରି ଯାଉଛି । ସେ ଫେରି ଚାହିଁନି । ଗତି ପଥରୁ ଫେରିବା ହିଁ ଦ୍ୱନ୍ଦ୍ୱ.....ଆନ୍ଦୋଳିତ ଲକ୍ଷ୍ୟର ଆଭାସ ।

 

(ବଞ୍ଚିବାପାଇଁ କୌଣସିଥିରେ ହେଲେ ଆତ୍ମୀୟତା ଦରକାର, ପଳାୟନ ଦରକାର । ସେ ପଳାୟନରେ ମଧ୍ୟମର ସ୍ଥିତି ମଧ୍ୟ ଆବଶ୍ୟକ ।)

 

ସୁକାନ୍ତ ବୁଝିପାରିନି । ପ୍ରେମ ପାଇଁ ଦେହଟା କିଛି ନୁହେଁ । ଦେହଟା ପ୍ରେମ ପାଇଁ ନୁହେଁ-। କିନ୍ତୁ ପ୍ରେମ ଜୀବନରୁ ପଳାୟନ ପାଇଁ ପ୍ରକୃତ ମାଧ୍ୟମ । ଆଉ, ଦେହର ଆକର୍ଷଣ, ମାଂସର ଆହ୍ୱାନ, ରକ୍ତର ଶିହରଣ ଶାଶ୍ୱତୀର ରୂପାଙ୍କନ ହୋଇ ପାରେନା । ପ୍ରେମ ପଳାୟନ, ସ୍ନାୟୁର ଜ୍ୱଳନ ଉପଶମ ପାଇଁ ଗୁଞ୍ଜନ ନୁହେଁ ।

Image

 

ମାନବିକ

 

ମନ୍ଦିର ବେଢ଼ା ଭିତରେ ସଫେଦ ରେଶମୀ ଚାଦରର ପତଳା ନୀରବତା ଯଦିଚ କିଛିଟା ଶାନ୍ତି ଆଣିଦିଏ, ତଥାପି ମନ ଭିତରୁ କିଏ ଜଣେ ଯାଦୁକରୀର ଫରୁଆ ଖୋଲି ଦେବୀଙ୍କ ପାଖରେ ପହଞ୍ଚି ଧୂପ, ଦୀପ, ଗନ୍ଧ, ‘ହେ, ମା’...ଜନନୀ, ଜନନୀ...’ ଡାକରେ ମୁଖରିତ କଦର୍ଯ୍ୟ, ବିକଟ ସ୍ୱର ଶୁଣିବାପାଇଁ ଉଚ୍ଛନ୍ନ ହୁଏ । ମୁଁ ବି ଏମିତି ଚାହିଁଥିଲି, ଫରୁଆର ଢାଙ୍କୁଣୀ ଖୋଲିବା ପାଇଁ ଇଚ୍ଛୁକ ହେଲି ।

 

ଦେବୀ ମନ୍ଦିରକୁ ଉଠିବାପାଇଁ, ଗମ୍ଭୀରା ଭିତରକୁ ପ୍ରବେଶ କରିବାପାଇଁ ସେଇ ଯେଉଁ ଥାକ ଥାକ ମୁଗୁନିପଥର ପାହାଚ ମୃତ ଐରାବତ ପରି କେଉଁ ପ୍ରାଗ୍‌-ଐତିହାସିକ ଯୁଗରୁ ପଡ଼ି ରହିଛି । ମୁଁ ସେଥିରୁ ପ୍ରଥମ ପାହାଚରେ ପାଦ ରଖିଛି କି ନାହିଁ, କେଉଁ ନାରୀର ସୁଲଳିତ କୁଜନ ‘କିଏ... ନିବନ୍ଧ ! ନିବନ୍ଧ...’ ସେହି ପାଖ ଅଞ୍ଚଳରୁ ଭାସି ଆସୁଥିଲା । ମୁଁ ଖୋଜିଲା ଖୋଜିଲା ଆଖିରେ ପଛକୁ ମୁହଁ ବୁଲାଇଲି । କିଏ କେଉଁଠୁ ମତେ ନିବନ୍ଧ ବୋଲି ଡାକୁଛନ୍ତି ତା’ର ପତ୍ତା, ଇୟତ୍ତା ପାଇ ପାରିଲି ନାହିଁ । ହଠାତ୍‌ ସେଇ ସ୍ୱରର କଅଁଳିଆ ସୁରକୁ ପଛରେ ପକାଇ ମୁଁ ପାହାଚ ଉପରକୁ ଉଠିଲି, ପାହାଚର ଥାକ ପାରିହେଲି, ଦେବୀଙ୍କ ଗମ୍ଭୀରା ଭିତରକୁ ଗଲି ।

 

ପରେପରେ ସମ୍ମୋହନ ଶକ୍ତି ମୋତେ ଘାରିଲା । ମୋ ଅନ୍ତରର ସାତ ତାଳ ଗଭୀର କୂପରେ ପ୍ରୋତ୍‌ଥିତ ଫରୁଆର ଢାଙ୍କୁଣୀ ଖୋଲିବା ଖୋଲିବା ହେଲା । ମୁଁ ନିଜକୁ ଆବିଷ୍କାର କଲି । ମୋର ଚତୁର୍ଦ୍ଦିଗରେ ଯେମିତି ସ୍ତର ସ୍ତର ଭାଣ୍ଡାମିର ରଙ୍ଗୀନ୍‌ ରାଜୁତି । ଦେବୀଙ୍କ ପୂଜକ ମୋ ରୂପରୁ ମତେ ତେଲୁଗୁ ବୋଲି ଠଉରେଇ ନେଇଛି ଏବଂ ଭଙ୍ଗା ଭଙ୍ଗା ତେଲୁଗୁ ମିଶା ଓଡ଼ିଆରେ ଅନୁରୋଧ କରି ଚାଲିଛି—‘ବାଉ ଗାରୁ, ରାଂଡ଼ି...ଇକାଡ଼ା ରାଂଡ଼ି, ପ୍ରତ୍ୟକ୍ଷ ଦେବୀ...ଦୀପଂ କାଓ୍ୱାଲା-?’ ମୁଁ ସେ ଭଣ୍ଡ ପୂଜକ ଉପରେ ଚିଡ଼ିବି କି ନିଜେ ହସିବି କିଛି ସେଇ ମୁହୂର୍ତ୍ତରେ ଠିକ୍‌ କରି ନ ପାରି ଚାରିଆଡ଼େ ଆଖି ଘୂରାଇଲି । ମୋ କାନ ପାଖରେ ସେଇ ପରିଚିତ ସ୍ୱର—ନିବନ୍ଧ—ଘୁଁ ଘୁଁ ହେଲା-। ବାହାରେ ଅସମ୍ଭବ ଭିଡ଼ । ମନ୍ଦିର ବେଢ଼ା ଜନାକୀର୍ଣ୍ଣ, ସମ୍ଭବତଃ ସେ ସ୍ୱର ମଣିଷର ସମୁଦ୍ର ଭିତରେ କୁଆଡ଼େ ଲୁଚିଗଲା ଏବଂ ଯେଉଁ ନାରୀ ଜଣକ ମୋ ଉଦ୍ଦେଶ୍ୟରେ ଡାକ ଛାଡ଼ୁଥିଲେ ସିଏ ମୋର ଗତିପଥକୁ ଠିକ୍‌ ଠଉରେଇ ପାରିଲେନି । ନିଜକୁ, ସାନ୍ତ୍ୱନା ଦେଲି, ହଁ...କଲେଜ ଜୀବନର କେଉଁ ତରୁଣୀ ହୋଇଥିବ ନତୁବା ଜୀବନ ରାସ୍ତାରେ ଚାଲୁ ଚାଲୁ କାହା ସହିତ ଚିହ୍ନା ପରିଚୟ ହୋଇଥିବା ବାନ୍ଧବୀ ହୋଇଥିବ ! କିନ୍ତୁ ଏ’ ସାନ୍ତ୍ୱନାରେ ନିଜ ଚେତନା ଶାନ୍ତ ହେଲାନି । ମନେହେଲା, ସେଇ ନିବନ୍ଧ ସୁର ଯେମିତି ମୋ ଚତୁର୍ଦ୍ଦିଗରେ କାଉଁରୀ କାଠିର ପରଶ ନେଇ ମତେ ଖୋଜି ବୁଲୁଛି । ମୁଁ ଏମିତି ଅନ୍ୟମନସ୍କ ହେବା ଦେଖି ଓ ମୋର ଆଖିରେ ପ୍ରଶ୍ନବାଚୀର ଦୀପ୍ତିରେ ଝଲସି ଯାଇ ପୂଜକଟି ଆଉ କେଉଁ ଅଜଣା ଜଜମାନ ସହ ଆଳାପରେ ମଜ୍ଜିଗଲାଣି । ଆଶା, ଦେବୀଙ୍କ ନାଁ ନେଇ ଲୋକଙ୍କୁ ଠକି, ଭଣ୍ଡି ଦି’ପଇସା ରୋଜଗାର ହେଲେ ରାତିରେ ଭାଙ୍ଗ, ଗଞ୍ଜେଇ ଚିଲମ ଟାଣିବ ନତୁବା କେଉଁ ରୋଗଗ୍ରସ୍ତ ବେଶ୍ୟା କୋଠିର ଦର ଆଉଜା କବାଟ ଉପରେ ଠକ୍‌ ଠକ୍‌ ଶବ୍ଦ ଦେବ ।

 

—ମୋର ବାଁ, ଡାହାଣ ଦି’ ପାଖରୁ ଯାଚି ହେବାର ସ୍ୱର । ‘ସାର୍‌, ପ୍ଲିଜ ଟେକ୍‌ ଏ ଫ୍ଲାୱାର ଗର୍ଲେଣ୍ଡ ଫର ଦି ଗଡ଼େଶ୍‌’...ଫୁଲ ବିକ୍ରି କରୁଥିବା ଯୁବକ ଜଣକର ପରିଚୟ ପାଇଲି । ସିଏ ଜଣେ ବେକାର ଗ୍ରାଜୁଏଟ୍‌ । ଦେବୀଙ୍କ ଗଳାରେ ଫୁଲହାର ଚଢ଼େଇବା ଇଚ୍ଛା ଥିଲେ ବି ଭଣ୍ଡ ପୂଜକକୁ ଦି’ ଚାରିଅଣା ଦକ୍ଷିଣା ଦେବାକୁ ମୋ ବିବେକ ମନା କଲା । ଏ ଦେଶର ଶିକ୍ଷିତ ଯୁବକଟିଏ ଗଜରାହାର ବିକୁଛି । ଦୟା ହେଲା । ଫୁଲହାର କିଣିଲି । ପଇସା ବଢ଼େଇଲି । ପରେ ପରେ ବିଗତା ଯୌବନା ସ୍ତ୍ରୀଟିଏ ଅନୁରୋଧ କରୁଛି... ‘ଧୂପ୍‌ ଲିଜିଏ ସାହାବ୍‌’... ରାଗ ହେଲା ଧୁତ୍‌ । ଏଠି ସମସ୍ତେ ଦେବୀଙ୍କ ଭକ୍ତଙ୍କୁ ଠକିବାରେ ବ୍ୟସ୍ତ । ଦେବୀଙ୍କ ନାଁରେ ଭକ୍ତଙ୍କୁ ଶୋଷିବା ପାଇଁ ଏକ ସଙ୍ଘବଦ୍ଧ ଚକ୍ରାନ୍ତ ।

ହାତରେ ଫୁଲହାର ଧରି ଦେବୀଙ୍କ ପାଦ ଆଡ଼କୁ ଅଗ୍ରସର ହେଲି । ପୂଜକ ଅସ୍ପଷ୍ଟ ସଂସ୍କୃତ ଶ୍ଳୋକ ଖଣ୍ଡେ ଗୁଣୁ ଗୁଣୁ ବୋଲି ପୂଜା ଆରମ୍ଭ କରିବାକୁ ଆଗେଇ ଆସିଲା । ମୁଁ ତା’ପ୍ରତି ଦୃଷ୍ଟିପାତ୍‌ କରି ନ ଥିଲି । ଦେବୀଙ୍କ ପାଦତଳେ ଫୁଲହାର ଥୋଇ ମୁଁ ଫେରି ଆସୁଥିଲି ।

‘ସାର୍‌ ମହାପ୍ରସାଦ ସେବନ କରନ୍ତୁ’...

ମୁଁ ଆଡ଼େଇ ହୋଇ ଫେରି ଆସିଲି । ମୋ ପଛରେ ତା’ର ସେଇ ସ୍ୱାଭାବିକ ଶଃ...ଶବ୍ଦ ଗୁମୁରି ଉଠିଲା ।

ପାହାଚ ଉପରେ ଠିଆ ହୋଇ ମନ୍ଦିର ବେଢ଼ାର ଚତୁର୍ଦ୍ଦିଗକୁ ଆଖି ବୁଲେଇ ଆଣିଲି । କିନ୍ତୁ କାହାକୁ ସ୍ପଷ୍ଟ ଚିହ୍ନିହେଉନି । ଏତେ ଲୋକ, ଏତେ ଶବ୍ଦ ! ଭାରି ଅତିଷ୍ଠ ଲାଗିଲା । ମା’ଙ୍କୁ ଶାନ୍ତି ମାଗିବା ପାଇଁ ଆସିଥିଲି । କିନ୍ତୁ ଏ ଭଣ୍ଡ ସମାଜର ଅଶାନ୍ତି, ଅସ୍ଥିରତା ନେଇ ମୋତେ ଲେଉଟିବାକୁ ପଡ଼ୁଛି ।

ଉପରୁ ତଳକୁ ଓହ୍ଲାଇ ଆସିବାର ଦ୍ୱିତୀୟ ପାହାଚରେ ମୋ ପାଦ ଅଟକି ଗଲା । ମନରେ କୌତୂହଳ ଚକାମାଡ଼ି ବସିଲା । କାହିଁକି ଏ ପିଲାଟି କାନ୍ଦୁଛି ? ତା’ ପାଖରେ ଦି’ ପଇସା ଫିଙ୍ଗି ଦେଇ ମୁଁ ତଳକୁ ଓହ୍ଲାଇ ଆସୁଥିଲି ।

ସେଇ ପୂର୍ବର କାନ୍ଦଣା ସ୍ୱରରେ ପିଲାଟି ଡାକ ଫିଙ୍ଗିଲା...‘ଆଜ୍ଞା, ଆପଣଙ୍କ ପଇସା ତଳେ ପଡ଼ିଗଲା । ନିଅନ୍ତୁ ।’

‘ନା, ସେ ଦୋ ପଇସିଟି ତୋ ପାଇଁ।’

‘କାହିଁକି ?ମୁଁ କ’ଣ ଭିକ୍ଷୁକ ? ମୁଁ ଆପଣଙ୍କୁ ଭିକ୍ଷା ମାଗିଲି ? ମୁଁ ଦେବୀଙ୍କୁ, ଭଗବାନଙ୍କୁ ଭିକ୍ଷା ମାଗୁଛି, ତାଙ୍କଠୁଁ ବର ଚାହୁଁଛି । ଆପଣଙ୍କ ପାଖରୁ ନୁହେଁ, ମଣିଷ ପାଖରୁ ନୁହେଁ ।’

ମୁଁ ହତବୁଦ୍ଧି ହେଲି ! ଇୟେ କ’ଣ ? ଏ ପିଲାଟି ତେବେ କାନ୍ଦୁଛି କାହିଁକି ? ମୋର ମନକଥା ବୁଝିଲା ପରି ପିଲାଟି ଉତ୍ତର ଦେଇଥିଲା, ‘ମୋ ଲୁହରେ ଆପଣ ବୋଧହୁଏ ତରଳି ଗଲେ । କିନ୍ତୁ ଦି’ଚାରି ପଇସା ଦାନରେ ଆପଣ କ’ଣ ଜଣକ ଲୁହକୁ ବନ୍ଦ କରିପାରିବେ ? ନା ତା’କୁ ହସାଇ ପାରିବେ ?’

ଏତେ ଛୋଟ ବୟସ । ତଥାପି ନିଖୁଣ, ମାର୍ଜିତ ଭାଷାର ପ୍ରୟୋଗ; ମତେ ଆଶ୍ଚର୍ଯ୍ୟ ବୋଧ ହୋଇଥିଲା । ମନ ହେଲା ଜାଣିବାକୁ ତା’ କୁହର ହେତୁ ।

ବେଢ଼ା ଭିତରେ ବେଳକୁ ବେଳ ଭକ୍ତମାନଙ୍କ ସମାବେଶ ବହଳା ହୋଇ ଉଠୁଛି । ଶାବ୍‌ଦିକ ତରଙ୍ଗମାନେ ଆଉ ଥୋଡ଼େ କୁଢ଼ କୁଢ଼ ହେଉଛନ୍ତି । ପୂଜକମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମୁଁ ପିଲାଟିକୁ ପାଖକୁ ଡାକିଲି । ସମବେଦନାରେ ତା’ ଲୁହକୁ ହାତ ପାପୁଲିରେ ପୋଛିଲି-। ଗେଲ କରିବା ଢଙ୍ଗରେ ତା’କୁ ପଚାରିଥିଲି—‘ତମେ ତା’ହେଲେ ଦେବୀଙ୍କ ଉପରେ ଅଭିମାନ କରି କାନ୍ଦୁଥିଲ ?’

‘ହଁ ।’

 

‘ସେ ଅଭିମାନ କି ପ୍ରକାର ।’

 

‘ମୋ ଘିଅ ଦୀପ ଦେବୀଙ୍କ ପାଦତଳେ ପହଞ୍ଚି ପାରିଲାନି ।’

 

‘କାହିଁକି ?’

 

‘ମୁଁ ଦକ୍ଷିଣା ସ୍ୱରୂପ ପୂଜକଙ୍କୁ ଅଧୁଲିଟିଏ ଦେଲି । ସେ ମୋଠୁଁ ଟଙ୍କାଟିଏ ଚାହିଁଲେ । ମୋଠି ପଇସା ନଥିଲା । ମୁଁ ଦେଇ ପାରିଲିନି । ଏଣୁ ମୋ ଘିଅ ଦୀପ ବାହାରେ ଦମ୍‌କାଏ ଜଳି ଦପକିନା ଲିଭିଗଲା । କିନ୍ତୁ ମୋ ସାମ୍ନାରେ ଆଉ ଦଳେ ଲୋକ ଆସିଲେ । ସେମାନେ ଟଙ୍କାଏ ଲେଖାଏଁ ଦେଲେ । ସେମାନଙ୍କ ଫୁଲହାର ଦେବୀଙ୍କ ଗଳାରେ ଶୋଭା ପାଇଲା । ସୋମାନଙ୍କ ଘିଅ ଭିଜା ସଳିତା ଦେବୀଙ୍କ ପାଦ ତଳେ ଜଳିଲା...’

 

‘ହଉ, ନିଅ, ମୁଁ ଟଙ୍କାଟିଏ ଦେଉଛି ।’

 

‘ନା, ମୋର ଦରକାର ନାହିଁ ।’ ପିଲାଟିର କଣ୍ଠରେ ଟାଇଗନର ଦୃଢ଼ତା । ତା’ପରେ କ’ଣ ଭାବି ସିଏ ଅଗତ୍ୟା ବକ୍ତବ୍ୟ ଦେଲା—‘ଆଜ୍ଞା ଦେବୀ କ’ଣ ପଥର ? ସେଇ ପୂଜକର କ’ଣ ଦେବୀ କିଛି ଅନିଷ୍ଟ କରିବେନି ।’

 

‘କରିବେ, ନିଶ୍ଚୟ କରିବେ । ତା’ ଦୁଷ୍କର୍ମର ଫଳ ସିଏ ନିଶ୍ଚୟ ଦିନେ ନା ଦିନେ ପାଇବ-।’

 

ସେଇ ନରମ ବୟସର ପିଲାଟିର କଥାରେ ମୁଁ ଯେମିତି କିଣି ହୋଇଗଲି । ମତେ ସେ ବେଶ୍ ଭଲ ଲାଗିଲା । ପରେ ଆତ୍ମୀୟସ୍ୱଜନ ପରି ମନେହେଲା । ନିଜର ଖୁସି ମିଜାଜ୍‌ ପାଇଁ ମୁଁ ତା’ସହ ଆଳାପ ଜମେଇବା ପାଇଁ ଚାହିଁଲି ।

 

‘ତମ ନାଁ...’

 

‘ଶ୍ରୀମାନ୍‌ ବିରୁପାକ୍ଷ କୁମାର ମହନ୍ତ ।’ ପ୍ରତ୍ୟେକ ପଦର ସ୍ପଷ୍ଟ ଉଚ୍ଚାରଣ ମତେ ଭାରି ମଜା ଲାଗୁଥିଲା ।

 

‘ଆଚ୍ଛା ବିରୁ, ତମେ ଦେବୀଙ୍କୁ ପୂଜାକର କାହିଁକି ?’

 

‘ମୋ ପୂଜାରେ ସିଏ ପ୍ରସନ୍ନ ହେବେ, ମତେ ବରଦେବେ...’

 

‘କେଉଁ ପ୍ରକାର ବର ?’

 

‘ମୁଁ ଜାଣେନା । ପିଲାଟିର ଆଖିରେ ପୁନର୍ବାର ଲୁହବିନ୍ଦୁମାନେ ସ୍ଫଟିକ ପରି ତୋଫା ଜଣାଗଲେ । ସେ ପୁନଶ୍ଚ ପ୍ରଶ୍ନକଲା, ‘ଦେବୀ କ’ଣ ପଥର ?’

 

‘ହଁ କିମ୍ୱା ନାହିଁ, କିଛି କହି ହେବନି । ଭଗବାନ ନିର୍ଜୀବ କି ସଜୀବ ସେ ସବୁ ନିର୍ଭର କରେ ନିଜର ବିଶ୍ୱାସ ଉପରେ ।’ ପରେ ପରେ କଥାର ମୋଡ଼ ବୁଲେଇ ନେଇ ତାକୁ ଉପଦେଶ ଦେଲି, ତମେ ମୋ ସଙ୍ଗେ ଆସ । ମୁଁ ତମକୁ ଘରେ ଛାଡ଼ି ଆସିବି । ନତୁବା ତମେ ମନ୍ଦିର ବେଢ଼ାର ଲୋକଗହଳି ଭିତରେ ହଜିଯାଇ ପାର...

 

ମୋଠୁଁ ସେ କଥା ଛଡ଼େଇ ନେଇ କହିଥିଲା, ‘ମୁଁ ହଜିବିନି । ଏ ମନ୍ଦିର ମୋର, ମୋ ବୋଉର ଅତି ପରିଚିତ ମନ୍ଦିର, ଦୀର୍ଘ ଦିନର ।’

 

‘ତମେ ଏକଲା ଆସିଛ ନା ସାଙ୍ଗରେ ଆଉ କିଏ...’

 

‘ମୋ ବୋଉ ଆସିଛି । ସିଏ ହେଇଟି ସେ ଆଡ଼େ ଯାଇଛି । ମତେ କହିଲା—ବିରୁ, ତୁ ଏଠି ବସିଥା ମୁଁ ଲେଉଟିବା ଯାଏଁ ।’ ବିରୁର ମୁହଁରୁ କଥା ନସରଣୁ ତା’ ବୋଉ ଫେରିଲା ଓ ମୋ ମୁହଁକୁ ଦୀର୍ଘସମୟ ଯାଏଁ ଅପଲକ ନେତ୍ରରେ ଚାହିଁ ରହିବା ପରେ ଅତି ଉତ୍କଣ୍ଠିତ ହୋଇ ପଚାରିଲା–‘ତୁମେ...ତୁମେ, ନିବନ୍ଧ ନା ?’ ମୁଁ ତା’ ପ୍ରଶ୍ନର ଉତ୍ତର ଦେବା ପୂର୍ବରୁ ତା’କୁ ଖାଲି ଚାହିଁ ରହିଲି ।

 

ସମୟର ଲୁଣିଛିଟା ବାଜି ତା’ ମୁହଁ ଉପରେ ସାମାନ୍ୟ ପରିବର୍ତ୍ତନ । ତଥାପି ଚିହ୍ନିବାକୁ ସେମିତି କିଛି ଡେରି ହେଲାନି । ତେବେ କଳ୍ପନା କରି ନ ଥିଲି ଯେ ଜୀବନର କେଉଁ ଚଲାପଥରେ, ଅନ୍ଧ ମୁହାଣିରେ କି ଅଜଣା ମହକୁମାରେ ରଞ୍ଜିତା ସହ ପୁଣି ଦେଖା ହେବ ।

 

ଦୀର୍ଘ ପନ୍ଦର ବର୍ଷ ପରେ ରଞ୍ଜିତା ସହ ସାକ୍ଷାତ, ମତେ ବିଶ୍ୱାସ ଲାଗୁନି । ରଞ୍ଜିତା ବଞ୍ଚିଛି ? ନା...ଇୟେ ତା’ର ପ୍ରେତ । ରଞ୍ଜିତା ତ କେଉଁ ଦିନୁଁ ଆତ୍ମହତ୍ୟା କରିବଣି, କେଉଁ ଅଜଣା ମାଟିରେ ରେଣୁ ରେଣୁ ହୋଇ ମିଶି ଯିବଣି...ତେବେ ଇୟେ କିଏ ?

 

ରଞ୍ଜିତା । ରଞ୍ଜୁ । ଅନେକ ସ୍ମୃତିର ଅପରାହ୍ନ । ରଞ୍ଜିତା ମତେ ଭାରି ଭଲ ଲାଗିଥିଲା ମୋର ତରୁଣ ବୟସରେ । ଯେଉଁ ବୟସରେ କି ଇନ୍ଦ୍ରଧନୁର ରଙ୍ଗ ଦେହର ପ୍ରତ୍ୟେକ କୋଠରୀରେ ଫଗୁଣର ନିଶା ଆଣେ । ମୁଁ ତା’ ରୂପର ନିଆଁରେ ଜଳିବା ପାଇଁ ଧାଇଁ ଯାଇ ନଥିଲି କି ତା’ ବାପାଙ୍କ ବିରାଟ ସମ୍ପତ୍ତିର ମାଲିକ ବନିବାକୁ ମନ ବଳେଇ ନ ଥିଲି । ତଥାପି ରଞ୍ଜୁ ମତେ ନିଜର ବୋଲି ହୃଦ୍‌ବୋଧ ହେଲା । ତା’ ଦେହରେ କବିତା ଲେଖିବା ପାଇଁ ମୁଁ ପ୍ରୟାସୀ ହୋଇ ନଥିଲି କି ତା’କୁ ପାଖରେ ବସେଇ ଜୋତ୍ସ୍ନାସ୍ମାତ ଧରଣୀର ବାଦଶାହୀ ସ୍ୱପ୍ନ ଦେଖିବାକୁ ଆଗ୍ରହୀ ହେଲିନି କିନ୍ତୁ ଆରବ୍ୟ ରଜନୀର ସମସ୍ତ ସମ୍ପୂର୍ଣ୍ଣ ରୋମାଞ୍ଚରେ ଶିହରି ଅଳି କରିନି । ମତେ ସେ ଦୟା ଦେଖାଇଲା-। ମୋ ନିଜର ହୋଇ ମୋର ଶୁଭ ମନାସି ଥିଲା । ବାପା, ମା’, ବନ୍ଧୁ, ଭାଇ ହୀନ ମୋର ଏ ଦୁନିଆକୁ ସିଏ ଆପେ ଆପେ ଟାଣି ହୋଇ ଆସିଥିଲା, ଅତି ଆତ୍ମୀୟ ପରି ଉପଦେଶ ଦେଇଥିଲା, ତମେ ମଦ ଖାଅନି । ନିଜ ଇଚ୍ଛା ବିରୁଦ୍ଧରେ କୌଣସି କାମରେ ହାତ ଦିଅନି । ମୁଁ ତା’ ଅନୁରୋଧ ରଖିଛି । ତା’ର ଉପର୍ଯ୍ୟୁ ପରି ଅଭିମାନରେ ମଦ ଖିଆ ଛାଡ଼ିଛି । ସେଇ ରଞ୍ଜୁ ଆଜି ସାକ୍ଷାତ...ସୁଦୀର୍ଘ ପନ୍ଦର ବର୍ଷ ପରେ । କେତେ ଦାହିକା ଗ୍ରୀଷ୍ମର ଜଳନ୍ତା ପ୍ରତୀକ୍ଷା ଉତ୍ତାରୁ ।

 

ରଞ୍ଜୁ, ମତେ ଛୁଇଁ, ମୋ’ କାନ୍ଧ ହଲେଇ ଉତ୍ତର ଚାହିଁବ ଚାହିଁବ ହେଲା । କିନ୍ତୁ ସାହସ କଲାନି ।

 

‘କିଏ ?ତମେ ନିବନ୍ଧ...।’

 

‘ହଁ । କିନ୍ତୁ ତମେ...?’

 

‘ତମେ ନୁହଁ, ତୁ ।’

 

‘ହଁ, ତୁ...ରଞ୍ଜୁ ? ନା ରଞ୍ଜୁର ପ୍ରେତ !’

 

ରଞ୍ଜୁ କାନ୍ଦିଲା । ବିରୁର ଆଖି ତା’ ବୋଉର ଲୁହ ଦେଖିନି । କାରଣ ସିଏ ମନ୍ଦିର ପିଣ୍ଡାରେ ଦେବୀଙ୍କ ଆଡ଼କୁ ମୁହଁ କରି ହାତ ଯୋଡ଼ି ପ୍ରାର୍ଥନା କରୁଛି—ପ୍ରଭୁ ! ତମ ବନେ ଦିନେ, ଫୁଲଟିଏ କର ମତେ...ମୁଁ ହଠାତ୍‌ ପ୍ରକୃତିସ୍ଥ ହେଲି । କାହାର ସ୍ୱର ? କା’ କଣ୍ଠରେ ରଞ୍ଜୁର ଅତି ପ୍ରିୟ ଭଜନ, ମୋର ରଚନା ?

 

ଅନେକ କାନ୍ଦିବାକୁ ଇଚ୍ଛା ହେଲା । ରଞ୍ଜୁ ଏ ଯାଏ ଭୁଲି ପାରିନି । ମୋ ରଚନା ଭଜନ ଗାଇଛି, ନିଜ ପୁଅକୁ ବି ଶିଖେଇଛି ।

 

‘ରଞ୍ଜୁ ! ତୁ ବଞ୍ଚିଛୁ ?’

 

ସେ କିଛି ଉତ୍ତର ଦେଲାନି । ଅଭିମାନରେ ନା ଦୁଃଖରେ ।

 

‘ରଞ୍ଜୁ, ତୁ ପରା ଆତ୍ମହତ୍ୟା କରିଥିଲୁ ? ଆତ୍ମଘାତୀ ହେଇଥିଲୁ ? ପାଗଳି...ସ୍ୱାମୀର ବିରହ ସହି ପାରିଲୁନି ବୋଲି ନିଜକୁ ଆଉ ତା’ ସଙ୍ଗେ ଭୃଣକୁ ହତ୍ୟା କରିବାକୁ ଚାହିଁଥିଲୁ । ତେବେ ବଞ୍ଚିଗଲୁ କେମିତି ? ମୋ କଣ୍ଠସାରା କୋହର ମେଘିଳ ଆସ୍ତରଣ, ଆଖିରେ ଲୁହର ନିସ୍ତରଙ୍ଗ ସିଲହଟ୍‌ ।

 

‘ପାରିଲିନି ନିବନ୍ଧ । ଆତ୍ମହତ୍ୟା କରିବାକୁ ଚାହିଁଥିଲି । କିନ୍ତୁ ଏ ବିରୁ ମୋ ବାଟ ଓଗାଳିଲା । ପେଟରେ ଥାଇ ଅନ୍ତବୁଜୁଳି ଫଟେଇ ଡାକ ଦେଲା—ବୋଉ, ତୁ ମରିବୁ ବୋଲି ମତେ କାହିଁକି ମାରିବୁ ? ମତେ ତୋରି ଦୁନିଆକୁ ଆସିବାକୁ ଦେ ।’

 

ରଞ୍ଜୁ ଆଖିରୁ ଲୁହ ଦପ୍‌ ଦପ୍‌ ଝରିଲା ।

 

ଆମ ମାନସିକ ଭାବଧାରାର ଐକାନ୍ତିକ ଐକ୍ୟତା ମତେ ତା’ ପାଖକୁ ଟାଣି ନେଇଥିଲା-। ଆଜି ବି ମନେପଡ଼େ ତା’ କଥା—‘ନିବନ୍ଧ, ତମେ ହୁଏତ ଖଣ୍ଡିଏ ପଥରକୁ ଧୂପ, ଦୀପ, ଅଗୁର, ଚନ୍ଦନ, ଫୁଲ, ସିନ୍ଦୂର ଦେଇ ପୂଜା କର ! ସିଏ ତମ ପାଇଁ ଆରାଧ୍ୟ ଦେବତା ହେବ, ତମ ବିପଦବେଳେ ତମର ସାହା ହେବ । ଅନ୍ଧାର ରାତିରେ ତମକୁ ସୁପଥର, ସୁନିର୍ଦ୍ଦିଷ୍ଟ ମାର୍ଗର ଦିଗ୍‌ଦର୍ଶନ ଦେବ । କିନ୍ତୁ ଏ ମଣିଷକୁ ଯେତେ ଫୁଲ ଡାଲା ଦେଲେବି, ପୂଜା ନୈବେଦ୍ୟ ବାଢ଼ିଲେ ବି ସିଏ ତମର ସାହା ଭରସା, ଆର୍ତ୍ତତ୍ରାଣ, ବିପଦ-ଭଞ୍ଜନ, ଗର୍ବ-ଗଞ୍ଜନ ଭଗବାନ ହୋଇ ପାରିବନି-। କାରଣ, ମଣିଷ ନିରୋଳା ମାନବିକ ଧର୍ମର ନିଦାପିଣ୍ଡ ନୁହେଁ । ତାଠି ପଶୁତ୍ୱ ବଞ୍ଚେ । ଏବଂ ସେଇ ପଶ୍ୱତ୍ୱ ହିଁ ମୋ ମତରେ, ମୋ ଦୃଷ୍ଟି କୋଣରେ—ମାନବିକତା ।’ ରଞ୍ଜୁର ଭାବଧାରା ପରି ମୋର ବି ଧାରଣା ।

 

ରଞ୍ଜୁକୁ ମୁଁ କେବେ ଜୀବନସଙ୍ଗିନୀ କରିବାକୁ ଚାହିଁ ନ ଥିଲି । କାରଣ ମୋ ପରି ଏକ ଦୁଃସ୍ଥ ମଣିଷର ହାତ ଧରି ଧନୀର ଦୁଲାଳୀ ରଞ୍ଜିତା କାହିଁକି ଏତେ କଷ୍ଟ ପାଇବ । ସିଏ ଖାଲି ମତେ ଟିକେ ଦୟା ଦେଖାଉ, ମୋର ଏ ନିର୍ଜନ ଦ୍ୱୀପରେ, ନିଃସଙ୍ଗ ପ୍ରାଣରେ ଜଣେ ଆତ୍ମୀୟା ହେଉ । ଆମର ବିବାହ ହୋଇପାରିଲାନି । ଏଥିପାଇଁ ମୁଖ୍ୟତଃ ଦାୟୀ ହେଲେ ତା’ ବାପା ଏବଂ ତା’ପାଇଁ ମୋର ସହଜାତ ଅନୁକମ୍ପା ।

 

ରଞ୍ଜୁ ବାହା ହେଲା । ସୁଖର ସଂସାର ଗଢ଼ିଲା । ଜୀବନର ବସନ୍ତ କ’ଣ, ନୀଳ ନୀଳ ଖରା କ’ଣ, ଚମ୍ପାଫୁଲ ମହକରେ ସୁଦେଷ୍ଣା କେଶର ବାସ୍ନା କ’ଣ, ସିଏ ସବୁ ଜାଣିଲା ବୋଲି ମୁଁ ଖୁସି ହେଲି ।

 

ମୋ ଖିଆଲର ତୃପ୍ତ୍ୟାର୍ଥେ ମୁଁ ଏକ ଖାପ୍‌ଛଡ଼ା, ଆରଣ୍ୟକ ଜୀବନକୁ ନିଜର କଲି । ରଞ୍ଜୁ ଯେତେଦିନ ଯାଏଁ ମୋର ହୋଇ ରହିଥିଲା କଳା ପ୍ରତି ମୋର ମମତା, ଆସକ୍ତି କିଛିଟା ବଢ଼ି ଯାଇଥିଲା । କିନ୍ତୁ ତା’ର ବିଦାୟ ପରେ ପରେ ମୋର ଫେର୍‌ ଆରମ୍ଭ ହେଲା ପୂର୍ବ ପରିଚିତ ଜନବିଦିତ ଲଗାମଛଡ଼ା ଜୀବନ—କାହା ପ୍ରତି ମୋହ ନାହିଁ, କେଉଁଥିରେ ଆସକ୍ତି ନାହିଁ; କାହା ପାଇଁ ଦୟା ମାୟା, ପ୍ରେମ, ମମତା ବୋଲି କଣିକାଏ ନାହିଁ । ମୁଁ ମଦ ପିଏ, ରାତି ରାତି ଉଜାଗର ରହି ତୂଳୀର ରଙ୍ଗକୁ ଜୀବନ୍ତ କରେ, ଛବି ଆଙ୍କେ, କବିତା, ଗଳ୍ପ ଲେଖେ, ସେ ସବୁକୁ ହାଟ ବଜାରରେ ବିକି ପଇସା ଅର୍ଜନ ପରେ ଫେର୍‌ ମଦ ଖାଏ । ଫେର୍‌ ତୂଳି ଧରେ ।

 

ମୁଁ ଟିକିନିଖି ଖବର ରଖିଛି । ରଞ୍ଜୁ ତା’ ସ୍ୱାମୀଙ୍କୁ ସବୁ କଥା ଖୋଲି କହିଛି । ତା’ ସ୍ୱାମୀଠାରୁ ତା’ର ମୋ ସହିତ ସମ୍ପର୍କକୁ ଟିକେ ହେଲେ ଲୁଚେଇ ନାହିଁ । ‘ମତେ ଅବିଶ୍ୱାସ କରିବନି-। ମୁଁ ନିବନ୍ଧକୁ ଭଲ ପାଉଥିଲି, ଖୁବ୍‌ ଭଲ ପାଉଛି । ତମେ ଯଦି ଅନ୍ୟଥା କିଛି ଭାବିବନି ମୁଁ ତାଙ୍କୁ ସେମିତି ଭଲ ପାଉଥିବି । ଆମର ଭଲ ପାଇବାରେ କୌଣସି ଦେହଜ ବନ୍ଧନ ନ ଥିଲା, ଦେହ ପାଇଁ କୌଣସି ତୃଷ୍ଣା ନ ଥିଲା । ମତେ ସେ ଭଲ ପାଇ ବଞ୍ଚି ଯିବାକୁ ଚାହିଁଲେ । ମୋର ଭଲ ପାଇବା ଯଦି ତାଙ୍କୁ କିଛି ଜୀବନ ଦେଲା, ପ୍ରାଣ ଦେଲା, ବଞ୍ଚିଯିବା ପାଇଁ ଉତ୍ତେଜନା ଦେଲା, ସେଥିରେ କୌଣସି କାଳିମା ନାହିଁ, ଆବିଳତା ନାହିଁ ।’

 

ଯଦିଚ ତା’ ସ୍ୱାମୀ ଆମ ପରି ଭୌତିକ ଜୀବ, ତଥାପି ରଞ୍ଜୁର ଏ ଐଶ୍ୱରିକ ପ୍ରେମରେ ତାଙ୍କର ବିଶ୍ୱାସ ଥିଲା । ଏଣୁ ସେ ପ୍ରତିବାଦ କରି ନାହାନ୍ତି । ରଞ୍ଜୁ ମତେ ତା’ ବିବାହ ପରଠୁଁ ଅନେକବାର ଚିଠି ଲେଖିଛି । କିନ୍ତୁ ତା’ ଚିଠିର ଉତ୍ତର ମୁଁ ଦେଇନି କିମ୍ୱା ତା’ ଘରକୁ ଯାଇନି ! କାହିଁକି ତା’ ବୃକ୍ଷରେ ବସା ରଚିବି, କାହିଁକି ମୋ ଡାକରେ ସିଏ ଘାଉଲା ହେବ ? ସେ ସୁଖୀ ହେଉ, ଆୟୁଷ୍ମତୀ ହେଉ ଏଇ ଶୁଭ କାମନା ।

 

ହଠାତ୍‌ ଦିନେ ପତ୍ର ପାଇଲି—ରଞ୍ଜୁର ସ୍ୱାମୀ କେଉଁ ଏକ ମନ୍ଦିରର ଗମ୍ଭୀରା ଭିତରେ ପ୍ରାଣ ହରେଇଲେ । ମନ୍ଦିର ଖିଲାଣର ଏକ ଅତିକାୟ ଶିଳାଖଣ୍ଡ ଖସିଲା । ସେଥିରେ ଦେବୀଙ୍କ ଭୋଗ ଥାଳିଆ ଚୂନା ହେଲା ଏବଂ ରଞ୍ଜୁର ସ୍ୱାମୀ ସେଇ ପଥର ଚାପା ତଳେ ଚିପି ହୋଇ ଜୀବନ ଦେଲେ। ତା’ ଦୁର୍ଦ୍ଦିନରେ ତା’କୁ ସମବେଦନା ଜଣାଇବା ପାଇଁ ତା’ଘରକୁ ଯାଇ ପାରିଲ ନାହିଁ କିମ୍ୱା ତା’ ଠିକଣାରେ ପତ୍ର ଖଣ୍ଡେ ଦେଇ ପାରିନି । ମତେ ଭୟ ମାଡ଼ିଲା । ଯଦି ମୁଁ ତା’ ଘରକୁ ଯାଏ ସେ ମତେ ଭର୍ତ୍ସନା କରି ପାରେ—‘ନିବନ୍ଧ ତମେ ସ୍ୱାର୍ଥପର । ଆଜି ମୋର ସ୍ୱାମୀ ମଲେ ବୋଲି ମୋ ହାତ ପାଇଁ ତମେ ଧାଇଁ ଆସିଛ ? ଯାଅ, ଆଉ ମୋର ଦରକାର ନାହିଁ ତମ ହାତର ସାହାରା ।’ ତା’କୁ ଯଦି ଖଣ୍ଡେ ପତ୍ର ଦେଇଥାନ୍ତି ଏବଂ ତାହା ଯଦି ଅନ୍ୟମାନେ ଜାଣିଥାନ୍ତେ ତା’କୁ ହୁଏତ ସେମାନେ କୁଳଟାର ଆଖ୍ୟା ଦେଇ ବିଚ୍‌ ବଜାରରେ ଘୋଷାରି ଫିଙ୍ଗି ଦିଅନ୍ତେ । ଏଣୁ ନିଜକୁ ଭୟ କଲି, ରଞ୍ଜୁକୁ ଡରିଲି, ମୋ ସମାଜର ମଣିଷକୁ ବିପଦ ମଣିଲି ।

 

ତା’ ସ୍ୱାମୀଙ୍କ ମୃତ୍ୟୁ ପରେ ମୁଁ ପୂର୍ବପରି ରଞ୍ଜୁର ଅନେକ ଖବର ଅନ୍ତର ରଖିଛି । ତାଙ୍କ ଗାଁ ଲୋକେ ନିଜକୁ ବହୁତ ଧନ୍ୟ ମନେ କରିଛନ୍ତି—ଆମ ଗାଁର ଅମୁକ ଦେବୀଙ୍କ ପଥର ତଳେ ପ୍ରାଣ ଦେଲା, ଅମର ହେଲା, ଦେବ ଲୋକ, ସ୍ୱର୍ଗ ପ୍ରାପ୍ତ ହେଲା । ରଞ୍ଜୁର ଶାଶୁ, ଶ୍ୱଶୁର ପୁଅର ଅଦିନମୃତ୍ୟୁରେ କିଛିଟା ହରେଇ ଦେଲା ଭଳି ଦୁଃଖ କଲେ, ତଥାପି ଗର୍ବରେ ଚାରିଆଡ଼େ କହି ବୁଲିଲେ—ଆମ ପୁଅ ଦେବତା ପାଲଟି ଗଲା । ରଞ୍ଜୁର ବାପା, ମା’ ଝିଅକୁ ସାନ୍ତ୍ୱନା ଦେବା ଛଳରେ ନୀତିବାଣୀ ନିତି ନିତି ଶୁଣାଇଲେ—ଜନ୍ମ ପରେ ମୃତ୍ୟୁ ସୁନିଶ୍ଚିତ; କିନ୍ତୁ ତୋ’ ସ୍ୱାମୀଙ୍କ ପରି ମୃତ୍ୟୁ କେଇଜଣ ବା ପାଆନ୍ତି ? କିନ୍ତୁ ରଞ୍ଜୁ ସେମାନଙ୍କ ଆଧ୍ୟାତ୍ମିକ ଚିନ୍ତାରେ କୌଣସି ପ୍ରକାର ଶାନ୍ତି ପାଇ ପାରିଲାନି । ଦୀର୍ଘଦିନ ଯାଏଁ ଡହଳ ବିକଳ ହେଲା, ବିରହଜନିତ ଯନ୍ତ୍ରଣାରେ ସନ୍ତୁଳି ହେଲା । ଅନ୍ୟମାନଙ୍କ ପ୍ରହସନରୁ ମୁକ୍ତି ଚାହିଁଲା ।

 

ଦେବତ୍ୱ ପ୍ରାପ୍ତ ହୋଇଥିବା ସ୍ୱାମୀଙ୍କ ପତ୍ନୀରୂପେ ରଞ୍ଜୁକୁ ଯେଉଁ ପ୍ରକାର ସମ୍ମାନ, ଫୁଲ ଚନ୍ଦନର ପୂଜା ମିଳିଲା, ସେଥିରେ ସେ ଅଣନିଶ୍ୱାସୀ ହେଲା । ମୁକୁଳିବାର ପଥ ନାହିଁ । ଦିନ ସାରା ତା’ ପାଦ ତଳେ ଦଳ ଦଳ ଲୋକଙ୍କ ପୂଜା ଉପହାର । ତା’ଚତୁର୍ଦ୍ଦିଗର ବଳୟରେ ଧୂପ-ଅଗୁର ଗନ୍ଧ-। ଗୋଟିଏ ମଣିଷକୁ ସମସ୍ତେ ଦେବୀର ସମ୍ମାନ ଦେଲେ । କିନ୍ତୁ ତା’ ଅନ୍ତର ମଣିଷର ମାନବିକ ଉଦ୍ଦାମତାକୁ କେହି ବୁଝିଲେନି ।

 

ସେ ଅନେକ ସମୟରେ ନିଜକୁ ଅଭିଶାପ ଦେଇଛି—ପ୍ରଭୁ ! ଏ ଯନ୍ତ୍ରଣାରୁ ମୋତେ ମୁକ୍ତି ଦିଅ । ମତେ ସମୂଳେ ଲିଭେଇ ଦିଅ । କିନ୍ତୁ ଏ ମରଣାନ୍ତକ ଜୀବନ ଦିଅନି । ଥରେ ଥରେ ସେ ଭଗବାନଙ୍କ ଉପରେ ଅଭିମାନ କରିଛି, ଅନ୍ୟମାନଙ୍କ ପୂଜା ଆରାଧନାରେ ବିରକ୍ତି ପ୍ରକାଶ କରିଛି ! ତଥାପି ତା’ ନିଜର ଲୋକ, ଅନ୍ୟମାନେ ତା’କୁ ମଣିଷର ଆସନ ନ ଦେଇ ଦେବୀର ଆସନରେ ଥୋଇଲେ । ଯେତେବେଳେ ତା’ ଯନ୍ତ୍ରଣା ସୀମା ଟପିଲା, ସେ ଦୃଢ଼ ହେଲା । କେଉଁ ଏକ ଅନ୍ଧାର ରାତିର ଅରାଜକତା ଚିରି ଆଗେଇ ଆସିଲା ଆତ୍ମହତ୍ୟା ପାଇଁ; କିନ୍ତୁ ପାରିଲାନି ।

 

‘ନିବନ୍ଧ ମୋ ଦୁର୍ଦ୍ଦିନରେ ମୋ ଯନ୍ତ୍ରଣା କେହି ବୁଝିଲେନି । ମତେ ଦେବୀ କରିବାକୁ ଚାହିଁଲେ, ପଥରର ସ୍ଥାଣୁ ଦୃଷ୍ଟି ନେଇ ବଞ୍ଚିବାକୁ ଆରାଧ୍ୟ ଉପାସନା ବାଢ଼ିଲେ । କିନ୍ତୁ ମୁଁ ଯେ ପ୍ରଥମତଃ ମଣିଷ, ମୋର ମାନବିକ ସ୍ୱଭାବ ଅଛି—ଏ ସ୍ତରକୁ ସମସ୍ତେ ଗୌଣ ମନେ କଲେ । ସେ ମନ୍ଦିରର ପଥର ତଳେ ଚାପା ପଡ଼ିଲେ ବୋଲି ମୁଁ କାହିଁକି ଦେବୀର ସମ୍ମାନ ପାଇବି, ଅତିଷ୍ଠ ହୋଇ ବଞ୍ଚି ରହିବି ? (ରଞ୍ଜୁ କାନ୍ଦିଲା) ତା’ପରେ ପଳାତକ ହେଲି । ଘରକୋଣରେ କାଗଜ ଟୁକୁରାଏ ଫିଙ୍ଗିଦେଇ ଆସିଲି—ଯାଉଛି, ଆତ୍ମହତ୍ୟା ହିଁ ଶେଷ ପନ୍ଥା । ସେଇ ଅନ୍ଧାର ରାତିରେ ମୁଁ ସେଇ ଗାଁ, ବନ-ପର୍ବତ, କୁଳୁ କୁଳୁ ଝରଣା ଧାରା, ବହୁ ପରିଚିତ ବନ୍ଧୁବର୍ଗ, ନିଜ ବାପ-ମା’, ଶାଶୁ ଶ୍ୱଶୁର ସମସ୍ତିଙ୍କୁ ତ୍ୟାଗ କରିବା ପରେ ଏ ସହର ମୋତେ ରାହା ଦେଲା । ଓଃ ! କେତେ ଶାନ୍ତି, ନିବନ୍ଧ ! ତୁମେ ବୁଝିପାରିବନି । କାରଣ ଜଞ୍ଜିର ଭିତରେ ଆବଦ୍ଧ ହେବାର ଦୁଃଖ ତମେ ଜାଣନି ।’ ରଞ୍ଜୁର କାହାଣୀରେ କମା ପଡ଼ିଲା । ବିରୁ ତା’ କାନି ଭିଡ଼ି ତା’କୁ ଡାକୁଛି—‘ବୋଉ, ଚାଲ୍‌ ଘରକୁ ଯିବା । ମୁଁ ଦେବୀଙ୍କୁ ପ୍ରାର୍ଥନା କଲି—ମା’ ମତେ ପରୀକ୍ଷାରେ...’

 

‘ଉତ୍ତୀର୍ଣ୍ଣ କରାଅ ।’ ମୁଁ ବିରୁ ସହ ଯୋଗ ଦେଲି ।

 

‘ନିବନ୍ଧ ! ଆସ, ମୋ ଘରକୁ ଯିବା ।’ ବିନା ଉଁଚୁଁରେ ମୁଁ ରଞ୍ଜୁ ପଛରେ ବଢ଼ିଲି । ମଣିଷର ସମୁଦ୍ର ଠେଲି ଯାଉ ଯାଉ ପଚାରିଲି—‘ରଞ୍ଜୁ, ତା’ପରେ...?’ ଆଖିରେ ମୋର ପ୍ରଶ୍ନ ।

 

‘ଏଠି ଏକ ବେସରକାରୀ ସ୍କୁଲରେ ଶିକ୍ଷକତା କରୁଛି । ଯାହା ମିଳୁଛି ସେଥିରେ ବଞ୍ଚିବାରେ, ଜୀବନଟା ବେଶ୍‌ ଆରାମ୍‌ ଲାଗୁଛି ନିବନ୍ଧ । ତୁମେ କ’ଣ ଏକା ?’

 

‘ହଁ...ଖାସ ଏକଲା ଲୋକ ।’

 

‘ତୁମେ ତା’ହେଲେ—’

 

‘ଅବିବାହିତ ।’ ମୋର ନିର୍ଦ୍ୱନ୍ଦ୍ୱ ଉତ୍ତର ।

 

‘ନିବନ୍ଧ, ଏ ବେଖାପ୍‌ ଜୀବନ ତୁମକୁ ଆହୁରି ଏ ଯାଏଁ ଭଲ ଲାଗୁଛି ? ନିଜକୁ କିଛିଟା ନିୟନ୍ତ୍ରିତ କର । ଆଉ ସେଇ ନିୟନ୍ତ୍ରଣ ତୁମକୁ ଦେବେ ତୁମର ପତ୍ନୀ; କୌଣସି ପ୍ରିୟା ନୁହେଁ, କୌଣସି ବନ୍ଧୁ ନୁହେଁ—ସେ ଯେତେ ନିଜର ହେଲେବି, ଆତ୍ମୀୟ ହେଲେବି ।’

 

ମୁଁ କିଛି ଉତ୍ତର ଦେଲିନି । ଖାଲି ନିଜେ ଭାବିଛି । ରଞ୍ଜୁ, ସ୍ୱାଧୀନତା ପାଇଁ ସମସ୍ତଙ୍କୁ ଛାଡ଼ିବା ପରେ ଏକଲା ଜୀବନରେ ତୁମେ ଯଦି ଏତେ ଶାନ୍ତି ପାଇ ପାରୁଛ; ମୁଁ ତ କାହାରିକୁ ଛାଡ଼ିନି, ବରଂ ସେମାନେ ନିଜେ ମୋ ପାଖରୁ ଛଡ଼େଇ ହୋଇଗଲେ, ତେବେ ମୁଁ କାହିଁକି ତୁମ ପରି ଶାନ୍ତି ନ ପାଇବି ?

 

ମନ୍ଦିର ବେଢ଼ା ଭିତରୁ ଆମେ ଫେରିଲୁ । ସତେ ଯେମିତି କୌଣସି ଏକ ଅକ୍ଟୋପାସ୍‌ର କବଳରୁ ଆମକୁ ମୁକ୍ତି ମିଳିଲା !

 

ଆହୁରି କିଛି ବାଟ ବାକି । ରଞ୍ଜୁର ଘର ପାଖେଇ ଆସିଲାଣି । ଆଜି ମୋର ମାନସିକ ଭାରସାମ୍ୟ କୌଣସି ଭୂମିକମ୍ପର ପ୍ରକମ୍ପରେ ଓଲଟ ପାଲଟ ହେଲା । ରଞ୍ଜୁ ଆଉ ମୁଁ ପାଖାପାଖି ଚାଲିଛୁଁ । ଆମର ଦି’ ଚାରିଫୁଟ ଆଗରେ ବିରୁର ଦ୍ରୁତ ପଦପାତ । ହଠାତ୍‌ ତା’ ଗତି ଧିମେଇ ଗଲା-। ମୋ ହାତ ଟାଣି ନେଇ ସିଏ କହୁଛି—‘ମାମୁଁ, ହେଇ ଦେଖ ଏଇଟା ଆମ ଘର ।’

 

ରଞ୍ଜୁ ଚେନାଏ ଲୁହବୋଳା, ଜୌଲୁସ ବିହୀନ, ସଜଳ ହସ ହସିଲା ।

 

ମୋ କାନ ପାଖରେ ଭଉଁରୀ ନାଚୁଥିଲା ।.କିଏ ! କିଏ ? ନିବନ୍ଧ...!...ମୁଁ ଆଉ କିଛି ଶୁଣିପାରୁ ନ ଥାଏ । ପଛକୁ ଚାହିଁ ଦେଖିଲି ଦେବୀ ମନ୍ଦିରଟି ଅନେକ ପଛରେ ରହି ଯାଇଛି ।

Image

 

ସ୍ୱର୍ଗୀୟ ନର୍କ

 

ଧତ୍‌, ଟ୍ରିଗାରଟା ଟିପି ପାରିଲୁନି ? ଏକା ଥରକେ ପୁଅର ମୁଣ୍ଡଟା ଛତୁ ହୋଇଯାନ୍ତା...ଛି...ଚାଲ୍‌, ନିକଲ ଯା’ ମୋ ଦଳରୁ ।

 

ଆବେ ବଲ୍ ବଲ୍‌ ହେଇ ଅନେଇଛୁ କ’ଣ ? ଶଃ...ସର୍ଦ୍ଦାର ରାଗି ଯାଇଛି । ନିରୁତା ତଳୁ ମୁଣ୍ଡ ଉଠେଇ ସର୍ଦ୍ଦାରର ମୁହଁକୁ ଭରସି ଚାହିଁ ପାରୁନି ।

 

ହଟ୍‌...ନିରୁତା ପାହାଡ଼ିଆ ରାସ୍ତା ଉପରେ ମୁହଁ ମାଡ଼ି ପଡ଼ିଲା । ତା’ ମୁଣ୍ଡ ଘୂରିଗଲା । ନାକ ଓ ପାଟିରୁ ଚେକା ଚେକା କଞ୍ଚା ରକ୍ତ ମାଟି ଉପରେ ଦାଉ ଦାଉ ଜଳିଲା ।

 

ସର୍ଦ୍ଦାର ରାଗ ତମ ତମ ହୋଇ ବାହାରକୁ ଚାଲିଗଲେ । ଘୋଡ଼ାର ଟାପୁ ଶବ୍ଦ ପର୍ବତିଆ ଜଙ୍ଗଲ ଭିତରେ ବାଟ ଭୁଲୁଥିଲା । ନିରୁତା ଚାରିଦିଗକୁ ଆଖି ବୁଲେଇ ଆଣିଲା । ତା’ ସହକର୍ମୀମାନେ ଦୁଃଖରେ ବିବ୍ରତ । ସେମାନେ ଆଗେଇ ଆସିଲେ । ତା’ ଖଣ୍ଡିଆ ନାକରୁ ରକ୍ତ ପୋଛି ଦେଲେ । ତଥାପି ଆଘାତର ଜ୍ୱାଳା ତାକୁ ଜଳାଉଛି ।

 

ସାରଙ୍ଗ ହାତରୁ ମୁନ୍ଦାଏ ପାଣି ପିଇବା ଉତ୍ତାରୁ ପୂର୍ବ ଦିଗରେ ସିନ୍ଦୂରା ଫାଟି ଆସୁଥିଲା । ଏଥର ବାହାରେ ପଡ଼ି ରହିବା ବିପଦ । କାରଣ, ରାତି ପାହି ଆସୁଛି । ଜୀବନର ଗୀତିନାଟ୍ୟ ଆରମ୍ଭ ହେବ । କିନ୍ତୁ ସେମାନେ...? କେଉଁ ଗୁମ୍ଫା ଭିତରେ ରାତି ପାଇଁ ଅପେକ୍ଷା କରିବେ । ରାତିରେ ଡକାୟତି ପାଇଁ ପ୍ରସ୍ତୁତ ହେବେ । ନିରୁତା ଦମ୍ଭିଲା ହୋଇ ଠିଆ ହେଲା । ରକ୍ତ ତାକୁ ଡରାଉଛି । ସେ ସବୁ ସହିପାରେ, କରିପାରେ ଏବଂ ଦେଖିପାରେ । କିନ୍ତୁ ରକ୍ତ (ନିଜର ହେଉ କିମ୍ୱା ପରର ହେଉ, ମଣିଷର ହେଉ କି ପଶୁ ପକ୍ଷୀର ହେଉ) ଦେଖି ପାରିବନି । ରକ୍ତରେ ହାତ ଧୋଇ ପାରିବନି କି ରକ୍ତ ସହ ହୋରି ଖେଳି ଆଗ୍ନେୟ ରୂପ ଧରି ପାରିବନି ।

 

ତେବେ ସେ କେମ୍‍ତି ଡକାୟତ ହେଲା ? ମଣିଷ ଜୀବନର ବିପରୀତ ପଥରେ ଯାତ୍ରୀ ହେଲା, ଦୁନିଆଁର ଏତେ ସ୍ନେହ, ପ୍ରେମ ବନ୍ଧନର ସମସ୍ତ ସତ୍ତାକୁ ଅସ୍ୱୀକାର କଲା ଏବଂ କାହିଁକି ବା ସେ ବିପ୍ଳବୀର ବାୟବୀୟ ଆଖ୍ୟା ପାଇଁ ଜୀବନର ମହତ୍ତ ଭାଗ୍ୟକୁ ଅରମାବଣ, ଦୁର୍ଗମ୍ୟ ପାହାଡ଼ର ଅନ୍ଧାରି ମୂଲକରେ କଟେଇ ଦବ ? ଧନୀକ ଶ୍ରେଣୀର ଲୋକଙ୍କୁ ମାନସିକ ଆଘାତ ଦେଇ ସେମାନଙ୍କ ସମସ୍ତ ସମ୍ପତ୍ତିକୁ ରାତି ଅଧରେ ଚୋରାଇ ଆଣି ସେମାନଙ୍କୁ, ଯେଉଁମାନେ କି ସମାଜର ବୈଷମ୍ୟ ପେଷାରେ ପେଶି ହୋଇ ଯାଉଛନ୍ତି, ମୁଣ୍ଡ ଗୁଞ୍ଜିବା ପାଇଁ ଚାଳ କୁଡ଼ିଆ ଖଣ୍ଡେ ପାଇପାରୁ ନାହାନ୍ତି କିମ୍ୱା ହାଡ଼ଭଙ୍ଗା ପରିଶ୍ରମ କରି ବି ମୁଠାଏ ଦାନା ପାଉ ନାହାନ୍ତି, ସେମାନଙ୍କୁ ବାଣ୍ଟିବ ଏବଂ କେଉଁ ଏକ କ୍ଷଣିକ ଆଦର୍ଶ ଜାହିର୍‌ କରିବା ପାଇଁ ନିଜର ବହୁମୂଲ୍ୟ ବ୍ୟକ୍ତିତ୍ୱକୁ ସର୍ଦ୍ଦାରର ବେଦି ତଳେ ବଳି ଦେବ..... ? ତା’ ଉତ୍ତେଜନା ତାକୁ ନିର୍ଦ୍ଦେଶ ଦେଉଥିଲା—ନିରୁ, ତୁ ଏ ଦଳ ପରିତ୍ୟାଗ କର । ନିଜର ଦଳ ଗଢ଼ି ନେତା ହୋ..... ନାଃ, ହେବନି । ସେ ବିପ୍ଳବ ପରିତ୍ୟାଗ କରିବ? ତଥାକଥିତ ମଣିଷର ସମାଜକୁ ଲେଉଟି ଯାଇ ବଡ଼ପଣ୍ଡାମାନଙ୍କ ପାଦତଳେ ଦାନ୍ତରେ ତିରଣ ଧରି ନେହୁରା ହେବ—ମୁଁ ଅଜାତିଆ ହେଲି । ମତେ ଜାତିଆଣ କର...ନାଃ, ପାରିବନି । ଯେହେତୁ ଆଗକୁ ବଢ଼ିବା ସୁଅ ପଛକୁ ଫେରି ଆସେନା କି ଝରିଯିବା ଫୁଲ ତୋରା ଦେଖାଯାଏନା-

 

ନିରୁତା ନିରେଖି ଚାହିଁଲା । ସାରଙ୍ଗର ଆଖିରେ ଲୁହର ଉଜାଣି । ସାରଙ୍ଗ, ତା’ର ବାଲ୍ୟବନ୍ଧୁ, ଯିଏ କି ତାକୁ ଡକାୟତ ବନେଇଛି । ଏଇ ନିର୍ଦ୍ଦିଷ୍ଟ ଡକାୟତ ଦଳରେ ଯୋଗ ଦେବାପାଇଁ ଅକ୍ଳାନ୍ତ ଉଦ୍ୟମ କରିଛି ।

ସାରଙ୍ଗ, ତୁ କାନ୍ଦୁଛୁ ?

ହଁ...କାନ୍ଦିବା ପାଇଁ ତ ଜନ୍ମ.....

ରକ୍ତ ଝରିବା ଏ ଯାଏଁ ବନ୍ଦ ହେଲାନି ଯେ...

ହଁ ।

ଆଇନାଟେ ଆଣନ୍ତୁ ଯଦି....

ସାରଙ୍ଗ ଚମକି ଗଲା । ଦୀର୍ଘ ଦଶବର୍ଷ ପରେ ନିରୁତା ଆଇନାରେ ମୁହଁ ଦେଖିବ । ଏଥିପାଇଁ ସାରଙ୍ଗ ଦାୟୀ । ସେ ନିରୁତାକୁ ଆଘାତ ଦେଇଥିଲା । ଆଘାତ ଦେଇଥିଲା ବୋଲି ଅନୁତାପ, ଅନୁତାପରୁ ସ୍ମୃତି ରୋମନ୍ଥନ...

ବର୍ଷଟା ଠିକ୍‌ ମନେ ପଡ଼ୁନି । ନିରୁତା ଦେଖିବାକୁ ବିଶେଷ ଅସୁନ୍ଦର ନ ଥିଲା । ଅନ୍ୟାନ୍ୟ ମଣିଷ ପରି ମଣିଷ ଥିଲା । ଅନ୍ୟ ମଣିଷର ରଙ୍ଗ, ହାସ, ରୂପ, ରସ ତା’ଠି ଥିଲା । କିନ୍ତୁ କ’ଣ ହେଲା କେଜାଣି ଦିନେ ହଠାତ୍‌ ତା’ ନାକ ଓ ଉପର ଓଠ ସହ ମେଞ୍ଚାଏ କଞ୍ଚା ମାଂସ ଭୂଇଁ ଉପରେ ଦୁଲକିନା ପଡ଼ିଲା । କୌଣସି ପ୍ରକାରେ କ୍ଷତର ଉପଶମ ହେଲା । କିନ୍ତୁ ପଇସା ଅଭାବରୁ ଫାଳେ ଓଠ ଓ ନାକର ଯଥାସ୍ଥାନ ଅସମ୍ପୂର୍ଣ୍ଣ ରହିଲା ।

ତା’ ପରଠୁ ସେ ବନ୍ଧୁମାନଙ୍କ ବିଦ୍ରୂପର ଶରବ୍ୟ ହେଇଛି । ଦିନେ ରାଜା ଥିଲା, ଆଜି ଫକୀର ହେଲା ବୋଲି ନିରୋଳା ମୁହୂର୍ତ୍ତମାନଙ୍କରେ ଲୁହର ଶ୍ରାଦ୍ଧ ବାଢ଼ିଛି । ଭଲରେ ମନ୍ଦରେ କେଉଁଠିକି ଯାଇନି କିମ୍ୱା କାହା ସଙ୍ଗେ ହସିନି । ତା’ପାଇଁ ତା’ର ସମସ୍ତେ ଅବଶିଷ୍ଟ ପୃଥିବୀ ପାଲଟିଲେ । ତା’ ଉପନିବେଶର ମଉଜା ହୋଇ ରହିଲେ । ଏ ଈଶ୍ୱରବିହୀନ ପୃଥିବୀରେ ସେ ଆତ୍ମହତ୍ୟାର ଚେଷ୍ଟା କରିଛି, କିନ୍ତୁ ପାରିନି ।

ସେ ଦିନ...ଅନ୍ତରଙ୍ଗ ବନ୍ଧୁ ସାରଙ୍ଗର ଥଟ୍ଟା ତାକୁ କନ୍ଦେଇଥିଲା—କି’ରେ କୋ’ ରୂପକୁ ଦି’ଗୋଡ଼ରେ ଅଳତା ?

ଅଳତା ! ନିରୁତା କିଛି ଠଉରେଇ ପାରିଲାନି ।

ହଁ ମ ମଳତା...ଶଳା, ଯେଉଁ ରୂପ । ସେଥିରେ ପୁଣି ଘଣ୍ଟା ଘଣ୍ଟା ଧରି ଆଇନା ଦେଖା...ଏଇ କେଇପଦ କଥାରେ ତା’ ଅନ୍ତର ପୁରୁଷ ଖିନ୍‌ ଭିନ୍‌ ହୋଇଥିଲା । ସେ ଚଟାଣ ଉପରେ ଆଇନାଟିକୁ ଦୁଲ୍‌କିନା ଥୋଇ ଧକେଇ କାନ୍ଦିଥିଲା ।

ନିରୁ ! ସାରଙ୍ଗ କାନ୍ଦୁଥିଲା । ଉଭୟ ଆଖିମାନଙ୍କରେ ଭିନ୍ନ ଭନ୍ନ ସ୍ୱାଦର ଲୁହ ଏକାକାର ହେଉଥିଲା । ଆଉ...ଆଜି ନିରୁତା ଆଇନା ଚାହୁଁଛି ? ମୁହଁ ଦେଖିବ ।

ଆଜି ଏଇ ଅପନ୍ତରା ପାହାଡ଼ି ଗୁମ୍ଫାରେ ବସି ନିରୁତା ପାରଦ ଛଡ଼ା ଆଇନାରେ ମୁହଁ ଦେଖୁଛି । ଓଃ, ଏଡ଼େ କଦାକାର, ତା’ ଫୁଲ୍‌କା ଫୁଲ୍‍କା ଗାଲଟା ଏତେ ଭିତରକୁ ପଶିଗଲାଣି । ଆଖିରୁ ଜ୍ୟୋତି ଲିଭି ଆସୁଛି ! ସତରେ ତା’ ଅଜଣାରେ ତା’ ବୟସ ଏତେ ଆଗେଇ ଗଲାଣି ! ସେ ଅଦିନରେ ବୁଢ଼ା ହୋଇଯିବ ଏମିତି ଏମିତି ? ତା’ର ହୋଇ, ତା’ ରକ୍ତର ସନ୍ତକ ନେଇ ଏ ଦୁନିଆଁରେ କେହି ରହିବେନି ! ତା’କାନ ପାଖରେ ଏତେ ଶବ୍‌ଦ । ତା’ ଚାରି ଦିଗରେ ତରଙ୍ଗାୟିତ ଜୀବନ ।

ସାରଙ୍ଗ, ଚାଲ୍‌ ଆମେ ଅନ୍ୟ କେଉଁଠିକି ଚାଲିଯିବା...ଯିବା କୁଆଡ଼େ ?

ଯେଉଁଠିକି ଇଚ୍ଛା...

ନିରୁ, ତୁ ଏମିତି ଉତ୍ତେଜିତ ହେଲେ ? ବିପ୍ଳବ ପାଇଁ ମନ ଦରକାର, ନିଷ୍ଠାପର ଧୈର୍ଯ୍ୟ ଦରକାର । କିନ୍ତୁ ଉତ୍ତେଜନା ନୁହେଁ ।

ନିରୁ ଚୁପ୍‌ ରହିଲା । ଏକଲା ହୋଇ ମଣିଷ କ’ଣ କରିପାରେ ? ଏକାକୀ ମଣିଷ ଆତ୍ମହତ୍ୟା କରିପାରେ । କିନ୍ତୁ ତା’ପାଇଁ ଆତ୍ମହତ୍ୟା ତ ନିଷିଦ୍ଧ କୋଠରୀ । ଏମିତିକା ମୃତବତ୍‌ ଜୀବନରେ ବଞ୍ଚିବାର ମାନେ କ’ଣ ?

ନିଜକୁ ସେ ଘୃଣା କରିଛି । ଅଭିଶାପ ଦେଇଛି । ମଣିଷ ଭିତରେ ସଦା ସଂଘର୍ଷରତ ଦେବତା ଏବଂ ଦାନବ ମଧ୍ୟରୁ ଦାନବର ଜିତାପଟ ହୋଇଛି । ଦେବତା ଦାନବର ପାଦତଳେ ଚାପା ପଡ଼ିଛନ୍ତି ।

ଦୁନିଆଁ ତା’ କଦାକାର ରୂପକୁ ଘୃଣା କଲା । ବିଦ୍ରୂପ କଲା । ତେବେ ସେ କାହିଁକି ଦୁନିଆଁକୁ, ମଣିଷକୁ, ମଣିଷର ମନଗଢ଼ା ନୀତି ନିୟମକୁ ଅସ୍ୱୀକାର କରିବନି ? ମଣିଷ ନର୍କକୁ ଯାଉ, ମଣିଷର ପୃଥିବୀ ରସାତଳ ହେଉ— ସେଥିରେ ବ୍ୟକ୍ତିଗତ କ୍ଷତି କିଛି ହେବନି ।

ନିରୁତା ସାରଙ୍ଗକୁ ଅଭିଶାପ ଦେଇଛି ବିରକ୍ତିରେ—କେବଳ ତ ତା’ରି ଲାଗି ଆଜି ମୋର ଏ ଦୁର୍ଦ୍ଦଶା । ତୁ ଯଦି ମତେ ମନ୍ଦିରରୁ ବିଗ୍ରହ ଚୋରି କରେଇବା ଶିଖେଇ ନଥାନ୍ତୁ, ପଇସାର ଲୋଭ ଦେଖାଇ ନ ଥାନ୍ତୁ, ମୁଁ ଆଜି ଏମିତି ଡକାୟତ ହୋଇ ନ ଥାନ୍ତି କି ମଣିଷ ହୋଇ ଅନ୍ୟ ଏକ ମଣିଷ ହାତରେ ଲାଞ୍ଛିତ ହୋଇ ନ ଥାନ୍ତି । ନିରୁତା ଅଭିମାନରେ ଭାଙ୍ଗି ପଡ଼ୁଛି

 

ନିରୁ, କ’ଣ ହେଲା ? ସର୍ଦ୍ଦାର ଏମିତି ଫଁ ଫଁ ହେଉଥିଲା କାହିଁକି ?

 

କାରଣ, ଗୁଳି କରି ମୁଁ ଗୋଟିଏ ମଣିଷକୁ ମାରି ପାରିଲିନି । ସାମାନ୍ୟ କେଇଟା କାଗଜର କରେନ୍‌ସି ପାଇଁ ମୁଁ ଗୋଟିଏ ଅମୂଲ୍ୟ ଜୀବନକୁ ନଷ୍ଟ କରିଥାନ୍ତି । ମୁଁ ବିପ୍ଳବୀର ଆଖ୍ୟା ପାଇ ନ ପାରେ । ସେଥିରେ କିଛି ଲାଭ କ୍ଷତିର ପ୍ରଶ୍ନ ଉଠୁନି । ମୁଁ ଜଣେ ଡାକୁ । ଏ ସମାଜର ସୂର୍ଯ୍ୟଦୀପ୍ତ ଆଖିରେ ମୁଁ ଡକାୟତି କରେ ଅନ୍ଧାର ରାତିରେ । ମୁଁ କୁବେରମାନଙ୍କ ସମ୍ପତ୍ତି ଲୁଟି ନେଇ ଗରିବମାନଙ୍କ ତୁଣ୍ଡରେ ପାଣି, ତୋରଣି ମୁନ୍ଦାଏ ଦିଏ—ଏ କଥା ତୁ କ’ଣ ଅସ୍ୱୀକାର କରିବୁ ? ମୁଁ ଯଦିବା ଏଡ଼େ ଦୁର୍ଦ୍ଧର୍ଷ, କିନ୍ତୁ ରକ୍ତ ପ୍ରତି ମୋର ଭୀଷଣ ଭୟ । ଆଉ ସେଇ ଭୟ ଲାଗି ମଣିଷର ରକ୍ତ ଓ ଜୀବନ ପ୍ରତି ମୋର ସମ୍ମାନ ଅଛି...

 

ରକ୍ତକୁ ଡରିବା କାରଣ ?

 

କାରଣ ନାହିଁ, ଘଟଣା ।

 

କି ଘଟଣା ?

 

ନିହାତି ବ୍ୟକ୍ତିଗତ । ଅବଶ୍ୟ ବହୁତ ଦିନ ତଳର କଥା...ଯେତେବେଳେ ମୋର ସମସ୍ତେ ଥିଲେ । ନିରୁତା ଆଖିରେ ଲୁହର ପ୍ଳାବନ ।

 

ନିରୁ, କହନି ଘଟଣା କ’ଣ ?

 

ମୁଁ ସେତେବେଳେ ସ୍କୁଲରେ ପଢ଼ୁଥାଏ । ଛାତ୍ରନେତା ବୋଲି ମୋର ବେଶ୍‌ ସୁନାମ ବି ଥିଲା । ଦିନେ ସନ୍ଧ୍ୟାରେ ଘରକୁ ଫେରିଥାଏ । ଅଗଣାରେ ରହି ‘ବୋଉ’ ‘ବୋଉ’ ବୋଲି ଡାକିଲି । ରନ୍ଧାଘରୁ ବୋଉ ଦୌଡ଼ି ଆସିଲା । ମୋ କପାଳରେ ବୋକ ଖାଇଲା ।

 

ବୋଉ, ପାଣି ମୁନ୍ଦାଏ ଦେଲୁ ।

 

ଅନ୍ଧାରରେ ମୁଁ ଦେଖିଲି ରଙ୍ଗୀନ୍‌ ପାଣି ।

 

ନାଃ, ଆରେ, ହଁ... ହଁ କିଛି ନାହିଁ । ବୋଉ ତା’ କଟା ଆଙ୍ଗୁଠିକୁ ଲୁଚେଇବାକୁ ଚେଷ୍ଟା କଲା । ବୋଉ ହାତରେ ରକ୍ତ ମିଶ୍ରିତ ପାଣି ଗ୍ଲାସ । ବୋଉ ତା’ ରକ୍ତକୁ ମତେ ପିଇବାକୁ ଦେଉଛି । ମୁଣ୍ଡ ଘୂରିଗଲା, ତଳେ କଚାଡ଼ି ହୋଇ ପଡ଼ିଲି । ତା’ ପରଠୁଁ ସାରଙ୍ଗ, ମୋର ରକ୍ତପ୍ରତି ଭୀଷଣ ଭୟ ଏବଂ ରକ୍ତକୁ ଡରୁଛି ବୋଲି ଆଜି ସର୍ଦ୍ଦାରଠାରୁ ଧକ୍‌କା ଖାଇଲି । ଆଉ ଏ ବେଖାପ୍‌ ଜୀବନ ଭଲ ଲାଗୁନି।

 

ଜୀବନରେ ଆଦିମତା ବେଖାପ୍‌ ଜୀବନଯାପନର ଜନ୍ମଦାତା ।

 

ନିରୁତା ଉତ୍ତେଜିତ ହେଲା । ସେ ଦମ୍‌ ନେଲା, ଫେର୍‌ କାନ୍ଦିଲା । ତା’ମୃତ ବୋଉର ସ୍ମୃତି ତାକୁ କନ୍ଦାଉଛି । ବୋଉ ଆରପାରିକୁ ଚାଲିଗଲା । ଟୋପାଏ ଔଷଧ ନ ପାଇ କି ମୁଠାଏ ଆହାର ନ ଖାଇ । ସେ ଭୋକରେ ଶୁଖି ଶୁଖି ଶେଷ ହୋଇଗଲା । ବୋଉର ଦୁର୍ଦ୍ଦିନରେ ସେ ସମବେଦନା ଜଣେଇ ନ ଥିଲା । ସେ କାହିଁକି ଦୁଃସମୟକୁ ନିଜର କରିବ ? ଯଦିବା ବୋଉର ମୃତ୍ୟୁଶଯ୍ୟା ପାଖରେ ସେ ଥାନ୍ତା, ତାକୁ ପୋଲିସ୍‌ ହାତରେ ନାନା ପ୍ରକାର ଦୈହିକ ନିର୍ଯ୍ୟାତନା ସହିବାକୁ ପଡ଼ିଥାନ୍ତା । ଅନେକ ଦିନ ପରେ ବୋଉକୁ ମନେ ପକାଇ ନିରୁତା କାନ୍ଦୁଛି । ନିଜକୁ ସାନ୍ତ୍ୱନା ଦେଉଛି ଲୁହର ମାଧ୍ୟମରେ—ଭଲ କରିଛି ନ ଯାଇ । ପୋଲିସ୍‍ ! ଆଇନ୍‌ ଶୃଙ୍ଖଳାର ପ୍ରହରୀ ସର୍ବଦା ଜାଗ୍ରତ । କିନ୍ତୁ ସେମାନଙ୍କୁ ସେ ଅନ୍ତରସହ ଘୃଣାକରେ ।

 

ହେଇଟି କାଲିପରି ଲାଗୁଛି । ଅବଶ୍ୟ ଘଟଣାଟି ତା’ ଛାତ୍ର ଜୀବନର।ସ୍କୁଲର ହତାକୁ ଲାଗିଥିବା କେଉଁ ନାଇଡ଼ୁ ଭାଇଙ୍କର ମୋଟର ଗ୍ୟାରେଜ ଜଳିଗଲା । ତା’ର ଲକ୍ଷ ଲକ୍ଷ ଟଙ୍କା ପାଉଁଶ ହେଲା । ଏ ସବୁ କିଏ କଲା ଏବଂ କାହାର ଚକ୍ରାନ୍ତରେ ହେଲା ନିରୁତା କିଛି ଜାଣେନି । ଅନ୍ୟଦିନ ହୋଇଥିଲେ ହୁଏତ ସେ ଜାଣିଥାନ୍ତା । ଏମିତି ଧ୍ୱଂସର ତାଣ୍ଡବ ନ ସୃଜିବା ପାଇଁ ବନ୍ଧୁମାନଙ୍କ ଗୋଡ଼ ତଳେ ପଡ଼ି ନେହୁରା ହୁଅନ୍ତା । କିନ୍ତୁ ସେଦିନ ତା’ ବୋଉ ବହୁତ ମନ ଦୁଃଖରେ ଉପଦେଶ ଦେଇଥିଲା—ନିରୁ, ମାହାତ୍ମା ଗାନ୍ଧୀଙ୍କ ସେଇ ମୂର୍ତ୍ତିଟି ସେମିତି ଅସନା ହୋଇ ପଡ଼ିଥିଲେ ବା ତୋର କି କ୍ଷତି ହୁଅନ୍ତା । ତୁ କାହିଁକି ସାଇବାଲାଙ୍କଠୁ ପଇସା ଆଦାୟ କଲୁ । ମୂର୍ତ୍ତି ଦେହରେ ରଙ୍ଗ ବୋଳିଲୁ ? ସେ ମୂର୍ତ୍ତି ସେମିତି ପଡ଼ି ରହିଥିଲେ ତତେ କି ମତେ ଆଜି ଏ ଅପନିନ୍ଦା ସହିବାକୁ ପଡ଼ି ନ ଥାନ୍ତା..... ତା’ପରେ ବୋଉ କାନ୍ଦିଥିଲା ।

 

ନିରୁତା ବି । କାରଣ, ତା’ ବୋଉ କାନ୍ଦୁଛି ।

 

ବୋଉ, କିଏ କ’ଣ କହୁଛନ୍ତି ?

 

କହୁଛନ୍ତି—ନୁରିଆଟା ଚାନ୍ଦା ଆଦାୟ କଲା, କ’ଣ ନା ସବୁ ଖର୍ଚ୍ଚ କରି ଆଉ ବାକି ପଇସା ଖାଇଗଲା । ଏଣୁ ମୋ ସାନକୁହା ମାନ, ଏଣିକି କୌଣସି କାମରେ ଆଗୁଆ ହୋ’ନି ।

ବୋଉ କଥା ସତ । ସମସ୍ତଙ୍କୁ ନିଜର କରିବା ପରିବର୍ତ୍ତେ ନିଜକୁ ଯଦି ସମସ୍ତଙ୍କର କରେଇ ପାରିଥାନ୍ତା ସେଇଟା ତା’ର ବାହାଦୁରି।

ସେଦିନ ରାତିରେ ସେ ଘରୁ ପଦାକୁ ଗୋଡ଼ କାଢ଼ି ନ ଥିଲା । ସେଦିନ ରାତିରେ ମୋଟର ଗ୍ୟାରେଜ୍‍ ଜଳିଲା । ଏବଂ ବିନା ଅପରାଧରେ ନିରୁତାକୁ ଜେଲ୍‌ ହାଜତରେ ରହିବାକୁ ପଡ଼ିଥିଲା । ସାରଙ୍ଗ ବି ଜେଲ୍‌ ଗଲା । ବିନା ଅପରାଧରେ ଦଣ୍ଡ ତା’ର ଚେତନ ଓ ଅଚେତନର ସ୍ତରରେ ବିଦ୍ରୋହର ନିଆଁ ଜଳେଇଲା । ସେ ସେହି ଦିନଠୁଁ ସବୁ କିଛି ବିରୁଦ୍ଧରେ ବିପ୍ଳବ ଘୋଷଣା କଲା ।

ଶୂନ୍ୟତାର ହାହାକାରରୁ ଧ୍ୱଂସର ସୃଜନୀ ବୀଣା ବାଇଲା । ସେ ସୁରରେ ସେ ବାଉଳା ହେଲା । ଆକାଶ ସମୁଦ୍ର ଓ ମାଟିର ଗର୍ଭରେ ଧ୍ୱଂସ ଆଉ ଧ୍ୱଂସର କୋକୁଆ ନାଚିଲା । ଜେଲର ଅନ୍ଧାରୁଆ ସେଲରେ ସେ ଅନେକଥର ସାରଙ୍ଗକୁ ଦାର୍ଶନିକତା ବଖାଣିଲା—ଭଲ ଆଉ ମନ୍ଦ ମଣିଷର ସ୍ୱାର୍ଥ ହାସଲ ପାଇଁ ଗୋଟିଏ ଅମୋଘ ଅସ୍ତ୍ର । ଦୁନିଆଁରେ ଭଲ ବୋଲି କିଛି ନାହିଁ କି ମନ୍ଦ ବୋଲି ବି କିଛି ନାହିଁ । ଭଲ ଆଉ ମନ୍ଦ, ଦେବତା ଆଉ ଦାନବ—ଏସବୁ ମଣିଷର ହାତଗଢ଼ା ଜିନିଷ । ମଣିଷ ଯଦି ଆମକୁ ଏତେ ବିପଦ ଦେଲା ତେବେ ଆମେ କାହିଁକି ମଣିଷକୁ କି ତା’ର ହାତଗଢ଼ା ନୀତିକୁ, ମନଗଢ଼ା ନିୟମକୁ, ମନ୍ଦିରକୁ, ସମ୍ମାନ ଦେବା ? କଥାରେ ଅଛି, ସ୍ୱର୍ଗରେ ଚାକର ହେବା ଅପେକ୍ଷା ନର୍କରେ ରାଜାହେବା ବରଂ ଭଲ । ଆ’ ମୋ ସହିତ ଆ, ଆମେ ଏ ମଣିଷର ନର୍କପୂର୍ଣ୍ଣ ସ୍ୱର୍ଗ ଛାଡ଼ି ଅନ୍ୟ ମଣିଷର ସ୍ୱର୍ଗୀୟ ନର୍କକୁ ଚାଲିଯିବା....

ଆଉ ଥରେ କଥା ଛଳରେ—ଧନ ଥିଲେ ସମ୍ମାନ, ସମ୍ମାନ ଥିଲେ ଜୀବନ । ଆମେ ଯଦି ଆଜି କିଛି ଧ୍ୱଂସ କରି କି ସୃଷ୍ଟି କରି କିଛି ପଇସା ସମ୍ପାତି ପାରିବା, ସେଥିରେ ଆମ ସମ୍ମାନର ମେରୁଦଣ୍ଡ ସଳଖି ହେବ, ଜୀବନ ଆଗେଇବ ।

ତା’ପରେ ଦିନେ ଜେଲ୍‌ର ଉଚ୍ଚା ଉଚ୍ଚା କାନ୍ଥ ଡେଇଁ ସେମାନେ ଆଦିଗନ୍ତ ଅନ୍ଧାରରେ ମିଶିଗଲେ । ସାମ୍ନାରେ ଜୀବନ, ପଛରେ ମରଣ ।

ନିରୁତା ଲୁହ ପୋଛିଲା । ସନ୍ଧ୍ୟା ଅନେକ ବେଳୁ ପାହାଡ଼ର ଚଉଦିଗରେ ନଇଁ ଆସିଲାଣି ।

ସର୍ଦ୍ଦାରର ଆଦେଶ—ଅଭିଯାନ ଆରମ୍ଭ ହେବ । ତା’ପରି ଡକାୟତମାନଙ୍କ ଗୁଳିରେ କେତେଜଣ ନିରୀହ ଲୋକଙ୍କ ମଲାଦେହ ଭୂଇଁରେ ଲୋଟିବ । କେଇଟି ନାରୀର ସୀମନ୍ତିନୀ ଲିଭିବ...

ଭୋକିଲା ପେଟରେ ସେ ଆଗେଇ ଆସିବାକୁ ବାଧ୍ୟ ହେଲା । ଘୋଡ଼ାସବାର ହେବାକୁ ଇଚ୍ଛା ନାହିଁ । ତା’ ଆଗରେ ମରଣର ଢେଉ ନାଚୁଛି । ଢେଉମାନେ ନାଚି ନାଚି ଜୀବନର କୂଳ ଲଙ୍ଘିବାକୁ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସେ କାମନା କରୁଛି—ଏ ଢେଉ ମତେ ସମୁଦ୍ର ଗର୍ଭକୁ, ମହାକାଳର ବକ୍ଷକୁ ଭସେଇ ନିଅନ୍ତା କି ? ଆଜି ମୋର ମୃତ୍ୟୁ ହୁଅନ୍ତା କି ? ମତେ ମୁକ୍ତି ମିଳିଯାନ୍ତା-

ସର୍ଦ୍ଦାର ଏବଂ ଅନ୍ୟମାନେ ଢେର୍‌ ଆଗକୁ ବଢ଼ି ଗଲେଣି ।

ସାରଙ୍ଗ, ମୁଁ ଯିବିନି । ଆ, ଏଇ ରାସ୍ତା ଦେଇ ଆମେ ଲୁଚି ଚାଲିଯିବା । ବହୁତ ବିପ୍ଳବ ହେଲାଣି । ମନ ଚିଟା ଧରିଲାଣି ।

 

ନାଃ ! ସାରଙ୍ଗର ଦୃଢ଼ୋକ୍ତି ।

 

ଆଗରେ ତ୍ରିଛକି ରାସ୍ତା ।

 

ମୁଁ ଆଉ ଯାଇ ପାରୁନି । ନିରୁତା ଘୋଡ଼ା ପିଠିରୁ ତଳକୁ ଓହ୍ଲେଇଗଲା । ଦୂରରୁ ଘୋଡ଼ାର ଟାପୁ ଶବ୍ଦ ମିଳେଇ ଯାଉଛି ।

 

ପାହାଡ଼ିଆ ରାସ୍ତାର ବାଲୁଚରି ମାଟି ଉପରେ ନିରୁତା ଆଣ୍ଠୁ ଉପରେ ମୁହଁ ମାଡ଼ି ବସି ରହିଲା । କେଇଟି ତ୍ରସ୍ତା ପକ୍ଷୀଙ୍କ ଆକୁଳ ଚିତ୍କାରରେ ତା’ ଧ୍ୟାନ ଭାଙ୍ଗିଗଲା ।

 

ଏଇ ପଥ ବହୁତ ଦୂର । ରାତି ନିଦା ଅନ୍ଧକାର । ଆହୁରି ଅନ୍ଧାର ।

 

ନିରୁତା ଏଥର ଉଠିଲା । ସେ ରାସ୍ତାରେ ଚାଲିବ । ଆଗକୁ ବଢ଼ିବ । ଏଇ ରାସ୍ତା ଉପରେ ଡିମାଡିମା ପଥର ପଡ଼ି ରହୁ କି ଅରମା ବଣ ଜମି ଆଉ ତାକୁ ସେ ସଫା ନ କରି ଅନ୍ୟମାନଙ୍କ ପରି ମଣିଷର ପାଦ ପଡ଼ିଥିବା ଧୂଳିଆ ରାସ୍ତାରେ ହିଁ ଚାଲିବ ।

Image

 

ଦୁଃଖାୟିତ ସୁଖ

 

ଏତେ ରାତି ଯାଏଁ କେଉଁଠି ଥିଲୁ ?

 

ସେଥିରେ ତୋ’ର ଯାଏ ଆସେ କ’ଣ ?

 

ମହାଜିତା ନୀରବରେ ଲୁହ ଗଡ଼ାଇଲେ । ଅନୁତାପ କଲେ—ସୂର୍ଯ୍ୟକୁ ପ୍ରଶ୍ନ ପଚାରି ସେ ଭୁଲ୍‌ କରିଛନ୍ତି । ସିଏ ତ ତା’ର ଗର୍ଭଧାରିଣୀ ନୁହନ୍ତି; ତା’କୁ ତ ମାଟିକୁ ଆଣିବା ପାଇଁ ସେ କେବେ ପ୍ରସବ-ଯନ୍ତ୍ରଣା ପାଇ ନାହାନ୍ତି, ଯଦିଚ ସେ ତା’ର ମା’, ବୋଉ ।

 

ସୂର୍ଯ୍ୟ, ମୋ କଥା ମାନ୍‌, ଏ’ ମଦରୁ କ’ଣ ମିଳୁଛି ? ମୋ ଦେହ ଛୁଇଁ ଶପଥ କର...

 

ଯା’, ଆଉ ବେଶି ବକ୍‌ ବକ୍‌ ହୋ’ନି କହୁଛି ।

 

ସୂର୍ଯ୍ୟ !

 

ତାଙ୍କର ମାତୃତ୍ୱ ରକ୍ତାକ୍ତ ହେଲା । ସେ ହିଂସ୍ର ହୋଇ ଉଠୁଥିଲେ । ତଥାପି...ସୂର୍ଯ୍ୟ ତାଙ୍କରି ଗର୍ଭଜାତ ସନ୍ତାନ ନ ହେଲେ ବି ସିଏ ନିଜ ସ୍ୱାମୀଙ୍କ ଔରସରୁ ଜାତ...ସୂର୍ଯ୍ୟ ଗୋଡ଼ ତଳେ ମୁଣ୍ଡ ପିଟି ସେ କଇଁ କଇଁ କାନ୍ଦିଲେ । ସୂର୍ଯ୍ୟ ମଦ ନିଶାରେ ଟଳି ଟଳି ଦି’ତାଲ କୋଠା ଉପରକୁ ଉଠୁଥିଲା । ସିଡ଼ିରେ ମଦର ଭଣ ଭଣ ଗନ୍ଧ ଶ୍ୱେତକେତୁଙ୍କୁ ଅଣନିଶ୍ୱାସୀ କଲା ।ଶୁଖିଲା ଚମ ଘେରା ହାଡ଼ୁଆ ଗାଲ ଉପରୁ ଗଡ଼ି ଆସୁଥିବା ଲୁହ ଦି’ ଧାରକୁ ପୋଛି ସେ ନିଜ ପୁଅକୁ ତାଗିଦ୍‌ କରିବା ଗଳାରେ ପଚାରିଥିଲେ—ତୋ’ର ଏ ଢଙ୍ଗ, ରଙ୍ଗ ମତେ ଜମା ଭଲ ଲାଗୁନି । ଯା’, ଲୋକେ ତୋ’ ନାଁରେ କ’ଣ କୁହାକୁହି ହେଉଛନ୍ତି ଶୁଣିବୁ ।

 

ତୁମେ କାହିଁକି ଏତେ ମୁଣ୍ଡ ଘୂରାଉଛ ?

 

କ’ଣ କହିଲୁ ? ଶ୍ୱେତକେତୁ ରାଗ, ଅଭିମାନରେ ଫାଟି ପଡ଼ୁଥିଲେ ।

 

ଶୁଣା ଗଲାନି ? ତା’ପରେ ସେ ଟଳି ଟଳି କୋଠା ଉପରକୁ ଚାଲି ଯାଇଥିଲା ।

 

ଶ୍ୱେତକେତୁ ତାଙ୍କର ଏଇ ଷାଠିଏ ବର୍ଷର ଜୀବନ ମଧ୍ୟରେ ଆଜି ପରି କେବେ ଏମତି କାନ୍ଦି ନ ଥିଲେ । ଆହତ ପୌରୁଷ ତାଙ୍କୁ ଅନେକ କନ୍ଦାଇଲା ସେ ରାତିରେ । ସେ ବିଶ୍ୱାସ କରି ପାରୁ ନାହାନ୍ତି—ତାଙ୍କରି ଆଖି ସାମ୍ନାରେ, ମୁହଁ ଆଗରେ ତାଙ୍କରି ଔରସରୁ ଜାତ ସୂର୍ଯ୍ୟ ଏମିତି ଟପ୍‌ ଟାପ୍‌ ଜବାବ୍‌ ଦେଇ ପାରିଲା ?

 

ରିଟାୟାର୍ଡ଼ ପ୍ରଫେସର ଡକ୍ଟର ଶ୍ୱେତକେତୁ ଦାସ ଏମ୍‍ତି କାନ୍ଦି ପାରନ୍ତି ! ହଁ, ଆଜି ପରି ଅନ୍ୟ ଏକ ରାତ୍ରିରେ ସେ ଏମ୍‍ତି କାନ୍ଦିଥିଲେ । କିନ୍ତୁ ନିରୋଳାରେ ନୁହେଁ କି ଆଲୋକିତ କୋଠରୀରେ ନୁହେଁ । ସେ କାନ୍ଦିଥିଲେ ଯେଉଁଦିନ ତାଙ୍କରି ମାଆଙ୍କ ମରଶରୀର ନିର୍ଜନ ନଈ ପଠାର ଶ୍ମଶାନରେ ଧୁଧୁ ଜଳୁଥିବା ଜୁଇରେ କଳା ପଡ଼ି ଆସୁଥିଲା । ମାଆଙ୍କୁ ମୁଖାଗ୍ନି ଦେବା ପରେ ତାଙ୍କୁ ଚାରି ଦିଗ ଅନ୍ଧାର ଦିଶିଥିଲା । ଏବଂ ସେଇ ଅନ୍ଧାରୁଆ ବାଲିର ମୌଜାରେ ବସି ସେ ଦୀର୍ଘ ସମୟ ଧକେଇ ଧକେଇ କାନ୍ଦିଥିଲେ ।

 

ଶ୍ୱେତକେତୁ ଆଣ୍ଠୁ ଉପରୁ ମୁହଁ ଉଠେଇ ଛାତ ଉପରକୁ ଶୂନ୍ୟ ଦୃଷ୍ଟି ନେଇ ଚାହିଁବା ଆଗରୁ କାନ୍ଥ ଉପରେ ଝୁଲୁଥିବା ମାଆଙ୍କ ଫଟ ଉପରେ ତାଙ୍କ ନଜର ଅଟକି ଯାଇଥିଲା । ସେ ଲୁହ ପୋଛିଲେ । ନିରେଖି ଚାହିଁଲେ । ଭଲ ଦେଖା ଯାଉନି । ବୟସ ହେଲାଣି । ଆଖିରୁ ଜ୍ୟୋତି ଲିଭି ଲିଭି ଆସୁଛି ।

 

ଏଇ ମା’, ଯିଏ କି ମତେ ଜନ୍ମ ଦେଇଥିଲା, ମୁଁ ଏଇ ମା’ର ପୁଅ । ଶେଷରେ ମୋରି ପାଇଁ ସେ ଆର ପାରିକୁ ଅଦିନରେ ଚାଲି ଯାଇଥିଲା । ତାଙ୍କର ଅନେକ ଇଚ୍ଛା ହେଲା ମା’ ମା’ ରଡ଼ି ଛାଡ଼ି ଜୋରରେ କାନ୍ଦିବାକୁ । କିନ୍ତୁ ଏଇ ବୁଢ଼ା ବୟସରେ ସେ ଆଉ ପିଲାପରି କାନ୍ଦି ପାରିବେନି କି ମାଆର କାନି ପଣତ ଟାଣି ଧୂଳିଆ ପିଣ୍ଡାରେ କାନ୍ଦି କାନ୍ଦି ଗଡ଼ିଯାଇ ପାରିବେନି । ସେ ନିଜକୁ ବହୁତ ଘୃଣା କଲେ–ମୁଁ ମାତୃହନ୍ତା । ତାଙ୍କ କାନରେ ଆଜି ବି ମାଆଙ୍କ କଥା ଟାଇଁ ଟାଇଁ ବାଜୁଛି–ଶିତୁ, ମୁଁ ତୋ’ର ମାଆ । ତତେ ଦଶ ମାସ ଦଶ ଦିନ ପେଟରେ ଧରିଛି । ମୋ’ କଥା ରଖିବୁନି ?

 

କି କଥା ? ଛବିଶ ବର୍ଷର ଯୁବକ ଶ୍ୱେତକେତୁ ମାଆଙ୍କ ମୁହଁ ଉପରକୁ ଭରସି ଚାହିଁ ପାରି ନ ଥିଲେ ।

 

ଯା’, ରୁଜିତା ଆଉ ତୋ’ ପୁଅ ସୂର୍ଯ୍ୟକୁ ଘରକୁ ନେଇ ଆ’...

 

ମା’ ହୋଇ ତୁ ଏ’ କଥା କହି ପାରୁଛୁ ? ମୁଁ କ’ଣ ଚାହିଁ ନ ଥିଲି ରୁଜିକୁ ବାହା ହେବା ପାଇଁ ନା ରୁଜିର ପୁଅକୁ ପୁତ୍ରର ସ୍ୱୀକୃତି ଦେବା ପାଇଁ ? କିନ୍ତୁ ହେଲା କ’ଣ ! ସେ ତ ମତେ ଅସ୍ୱୀକାର କଲା ତା’ ସ୍ୱାର୍ଥ ଦୃଷ୍ଟିରୁ । ଆଉ ମୋର କ’ଣ ସ୍ୱାର୍ଥ ନାହିଁ ? ନା ମୁଁ କ’ଣ ତାକୁ ଅସ୍ୱୀକାର କରି ପାରିବିନି ?

 

ଛାଡ଼, ସେ ଗତ କଥା । ଯା’, ମୋ କଥା ମାନ...

 

ତାଙ୍କରି ସେଇ ନିମ୍ନ ମଧ୍ୟବିତ୍ତ ପରିବାର ଭିତରେ ରୁଜିତା ଆଉ ସୂର୍ଯ୍ୟକୁ କେନ୍ଦ୍ର କରି ମା’ ଓ ପୁଅ ମଧ୍ୟରେ ବହୁତ ଘଟଣା ଘଟି ଯାଇଛି । ସେ ସବୁକୁ ଟିକି ନିଖି ଭାବିଲା ବେଳକୁ ସବୁ ଛନ୍ଦା ଛନ୍ଦି ହୋଇ ଜଟିଳ ଜଣା ଯାଉଛି ।

 

ବୃଦ୍ଧ ଶ୍ୱେତକେତୁ ମୁହଁ ବୁଲେଇ ଆଣିଲେ । ଅତୀତ ତାଙ୍କୁ ଅନେକ ଯନ୍ତ୍ରଣା ଦେଉଛି । ଲୁହ ଦେଉଛି । ମା’ଙ୍କ ଲୁହମାନେ ତାଙ୍କୁ ଅଭିଶାପ ଦେଉଛନ୍ତି—ଶିତୁ, ତୋରି ଲାଗି ମୁଁ ଏତେ ହନ୍ତ ସନ୍ତ ହେଲି । ତୋରି ପାଇଁ ଗୋଟିଏ ସରଳା ବାଳିକାର ଜୀବନ ଜଳିଗଲା । ତୁ କେବେ ସୁଖୀ ହୋଇ ପାରିବୁନି । ତୁ ରୁଜି ପାଇଁ କି ମୋ’ପାଇଁ ଆଜି ନ କାନ୍ଦିଲେ ବି ରୁଜିର ପୁଅ ସୂର୍ଯ୍ୟ ତତେ କାଲି କନ୍ଦାଇବ । ସୂର୍ଯ୍ୟ ଯଦି ନ ପାରେ ତା’ପୁଅ ତତେ ଏମିତି କନ୍ଦାଉଥିବ । ତୋ’ ପେଜୁଆ ଆଖିରୁ ଲୁଣିଆ ପାଣିର ଲୁହ ଗଡ଼ିବନି । ରକ୍ତ ଗଡ଼ିବ, ରକ୍ତ ଝରିବ, ରକ୍ତ...ରକ୍ତ...!

 

ବନ୍ଦ୍‌ କର...ଶ୍ୱେତକେତୁ ପ୍ରଳାପ କଲେ ।

 

ରକ୍ତ...ରକ୍ତ...ରକ୍ତ...!

 

ଓଃ, ବନ୍ଦ୍‌ କର, ବନ୍ଦ୍‌ କର...!!

 

ମହାଜିତା ରନ୍ଧା ଘରୁ ଦୌଡ଼ି ଆସିଲେ ।

 

କ’ଣ ହେଲା? ପାଗଳ ନା କ’ଣ ?

 

ହଁ, ମୁଁ ପାଗଳ । ମତେ ଏ ସୂର୍ଯ୍ୟ ପାଗଳ କରି ଦେଇଛି । ମୁଁ ପାଗଳ...ପାଗଳ...!

 

ମହାଜିତାଙ୍କ ଛାତି ଥରୁଛି ।

 

ଆହେ, ତୁନି ହୁଅ । ବାହାରେ ଅନ୍ୟମାନେ ଶୁଣିଲେ କ’ଣ କହିବେ ?

 

ରକ୍ତର ଶବ୍ଦିକ ତରଙ୍ଗ କଟିଗଲା । ଶ୍ୱେତକେତୁ ପ୍ରକୃତିସ୍ଥ ହେଉ ହେଉ ମହାଜିତାଙ୍କ ଆଖିରେ ଲୁହ ଦେଖି ନିଜ ଲୁହ ସମ୍ୱରଣ କରି ପାରିଲେନି । ଜିତୁ, ଆଜିଠାରୁ ମତେ ଏମ୍‍ତି କାନ୍ଦିବାକୁ ପଡ଼ିବ । ସୂର୍ଯ୍ୟ ପାଇଁ ମୁଁ କ’ଣ ନ କରିଛି...

 

ତା’ କଥା ତ ସେମ୍‍ତି । ପିଲାଟିର କଥାକୁ ଛଳ କରି ତୁମେ ଏମ୍‍ତି ହେଉଛ ? ସେ ପରା ପୁଅ ! ପାଗଳାଟା କିଛି ଜାଣିଲାଣି ! କେବେ ବୁଦ୍ଧି ଶିଖିବ...ଛାଡ଼, ଆସ, ଖାଇବ । ରାତି ଅନେକ ହେଲାଣି ।

 

ନାଃ । ଜମା ଭୋକ ନାହିଁ । ଯା’ ତୁମେ ଖାଇ ନିଅ । ସୂର୍ଯ୍ୟ ଖାଇଲାଣି ?

 

ମହାଜିତା ଶ୍ୱେତକେତୁଙ୍କୁ ବହୁତ ବୁଝାଇଲେ । କିନ୍ତୁ ସେ କେଉଁଥିରେ ବୁଝିବା ଲୋକ ନୁହନ୍ତି । ଯାହା ବୁଝିଥିବେ ସେୟା ।

 

ଉଦବେଳିତ ମାନସିକ ଅବସ୍ଥାକୁ ଉପଶମ ଦେବା ଲାଗି ନୀରବରେ ଲୁହର ନିଶବ୍ଦ ପିଣ୍ଡଦାନ ହିଁ ଏକମାତ୍ର ସାନ୍ତ୍ୱନାର ମାଧ୍ୟମ । ମହାଜିତାଙ୍କ ମନ ଆଉଟୁପାଉଟୁ ହେଲା—ବିଚାରା ଖାଇଲ ନାହିଁ ! କ’ଣ କରୁଛି ? ମନକୁ ମନ ଭାବି ଭାବି ସେ ସିଡ଼ି ଚଢ଼ିଲେ । କୋଠା ଉପରେ ସୂର୍ଯ୍ୟ ଚିତ୍‌ ହୋଇ ଶୋଇଛି । ଦେହରେ କୋର୍ଟ, ପ୍ୟାଣ୍ଟ୍‌, ଟାଇର ଆଭିଜାତ୍ୟପୂର୍ଣ୍ଣ ପୋଷାକ । ସେ ସୂର୍ଯ୍ୟ ମୁଣ୍ଡ ଉପରେ ହାତ ବୁଲାଇ ଆଣିଲେ । କେତେ ସରଳ ସେ ମୁହଁ । ମୁଦା ଆଖିର ଅନ୍ତରାଳରେ କୁଢ଼ କୁଢ଼ ପ୍ରଶାନ୍ତି ! ଚଟାଣ ଉପରେ କାନି ପାରି ମହାଜିତା ଘୁମେଇ ପଡ଼ୁଥିଲେ । ଅନେକ ଚେଷ୍ଟା କରିଛନ୍ତି ଶୋଇବା ପାଇଁ, କିନ୍ତୁ ପାରିଲେନି । ସତରେ ସୂର୍ଯ୍ୟ ଭିତରୁ ପ୍ରକୃତ ମଣିଷ ମା’ର ଗୋଡ଼ ତଳେ ମୁଣ୍ଡ ଛୁଆଇଁ କ୍ଷମା ମାଗୁଛି...ମା’, ମୋ’ କଥାକୁ ଧରିବୁ ନାହିଁ ମା’ । ମୁଁ ତତେ କେତେବେଳେ କ’ଣ କହିଦିଏ । ମୁଁ ଜାଣିପାରେନି । ଏ ମା’, ତୁ କାନ୍ଦନା ମା’ ! ସ୍ୱପ୍ନ ଦେଖିଲା ପରି ମହାଜିତା ଚମକି ଗଲେ । ତନ୍ଦ୍ରାଳସା ଆଖିରୁ ଛାଇନିଦ ଉଭେଇ ଗଲା । ସୂର୍ଯ୍ୟ ଶୋଇଛି । ନିବୁଜ ଓଠ । ମହାଜିତାଙ୍କ ଅଭିମାନ କୁଆଡ଼େ ବାୟେଁ ବାୟେଁ ଚାଲିଗଲା । ସେ ସୂର୍ଯ୍ୟର କପାଳ ଉପରେ ବୋକ ଖାଇଲେ । ପାଖରେ ବସି ରହିଲେ ।

 

ସୂର୍ଯ୍ୟର ଶାନ୍ତ ମୁହଁ ମହାଜିତାଙ୍କ ଅତୀତକୁ ଉତ୍ତେଜିତ କରୁଛି :

 

ସୂର୍ଯ୍ୟ ମନେକରେ ତା’ ବାପା ତା’ର ଅନ୍ତରଙ୍ଗ ଦାନବ । କାରଣ, ତା’ ବାପା ଲାଗି ତା’ ମାଆର ସର୍ବନାଶ ହୋଇଛି । ସେ ଶ୍ୱେତକେତୁଙ୍କ ଉପରେ ପ୍ରତିଶୋଧ ନେବ ବୋଲି ଅନେକ ସମୟରେ ହିଂସ୍ର ହୋଇ ଉଠିଛି । କିନ୍ତୁ ତା’ର ମାନବିକ ବିବେକ ଓ ମହାଜିତାଙ୍କ ଉପଦେଶ ତାକୁ ପ୍ରତିଶୋଧର ପଥରେ ଆଗେଇ ନେଇନି । ସେ’ଦିନ ଶ୍ୱେତକେତୁଙ୍କୁ ମୁହେଁ ମୁହେଁ ଜବାବ୍‌ ଦେଲା–ତୁମେ ପ୍ରବୀଣ ଅଧ୍ୟାପକ ବୋଲି ଡିଣ୍ଡିମ ପିଟୁଛ ନା ? କିନ୍ତୁ ତୁମର କିଛି ଆଦର୍ଶ ଅଛି ? ତା’ ହୋଇଥିଲେ ମୋ’ ବୋଉ ଆତ୍ମହତ୍ୟା କରନ୍ତା କାହିଁକି ?

 

: ସୂର୍ଯ୍ୟ ! ତୁ ଏ ସବୁ କ’ଣ କହୁଛୁ ? ସିଏ ପରା ତୋ’ର ଜନ୍ମଦାତା, ତାଙ୍କୁ ଏମ୍‍ତି କହନ୍ତି-?

 

ମହାଜିତା ଭାବି ପାରୁ ନାହାନ୍ତି—ମଣିଷ ଭିତରୁ ଦାନବ କେମ୍‍ତି ମୁଣ୍ଡ ଟେକି ଚେଇଁ ଉଠେ ?

 

ଆକାଶରେ ବାଦୁଡ଼ିଟିଏ ଡେଣା ଫଡ଼୍‌ ଫଡ଼୍‌ କିରି ଉଡ଼ି ଚାଲିଗଲା । ମହାଜିତାଙ୍କ ସ୍ୱପ୍ନ ଭାଙ୍ଗି ଯାଉଥିଲା । ସେ ଦେଖିଲେ—ଶ୍ୱେତକେତୁଙ୍କ ପଢ଼ାଘରେ ଏ ଯାଏଁ ଆଲୁଅ ଜଳୁଛି । ବୋଧହୁଏ ସେ ଶୋଇ ନାହାନ୍ତି । ତାଙ୍କ ପରି ସେ ବି ଅତୀତର ସମୁଦ୍ର ମନ୍ଥନରୁ ଜାତ ହଳାହଳକୁ ଆକଣ୍ଠ ପିଇ ମରଣାନ୍ତକ ଯନ୍ତ୍ରଣା ପାଉଛନ୍ତି !

 

ଏଇ ସୂର୍ଯ୍ୟପାଖରୁ ସେ ବୋଉ ଡାକ ଶୁଣିଛନ୍ତି । ତା’ର ସମସ୍ତ ଅଳିଅର୍ଦ୍ଦଳିକୁ ସେ ମୁଣ୍ଡ ପାତି ସହି ନେଇଛନ୍ତି । କିନ୍ତୁ ଆଜି......ସୂର୍ଯ୍ୟ ତାଙ୍କୁ କହିପାରୁଛି—ବୋଉ, ତୁ ସ୍ୱାର୍ଥପର । ତୁ ତ ନିଜେ ମା’ ହୋଇପାରିଲୁନି । କିନ୍ତୁ ମୋ’ଠାରୁ ବୋଉ ଡାକ ଶୁଣିଲେ ତୋ’ର କ’ଣ ନାରୀ ଜୀବନର ଗର୍ବ ଶାନ୍ତ ହେଉଛି ? ତୁ କେମ୍‍ତି ମୋ ବାପା ପରି ଏକ ଲମ୍ପଟର ହାତ ଧରିଲୁ ? ଧମପତ୍ନୀ ହେଲୁ-? ୟା ଅପେକ୍ଷା ବରଂ.......ମହାଜିତା ସୂର୍ଯ୍ୟର ଅମଙ୍ଗଳ ମନାସି ପାରି ନଥିଲେ କିନ୍ତୁ ।

 

: ସୂର୍ଯ୍ୟ, କ’ଣ ତତେ ମା’ର ସ୍ନେହ, ଆଦର, ମମତା ଦେଇନି ? ଯଦି ଚାହିଁବୁ, ଆଜି ମୋର ଜୀବନ ବି ତୋ ଲାଗି ଦେବି ।

 

: ବୋଉ, ତୁ ମୋର ଜନ୍ମଦାତ୍ରୀ ନ ହେଲେ ବି ମା’ । ତୁ ମତେ ମା’ର ସବୁ ଦେଇଛୁ । ସେଥିପାଇଁ ମୁଁ ତତେ ସମ୍ମାନ ଦିଏ । ମୁଁ ତତେ ଅନ୍ତର ଦେଇ ମଧ୍ୟ ଘୃଣା କରେ; କାରଣ ତୁ ମୋ ବାପାଙ୍କ ପତ୍ନୀ.....

 

ନୀରବରେ ସେ ଅନେକ କାନ୍ଦିଥିଲେ । କିନ୍ତୁ କୌଣସି ଦିନ ଶ୍ୱେତକେତୁଙ୍କୁ ଏ କଥା ପ୍ରକାଶ କରି ନାହାନ୍ତି । ଜ୍ୱଳନରେ ନିଜେ ଜଳି ଯାଇଛନ୍ତି, ବରଂ କାହାକୁ କହିପାରନ୍ତିନି ।

 

ସୂର୍ଯ୍ୟ କଡ଼ ଲେଉଟାଇଲା । ମେଘମୁକ୍ତ ଆକାଶରେ ଅନେକ ତାରାର ଦୀପାଳି ଦିକ୍‌ ଦିକ୍‌ ଜଳୁଛି; ଏବଂ ସେଇ ଦୀପାଳିମାନେ ତାଙ୍କର ରୁଜିତା, ବାପା, ମା’ ଆଦି ହୋଇ ଶୁଭ ମନାସୁଛନ୍ତି-

 

ଶ୍ୱେତକେତୁ ନିଜକୁ ବହୁତ ଧିକ୍‌କାର କରିଛନ୍ତି । ତାଙ୍କରି ସାମ୍ନାରେ ସୂର୍ଯ୍ୟ ତାଙ୍କୁ ଲମ୍ପଟ କହିଲା ? ଓଃ, କୁଆଡ଼େ ଗଲା ତାଙ୍କର ଧୈର୍ଯ୍ୟ, ସାହସ । ସେ ବୁଢ଼ା ହେଲେଣି । ଜୀବନରେ ସେ ବହୁତ ଶିଖିଛନ୍ତି । ଶିଖେଇଛନ୍ତି । କିନ୍ତୁ ନିଜକୁ କେମତି ଅନ୍ୟର କରି ହୁଏ ତା’ ସେ ଜାଣି ପାରିଲେନି । ଏଣୁ ସୂର୍ଯ୍ୟ ତାଙ୍କୁ ପଦେ ପଦେ କଥାରେ ଅପମାନିତ କରୁଛି ! ପ୍ରତିଶୋଧର ଅଗ୍ନିରେ ଜଳି ଯାଇ ପ୍ରତିଶୋଧ ନେଉଛି, ରୁଜିତା କ’ଣ ସୂର୍ଯ୍ୟକୁ ସତରେ ଉତ୍ତେଜିତ କରାଉଛି—ସୂର୍ଯ୍ୟ ! ତୁ ତୋ’ ବାପା ଉପରେ ପ୍ରତିଶୋଧ ନ ନେଲାଯାଏଁ ଏ ପୁରରେ ମୁଁ ନର୍କର ଯନ୍ତ୍ରଣା । ପାଉଥିବି । ସ୍ୱର୍ଗ କ’ଣ, ଶାନ୍ତି କ’ଣ, କିଛି ଜାଣିପାରୁନି...ତୁ ମୋରି ପୁଅ, ଯଦିଚ ତୁ ଶ୍ୱେତକେତୁଙ୍କ ଔରସରୁ ଜାତ । ପ୍ରତିଶୋଧ ନେବାପାଇଁ କେବେ ଭୀରୁ କାପୁରୁଷ ହୋ’ନି...ତୁ ତ ପୁରାଣଶାସ୍ତ୍ର ପଢ଼ିଛୁ, ଉଚ୍ଚଶିକ୍ଷିତ ହୋଇଛୁ; କିନ୍ତୁ ବୋଉର ଆତ୍ମାକୁ ଶାନ୍ତି କରିବାପାଇଁ ବାପା ଉପରେ ପ୍ରତିଶୋଧ ନେଇ ପାରିବୁନି ?

 

ରୁଜିତାଙ୍କ ଅଶରୀରି କଣ୍ଠ ଶ୍ୱେତକେତୁଙ୍କୁ କଲବଲ କରୁଛି । ସେ ଆଉ କିଛି ଶୁଣି ପାରିବେନି । କାନକୁ ଦି’ ହାତରେ ଚାପି ଧରିଲେ । ତଥାପି ଗୁଞ୍ଜନ । ତଥାପି ଝଙ୍କାର ! ରୁଜିତାଙ୍କ ଅତୃପ୍ତ ଆତ୍ମା ଶ୍ୱେତକେତୁଙ୍କ ଆଖି ଆଗରେ ନାଚି ନାଚି ଅନ୍ଧାରରେ ଲୀନ ହୋଇଯାଉଛି ।

 

ରୁଜି !

 

ହଠାତ୍‌ ନିଜ ସ୍ୱରରେ ଶ୍ୱେତକେତୁ ଚମକି ଗଲେ । ପ୍ରକୃତିସ୍ଥ ହେଲେ । ନିଜକୁ ବିଶ୍ଳେଷଣ କଲେ । ସତରେ ସେ କ’ଣ ରୁଜିତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ! ତାଙ୍କର ଟିକ୍‌ନିଖ୍‌ ମନେ ପଡ଼ୁଛି—କେଉଁ ଏକ ଅଶୁଭ ମୁହୂର୍ତ୍ତରେ ଯୁବକ ଅଧ୍ୟାପକ ଶ୍ୱେତକେତୁ ଦାସ ନିଜର ପ୍ରିୟ ଛାତ୍ରୀ ରୁଜିତା ରାୟଙ୍କୁ ଭଲ ପାଇଥିଲେ । ରୁଜିତାଙ୍କ ଗର୍ଭରେ ଶ୍ୱେତକେତୁଙ୍କ ସନ୍ତାନ ଖେଳି ବୁଲିଲା-। ସେ ତ ଅନୁରୋଧ କରିଥିଲେ—ରୁଜି, ମୁଁ ତୁମକୁ ବାହା ହେବି । ତୁମ ପେଟରେ ବଢ଼ୁଥିବା ମୋର ସନ୍ତାନ ମତେ ପିତୃତ୍ୱର ସମ୍ମାନ ଦେବ । ଏହି ବିବାହରେ ମୋ ବାପା, ମା’ ବନ୍ଧୁମାନେ ସମସ୍ତେ ରାଜି । ତୁମେ ଜଣାଇବ । ଏବଂ ଆହୁରି ଅନେକି କିଛି ସେ ରୁଜିତାକୁ ପତ୍ରଦ୍ୱାରା ଜଣାଇଥିଲେ ।

 

କିନ୍ତୁ ରୁଜିତା ମଣିଷ । ମଣିଷର ମାନବିକ ଅହଙ୍କାର ତା’କୁ ଅମଡ଼ାବାଟରେ ବାଟ କଢ଼େଇଥିଲା ଶିତୁ, ତୁମ ସହ ମୋର ବିବାହ ଅସମ୍ଭବ । ଏଥିରେ ଆମ ଘରେ ସମସ୍ତେ ବିରୋଧ କରୁଛନ୍ତି । ତୁମର ଛୁଆର ଭ୍ରୁଣକୁ ମୁଁ ହତ୍ୟା କଲି । ଉପାୟ ନ ଥିଲା ତା’ ନ କରିବା ଛଡ଼ା । ଆସନ୍ତା ମାସର ପହିଲାରେ ମୋର ବାହାଘର । ସେ ଲଣ୍ଡନରେ ଏମ୍‌.ଏସ. କରୁଛନ୍ତି... ଇତ୍ୟାଦି ।

 

କିନ୍ତୁ ସୂର୍ଯ୍ୟର ମୃତ୍ୟୁ ହୋଇ ନ ଥିଲା ।

 

ରୁଜିତା ବାହାହେଲେ । କିନ୍ତୁ ବିବାହର ଚାରି କିମ୍ୱା ପାଞ୍ଚମାସ ପରେ ଏକ ପୁତ୍ର ସନ୍ତାନର ଜନନୀ ହେଲେ । ସ୍ୱାମୀଦ୍ୱାରା ବହିଷ୍କୃତା ହେଲେ । ଶ୍ୱେତକେତୁଙ୍କ ପାଖରେ ତାଡ଼ା ତାଡ଼ା ଚିଠି ପହଞ୍ଚିଲା—ସୂର୍ଯ୍ୟ ଦେଖିବାକୁ ଠିକ୍‌ ତୁମ ପରି, ତୁମରି ଆଖି, ତୁମରି ପାଦ, ତୁମରି ନାକ, ତା’ପରେ ଅନେକ ଅନୁରୋଧ, ଅନେକ ଲୁହ...କିନ୍ତୁ ନାରୀ ଆଖିର ଲୁହରେ ଶ୍ୱେତକେତୁଙ୍କ ଆହତ ପୌରୁଷ ଜମା ତରଳି ପାରିଲାନି—ରୁଜି ମୋର ପତ୍ନୀ ହେଲେ ମୋ ପୌରୁଷର ମୃତ୍ୟୁ ହେବ, ମୋ ଭିତରୁ ମାନବିକ ମୂଲ୍ୟବୋଧ ଲୋପ ପାଇଯିବ...ରୁଜି ନିଜର ଅହମିକାଦ୍ୱାରା ନଷ୍ଟ ହେଲେ । ଶ୍ୱେତକେତୁ ନିଜର ଅଭିମାନଦ୍ୱାରା ତିଳେ ତିଳେ, ପଳେ ପଳେ ନଷ୍ଟ ହେଉଛନ୍ତି । ତାଙ୍କରି ହୃଦୟକୁ ପାହାଡ଼ ଉପରେ ଚିଲ ଶାର୍ଗୁଣାର ଆହାର ହେବାକୁ ପଡ଼ୁଛି...

 

ରୁଜିତା ଆତ୍ମଘାତୀ ହେଲେ । ସୂର୍ଯ୍ୟକୁ ଶ୍ୱେତକେତୁ ସମାଜ ଆଖିରେ ପୁତ୍ରର ସମ୍ମାନ ଦେଲେ । ତା’ପରେ ମହାଜିତାଙ୍କ ସହ ତାଙ୍କର ମହାପ୍ରସାଦ ନିର୍ବନ୍ଧ ଉଠିଲା । ମହାଜିତାଙ୍କ ସେଇ ସୂର୍ଯ୍ୟୋଦୀପ୍ତ ଦୁଇଟି ଆଖି ସାମ୍ନାରେ ସେ ନିଜର ଦୋଷ ନିଃଶବ୍ଦରେ ସ୍ୱୀକାର କଲେ—ଜିତୁ କ’ଣ ଜାଣେ ମୋ ପୁତଗନ୍ଧମୟ ଅତୀତ ? ସିଏ କ’ଣ ଜାଣେ ଯେ ମୁଁ ଗୋଟିଏ ପୁତ୍ରର ଜନକ ? ସେ କ’ଣ ଜାଣିଛି ଯେ ତା’ପରି ଏକ ସୁନ୍ଦରୀ ତରୁଣୀ ପାଇଁ ମୁଁ ତା’ର ଇପ୍‌ସିତ କଳଙ୍କିତ ପୁରୁଷ ? ତାଙ୍କୁ ବିବେକ ବାଧ୍ୟ କରୁଥିଲା—ଶିତୁ, ବିବାହର ବନ୍ଧନରେ ବାନ୍ଧିହେବା ଆଗରୁ ତୁ ଜିତୁକୁ ତୋ’ ଅତୀତର କଳଙ୍କମୟ ଇତିହାସ ଶୁଣେଇ ଦେ.....କିନ୍ତୁ ତାଙ୍କ ଅନ୍ତରାତ୍ମାର ଗମ୍ଭୀରାରୁ ଧୈର୍ଯ୍ୟମାନେ ଆଲୋକର ଦିହୁଡ଼ି ଦେଖାଇବା ପରିବର୍ତ୍ତେ ବ୍ରୁଟାସ୍‌ର ନୀତି ବଖାଣିଲେ—ଶିତୁ, ଆଲୋକରେ ଉଲଗ୍ନ ହୋଇ ନାଚିବା ଅପେକ୍ଷା ଅନ୍ଧାରରେ ଘୁମନ୍ତ ନିଦ୍ରାକୁ ନିଜର କରିବା ବରଂ ବନ୍ଦନୀୟ ।

 

ସୂର୍ଯ୍ୟ ନିଦରେ ବିଳିବିଳେଇ ହେଉଛି । ଖୋଲା ଆକାଶରୁ ଶିଶିର ବିନ୍ଦୁମାନେ ଶାଢ଼ିରେ ଲଟକି ଯାଉଛନ୍ତି । ମହାଜିତା ଶୋଇବା ପାଇଁ ଚେଷ୍ଟା କଲେ । ରାତି ପାହିବାକୁ ଅନେକ ଡେରି । ଅତୀତର ସ୍ମୃତିମାନେ ସୂର୍ଯ୍ୟର ସରଳ ମୁହଁ ଉପରେ ଆଉଜି ନାଚୁଛନ୍ତି । ମହାଜିତା ଗୁଣୁଗୁଣୁ ହେଲେ—ସୂର୍ଯ୍ୟ, ତୁ ମୋତେ ମାତୃତ୍ୱର ସମ୍ମାନ ଦେଇଛୁ । ମୋ ନାରୀ ଜୀବନର ପରମ ଆତ୍ମତୃପ୍ତି ମୁଁ ନୁହେଁ । ନୁହନ୍ତି ବି ତୋ’ ବାପା । ତୁ ହିଁ ମୋ ଜୀବନର ସାର୍ଥକ ଗର୍ବ । ତୁ-ରୁଜିତାର ପୁଅ ହେଲେ ବି ମୁଁ ତୋ’ ମା’...ଛିଃ, ପାଗଳ; ବାପାଙ୍କୁ ଏମିତି କହନ୍ତି—ତା’ପରେ ମହାଜିତା ଲୁହ ପୋଛିଲେ ।

 

ମହାପ୍ରସାଦ ନିର୍ବନ୍ଧ ପରେ ପରେ ମହାଜିତା ଶ୍ୱେତକେତୁଙ୍କ କଳଙ୍କିତ ଇତିହାସ ଜାଣି ପାରିଛନ୍ତି । ଘରେ ଏହି ବିବାହରେ କେହି ସନ୍ତୁଷ୍ଟ ନୁହନ୍ତି । କିନ୍ତୁ ମହାଜିତାଙ୍କ ଜିଦ୍‌ ଆଗରେ ସମସ୍ତେ ହାର ମାନିଛନ୍ତି । ବିବାହ ହୋଇଛି ।

 

ତାଙ୍କ ବିବାହର ଶୁଭଶଙ୍ଖ ବାଜିବାର କିଛି ଦିନ ପୂର୍ବରୁ...ଅତୀତ ମୂର୍ତ୍ତିମନ୍ତ ହେଇଛି—ମହାଜିତାଙ୍କ ଅନ୍ତରଙ୍ଗ ବାନ୍ଧବୀ ସୁଷମା ପ୍ରଶ୍ନ କରିଥିଲେ ଜିତୁ, ତୁ ସେଇ ଅଧ୍ୟାପକଙ୍କୁ ବାହା ନ ହେଲେ କ’ଣ ଜୀବନ ସାରା ଅଭିଆଡ଼ି ହୋଇ ରହିଯିବୁ ବୋଲି ଡରୁଛୁ ? ତୁ ଚାହିଁଲେ ଆହୁରି ସୁନ୍ଦର, ଆହୁରି ଶିକ୍ଷିତ ବର ମିଳିବେ । ତୋ’ର କ’ଣ ଅଭାବ ?

 

ସୁ, ମୋର ଯାହା ଅଭାବ ତୁ କ’ଣ ଜାଣୁନ ? ମୁଁ ହୁଏତ କେଉଁ ପୁରୁଷର ପତ୍ନୀ ହୋଇପାରେ, କିନ୍ତୁ କାହାର ମା’ ହୋଇ ପାରିବିନି...କହୁ କହୁ ମହାଜିତା କାନ୍ଦି ଉଠିଥିଲେ । ଲୁହ ପୋଛି ନିଜକୁ ସାନ୍ତ୍ୱନା ଦେବା ଭଙ୍ଗୀରେ କହିଥିଲେ—ମୁଁ ମୋ ସ୍ୱାମୀଙ୍କୁ ମୋ ଗର୍ଭଜାତ ପୁଅ, ଝିଅ ଦେଇ ପାରିବିନି । କିନ୍ତୁ ତାଙ୍କ ଔରସଜାତ ପୁଅ ସୂର୍ଯ୍ୟ ମୁହଁରୁ ମା’ ଡାକ ଶୁଣି ପାରିବି ? ମୁଁ ବନ୍ଧ୍ୟା । ଏହି ବନ୍ଧ୍ୟାତ୍ୱରୁ ମୁକ୍ତି ପାଇବା ପାଇଁ ବାପା ମତେ ବହୁତ ଡାକ୍ତରଙ୍କୁ ଦେଖାଇଛନ୍ତି । ମୁଁ ଔଷଧ ଖାଇଛି । ମୋର ଅପରେସନ୍‌ ହୋଇଛି । କିନ୍ତୁ ବିଧାତାର ଯାହା ଇଚ୍ଛା ତା’କୁ... ବାଷ୍ପାକୁଳ କଣ୍ଠ ରୋକି ଦେଇଥିଲା ।

 

ସୁଷମାଙ୍କ ଆଖିରେ ବି ଲୁହର ଫଲ୍‌ଗୁ ।

 

ତାଙ୍କ ମଧୁଶଯ୍ୟାର ରାତି । ଜୀବନରେ ପ୍ରଥମ ପୁରୁଷର ପ୍ରଥମ ମଧୁଭରା ବାସନ୍ତୀ ଅନୁଭୂତି ।

 

ଦରଫାଙ୍କ ଦରଜା ହଠାତ୍‌ ଖୋଲିଗଲା । ମଧୁଶଯ୍ୟା ଉପରେ ସୂର୍ଯ୍ୟ ଶୋଇଛି । ଗୁଲୁଗୁଲିଆ ମୁହଁରେ ଦରୋଟି ଦରୋଟି ଭାଷା ଖେଳି ଯାଉଛି ।

 

ଶ୍ୱେତକେତୁଙ୍କ ବାହୁ ବନ୍ଧନୀ ଭିତରେ ହଜି ଯାଉଯାଉ ମହାଜିତାଙ୍କ ଆଖିରୁ ଦି’ଟୋପା ଲୁହ ସୂର୍ଯ୍ୟର ଗାଲ ଉପରେ ଗଡ଼ିଗଲା । ଚାଉଁକିନା ନିଦ ଭାଙ୍ଗିଗଲା ।

 

ସୂର୍ଯ୍ୟ ନିଦରୁ ଉଠିଲା ।

 

ଖୋଲା ଆକାଶର ପୂର୍ବ ଦିଗରେ ସିନ୍ଦୂରା ଫାଟି ଆସିଲାଣି । ସୂର୍ଯ୍ୟ ମହାଜିତାଙ୍କ ଲୁହଭିଜା ଆଖିକୁ ଭରସି ଚାହିଁ ପାରୁନି ।

Image

 

Unknown

ଭଙ୍ଗା ଚୌତରାରେ ସଞ୍ଜଦୀପ

 

ଚଉକଶ ହୀନ, ଜୌଲୁସ୍‌ ବିହୀନ, ଅଲରା ଅଲରା ମୁହଁରେ ଉପରେ ପଡ଼ି ଦେଖେଇ ହେଉଥିବା ଦରପୋଡ଼ା ବାଇଗଣୀ ରଙ୍ଗକୁ ପଲସ୍ତର ପଲସ୍ତର ମେକାପ ତଳେ ଲୁଚେଇ ରଖିବା ପାଇଁ ରାଣୀ ସଞ୍ଜବେଳୁ, ହଁ ପ୍ରାୟ ଭିଣାତୁଳା ଭଳି ଅନ୍ଧାରରୁ ଅଦମ୍ୟ ଚେଷ୍ଟା କରି କରି ଥକି ଗଲାଣି-। କିନ୍ତୁ କେଉଁ ଏକ ଉତ୍ତେଜନା ଜନ୍ମିତ ଅହେତୁକ ଘର୍ମର ଝାଞ୍ଜି ହାଓ୍ୱାରେ ସେଗୁଡ଼ିକ ତରଳି ଯାଉଛି-। ଯେମିତି ପୁରୁଣା ପ୍ଲାଷ୍ଟେରିଂମାନେ ଲୁଣାପବନ ଖିଆ ଇଟା ଉପରୁ ଦୁଲ୍‌ଦାଲ୍‌ ତଳକୁ ଲମ୍ଫ ଦେଉଛନ୍ତି । ରାଣୀର ଧୈର୍ଯ୍ୟଚ୍ୟୁତି ଘଟୁଛି । କେଉଁଥିରେ ହେଲେ ଏ ପୋଡ଼ାଜଳା ରଙ୍ଗ ଲୁଚିବାର ନୁହେଁ ।

 

ରାଣୀ ଜାଣି ପାରୁନି, ତା’ ନିଜ ହାତ ବାଜି ଦର ଆଉଜା ଦରଜାଟା ଆଁ କଲା । ସେ ପ୍ରସ୍ତୁତି ନେଇ ଉଠିଲା । ହଁ, ନିଶ୍ଚୟ କିଏ ଆସିଲେ ! ଜାଣିଲା କିନ୍ତୁ ପରଖିଲା ପରେ—ଏ ସବୁ ତା’ ଉତ୍ତେଜନାର ଫଳ । କବାଟ କିଳି ଛିଣ୍ଡା ସପ ଉପରେ ବସିଲା । ତା’ର ଆଜି ମନ ବଳୁନି ଘର ଭିତରେ ଅସ୍ତବ୍ୟସ୍ତ, ଅସଜଡ଼ା ବିଛଣା, ମଶିଣାକୁ ରାତିର ଅଭିସାର ଅର୍ଥେ ସଜାଡ଼ିବା ପାଇଁ । ମେକପ୍‌ଗୁଡ଼ିକ ଝରି ଝରି ହୋଇ ତଳକୁ ବୋହି ଆସୁଛି । କେଉଁ ବାଡ଼ ବତା ଦେଇ ବା ସେଗୁଡ଼ାକୁ ସିଏ ଅଟକାଇବ ! ଉଜାଣି ସୁଅରେ ଆନିକଟ ବାନ୍ଧି ବାଟ ଓଗାଳିବ !

 

ହଁ । ଏ ରଙ୍ଗରେ ବୟସର ଛାପ ଲୁଚିବ ନାହିଁ । ସେ ଟିକେ ଭାବପ୍ରବଣ ହୋଇ ଉଠିଲା–ମଣିଷ ସବୁ କିଛିକୁ ଲୁଚେଇ ପାରେ । କିନ୍ତୁ ସେ ସମୟ ଆଗରେ ବୟସ ସାମ୍ନାରେ ଏବଂ ସେମାନଙ୍କ ଉତ୍‌ପାତ ସମ୍ମୁଖରେ ହାର ମାନେ । ସେ ଘୋଷଣା କରିପାରେ, ହେ ସମୟ, ହେ ବୟସ, ହେ ମୋର ସର୍ବ ରଙ୍ଗ ଗଣ, ତମକୁ ଠକିବା, ନିଜେ ଭଣ୍ଡ ପ୍ରତାରକ ହୋଇ ବାଟବଣା କରେଇବା କାଠିକର ପାଠ । ରାଣୀ ଚିରା କାନି ପଣତରେ ମୁହଁ ପୋଛିଲା । ଉପନିବେଶ ସାଜିଥିବା ପେଣ୍ଟିଂମାନେ ସ୍ୱଇଚ୍ଛାରେ ବାହୁଡ଼ାଯାତ୍ରା ଆରମ୍ଭିଲେ । ସେ ଫେର୍‌ ପ୍ରସ୍ତୁତ ହେଲା । ସନ୍ଧ୍ୟାର ଅନ୍ଧକାରରେ ଶାଗୁଣା ପରର ରଙ୍ଗ ମାଖି ହେଉଛି । ନା, ଆଜି ରାତିକ ଯେମିତି ହେଲେ ଚଳିଯାଉ । ସେମାନଙ୍କ ଆସିବା ବେଳ ହେଲାଣି । ସାମାନ୍ୟ ଡେରି ହେଲେ ସେମାନେ ଫେରିଯିବେ । ଏବଂ ପରିଣାମ ସ୍ୱରୂପ କାଲି ଦିନ ତମାମ୍‌ ତା’କୁ ଭୋକରେ ଆଉଟୁ ପାଉଟୁ ହେବାକୁ ପଡ଼ିବ । ବହିଯିବା ସୁଅ ହୁଏତ ଘାଟକୁ ଫେରିବ । କିନ୍ତୁ ଦିନେ ବାହୁଡ଼ି ଯାଇଥିବା ନିଶାଚରମାନଙ୍କୁ କାଲି ସେ ନିଜର କରି ପାରିବନି ।

 

ରାଣୀର ଭୟ—ଯଦି ତା’ ଢାଙ୍କୁଣୀହୀନ ମୁହଁଟି ସେମାନଙ୍କ ମନରେ କିଛି ବିକାର ସୃଷ୍ଟି କରାଏ...ତେବେ ? ଭାବିଲାବେଳକୁ ତା’କୁ ନିଃସହାୟ ଲାଗୁଛି । ତା’ର ହୋଇ ଆଉ କୌଣସି ପୁରୁଷ ନାହିଁ । ରାଣୀ ଦୃଢ଼ ହେଲା । ଯେତେ ସମୟ ଲଗୁ ପଛକେ ମୁହଁରେ ରୁଜ୍‌, କ୍ରିମ୍‌, ଟାଲକମ୍‌, ପୁନଶ୍ଚ ବୋଳି ହେବ । ଅନ୍ତତଃ ସେଇ କୁରୂପା ରଙ୍ଗଟା ବିଷର୍ଣ୍ଣ ଦିଶିବା ଯାଏଁ । ରାଣୀ ଦାଣ୍ଡ ପଟ ଦରଜା ମେଲାକରି ବାଡ଼ି ପଟ ଭଙ୍ଗା କୂଅ ଦିଗରେ ପାଦ କାଢ଼ିଲା । ଘର ଭିତରେ ଦିକିଦିକି ଜଳୁଥିବା ଦୀପର କୌଣସି ପଦାର୍ଥକୁ ସ୍ପଷ୍ଟରୂପେ ବାରି ହେଉ ନ ଥିବା ଆଲୋକ ମହମବତୀ ଖଟ ଉପରେ ଶୋଇଛନ୍ତି । ସେମାନଙ୍କୁ ସେ ଜାଗ୍ରତ କରି ପାରୁନି । କାରଣ ସେମାନେ ଆସିଲେ ମଜା ମଉଜ ପାଇଁ ଆଲୋକ ଲୋଡ଼ିବେ ।

 

ମେକାପ୍‌ ନେବାପାଇଁ ଏଥର ପୁରା ଦମରେ ରାଣୀ ଆଗେଇ ଆସିଲା । ପାରଦହୀନ ଆଇନାରେ ନିଜର ପ୍ରତିବିମ୍ୱ ଦେଖି ସେ ଚମକି ଉଠିଲା । ନିଜ ପ୍ରତି ତା’ର ଭୀଷଣ ଦୟା ହେଲା । ଓହଳି ଆସୁଥିବା ଚିବୁକ ଉପରେ କ୍ରିମ୍‌ ମାଖୁ ମାଖୁ ସେ ଅସ୍ଥିର ହୋଇ ଉଠିଲା । ରାତି ନ’ ବାଜିବାକୁ କେଇ ମିନିଟ୍‌ ବାକି । ହଁ, ଏଥର ସେମାନେ ଗୋଟି ଗୋଟି ହୋଇ ଆସିବେ ।

 

ଘର ଭିତରେ ଆଜି ରୋଶଣୀ ଦୌଡ଼ ହେଉନି । ରାଣୀ ଏ ଅନ୍ଧାର ଭିତରେ ଲୁଚିବ । ସେ ଯାହା ନୁହେଁ ତା’ ବୋଲି ଅନ୍ୟମାନଙ୍କ ଆଗରେ ଅଭିନୟ କରିବ । ଗେଲରେ ଉଲେଇ ହେବ, ଗରାଖ ପାଖରେ ମଉଜ କାଢ଼ିବ ।

 

ଆଃ: ବଞ୍ଚିବା ଏଣିକି ତା’ପାଇଁ ଦୁର୍ବିସହ ସଂଗ୍ରାମ ! ତା’ର ଆଉ ସେଇ ପୂର୍ବର ବୟସ ନାହିଁ, ଉଦ୍ଦାମତା ନାହିଁ, ମାଂସର ସ୍ୱାଦରେ ବାଉଳା ହେବାପାଇଁ । ତଥାପି ସେ ବଞ୍ଚିବ । ଯେତେଦିନ ଯାଏ ଏ ପିଣ୍ଡରୁ ଜୀବନ ଅନ୍ୟ ଜଗତକୁ ଯାଇନି, ସେତେଦିନ ଯାଏ ତା’କୁ ଏମ୍‍ତି ମେକାପ୍‌ ନେବାକୁ ପଡ଼ୁଥିବ । ଅନ୍ୟକୁ ଦେହ ଦାନ ଦେବାକୁ ପଡ଼ିବ । କିଛିଟା ପଇସା ପାଇଁ ତା’ ଭିତରେ ସେ ମରୁଭୂମି ସାଇତିବ । ଜଳନ୍ତା ଅପରାହ୍ନକୁ ନିଜର କରିବ, ଜୀବନ୍ତ ଯନ୍ତ୍ରଣାର ଦୋଳିରେ ପୁଷ୍ପହୀନ ଝୁଲନ୍ତ ଉଦ୍ୟାନ ହେବ ।

 

ଆଜି ଯେମ୍‌ତି ସବୁଥିରେ ବ୍ୟତିକ୍ରମ । ତା’ ଚାରି ପାଖର ପୃଥିବୀରେ ଅନେକ ରଙ୍ଗହୀନ, ବେସୁରା ଅପରାହ୍ନ । ଏଥର ମେକାପରେ ମନ ନ ଦେଇ ମଦ ବୋତଲ, ଗ୍ଲାସ, ବୁଟସିଝା, ଫୁଲଝରି ଠିକ୍‌ଠାକ୍‌ କରିବାରେ ରାଣୀ ବ୍ୟସ୍ତ ରହିଲା । ସମୟ ନିକଟ ହେଲାଣି । ତା’ର ଇଚ୍ଛା ହେଉନି ସିନ୍ଦୁକରୁ ଭାଙ୍ଗ ପଡ଼ିଥିବା ଶାଢ଼ି ଖୋଲି ଖାଲି ପିନ୍ଧିବା ପାଇଁ । ଦେହରେ ଆଖି ବୁଲେଇଲା-। ସ୍ଥାନେ ସ୍ଥାନେ ମାଂସମାନେ ମୁନ୍ଦା ମୁନ୍ଦା ଜଣାଗଲେ ।

 

କାହିଁ ଏ ଯାଏ କାହାର ଦେଖା ନାହିଁ । ସେ ଦାଣ୍ଡ ବାରଣ୍ଡା ଉପରକୁ ଉଠି ଆସିଲା । ଚତୁର୍ଦ୍ଦିଗ ଅନ୍ଧାରର କିମିଆରେ ସ୍ତମ୍ଭୀଭୂତ । ଡାକ ଛାଡ଼ିଲା—ରାମୁ, ଏ ରାମୁ...

 

ଯାଉଛି । ସାମ୍ନା ଚାଳିରୁ ଏକ ଭଙ୍ଗା ସ୍ୱର ।

 

ସେଇ ଛୋଟିଆ ପାନ ଦୋକାନ ଭିତରୁ ରାମୁ (ଏକ ଦରବୁଢ଼ା) ରାଣୀର ବାରଣ୍ଡା ଉପରକୁ ଉଠି ଆସି ଘର ଭିତରକୁ ଯିବ ବୋଲି ତରତର ହେଲା ।

 

ରାଣୀଲୋ ! ଆଜିକାଲି ତ ବ୍ୟବସାୟ ବହୁତ ମାନ୍ଦା । ତୋ’ ଗରାଖମାନଙ୍କର ଦେଖା ନାହିଁ କି ମୋ’ ଦୋକାନରେ କାହାରି ଭିଡ଼ ନାହିଁ ।

 

ଛାଡ଼୍‌, ମଦ ଆଣିଛୁ ତ ?

 

ହଁ ! ରାମୁ । ଅନେକ ବ୍ୟଥାଦାୟକ ସ୍ମୃତିର ଉଦ୍ରେକ । ବିଚାରା, କେଉଁ ଆଶାରେ ବା ସେ ଏଠି ପଡ଼ି ରହିଛି । ତା’ ମୁହଁ ତ ବିବର୍ଣ୍ଣ ହେଲାଣି; ଦେହରୁ ତା’ର ଯୌବନର ଫୁଲମାନେ ସମୟାନୁକ୍ରମେ ଝଡ଼ିବାକୁ ଲାଗିଲେଣି । ରାଣୀର ଦେହ, ହାତ ସର୍ବାଙ୍ଗ ଫୋକା ଫୋକା । ତା’କୁ କୁଆଡ଼େ ଦୁରାରୋଗ୍ୟ ବ୍ୟାଧି ହେଇଛି । ଦୁଇ କକ୍ଷଚ୍ୟୁତ ଆତ୍ମାକୁ କେଉଁ ଅଦୃଶ୍ୟ ଶକ୍ତି ଯେ ଆଜିଯାଏ ଏକ ଅଦେଖା ଶକ୍ତ ବନ୍ଧନରେ ବାନ୍ଧି ଦେଇଛି ସେ ଦିହେଁ ଯେତେ ଚେଷ୍ଟା କଲେ ବି ତା’ କୂଳ କିନାରା ପାଇ ନାହାନ୍ତି । ରାଣୀର ଇଚ୍ଛା ହେଲା ସେ ଆଜି ମନ ଭରି କାନ୍ଦିବ । ଲୁହର ଶ୍ରାଦ୍ଧରେ ତା’ ଅତୃପ୍ତ ପ୍ରାଣ ଶାନ୍ତ ହେବ । ସେ ପ୍ରାୟଶ୍ଚିତ କରିବ । ଭଗବାନ ତା’ ଉପରେ ପ୍ରସନ୍ନ ହେବେ । ଏ ଜୀବନରେ ଯଦିଚ ସେ କିଛି ସୁଖ, ସମ୍ମାନ ନ ପାଇଲା ନାହିଁ । ପର ଜୀବନରେ, ମୃତ୍ୟୁ ପରେ ତା’କୁ ପରିତ୍ରାଣ ମିଳିବ । ଅନ୍ୟ ଜନ୍ମ ପୂର୍ବରୁ ନର୍କର ହରିତ୍‌ ଅଗ୍ନିରେ ତା’ ଆତ୍ମା ଡହଳ ବିକଳ ହେଲେ ବି କିଛି ସମୟ ପାଇଁ ସେ ସ୍ୱର୍ଗର ଆଭା ଦର୍ଶନ କରନ୍ତା କି ?

 

ରାଣୀ ଶିହରି ଉଠିଲା । ସ୍ୱର୍ଗ ! ଯେଉଁଠି ବୈଡ଼ୁର୍ଯ୍ୟର ସୂର୍ଯ୍ୟ ଦେହରୁ ହୀରାର ଜ୍ୟୋତି ବହନ କରି ସ୍ୱର୍ଣ୍ଣାଭ ରଶ୍ମି ବିଛୁରି ପଡ଼େ । ସ୍ୱର୍ଗ—ଯେଉଁଠି ମଣିଷ ମୃତ୍ୟୁ ସଞ୍ଜୀବନୀ ଅମୃତ ପାଏ, ସୁନାର ଜଳରେ ଦେହକୁ ପଖାଳି ମୋତି ମାଣିକ୍ୟର ଅନ୍ନ ଭୁଞ୍ଜି ଥାଏ । ସେ ପ୍ରାର୍ଥନା କରିବ—କାନ୍ଥ ଆଡ଼େ ମୁହଁ ବୁଲେଇଲା । କାନ୍ଥ ଉପରେ ଗଦା ଗଦା ଆବକ୍ଷ ଖୋଲା ନାରୀ ଆଉ ପୁରୁଷର ନଗ୍ନ ଯୁଗଳ ମୂର୍ତ୍ତି । ରାଣୀ ଆଖି ବନ୍ଦକଲା—ପ୍ରଭୁ ! ମତେ ମୁକ୍ତି ଦିଅ...ମତେ ନର୍କକୁ ଠେଲି ସ୍ୱର୍ଗକୁ ପଠାଅ । ଯାହା ହେଲେ ବି ମୁଁ ତୃପ୍ତ । କିନ୍ତୁ ମତେ ପୁନର୍ବାର ଜୀବନ ଦିଅନି, ଜୀବନ ପାଇଁ ଏ ମଣିଷର ମର୍ତ୍ତ୍ୟକୁ ପୁନର୍ବାର ପଠାଅନି ! ମୃତ୍ୟୁ ହିଁ ମୋର କାମ୍ୟ, ମୃତ୍ୟୁ ହିଁ ମୋ ରକ୍ଷା କବଚ, ମୃତ୍ୟୁ ହିଁ ମୋ ଜୀବନର ଏକମାତ୍ର ଶାନ୍ତି ଆଉ ପ୍ରଶାନ୍ତିର ସାଥି ।

 

କିଏ ଜଣେ ରାଣୀ ପାଇଁ ଜୁଟିବ ବୋଲି କିମ୍ୱା ତା’ ଦୋକାନରୁ ମଦ ଗ୍ଲାସେ ବିକ୍ରିହେବ ବୋଲି ରାମୁ ପାନ ଦୋକାନରେ ଢୁଳାଉଚି ।

 

ରାଣୀ ଚଟାଣ ଉପରୁ ମୁଣ୍ଡ ଉଠେଇଲା । ତା’ କାନ ପାଖରେ ହଠାତ୍‌ ଗୁମୁରି ଉଠିଲା ଦୂରରୁ ଭାସି ଆସୁଥିବା ଝମର୍‌ ଝମର୍‍ ନୃତ୍ୟର ଝୁମ୍‌ ଝୁମ୍‌ ତାନ, ହାରମେ ନିୟମ୍‌ ସୁରତରଙ୍ଗ । ସେ ଅଶାନ୍ତ ହୋଇ ଉଠିଲା । ତା’ ମନ ସେଇ ସୁର ଆଉ ସୁରର ସ୍ରଷ୍ଟା ବିରୁଦ୍ଧରେ ବିଦ୍ରୋହ କରିବା ହେଲା । ତା’ ସ୍ୱାର୍ଥ ଉପରକୁ ଆଜି ସମସ୍ତେ ସଂଘବଦ୍ଧ ହୋଇ ଉଭୟ ଲୁହାର ମୂଷଳ ଫିଙ୍ଗୁଛନ୍ତି । ତା’ ପୃଥିବୀ ଆଜି ସତେ ସ୍ଥବିରା, ସେଥିରେ କୌଣସି ପ୍ରକାର ସୁଶୀଳ ଚେତନା ନାଇଁ । ରାଣୀ ଦି’ କାନକୁ ଚାପି ଧରିଲା । ତଥାପି ଶାବ୍ଦିକ୍‌ ଗୁଞ୍ଜନମାନେ ତା’ ପାଖରେ ଖିଲ୍‌ ଖିଲ୍‍ ହସୁଛନ୍ତି । ନା, କୌଣସି ବାଧା ବନ୍ଧନ ସେ ଝଙ୍କାରକୁ ରୋକି ପାରିବନି ।

 

ସେ ମାନିନେବ, ସେମାନଙ୍କ ଯୌବନ ଅଛି । ସେମାନଙ୍କ ମାଂସରେ କବିତା ଲେଖିବା ପାଇଁ ଅନେକ ଆଗ୍ରହୀ, ତାଙ୍କରି ଦର-ଆଉଜା କବାଟ ପାଖରେ କ୍ୟୁ ବାନ୍ଧି ଟିକିଏ ସ୍ପର୍ଶ ପାଇଁ ଆତୁର ପ୍ରତୀକ୍ଷା ନେଇ ଏଇ ସମାଜର ସବୁ କିସମର ଲୋକ ଦଣ୍ଡାୟମାନ । ରାଣୀର ଆଉ ସେ ରୂପ ବିଭବ ନାହିଁ ଯାହାକୁ ନେଇ ସେ ତୈଳାକ୍ତ ସ୍ତମ୍ଭର ଊର୍ଦ୍ଧ୍ୱକୁ ଉଠନ୍ତା । ସମସ୍ତଙ୍କୁ କାବୁ କରି ଶୀର୍ଷକୁ ଉଠିଯାଇ ଘୋଷଣା କରନ୍ତା—ଦେଖ, ବାଉଁଶ ରାଣୀର ନୃତ୍ୟ । ତମେ ପାରିବ ? ହାଃ...ହାଃ...ରାଣୀ ନିଜ ଅଜ୍ଞାତରେ ଅଟ୍ଟହାସ୍ୟ କଲା । ତା’ ମୋହ ତୁଟିଲା । ନା, ଇୟେ ତା’ ସ୍ୱର ନୁହେଁ । ଯେଉଁ କଣ୍ଠର ସୁଲଳିତ ତାନରେ, ଯେଉଁ ପାଦର ମୃଦୁ ଛନ୍ଦରେ କେତେ ଯେ ବାଟୋଇ ବାଟବଣା ହୋଇ ତା’ ପାଖକୁ ଦୌଡ଼ି ଆସିଥିଲେ, ଇୟେ ସେ ସ୍ୱର ନୁହେଁ । ତା’ଠି ଆଜି ବାର୍ଦ୍ଧକ୍ୟ ଘାରି ହୋଇ ଘୂରି ଆସୁଛି । ରାଣୀ ସ୍ୱୀକାର କରିବ—ବୟସର ରଙ୍ଗ କେଉଁ କାଳଠୁଁ ସେଇ ହାତୀ ଶୁଣ୍ଢ ବୁଡ଼ି ଯାଉଥିବା ସମୁଦ୍ରର ଗର୍ଭରେ କଉଡ଼ି, ଶାମୁକା ପାଲଟିଗଲାଣି । ଯଦିଚ ତା’ ଦେହରେ କୌଣସି ପ୍ରକାର ଜ୍ୱଳନ ନାହିଁ, ମାଂସ ପାଇଁ ଭିକ୍ଷୁକର ମିନତି ନାହିଁ, ତଥାପି ପେଟର ଭୋକ ପାଇଁ, ଏଇ ରୋଗଗ୍ରସ୍ତ ପ୍ରାଣ ଆଉ ଦେହକୁ କିଛିଦିନ ବଞ୍ଚେଇ ରଖିବା ପାଇଁ ତା’କୁ ଏମ୍‍ତି ଅଭିନୟ କରିବାକୁ ପଡ଼ୁଥିବ, ତା’କୁ ସମସ୍ତଙ୍କ ଅଜଣାରେ କାନ୍ଦିବାକୁ ପଡ଼ିବ ।

 

ରାଣୀ ହୋସ୍‌କୁ ଆସିଲା । ଭିତରପଟୁ ଦରଜା ବନ୍ଦ । ଘରସାରା ସମ୍ପୂର୍ଣ୍ଣ ନୀରବତା । ଏପରିକି ବୁଢ଼ିଆଣୀ ଜାଲ ବୁଣୁଥିଲେ ବି ତା’ ଗତିର ଶବ୍ଦକୁ ଅନ୍ୟମାନେ ଶୁଣି ପାରନ୍ତେ ।

 

ହଠାତ୍‌ ଘର ଭିତରୁ ରାଣୀ ସ୍ପଷ୍ଟ ବାରି ପାରୁଛି ଦାଣ୍ଡ ପିଣ୍ଡା ଉପରେ କା’ର ସନ୍ତର୍ପଣ ଉପସ୍ଥିତି । ଖସ୍‌ ଖସ୍‍ ଚାଲି । ସେ ଆଶାୟୀ ହେଲା । ସେ ବାହାରକୁ ଆସିଲା ସ୍ଥୂଳ ଅନ୍ଧାରରେ ଚିହ୍ନି ହେଉନି କିଏ ମଣିଷଟିଏ ଠିଆ ହୋଇଛି । ତା’କୁ ସାମାନ୍ୟ ଭୟ ଲାଗିଲା । ଯେଉଁଦିନ ଅନ୍ଧାର ରାତିରେ ସିଏ ତା’ ବାପା ମା’, ସେଇ ଜମିଦାର ଘର ପୁଅ ଆଉ ତା’ ଗାଁର ଭିଟାମାଟି ଛାଡ଼ି ଆସିଥିଲା, ତା’କୁ ଏମ୍‍ତି ଅସମ୍ଭବ ଭୟ ଲାଗି ନ ଥିଲା ।

ଅନ୍ୟର ତୃପ୍ତି ପାଇଁ ଆଜି ତା’ର ଏ ଦୁର୍ବିସହ ଜୀବନ । ଜମିଦାର ପୁଅଟିକୁ ରାଣୀ ଅଭିଶାପ ଦେଇ ପାରୁନି । ଯିଏ କି ତା’କୁ ଆଜି ଏତେସରି କଲା । ତା’ ଦେହର ଫେଣାରୁ ମହୁତକ ଶୋଷି ନେଇ ତା’କୁ ରାସ୍ତା କଡ଼କୁ ପିଙ୍ଗି ଦେଲା ।

ସେ ନିଜ କ୍ଷୁଧାରେ ସନ୍ତୋଷ ଖୁନ୍ଦିବା ପାଇଁ ତା’ ପାଖକୁ ଧାଇଁ ଯାଇ ନ ଥିଲା । ସେଇ କାମୁକ ପୁରୁଷ ତାକୁ ଭିଡ଼ି ଧରି ଆଶ୍ଳେଷିଲେ ଓ ତା’ର ଗର୍ଭୋଦୟ ହେଲା । ଏକ ମୃତ ଶିଶୁର ଜନନୀ ରୂପେ ରାଣୀ ସମାଜରୁ ହେଲା ବହିଷ୍କୃତ । ତା’ ବାପା ମା’ ଏ ଦୁଃଖରେ ଆତ୍ମହତ୍ୟା କଲେ । ଅବଶିଷ୍ଟ ପୃଥିବୀ ରାଣୀ ପାଇଁ ପର ହେଲା । ସେ ବି ପୃଥିବୀ ପ୍ରତି ଶତ୍ରୁତା ଆଚରଣ କଲା । ସେ ଦୃଢ଼ ହୋଇଛି । ସେ ଆତ୍ମହତ୍ୟା କରିବ । ବେକରେ ରସି ଲଗେଇ କେଉଁ ଏକ ଛାତର ବରଗା ତଳକୁ ଝୁଲି ଆସିବ, ନତୁବା ଗଭୀର ଗଣ୍ଡରେ ଜୀବନ ହାରିବ । କିନ୍ତୁ ତା’ ହୋଇ ପାରିଲାନି । ତା’ ଭିତରେ ମଣିଷ ବୋଲି ଯେଉଁ ପଶୁଟା ବଞ୍ଚି ରହିଛି ସେ ତା’ ବାଟ ଓଗାଳିଲା । ଦୈବଙ୍କ ପରି ବାରଣ କଲା, ରାଣୀ ତୁ କାହିଁକି ଆତ୍ମହତ୍ୟା କରିବୁ ? ଅଭିନୟ କରି ଶିଖ୍‌ । ଦୁନିଆଁଟା ତ ଅଭିନୟ-! ତୁ କେମିତି ସେଥିରୁ ବାଦ୍‌ ଯିବୁ ? ପରେ ପରେ ତା’ ବେକକୁ ଭିଡ଼ିଧରିଥିବା ରଶିର ଫାଶଟା ସାମାନ୍ୟ ହୁଗୁଳା ହୋଇ ଆସିଲା । ସେଇ ଘନ ତମିସ୍ରାରେ ସେ ଘର ଛାଡ଼ିଲା ଏବଂ ଏଇ ସହରର ଉପାନ୍ତ ତାକୁ ଆଶ୍ରୟ ଦେଲା ।

ଏଇ ସହରରେ ରାମୁ ସହ ତା’ର ଆକସ୍ମିକ ଦେଖା । ସେଥିରେ ସେ କିପରି ତା’ର ନିଜର ଲୋକ ହେଲା, ସେ ଜମା ବୁଝି ପାରିନି । ବଞ୍ଚିବା ପାଇଁ ରାଣୀର ଆଉ କୌଣସି ରାହା ନ ଥିଲା । ରାଣୀ ଉତ୍ତେଜିତ ହେଲା । ତା’ ପରଠୁଁ ଦେହ ବିକିଲା । ରୂପ ବିକିଲା । ଦୀର୍ଘ କୋଡ଼ିଏ ବର୍ଷ ବଞ୍ଚି ପାରିଲା । ଆଜି ସେ ସବୁ କିନ୍ତୁ ବନ୍ଦ । କାରଣ, ତା’ ଦେହର ସ୍ପର୍ଶରେ କେଉଁ କାମୁକ ପୁରୁଷ ମାଂସରେ ଫଗୁଣର ଫଗୁଳ ତରଙ୍ଗ ଉଠୁନି । ସେଥିପାଇଁ ସେ କ’ଣ ଦାୟୀ ? ଦାୟୀ ଏଇ ନିଷ୍ଠୁର ସମୟ, ଯିଏ ତା’କୁ ଆଗକୁ ଆଗକୁ ଠେଲୁଛି ।

 

ଦିନେ ତା’ ରଙ୍ଗ କୋଠାରୀଦ୍ୱାର ଦୁଲ୍‍କିନା ଖୋଲିଗଲା । ରାଣୀର ତେଜୋଦୀପ୍ତ ଅଗ୍ନିରେ ନିଜ ମାଂସକୁ ସୁନା ପରି ଚମକେଇବ ବୋଲି ଠିଆ ହୋଇଛନ୍ତି ସେଇ ଜମିଦାର ପୁଅ ।

 

: ତମେ ଫେରିଯାଅ...

 

: ରାଣୀ, ମୁଁ ତତେ ଏ ଯାଏ ଭୁଲି ପାରିନି...

 

: ମୁଁ ତମ ଗୋଡ଼ ଧରୁଛି, ତମେ ଫେରିଯାଅ ।

 

ତା’ପରେ ଜମିଦାର ପୁଅ ଭୀଷଣ ବିଗିଡ଼ି ଯାଇଛି—କିହୋ ମୁଁ ତ ହକ୍‌ ମୂଲ୍ୟ ଦେଇ ମାଂସ କିଣିବା ପାଇଁ ଆସିଛି । ତୁ କାହିଁକି ମନା କରୁଛୁ ? ନେ, ଯେତେ ଚାହିଁବୁ । ଶହେ, ହଜାରେ, ପାଞ୍ଚହଜାର...ଯେତେ, ଯେତେ ଇଚ୍ଛା ...

 

: ମାଂସ ବିକିବା ଖରିଦଦାର୍‌ ଉପରେ କେବଳ ନିର୍ଭର କରେନି । କଂସେଇର ଦେବା ପାଇଁ ଆଗ୍ରହ ଥିବା ଦର୍କାର । ତା’ପରେ ରାଣୀ ଦେହ ଉପରେ ବିଧା, ଗୋଇଠାର ବର୍ଷା ।

 

ରାମୁ...

 

ରାଣୀ ମୁଣ୍ଡ ଘୂରିଗଲା । ବାହାର ଅନ୍ଧାର ଭିତରେ ସେଇ ଲୋକଟି ଥରୁଛି । ରାଣୀ ଦେହ ବି । ରାମୁ ଦୌଡ଼ି ଆସିଲା ।

 

କ’ଣ ହେଲା ? ଏମ୍‍ତି ଥରୁଛୁ କାହିଁକି ? ଏଇ ଲୋକଟି...ହେତୁ । ତୁ ଥା’ । ମୁଁ ଯାଉଛି-। ରାମୁ ରାଣୀ ଓ ସେ ଲୋକଟିର ମନକଥା ବୁଝିଲା ଭଳି ହେଲା । ଚାଲିଗଲା । ଭୟ ହେଲା, ଆଜି ଦି’ ପାଇସା ମିଳିବ ।

 

ସେ ଘଟଣା ପରଠୁଁ ରାଣୀର ଦୁଆରେ ଜମିଦାର ପୁଅର ପାଦ ପଡ଼ିନି । ପରେ ପରେ ସେ ଶୁଣିବାକୁ ପାଇଛି—ସେଇ ଲୋକଟିର ମରଣ ହୋଇଛି । ନିଜ ଗାଁ ପୋଖରୀ ତୁଠରେ ମୁହଁ ସଞ୍ଜ ବେଳେ କା ଘର ବୋହୂ ପ୍ରତି ବଳତ୍କାର କରିଥିଲା ବୋଲି ତା’ର ମୃତ୍ୟୁ ହୋଇଛି । ରାଣୀ ଖୁସି ହେବ କି ଦୁଃଖରେ ମ୍ରିୟମାଣ ହେବ, କିଛି ବୁଝି ପାରିଲାନି । କିନ୍ତୁ ତା’ ଅଜଣାରେ ତା’ ଆଖି ଦି’ଟା ଲୁହରେ ଉବୁଟୁବୁ ହୋଇଥିଲା ।

 

ଲୋକଟି ବାହାରେ ଠିଆ ହୋଇଛି । ରାଣୀ ତା’କୁ କିଛି କହି ପାରୁନି । ତା’ ମୁଣ୍ଡ ଭୀଷଣ ଭାବେ ଭାରାକ୍ରାନ୍ତ । ଦୂରର ସେଇ ସଙ୍ଗୀତର ରାଗିଣୀ ମଲା ଜହ୍ନ ପରି ମହଳଣ ପଡ଼ି ଆସୁଛି । ଯେଉଁଦିନ ପ୍ରଥମ କରି ସିଏ ଦୂରରୁ ଭାସି ଆସୁଥିବା ସଙ୍ଗୀତ ଶୁଣିଥିଲା, ସେ ବିଶେଷ ଆଗ୍ରହୀ ହୋଇ ଉଠିଥିଲା ତା’ର କାରଣ ଜାଣିବା ପାଇଁ । ରାମୁ ଖବର ଅନ୍ତର ସଂଗ୍ରହ କରି ରାଣୀକୁ ଶୁଣେଇଥିଲା—ରାଣୀଲୋ, ଏଥର ତୋର ଆଉ ମୋର ବ୍ୟବସାୟ ନିଶ୍ଚୟ ମାନ୍ଦା ହୋଇଯିବ, ଏଇ ସହର ଭିତରେ ତୋ’ରି ପରି ଯେତେ ଥିଲେ ସମସ୍ତେ ଏଠି ଠୁଳ ହୋଇଛନ୍ତି । ସେମାନଙ୍କ ବସତି ପାଇଁ ଘର ମିଳିଛି ଏବଂ ଆଜିକାଲି ସେମାନଙ୍କ ଚାହିଦା ସମସ୍ତଙ୍କଠାରୁ ଯଥେଷ୍ଟ ବେଶୀ । ପରେ ପରେ ରାମୁର ମୁହଁ ଅସମ୍ଭବ ପାଂଶୁଳ ଦିଶିଲା ।

 

...ରାମୁ, ଚାଲ ଏଇ ସହର ଛାଡ଼ି ଆମେ ଚାଲିଯିବା ।

 

...ହଁ, କିନ୍ତୁ ବଞ୍ଚିବା ?

 

: ଯଦି ବଞ୍ଚି ପାରିବାନି ଆତ୍ମହତ୍ୟା କରିବା ।

 

: ନା, ନା...ମୁଁ ପାରିବିନି । ମୁଁ ଆଜନ୍ମ ନପୁଂସକ, ସଂସାରରେ ସୁଖ କ’ଣ ମୁଁ ଜାଣି ପାରିଲିନି । ତଥାପି ବଞ୍ଚିବା ପାଇଁ ମୋର ବହୁତ ଜିଗର । ତୁ ଆସିଲୁ, ମୁଁ ବଞ୍ଚିଗଲି । ତୁ ଚାଲିଗଲେ ମୁଁ ମରିଯିବି । ରାମୁ ଏ ସହରର ମାଟି ଛାଡ଼ି ପାରୁନି ।

 

ବାହାରେ ଚେକା ଚେକା ଅନ୍ଧାର । ଦୀର୍ଘ ସମୟର ନୀରବତା ପରେ ରାଣୀର ସ୍ୱପ୍ନ ଭଗ୍ନ ହେଲା । ପୁନର୍ବାର ସେଇ ପ୍ରଶ୍ନ ପଚାରିଥିଲା—କିଏ ? କ’ଣ ଦର୍କାର ?

 

ମୁଁ । ମୁଁ, ନିଧିଦାସ ।

 

: ଆସୁନ ? ଘର ଭିତରକୁ ଆସ । ରାଣୀ ସେଇ ଦରବୁଢ଼ା ଲୋକ ଉଦ୍ଦେଶ୍ୟରେ ହାତ ବଢ଼େଇ ଥିଲା । ନିଧି ଦାସ ପଛକୁ ସାମାନ୍ୟ ଘୁଞ୍ଚି ଗଲେ । ଭୟରେ ନୁହେଁ, ଘୃଣାରେ, ଅପବିତ୍ର ହେବା ଭୟରେ ।

 

: ଦାସେ ଆପଣେ, ପ୍ରଥମ କରି ଆସିଛ ନା ଏମ୍‍ତି ଡରି ଯାଉଛ । ଆସ, କେତେ ଦବ-? ତମଠି ଆଉ ଦରଦାମ୍‌ କ’ଣ କରିବି ?

 

: ଯେତେ ଚାହିଁବୁ ଦେବି । କିନ୍ତୁ ସତ୍ୟ କର...

 

: କ’ଣ ସତ୍ୟ କରିବି ?

 

: ତୋ’ ପିଣ୍ଡାରୁ ଚିମୁଟାଏ ମାଟି ଦେବୁନା ? ନିଧି ଦାସଙ୍କ ଆଖିରେ ଆଖିଏ ଆଶାୟୀ ଚହାଣି ।

 

: ଆଶ୍ଚର୍ଯ୍ୟ ! ମାଟି କଣିକା ନେବ ବୋଲି ଆସିଛି ? ରାଣୀର ସମସ୍ତ ଆଶା ଧୂଳିସାତ୍‌ ହେଲା । —ହେଉ, ଯେତେ ପାର ସେତେ ନିଅ । ମୂଲ୍ୟ କିଆଁ ଦେବ ।

 

ନିଧି ଦାସଙ୍କୁ ରାଣୀର କଥା ଅବିଶ୍ୱାସ ହେଲା । ବିନା ଟଙ୍କା ପଇସାରେ ବେଶ୍ୟା ଦ୍ୱାରରୁ ମାଟି ।

 

: ନେ, ଧର, ଏ ଟଙ୍କା ଦଶଟା ନେ...

 

ରାଣୀ ଅସମ୍ଭବ ଭାବେ ଖୁସି ଜଣା ଯାଉଥିଲା । ମୁଠାଏ ମାଟି ପାଇଁ ଦଶଟଙ୍କା । ରାଣୀକୁ କିମ୍ଭୂତ କିମାକାର ମନେହେଲା । ଘର ଭିତରକୁ ଖୁସିରେ ପଶି ଯାଉ ଯାଉ ରାଣୀ ଜାଣିବାକୁ ଚାହିଁଥିଲା—ଦାସେ ଆପଣେ, ମୋ ଦୁଆର ମାଟି ତମର କି କାମରେ ଲାଗିବ ? ତମର କି ଆଉ କାହାର ଏ ଦୁଆର ମାଟି ଦର୍କାର ପଡ଼ିଲେ ତମକୁ ନେହୁରା, ତମେ ନିଶ୍ଚୟ ଆସିବ । ମୁଁ ସେତେବେଳେ ଦଶଟଙ୍କା ନେବିନି । ନେବି ମାତ୍ର ଟଙ୍କାଏ...

 

ନିଧିଦାସ ମାଟି ମୁଠାକ ନିଜର ପାଟ ଓଢ଼ଣୀ କାନିରେ ଗଣ୍ଠିଲି ବାନ୍ଧି ଫେରି ଯାଉଥିଲେ-। ରାଣୀ ପଛରୁ ଡାକିଲା, ମୋ ଦୁଆର ମାଟି ତମର କି କାମରେ ଲାଗିବ କିଛି କହିଲନି-?

 

: କିଲୋ ବୋକି, ମୋର ହେତୁ ପାଇବା ଦିନୁଁ ତୁ ଏ ବ୍ୟବସାୟ କରୁଛୁ । ଅଥଚ ଏ ମାଟିର ମହାତ୍ମ୍ୟ ଜାଣିନୁ ? ୟା’ର ଅନେକ ମହାତ୍ମ୍ୟ ଦେବତା କାର୍ଯ୍ୟରେ, ଗୃହ ପ୍ରତିଷ୍ଠାରେ, ତାନ୍ତ୍ରିକ ବିଦ୍ୟାରେ, ହୋମ ଯଜ୍ଞାଦିରେ ଏ ମାଟିକୁ ଛାଡ଼ିଲେ...ତା’ପରେ ନିଧିଦାସ ନିଜ ପାଣ୍ଡିତ୍ୟ ଦେଖେଇବା ପାଇଁ ଦୁଇ ଚାରୋଟି ସଂସ୍କୃତ ଶ୍ଳୋକ ତାଙ୍କ ପାକୁଆ ପାଟିରେ ଭଣତି କଲେ ।

 

ଦାସେ କୃତ କୃତ୍ୟ ହୋଇ ଫେରିଗଲେ । ରାମୁର ଦୋକାନ ଚାଳିଆ ବନ୍ଦ ହୋଇ ଆସୁଛି-। ଦୂରରୁ ଲହରୀ ଖେଳୁଥିବା ସଙ୍ଗୀତ କେତେବେଳୁ ସମାଧି ନେଲାଣି ।

 

ରାଣୀ ଏ ନୂତନ ଆବିଷ୍କାରରେ ଖୁସିରେ ନାଚିବ କି ଆସନ୍ତା ସନ୍ଧ୍ୟାରେ ତା’ମାଟି ପିଣ୍ଡାରେ ସେଇ ଭଗବାନଙ୍କ ସଞ୍ଜଦୀପ ଜାଳିବ କିଛି ବୁଝି ପାରିଲାନି ।

 

ଦିନେ ଅନ୍ୟକୁ ଦେହ ବିକିଥିଲା ବୋଲି ଆଜି ତା’ ମାଟିରୁ ସୁନା ଫଳିବ । କିନ୍ତୁ ତା’ ଦୁଇ ଆଖିରୁ ଲୁହର ଫୁଲମାନେ ସଜଳ ପିଣ୍ଡାରେ, ଖଣ୍ଡିଆ ମାଟିରେ ଲୋଟି ଯାଉ ଯାଉ ସେଇ ଦଶଟଙ୍କିଆ ମଇଳା ନୋଟ ଦେହରେ ଭିଜିଗଲେ । ଜୀବନରେ ସେ ଅନେକ ପାପ କରିଛି, କିନ୍ତୁ ଅନ୍ୟର ପୁଣ୍ୟକୁ ନିଜ ପିଣ୍ଡାର ମାଟି ଦେହରେ ବାନ୍ଧି ପାରିଛି ବୋଲି ଆଉ କିଛି ଦିନ ବଞ୍ଚିବା ପାଇଁ ସେ ଆଶାୟୀ ହୋଇ ଉଠୁଥିଲା ।

Image

 

ନୀରଦ, ଏନି ଏବଂ ତାଙ୍କରି ସହର

 

ନୀରଦ । ଅଭିଶପ୍ତ । ଅନେକ ଖଣ୍ଡିତ ମୁହୂର୍ତ୍ତରୁ ନିଷ୍କୃତ ଚେତନାର ଜଳନ୍ତା ପିଣ୍ଡ । ସେ ନିଜ ଦେହରୁ ଚମଡ଼ା ଉତ୍ତାରି ତୋରା ହେବାପାଇଁ, ବର୍ଣ୍ଣିଳ ହେବା ପାଇଁ ସର୍ବଦା ପ୍ରୟାସୀ । ତା’ ଆଖି ନାହିଁ । ଆଖିହୀନ କୋରଡ଼ରେ ମଶାଣି ଭୂଇଁର ଅନ୍ଧାରିଆ ଛାଇ । ସେ ଗୋଲାପ ଦେଖି ପାରେନି...ବର୍ଣ୍ଣ କ’ଣ । ରଙ୍ଗ କ’ଣ—ଉପଭୋଗ କରି ପାରେନି । ସେ ସ୍ପର୍ଶ ପାଏ । ମନେ ମନେ ପୁଣି ହୁଏ—ରଙ୍ଗ, ତା’ ଗାଲର ତରଙ୍ଗାୟିତ ଛନ୍ଦଭରା ଶଙ୍ଖବର୍ଣ୍ଣ ମାଂସ ପରି ନରମ । ସେ ଅସ୍ତ ଜହ୍ନର ଜ୍ୟୋତ୍ସ୍ନାରେ ନିଜକୁ ତିନ୍ତେଇ ଦିଏ । ଆଃ...କି ଥଣ୍ଡା ! କି ରୋମାଞ୍ଚ ! କି ଆରାମ ! ସେଇ ଦୂର ଝାଉଁ ବଣରୁ ସମୁଦ୍ରର ଗର୍ଜନ ସାଥିରେ ଭାସି ଆସୁଥିବା ମଇଁଷିଆଳ ପିଲାର ବଂଶୀ ଧ୍ୱନିକୁ ହାତ ମୁଠାରେ ବନ୍ଦୀ କରିବାକୁ ଚେଷ୍ଟା କରେ । ପାରେନି । ହଜି ଯାଉଛି...ଦୂରେଇ ଯାଉଛି ମିଳେଇ ଯାଉଛି ବୋଲି ଏତେ ଯନ୍ତ୍ରଣାର ଅଗ୍ନି ପାହାଡ଼ ।

 

ଅନେକ ମାନ୍ଦାବେଳ ଲମ୍ୱି ଲମ୍ୱି ଯାଏ । ସିଏ ଉପଲବ୍‌ଧ କରେ ତା’ ଆଗରେ କିଏ ଜଣେ ଧାଇଁ ଚାଲିଯାଉଛି...ତା’ ଆଡ଼କୁ ଅନ୍ୟ କିଏ ଲହ ଲହ ଜିହ୍ୱା କାଢ଼ି ମାଡ଼ି ଆସୁଛି...ମଇଁଷି ପିଠି ଉପରେ କିଛି ଗୋଟାଏ ଉଲଗ୍ନ ମୂର୍ତ୍ତି ତା’ ଦୁର୍ଗର ପରିଖାରେ ପ୍ରହରୀ ସାଜିଛି । ସେ ଡହଳ ବିକଳ ହୁଏ । ନା ! ଏ ଜିଇଁବାରେ ଯଦି ମୂଲ୍ୟ ନାହିଁ, ଭବିଷ୍ୟତ ପାଇଁ କୌଣସି ଝକମକି ଆଶା ନାହିଁ, ତେବେ ଏ’ ବଞ୍ଚିବାରେ ଲାଭ କ’ଣ ? ଲୋଭ ନ ଥିଲେ ଲାଭର ଲାଭ ସ୍ରୋତ ଆଉ ତା’ ଉଷ୍ମତାକୁ କିଏ ଆଦର କରିବ ?

 

ନୀରଦ । ଭାବନା । ମୋର ଆଖି ଥିଲା...ଆଖି ଥିଲା ବୋଲି, ଆଖିରେ ଦୀପ୍ତି ନାଚୁଥିଲା ବୋଲି ମୁଁ ଶହେ ଜାହାଜର ମାଲିକ ଭଳି ନିଜକୁ ଧନୀ ମନେ କରୁଥିଲି । ଧନ ଆଉ ସୁନା ପାହାଡ଼ର ପ୍ରାଚୁର୍ଯ୍ୟତାରେ, ଗର୍ବରେ, ଅହଂକାରରେ ଭାଙ୍ଗି ପଡ଼ୁଥିଲି । ଆଜି ଯଦି ଏଇ ୟୁଫେଟିସ୍‌, ଆମାଜାନ୍‌, ବୈତରଣୀ ନଦୀମାନଙ୍କରେ ଦିଗହଜା ବାଲିମାନଙ୍କୁ ମୁକ୍ତାରେ ପରିଣତ କରି ଦିଆ ଯାଇପାରେ ଏବଂ ସେଇ ମୁକ୍ତାମାନଙ୍କୁ ମୋ ଘରର ପେଡ଼ି ସିନ୍ଧୁକରେ ଭରି ଦିଆଯାଏ ମୁଁ ପୂର୍ବର ସେଇ ବ୍ୟକ୍ତି ହୋଇ ପାରିବିନି । ହୁଏତ ମୁଁ କୋଟି କୋଟି ପେପର୍‌ କରେନ୍‌ସିର ମାଲିକ ହୋଇପାରେ । କିନ୍ତୁ ମୁଁ ଧନୀ ହୋଇ ପାରିବିନି, ଧନ ନେଇ ସେଇ ଗର୍ବକୁ କାନ୍ଧରେ ପାଇ କରି ପାରିବିନି । ସାମାଜିକ ପରିସ୍ଥିତିକୁ ନିଜ ବ୍ୟକ୍ତିତ୍ୱର ଗଳା ପାଇଁ ମାଳା ଗୁନ୍ଥି ନ ପାରେ ।

 

(ଦିନ ଥିଲା—ନୀରଦର ଆଖି ଥିଲା । ସେଥିପାଇଁ ସେ ରାକ୍ଷାସ । ଆଜି । ଆଖି ନାହିଁ । ଆଖିର କୋରଡ଼ରେ ଦୃଷ୍ଟିଶକ୍ତି ନାହିଁ । ଅନେକ ବେଦନା ପାଉଛି । ସେ ବେଦନା, ସେ ଦାହିକା ଅଗ୍ନି ତା’କୁ କ’ଣ ମଣିଷ କରି ପାରିନି ?)

 

ମିସେସ ଏନି ନୀରଦ ହାତର ପାପୁଲି ପାଖରେ ନିହାତି । ସେ ମାର୍କେଟିଂ ପାଇଁ ପଦାକୁ ଚାଲିଗଲେ । ନୀରଦ ଦେଖିନି । ଖାଲି ଶୁଣିଲା—ଗାଡ଼ିଷ୍ଟାର୍ଟ...

 

ସେଇ ୧୪ଏ ଓ୍ୱିଂଡ଼ସ୍‌ ଲେନ୍‌ସର ଗୋଟିଏ କୋଣକୁ ସୁପ୍ରଶସ୍ତ ପ୍ଲାଟଫର୍ମ ଉପରେ ବାବନାଭୂତ ଭଳି ଠିଆ ହୋଇଥିବ କୃଷ୍ଣଚୂଡ଼ା ଗଛ ପରି ଏକ ଟାଇପ୍‌ ଏସ୍‌ ଫ୍ଲାଟ ରୁମ୍‌ ଭିତରେ ନିଃସଙ୍ଗ କାକଳି ! ଶୂନ୍ୟତାମାନଙ୍କ ଡେଣାରେ ଭଅଁର—କୂଜନ...ଅନ୍ଧାରମାନେ ମଲା ବିରାଡ଼ି ପରି ନିସ୍ତେଜ, ନିଃଶବ୍ଦ । ବାହାର ରାସ୍ତାର ଅଙ୍ଗନରେ ଲଙ୍ଗଳା ଜୀବନମାନେ ରିଫ୍ୟୁଜିର ଆତ୍ମା ନେଇ ଦୂର ପାହାଡ଼ ଚଢ଼ିବା ପାଇଁ ପ୍ରୋଗ୍ରାମ କରୁଛନ୍ତି ଜୟଯାତ୍ରା...ଝଲମଲ ବଜାର....କୋଳାହଳ ! ଇସ୍‌ କି ଅନ୍ତର୍ଦାହ ! ସେ ବଞ୍ଚିବ ତ ! ନୀରଦ ନିଜକୁ ନିଜ ଅଭିବ୍ୟକ୍ତିକୁ ସନ୍ଦେହ କଲା...ତା’ ଚେତନାରେ କେଉଁ କାଳନାଗୁଣୀ ବିଷ ଉଦ୍‌ଗାର କଲା । ତା’ଠି ମନ୍ତୁରା ଫୁଲ ହଜି ଯାଇଛି । ସର୍ପକୁ ବଶ କରିବାକୁ ପଡ଼ିବ । ନତୁବା ସେଇ ସର୍ପର ହାହୁତାଶିନୀ, ସାମୁଦ୍ରିକ ଗ୍ରାସରେ, ଆଗ୍ନିକ କ୍ଷୁଧାରେ ତା’ ସତ୍ତା, ତା’ ସ୍ୱରୂପ ସମ୍ପୂର୍ଣ୍ଣ ରୂପେ ସର୍ପର ରକ୍ତରେ, ମାଂସରେ ଘୋଳି ହୋଇ, ଫେଣ୍ଟି ହୋଇ ମିଶିଯିବ । ଭୀମକାନ୍ତ ସମୁଦ୍ର ପେଟରେ ତୋଫାନ୍‌ ହେଲେ ସେଠି କ’ଣ ଥିବା ଦ୍ୱୀପର ଲମ୍ୱା ଓସାର ଖୋଜିହୁଏ ? ଯାହା ଖାଲି ମନେ ପକାଇବା କଥା !

 

ସେ ନିଜ କାନକୁ ହାତ ପାପୁଲିରେ ଚାପି ଧରିଲା । ଗତି ବନ୍ଦ ହୋଇନି । କିନ୍ତୁ ପ୍ରବାହିତ ଗତି ପାଇଁ ଦ୍ୱାର ଆଗରେ ପତଳା ଝିଲମିଲ୍‌ ପରଦା । ତେବେ...ସେ ପରଦା କ’ଣ ଲକ୍ଷ ଲକ୍ଷ ପଚାଶ ମେଗାଟନ୍‌ ବୋମା ବିସ୍ଫୋରଣରୁ ଜନ୍ମିତ ଶବ୍ଦର ତରଙ୍ଗକୁ ରୋକି ପାରେ ? ସେ କିଛି ଦେଖି ପାରୁନି । ଗୁରୁଣ୍ଡି ଗୁରୁଣ୍ଡି ସୁଇଚ୍‌ ଅନ୍‌ କଲା । ଚଟାଣ ସାରା ଆଲୁଅର ରୋଷଣୀ ଧୋବ ଫରଫର କ୍ରେପପେପର୍‌ ଟୁକୁରା ପରି ବୁଣି ହୋଇଗଲେ...ତଥାପି ଶବ୍ଦ । ତଥାପି ଅନ୍ଧାର । ଆଲୁଅ ଜଳିଲା..ଆଲୁଅର ସତ୍ତା ଅନ୍ଧ ପାଇଁ କେଉଁ ଅବୋଧ୍ୟ ଟପୋଲଜିକେଲ ପ୍ରୋବ୍ଲେମ୍‌ । ନୀରଦ ଧଡ଼୍‌ ଧାଡ଼୍‌ ଦ୍ୱାର ଝରକା ବନ୍ଦ କଲା । ଶ୍ୱସ୍ତିର ନିଶ୍ୱାସ ମାରିବ...? ନାଃ...ହେବନି । ଫେର୍‌ ବାହାରେ ଗଦା ଗଦା ଶବ୍ଦର ତରଙ୍ଗ । ଶବ୍ଦର ଢେଉ ଢେଉକା ନାଚ କୁଦ ।

 

ଏତେ କ୍ଳାନ୍ତି । ନୀରଦ ବସିଲା । ତା’ ମୁଣ୍ଡର ହାଣ୍ଡିରେ ଅତୀତକୁ ନେଇ ଅଜସ୍ର ଉଦବେଳିତ ଭାବନାର ଉତ୍‌କୀର୍ଣ୍ଣ ଅବସ୍ଥାପନା ତା’ ଅନ୍ଧ ଦୃଷ୍ଟିର ଅନ୍ଧାର ଗଳିରେ ଗତାୟୁର କେତେକ ମାର୍ବଲ କଣ୍ଢେଇ ଜୀବନ ପାଇଲେ... ତା’ ପୌରୁଷକାର କାଚ କଣ୍ଢେଇମାନଙ୍କୁ ଅଂଳା ହଳଦୀ ପାଣିରେ ସଫା କଲା...ବିକ୍ରମାଦିତ୍ୟର କାହାଣୀ ଶୁଣିଲା...

 

କଟକର ସେଇ ପଞ୍ଜାବୀ ହୋଟେଲ ଯେଉଁଠି ନୀରଦ, ମୁଁ ଆଉ ସୁବୋଧ ବିଅର ପିଉ...ରୁଟି ଆଉ କଟଲେଟ୍‌ ଖାଇ ରାତିସାରା ବେଖାପ ଗପର ସ୍ୱରକୁ ଅନ୍ଧାରର ନିଥର ଟୁବି ଗାଡ଼ିଆରେ ସିଆର କାଟିବା ପାଇଁ ହଂସ କରିଥାଉଁ...ତନ୍ଦ୍ରାଳସା ଆଖି ଆଉ କ୍ଳାନ୍ତିରେ କ୍ରାନ୍ତି ଛୁଉଁଥିବା ଅବୟବ ନେଇ ମୁଁ ଆଉ ନୀରଦ ମହାନଦୀ କାଠପୋଲଠାରୁ ଆରମ୍ଭ କରି କଟକଚଣ୍ଡୀ ଆଉ ମାରଓ୍ୱାଡ଼ି ଲୁହାଦୋକାନ ଯାଏଁ ଏ ମୁଣ୍ଡରୁ ସେ ମୁଣ୍ଡକୁ ମେନାଲିସ୍‌ର ଶରାହତ ସ୍ନାୟୁ ଏବଂ ଏଚିଲେସ୍‌ର ଗୋଇଠି ପରି ଲୁକ୍‌କାୟିତ ମରଣର ଛାଇ ନେଇ ପଇଁତରା ଦେଉ । ପୋଲିସ୍‍ ହୁଇସିଲ୍‌ ଶବ୍ଦ କାନରେ ବାଜିଲେ ବି ଆମେ ଅଟକି ଯାଉନା । ଆମେ ବେଖାତିର ହେଉ । ପୂର୍ଣ୍ଣଗର୍ଭା କେନାଲ୍‌ ଉପରେ ଛୁଇଁ ଦେଇ ଚାଲିଯାଉଥିବା ସମୀରର ହିଲ୍ଲୋଳ ପରି ଆମେ ଶିଶିରାକ୍ତ ହେଉ । ମାଟିର ଭୂଇଁ ଉପରେ ଘୁମି ଘୁମି ଆକାଶର କେଶ ପେଣ୍ଡାରେ ଝଟକୁଥିବା କିମ୍ୱା ନୂଆ ନୂଆ ଶାଢ଼ି ପିନ୍ଧୁଥିବା କୁଆଁରୀ ଝିଅର କପୋଳରେ ରକ୍ତିମନ୍ତ ହୋଇଥିବା କୁଙ୍କୁମ ପରି ଜହ୍ନ ଦିଗରେ ଆଖିର ଦୃଷ୍ଟିକୁ ବଢ଼େଇଲେ, ଜହ୍ନ ଆମ ସହ ତାଳ ଦେଇ ଆଗକୁ ଆଗକୁ ବଢ଼ୁଥିବା ଭେଳିକିର ନିଶା ଆମ ଖିଆଲର ପ୍ରତି କୋଠରୀରେ ଖୁନ୍ଦି ଦିଏ ।

 

ଦିନେ ଏମିତି ଏକ ଗେରୁଆ ପିଣ୍ଡାରେ ଅରୁଆ ଚାଉଳ ଗୁଣ୍ଡର କଇଁଫୁଲ ଝୋଟି ଫୁଟାଉଥିବା ପରି ରାତ୍ରିରେ ନୀରଦ ମତେ ବିଡ଼ିଥିଲା । କୁନା ! ଯଦି ଆମର ଆଖି ନ ଥାନ୍ତା...! ତା’ଠି ଜିଜ୍ଞାସାର ଇସ୍ତ୍ରିକରା ଥାକ ।

 

ଅନ୍ଧ ହୋଇଥାନ୍ତେ । ଛୋଟ ଛୁଆ ନିଜ ବୋଉ ହାତରୁ ଚକଲେଟ୍‌ ପାଇବା ପରେ ଆନନ୍ଦିତ ହେବା ଭଳି ସରଳ ଖାମ୍‌ଖିଆଲି ଉତ୍ତର ଦେଇଥିଲି ।

 

ଧୁତ୍‌...

 

ନୀରଦ ବିରକ୍ତ ହେଲା । ସେ ମନସ୍ତାତ୍ତ୍ୱିକ, ବୌଦ୍ଧିକ ବିଶ୍ଳେଷଣ, ଅନୁଶୀଳନ ଚାହିଁଲା । କୁନା ! ଆଖି ଅଛି ବୋଲି ସିନା ଏତେ ମନସ୍ତାପ, ଅଶାନ୍ତି, ବିପର୍ଯ୍ୟୟ । ଯଦି ଆଖି ନ ଥାନ୍ତା...

 

ଆଖି ଥିଲା ବୋଲି ଝୁରି ସୁମରି ଥାନ୍ତୁ । ନୀର । ଆଜି କାହିଁକି ଏ ପାଗଳାମି, ଏଇ ତୁଚ୍ଛ ଦାର୍ଶନିକତା । (ମୁଁ ତା’କୁ ଚେତେଇ ଦେବାକୁ ଚାହିଁଥିଲି ଯେଉଁ ନଈ ତୁଠର ପଥରରେ ଖଣ୍ଡିଆ ଲୁପ୍‌, ଭଙ୍ଗା ବୋତଲ ସେଠି ସ୍ୱର୍ଗଦ୍ୱାରର ସ୍ୱପ୍ନ କାହିଁକି ? ଯେଉଁ ମଣିଷର ସକାଳରେ ଛୁଆ ରୁଟିପାଇଁ କାନ୍ଦେ । ଯେଉଁ ମଣିଷ କୁକୁର ଲଗେଇ ଭିକାରୀକୁ ଦ୍ୱାରରୁ ତଡ଼ିଦିଏ ଆଉ ତା’ କୁକୁର ନିଜ ବାହାଦୁରି ପାଇଁ ମାଲିକଠୁଁ ମେଞ୍ଚାଏ ମେଞ୍ଚାଏ ମାଂସ, ମଗ୍‌ଭରା ଦୁଧ ଆଉ ପୁଳାଏ ବିସ୍କୁଟ ଇନାମ ପାଏ ସେଠି ତୋ’ର ଏ ଦାର୍ଶନିକତାର କି ଶାଶ୍ୱତ ରୂପ ଅଛି ?

 

ନା, କୁନା । ଇଏ ଦାର୍ଶନିକତା ନୁହେଁ । ୟେ ମଣିଷ ଜୀବନର ନଗ୍ନ ସତ୍ୟତା, ତୁମ ଆମ ଜିଇଁବାର ବାସ୍ତବତା । ଆମର ଆଖି ଅଛି । ମଣିଷ ବୋଲି ଆମର ଗର୍ବ ଅଛି । ତେବେ ଆମେ କିମିତି ପରାଜୟକୁ ସ୍ୱୀକାର କରୁ ? ଆମେ କାହିଁକି ସବୁ ଜାଣି, ସବୁ ଶୁଣି ଦେଖି ମଧ୍ୟ ନିର୍ଲିପ୍ତ ହେଉ ? ଆମେ ଗରିବର କାନ୍ଦୁଣୁ ମାନ୍ଦୁଣୁ ପ୍ରାର୍ଥନା, ମିନତି ଶୁଣୁଥାଉ ? ଯେଉଁମାନେ ଲୁଚେଇ ଚୋରେଇ ଅଳ୍ପ ବହୁତ ପାପ କରୁଛନ୍ତି ସେମାନଙ୍କୁ ଏବଂ ତାଙ୍କରି କାର୍ଯ୍ୟ କଳାପକୁ, ପାପକୁ ଆମେ ଜାଣୁ । ତଥାପି ଆମେ ନାଚାର । ଆଖି ଥାଇ ଯଦି ଆମେ ଏତେ ଦୁର୍ବଳ, ହୀନିମାନି; ତେବେ ସେଇ ଆଖି, ସେଇ ଜ୍ୟୋତିର ମାନେ କ’ଣ ଥାଇପାରେ ? ବରଂ ଅନ୍ଧ ହେବା ଭଲ । କିଛି ଦେଖି ପାରିବାନି । ଦେଖି ପାରୁନା ବୋଲି ‘ମୁଁ କିଛି ପରତେ ଯାଏନା’ ବୋଲି ଅନ୍ୟକୁ ଭଣ୍ଡେଇ ପାରିବା, ଅନ୍ୟକୁ ଠକି ନିଜେ ଚାଲାକ ବୋଲି ଆତ୍ମତୃପ୍ତି ପାଇବା । ଆମେ ଅନ୍ଧ ହେବା, ପାପ କି ପୁଣ୍ୟ କିଛି ଦେଖି ପାରିବାନି । ଏଣୁ ଯନ୍ତ୍ରଣାରେ ସନ୍ତୁଳି ହେବାନି । କ’ଣ କହୁଛୁ ? ସେ ମୋ’ ମୁହଁ ଉପରେ ପାଉଁଶ ହୋଇ ଜମିଥିବା ଉତ୍ତରକୁ ପଢ଼ୁଥିଲା ।

 

ତା’ ସତ । ମୁଁ ଆଉ ବିଶେଷ କିଛି ମନ୍ତବ୍ୟ ଦେଲିନି । ତା’ପରେ ସେଇ ହରିଜନ ପଡ଼ାକୁ ଫେରିଲ୍‍...ହାଣ୍ଡିଆ ପାଇଲୁନି । ନିଶା ପାଇଁ, ରଙ୍ଗ ପାଇଁ, ହିପଟୋଜେନ୍‌, ମେନଡ୍ରେକ୍‌ସ ଖାଇଲୁ । ସପ୍ନିଳ ହେଲୁ...ସ୍ୱପ୍ନ ଆସିଲା ବୋଲି ନିରୋଳାରେ କବିତା ଲେଖିଲୁ । ନଗ୍ନତା ସୁନ୍ଦର ଆଭରଣ ତଳେ, ବେଷ୍ଟନୀ ଭିତରେ, ବଳୟର ଅକ୍ଷାଂଶ-ଦ୍ରାଘିମାରେ ।

 

(ନୀରଦ ଶୂନ୍ୟ ଅନ୍ଧ ଦୃଷ୍ଟି ନେଇ ଛାତର କଡ଼ି ବରଗା ଗଣିବାକୁ ଚେଷ୍ଟା କରୁଛି । ସମ୍ଭବ ହେଉନି । ସେ ଜାଣେନା, ବାହାରେ କେତେଜଣ ଶୋଭାଯାତ୍ରାରେ ଅଗ୍ରଣୀ ହେଲେ...ଜନତାର ରାଣୀ ଆସିବେ...ତାଙ୍କୁ ଏମାନେ କଳାପତାକା ଦେଖାଇବେ...କିଛି ବାର୍‌ ନିଆଁର ସର୍ବଗ୍ରାସୀ ଶିଖରେ ଧୁଧୁ ଜଳିଲା । ନୀରଦ ଦେଖିଲା, ନା, ଶୁଣିଲା... ସାଢ଼େ ଆଠ । ଘରେ ନାରୀ ଗନ୍ଧ ନାହିଁ । ମିସେସ୍‌ ଏନିତ୍‌ଜାନ୍‌ ବଜାରରୁ ଫେରି ନାହାନ୍ତି । ଆହୁରି ଥୋକେ ବେଳ ବାକି ।)

 

ଆଉ ଦିନେ...

 

ମୁଁ ଆଉ ନୀରଦ କେଉଁ ତୀର୍ଥସ୍ଥଳିରେ ବାଇଶି ପାବଚ୍ଛ ପାରି ହେଉଛୁ । (ବାଇଶି ପାବଚ୍ଛ-ସ୍ୱର୍ଗଦ୍ୱାରପାଇଁ ଶଗଡ଼-ଗୁଳାର ବାଟ ।) ପଛରୁ କା’ର ଦରଦି ଡାକ । ମୁଁ ଏଡ଼େଇ ଦେଇ ଆଗକୁ ମାଡ଼ିଗଲି । ନୀରଦ ଅଟକି ଗଲା...ସେଇ ଭିକାରୀ ଥାଳରେ କଳଙ୍କିଲଗା ଦୋ’ ପଇସିଟିଏ ଫିଙ୍ଗି ଦେଇ ମୋ ପଛରେ ଫେରିଲା । ମୁଁ ଜାଣେ, ନୀରଦ ଫେର୍‌ କିଛି ପାଗଳାମି ଆରମ୍ଭ କରିବ । ମତେ ବିରକ୍ତ ଲାଗେ, ଏମିତି ମୂଷାଟିଏ ବିରାଡ଼ିଟିଏ ଅକାଳ ମରଣ ପାଇଲା ବୋଲି ମୂଲ୍ୟବାନ ମାନବିକତାରୁ ଦି’ଟୋପା ରକ୍ତ ଲୁହରେ ଢାଳିଲେ ମାନେ କ’ଣ ହୁଏ ? ମୁଁ ଭାବୁଥିଲି, ଚାଖଣ୍ଡେ ଜମି ଅକ୍ତିଆର କରିବାପାଇଁ ଏମିତି ଖୌଣି ଖୌଣି ସୈନିକ ଛାଉଣୀରୁ ଖାଲି କଲେ ଲାଭ କ’ଣ ? ସଂଗ୍ରାମର ମୂଲ୍ୟ କ’ଣ ? ଭିକାରୀମାନଙ୍କୁ ଦି’ଟା ପଇସା କି ଦି’ମୁଠା ଭାତ ଦେଲେ ଆମେ ନିଜ ମାନବିକତାର ନିଦର୍ଶନର ଧ୍ୱଜା ଉଡ଼େଇ ପାରିବାନି । ବରଂ ସେମାନଙ୍କୁ ମୃତ୍ୟୁ ପାଇଁ ଅନ୍ଧକୂପ ଦିଗରେ ଆଙ୍ଗୁଠିର ଦିଗ୍‌ଦର୍ଶନ ଦେଲେ ନତୁବା ଜୀବନ ପାଇଁ, ବଞ୍ଚିବା ପାଇଁ ସେମାନଙ୍କୁ ମଣିଷ କରି ପାରିଲେ ବରଂ ବନ୍ଦନୀୟ । ଚିମିନିରୁ ମୁକ୍ତିପାଉଥିବା ଜଗନ୍ନାଥଙ୍କ କଳା ଡୋଳା ଧୂଆଁକୁ ଶହ ଶହ ଓ୍ୱାଗନରେ କଂମ୍ପ୍ରେସ କରି ସାଇତିଲେ ନିଜ କାର୍ଯ୍ୟ ପାଇଁ କିଛି ବାହାଦୁରି ମିଳେନା । ବରଂ ସେଇ ଧୂମରୁ ବ୍ଲିଚିଙ୍ଗପ୍ରୋସେସ୍ ସାହାଯ୍ୟରେ ସୁସ୍ଥ ମଣିଷ ଉପଯୋଗୀ ପବନ ଟିକକ ନେଇ ଅଙ୍ଗାର ଗୁଣ୍ଡାକୁ ଭୂଇଁରେ ପୋଡ଼ିଦେଲେ ଜମି ଟିକେ ହୁଏତ ଉର୍ବର ହେବ ଏବଂ ସେଇ ଉର୍ବର ଜମିରୁ ଅମଳ ହେବା ଖାଦ୍ୟ ମଣିଷର ଅର୍ଖିତ ଜୀବନରେ କଣିକାଏ ମାଧୁରିମା ଆଣି ପାରିବ ।

 

: ନୀରଦ, ଆ—ଖାଇବା...ଭୀଷଣ ଭୋକ...

 

... ନୀରଦ ଅନ୍ୟମନସ୍କ ।

 

ମନ୍ଦିର ବେଢ଼ାର ସେଇ ଦେବଦାରୁ ଗଛ ଛାଇରେ ଆମେ ବସିଲୁ । ପୂଝାରି ପାଣି ନିଗିଡ଼ି ଯାଉଥିବା ପତ୍ରରେ ପ୍ରସାଦ ବାଢ଼ିଲା । ସେ କିଛି ଉଁ ଚୁଁ ନ କରି ଖାଇବା ଆରମ୍ଭ କଲା ।

 

: ବାବୁ !

 

: ଉଁ...ନୀରଦ ମୁଣ୍ଡ ଟେକିଲା ।

 

: କ’ଣ ? ମୋ ଆଖିରେ ଘୃଣା ।

 

: ଜରା ମଦଦ୍‌ କିଜିୟେ ସାବ୍‌...

 

: ମଦଦ୍‍ । ଧୁତ୍‌...ମଦଦ୍‍ଗୁଡ଼ାକ ତ ଖାଲି ଅଇଁଠା ପତ୍ର ?

 

: କୁନା ! ତୁ କାହିଁକି ଅଯଥାରେ ଚିଡ଼ୁଛୁ ? ତା’ ଡାକ ତତେ ଯଦି ଏତେ ଭଲ ଲାଗୁନି ବରଂ ନିଜ କାନକୁ ଚାପି ଧର୍‌ । ନତୁବା ପାରିବୁ ଯଦି ତା’କୁ ନଷ୍ଟ କରିଦେ...ତା’କୁ ଧୁତ୍‌ କହି ତଡ଼ିବା ତୋର ଉଚିତ୍‌ ହେଲାନି...

 

ଭିକାରୀ ଜଣକ କିଛି ବୁଝିଲା କି ନାହିଁ ମୁଁ ଜାଣେନି । କିନ୍ତୁ ଆମର ଉଭୟ ଉଭୟ ପ୍ରତି ଏ ନିଆଁ ଫିଙ୍ଗା ଫିଙ୍ଗିରେ ତା’ ଆଖି ଆଉ ମୁହଁରେ ସତୃଷ୍ଣାର ମୋହର ।

 

ମୁଁ ଅଭିମାନ କଲି । ରାଗିଲି । ନୀରଦ, ଅନ୍ୟର ଦୁଃଖ, ଅନ୍ୟର ଭୋକ ନିଜେ ସହି ପାରୁନୁ ବୋଲି ଅନ୍ୟକୁ କାହିଁକି ହିତ ଉପଦେଶ ଦେବୁ ? ନିଜକୁ ସ୍ତର ସ୍ତର କଷ୍ଟ ଦେବୁ ? ଆଖି ଫୁଟାଇବୁ ? କାନ ନଷ୍ଟ କରିବୁ ?

 

ମୁଁ ତାକୁ ଅବଧୂତ ଉବାଚ ମଧ୍ୟ ଶୁଣେଇ ଥାଆନ୍ତି ବରଂ କାଚର କୋଠରୀ ଭିତରେ ବନ୍ଦୀ ହେବା ତୋ’ର ବିଧେୟ । ସେ କୋଠରୀକୁ ଏମିତି କଣ୍ଡିସନ୍‌ କରିଥିବୁ ଯେ କୌଣସି କ୍ଷଣଧ୍ୱନି ତତେ ଶୁଣାଯିବନି । ଆଉ ତୁ ଯଦି ସତ୍ୟତାକୁ ଦେଖିବାକୁ ଚାହୁଁନା, ନଗ୍ନତାକୁ ନିଜର ସଙ୍ଗୀ କରିପାରୁନା । ଦୃଷ୍ଟିହୀନ ହୋଇ ବଞ୍ଚିବାକୁ ଚାହୁଁ......ତେବେ ସେ କାଚର ଦେହରେ ଆଲ୍‌କାତରା ବୋଳି କଳା କିଟି କିଟି କରି ଦେଲେ ହେଲା ।

 

ଟିକେ ଟିକେ କଥାରେ ତା’ ଦରଦୀ ପ୍ରାଣ ଆର୍ଦ୍ର ହୁଏ । ତା’ ପ୍ରାଣରେ, ମନରେ ଅନ୍ୟର ଅଶାନ୍ତି, ଯନ୍ତ୍ରଣା, ଯାତ୍ରା ଖଇ ପରି ଫୁଟେ । ସେ ଶବ୍ଦ ସହି ପାରେନି, ଆଲଣାରେ ଲୁଗା ସାଇତି ଲଙ୍ଗଳା ହୋଇ ଶୋଇ ପାରେନି । ତେବେ ତା’ର ମାନେ କି ହୁଏ ଯେ ସେ ନିଜର ଅହଂଟା, ଦେହଟା, ଆତ୍ମାଟା ନିଚ୍ଛକ ନିଜର ବୋଲି ତା’ ଉପରେ ଯା’ ଇଚ୍ଛା ତା’ ଅତ୍ୟାଚାର ଲଦି ଦେବ ?

 

ଦୀର୍ଘଦିନ ହେଲା ନୀରଦ ଆମର ଏଇ ତୃତୀୟ ସହରରୁ ବିଦାୟ ନେଲାଣି ।

 

ମିଚିଗାନ୍‌ ବିଶ୍ୱବିଦ୍ୟାଳୟରେ ନୀରଦ ରିସର୍ଚ ସ୍କଲାର । ତା’ ସମ୍ୱେଦନଶୀଳ ପ୍ରାଣ ଏ ଭିତରେ କିଛି ବଦଳି ଗଲାଣି ବୋଲି ମୋ ଏଡ୍ରେସର ଆସିଥିବା ତା’ ଲମ୍ୱା ଲମ୍ୱା ଚିଠି ମୋତେ ସୂଚେଇ ଦିଏ । ପ୍ରାଚୁର୍ଯ୍ୟ ଭିତରେ ନିଜର ହେଉ କି ପରର ହେଉ ଦୈନ୍ୟତାକୁ ଭୁଲିଯିବା ମଣିଷର ସହଜାତ ପ୍ରକୃତି । ନଦୀ ବାଲିରେ ଧାଁ ଧୌଡ଼ କରୁଥିବା କାଙ୍ଗାଳି ମଣିଷ ସବୁବେଳେ କୋଳେଇ କାଖେଇ ଗେଲ କରେନି । ଆଜି ଖୁବ୍‌ ଖୁସିରେ ନୀରଦ ମିଚିଗାନ୍‌ ବିଶ୍ୱବିଦ୍ୟାଳୟର ସେଇ ବାସନ୍ତ ଅଲିଭ ଗଛର ବଣର ଛାୟା ଚନ୍ଦ୍ରିକାରେ ବସି ପାରୁଛି...ବ୍ଲୁଫିଲ୍ମ, ଷ୍ଟିପଟିଜ୍‌ ଡାନସ୍‌ ଦେଖୁଛି... ଅମାପ ଉତ୍ତାପ ନେଇ କଅଁଳ ଦେହକୁ ଅଶ୍ଳେଷି ପାରୁଛି...ଘଣ୍ଟା ଘଣ୍ଟା ଧରି ସମୟର ପ୍ରବାହ ଦେଖିପାରୁନି-। ମୋଟା ମୋଟା ବହିର ପୃଷ୍ଠା ଓଲଟାଇ ପାରେ ।

 

ସେ ଥରେ ଲେଖିଥିଲା କୁନା, ଆମେ ଯେତେବେଳେ କଟକର ଆବର୍ଜ୍ଜନାପୂର୍ଣ୍ଣ ଗଳିକନ୍ଦିରେ ବୁଲୁଥିଲେ ମୁଁ ସେହି ୱାସିଂଟନ୍‌, ଲଣ୍ଡନ ଖୋଜୁଥିଲି । ପାଉ ନ ଥିଲି ବୋଲି ନିଜକୁ ଘୃଣା କରୁଥିଲି ଏବଂ ସେଇ ଭିକାରୀମାନଙ୍କର କରୁଣ କାନ୍ଦ ଶୁଣି ନିଜେ ନ କାନ୍ଦି ରହିପାରୁ ନଥିଲି-। ଏଠି କିନ୍ତୁ କଟକ ସହର ଆଉ ତା’ର ଗଳି ଉପଗଳି ଏକବାରେ ଦୁର୍ଲଭ । ଏଠି ସବୁ ବ୍ୟତିକ୍ରମ ଏଠି ଦିନରେ ପଶ୍ଚିମାକାଶରେ ସୂର୍ଯ୍ୟ ହସିଲା ପରି ମନେହୁଏ... ସନ୍ଧ୍ୟାରେ ଆମେ (ଆଜିକାଲି ବିଅର, ହ୍ୱିସ୍‌କି ଛାଡ଼ି ଦେଲିଣି, ମେହେନ୍ତର ପଡ଼ା ବୁଲିବା ବନ୍ଦକରି ଦେଲିଣି । ବ୍ରାନ୍ଦି ସାମ୍ପେନ୍‌ ପିଉଁ । କ୍ଲବ୍‌ ବୁଲୁ...ରାତିହେଲେ ଜାରଜ ସନ୍ତାନ ସୃଷ୍ଟିରେ ଲାଗିଯାଉ...ଏଠି ଆଗପରି ମତେ ଅତିଷ୍ଠ ଲାଗୁନି...ସନ୍ତୁଷ୍ଟ ଲାଗୁଛି...

 

ଅନ୍ୟ ଏକ ଚିଠି । କୁନା, ମୋ ଗାଇଡ୍‌ ଭାରତୀୟ । ପଞ୍ଜାବୀ ମହିଳା...ନାଁ ଏନି ଜୋନ୍‌...ସେ ଏଠି କିନ୍ତୁ ସମସ୍ତଙ୍କ ପାଖରେ ମିସେସ୍‌ ଏନି ଜୋନ୍‌ । ମୋଠୁଁ ଓଡ଼ିଆ ଶିଖୁଛନ୍ତି...ଭଙ୍ଗା ଭଙ୍ଗା ଓଡ଼ିଆ । କହନ୍ତି...ତିନୋଟି ଛୁଆର ଓଡ଼ିଆ...ନୀରଦ...କିନ୍ତୁ—ବାପରେ କି ଆଖି । କି ମୁହଁ ! ସାକ୍ଷାତ୍‌ ବାଘୁଣୀଟାଏ ! ଦେଖିଲେ ମତେ ଏତେ ଡର ମାଡ଼େ । ତୁ ସମଝି ପାରିବୁନି । ପାଞ୍ଚପଦ ପଚାରିଲେ ପଦୁଟିଏ ହଁ କିମ୍ୱା ନାହିଁର ଉତ୍ତର । ନତୁବା ଅତି ବେଶୀ ହେଲେ ଦି’ଚାରି ପଦର ଛୋଟ ଲାଇନଟେ । ଏତେ ଗମ୍ଭୀର । ଏତେ ରିଜର୍ଭଡ୍‍ !

 

ନୀରଦ ସାଥିରେ ମୋର କରେସପଣ୍ଡେନ୍‌ସ୍‌ ବନ୍ଦ । ତା’ ଠିକଣାରେ ଅନେକ ଚିଠି ଦେଲି । ଉତ୍ତର ପାଇଲିନି ।

 

(ମିସେସ୍‌ ଏନିଙ୍କ ଗାଡ଼ି ତଳ ଫ୍ଲାଟରେ ବ୍ରେକ୍‌ କଷିଲା । ବାହାର ଶବ୍ଦଗୁଡ଼ାକ କିଛି ମାତ୍ରାରେ ମଉଳି ଗଲେଣି । ଏନି ଆସିଲେ । ଭିତରେ ଅସମ୍ଭବ ନିଦା ଅନ୍ଧାର ତାଙ୍କୁ ସନ୍ତୁଷ୍ଟ ଲାଗୁଛି-।)

 

: ନୀରଦ୍‌, ଲାଇଟ୍‌ ?

 

: ଜାଣେନା ।

 

ଲାଇଟ୍‌ ଜଳିଲା । ଆଲୁଅମାନେ ଚତୁଷ୍କୋଣୀ କୋଠରୀରେ ଠିଆ ଠିଆ ହେଲେ । ଏନି କିଚେନ୍‌କୁ ବାହାରିଲେ । ନୀରଦ ବାଧା ଦେଲାନି ।

 

ନା...ପଛକୁ ଆଖି ଫେରାଇବାର ଏ ବ୍ରହ୍ମ ବେଳା ।

 

ମନେପଡ଼ୁଛି...ତା’ ଗାଇଡ୍‌ ମିସେସ୍‌ ଏନି ତାକୁ ସେ’ଦିନ ବହୁତ ଗାଳି ଦେଲେ । ତାଗିଦ୍‌ କରିଥିଲେ । କାରଣ, ବେଖାତିର୍‌ ସବୁଥିରେ, ପାଠରେ, ରିସର୍ଚ୍ଚରେ । ତା’ ପରିଶ୍ରମରେ ଆତ୍ମୀୟତାର ଅଭାବ ଯିମିତି ବେଶୀ ପରିମାଣରେ ପରିସ୍ଫୁଟ ହେଉଛି । ନୀରଦ ଦେଖିଥିଲା ଏନିଙ୍କ ଆଖି । ଆଖି—ଦୁଇଟି ଜଳନ୍ତା ସୂର୍ଯ୍ୟ । ତଥାପି ସେ କାହିଁକି ମନେ କରିଥିଲା, ଏଇ ସୂର୍ଯ୍ୟର ଦହନରୁ ଜ୍ୟୋତି ନେଇ ଚନ୍ଦ୍ରର, ଜ୍ୟୋତ୍ସ୍ନାର ସୃଷ୍ଟି, ସ୍ଥିତି...ସେ ଆଖିରେ ଏତେ ଦହନ ଥିଲେ ବି କ’ଣ ଶୀତଳତା ନଥିବ ! ଜମା ଆବସର୍ଡ଼ ନୁହେଁ ତା’ ଚିନ୍ତନ ।

 

ନୀରଦ । ଏକ ବିଶ୍ଳେଷଣ—ସେ ବ୍ୟତିକ୍ରମର ମଣିଷ । ତା’କୁ ରୁଟିନ୍‌ ଭଲ ଲାଗେନା । ସେ ଫର୍ମୁଲା ମାନେନା । ଅପଥରେ, ଅବାଟରେ ବଢ଼ିଲେ ଯେ ମଣିଷର ଅଦେଖା ସହ, ଦୁର୍ଘଟଣା ସହ ମୁଲାକାତ୍‌ ହୁଏ—ୟା’ ସେ ଜାଣି ନ ଥିଲା । ଆତ୍ମତୃପ୍ତି ପାଇଁ ବ୍ୟତିକ୍ରମ । ବ୍ୟତିକ୍ରମରୁ ଦୁର୍ଘଟଣା...ବ୍ୟତିକ୍ରମ ଜନ୍ମିତ ଦୁର୍ଘଟଣାରୁ ଆଜି ନୀରଦର ଜୀବନ୍ତ ଯନ୍ତ୍ରଣା...ତା’ ହୃତ୍‌ପିଣ୍ଡକୁ କେଉଁ ପାହାଡ଼ ଦେହରେ ଲୌହ ଶଙ୍କୁଳଦ୍ୱାରା ଛନ୍ଦା ଯାଇଛି...ଆଉ ସେହି ବନ୍ଦୀ ହୃତ୍‌ପିଣ୍ଡରେ ଚିଲ ଶାଗୁଣାଙ୍କ ଭୋଜି ପର୍ବ...ଟୁକୁରା ଟୁକୁରା କଅଁଳ ମାଂସକୁ ତୀକ୍ଷ୍‌ଣ ଚଞ୍ଚୁରେ ପୁଳା ପୁଳା ରାମ୍ପି ସେମାନେ ଖାଇଯାଉଛନ୍ତି...ଓଃ...ନୀରଦ ଯେମିତି ଅଗ୍ନିର ବଳୟ ଘେରରେ ସ୍ଥିର ଯନ୍ତ୍ରଣାମାନଙ୍କ ଅପର୍ଯ୍ୟାପ୍ତ କେନ୍ଦ୍ର ବିନ୍ଦୁ ।

 

ଏକ୍‌ସପ୍ଲୋଜନ୍‌ ! ମିଚିଗାନ୍‌ ବିଶ୍ୱବିଦ୍ୟାଳୟ ରସାୟନାଗାରରେ ବିସ୍ଫୋରଣ । ତା’ର ସ୍ରଷ୍ଟା ନୀରଦ । ଆଉ ଫର୍ମୁଲା ପ୍ରତି ଅନ୍ଧ ହୋଇଥିବା, ସମ୍ମାନ ଦେଖାଉ ନ ଥିବା ତା’ ମନ, ପ୍ରବୃତ୍ତି ।

 

ଫର୍ମୁଲାରୁ ବ୍ୟତିକ୍ରମ...ଦୁର୍ଘଟଣା...ଯନ୍ତ୍ରଣା...ଜୀବନ ।

 

ନୀରଦ ଅନ୍ଧ । ଅନେକ ବ୍ୟଥା । ଅନେକ ସ୍ମୃତି । ଅନେକ କାହାଣୀ ।

 

ତା’ ଦୁର୍ଘଟଣା ଅସାବଧାନତାର ନୁହେଁ । ଫର୍ମୁଲା ସହ ସାମିଲ୍ କରୁ ନ ଥିବା ଅନୁସନ୍ଧିତ୍ସାର, ଜିଜ୍ଞାସାର ।

 

ମୁଁ ତା’ ଦୁର୍ଘଟଣାର ଉପକଥା କିଛି ଜାଣି ପାରିଲିନି ।

 

ଦୁର୍ଘଟଣା ପରେ କିଛି ଦିନ ପାଇଁ ସେ ହସ୍‌ପିଟାଲାଇଜଡ ହେଲା । ସେ ନିଜକୁ ବହୁତ ଘୃଣା କରୁଥିଲା । ତା’ ପୃଥିବୀ ଶୂନ୍ୟ ବସତି । କେଇଜଣ ବନ୍ଧୁ ବିନା ତା’ର ହୋଇ ଆଉ କିଏ ନାହାନ୍ତି କୌଣସି ମାଟିର ଇଲାକାରେ । କାହିଁକି ସେ ନିଜ କାହାଣୀ କାହାକୁ ଜଣେଇଲାନି ? କାରଣ ବନ୍ଧୁମାନେ ମଧ୍ୟ ସେଇ ଫର୍ମୁଲାରପତ୍ର ଦେବେ—ନୀରଦ, ତୋର ଏ ଦୁର୍ଘଟଣାରେ ଆମେ ମର୍ମାହତ...ସେ କାହିଁକି ପୁନଶ୍ଚ ରକ୍ତାକ୍ତ ହେବ ? ଅନ୍ୟମାନଙ୍କ ତୁଚ୍ଛା ସମ୍ୱେଦନାର ଶରବ୍ୟ ହେବ-?

 

କ୍ଲିନିକରେ ପ୍ରଥମ ଦିନର ଅନୁଭୂତି...ତା’ ଯନ୍ତ୍ରଣାରେ ଶାନ୍ତିର ପ୍ରଲେପ ମାଖି ଦିଆଗଲା...ସେ ଶାନ୍ତିରେ ଶୋଇଲା...କା’ ହାତର ସ୍ପର୍ଶ ପାଇ ଆଖି ମଳି ମଳି ଅନେଇଲା...ତା’ ଆଗରେ ବେଡ଼୍‌ କଡ଼କୁ ମିସେସ୍‌ ଏନି...ସେ ତା’କୁ ଅନେକ ସାନ୍ତ୍ୱନା ଦେଲେ...ନୀରଦ ମନେ ମନେ ନିଜକୁ ବହୁତ ଦୁର୍ବଳ ଭାବିଲା । ଭିତରେ ଅନ୍ଧାର... ବାହାରେ ଆଲୁଅର ମଉଛବ । ସେ ବିରକ୍ତ ହେଲା—କାହିଁକି ସିଏ ଅନ୍ୟର ମର୍ଜି ଉପରେ ବଞ୍ଚିବ ? ନିଜକୁ ଯଦି ଦୁନିଆଁରେ ବଞ୍ଚେଇ ରଖିବା ପାଇଁ ସେ ଅକ୍ଷମ, ତେବେ ଅନ୍ୟର ଆଶ୍ୱାସନା, ଆହା—ଚୁ-ଚୁ ପାଇଁ ସ୍ୱପ୍ନରେ ମୋହାଶକ୍ତ ହୋଇ ବଞ୍ଚିବାରେ ସ୍ୱାଧୀନତା କାହିଁ ? ବରଂ ହିମାଦ୍ରିର ମୃତ୍ୟୁ ନମନୀୟ । ସେ ଭାବିଛି—ମୁଁ ଦିନେ ରାଜା ଥିଲି । ଆଜି ଅନ୍ଧ ବୋଲି ମୁଁ କ’ଣ ଝୁଲାମୁଣି, ଭେକ ପାଇଁ ଭିକ୍ଷାଥାଳି ହସ୍ତେ ଫକୀର । ଅନ୍ଧ ହେଲେ ବି ମୁଁ ରାଜା । ଧୃତରାଷ୍ଟ୍ର ବି ତ ଅନ୍ଧ ଥିଲେ । ତା’ବୋଲି ସିଏ କ’ଣ ରାଜା ନୁହନ୍ତି ନା ତାଙ୍କୁ ଦୁର୍ଯ୍ୟୋଧନ, ଯୁଧିଷ୍ଠିର ରାଜାର ସମ୍ମାନ ନ ଦିଅନ୍ତି ? ରାଜା ଅନ୍ଧ ହେଲା ଜାଣି ବିନା ରକ୍ତପାତରେ, ବିନା ହାତୀ, ଛତି, ଘୋଡ଼ାର ମୃତ୍ୟୁରେ ତା’ ମୁଣ୍ଡ ଉପରୁ ସୁନାର ମୁକୁଟ ଆଉ ତା’ ହାତରୁ ରାଜଶ୍ରୀର ଦଣ୍ଡ କିଏ ଝାମ୍ପି ନେଇ ନ ପାରେ । ଯେ ରାଜା, ସେ ରାଜା । ତା’ ଆଖି ଥାଉ କି ନ ଥାଉ...ସେ ଅନ୍ଧ ବି ସେ ଦୃଷ୍ଟିବନ୍ତ...

 

(ଆରଘରୁ ମିସେସ୍‌ ଏନିଙ୍କ ପାଦଶବ୍ଦ ଘୁମୁରି ଉଠୁଛି...କପ୍‌ ପିଆଲାର ଟୁଂ ଟାଂ ଶବ୍ଦ ତା’ କାନରେ ବାଜୁଛି...)

 

କ୍ଷତ ଭଲ ହେଲା । ଦାଗ ଲିଭିଲାନି କିନ୍ତୁ । କ୍ଷତର ଦାଗ କ୍ଷତର ଦ୍ୟୋତନା ଦେଲା । ଆଖି ହରେଇ, ଦୃଷ୍ଟିଶକ୍ତି ହରେଇ ନୀରଦ ଅନ୍ଧ ହେଲା । ତା’ ଆଗରେ ପଛରେ ଅନ୍ଧାରମାନେ ବିଦ୍ରୂପ କରି, ହୋ-ହଲ୍ଲା କରି, ନାକ ଟେକି ଟେକା ପଥର ଫିଙ୍ଗିଲେ । ସେ ଉପାୟଶୂନ୍ୟ ହୋଇ, ଏପରିକି ଶୂନ୍ୟ ମରୁରେ ହେୟିତ କଣ୍ଟା ଗଛଟିରେ ରାତିକର ସାହାରା ନ ପାଇ ସିଢ଼ୀରେ ଚଢ଼ିଲା, ରାସ୍ତାରେ ଦୌଡ଼ିଲା...କିଛିଦିନ ପାଇଁ କେଉଁଠି ପହଞ୍ଚି ପାରିଲାନି...

 

ହଠାତ୍‌—

 

ଏମିତି ଦିନେ...ଦୌଡ଼ ଦେଉ ଦେଉ ସେ ଆଲୁଅର ଶଙ୍କା ପାଇଲା—ଆଲୋକ—ସେ ତା’ ମାଟିକୁ ଫେରିବ । କିନ୍ତୁ ସେ ମାଟିରେ ତା’ର ହୋଇ ଆଉ କିଏ ବା ଅଛି ? ଆଖି ଥିଲେ ସେ ହୁଏତ ମିଚିଗାନ୍‌ ଆଉ କଟକ ମଧ୍ୟରେ କିଛି ଫରକ୍‌ ପା’ନ୍ତା । ଏନି ଆଉ ମୋ ଭିତରେ କିଛିଟାର ତଫାତ୍‌ ଦେଖନ୍ତା—ଆଖି ନାହିଁ ।ଏଣୁ ତା’ପାଇଁ ସବୁ ଅତିକାୟ, ଏକାକାର, ଅନ୍ଧାର । ଆଖି ଥିଲେ ସେ ହୁଏତ ସୁନ୍ଦରବନର ବାଘ ଭାଲୁ ବିପଦଶଙ୍କୁଳ ମହକୁମାରେ ଆଜିର ମଣିଷ ହୋଇ ପାରନ୍ତା ନତୁବା ନଭେଲା ରେଷ୍ଟୁରାଣ୍ଟରେ ମଦପାତ୍ର ଧୋଇ ପାରନ୍ତା...ନିଜ ପାଇଁ ସେ କୌଣସି ପୃଥିବୀ (ମାଟି, ପବନ, ପାଣି ଯା’ ହେଉ ) ବାଛି ନେଇଥାନ୍ତା...ସେ ଆଉ ସ୍ୱାଧୀନ ଭାବେ ବଞ୍ଚି ପାରିବନି । ସେ ଅନନ୍ୟା କେଉଁ ଆଶାବାଡ଼ିର ସାହାଯ୍ୟ, ସାହାରା, ଭରା ପାଇ, କାହା ଉପରେ ନିରୁତାପ ଭାରା ହୋଇ ବଞ୍ଚିବ ? ନା—ବରଂ ଆତ୍ମହତ୍ୟା କରିବ...ଆତ୍ମଘାତୀ ହେବ ।

 

ସଂଘର୍ଷ ! ଆତ୍ମହତ୍ୟା ପାପ !

 

ମୃତବତ୍‌ ଜୀବନ । ପୁଣ୍ୟ !

 

ଧୁତ୍‌...ବାଜେ କଥା, ସ୍ୱାର୍ଥ ପାଇଁ, ମଣିଷକୁ ଆଲୁଅ ନ ଦେବାପାଇଁ କେଉଁ ସମାଜର ବଡ଼ପଣ୍ଡାମାନଙ୍କ ଫନ୍ଦି ଫିକର ପାପ ଆଉ ପୁଣ୍ୟର ସୃଷ୍ଟି...ସେମାନଙ୍କ ମେଳ ଖାଉ ନ ଥିବା ସ୍ଥିତି ।

 

ନୀରଦ । କି ଖିଆଲ ! କେତେ ଅଦ୍ଭୁତ?

 

ସେ କୌଣସି ଉପାୟରେ ପ୍ରଚାର ଆରମ୍ଭ କରିଦେଲା...ନୀରଦ ଦାସଙ୍କ ଆତ୍ମହତ୍ୟା । ତା’ପରେ କିଛି ଦିନର ବନବାସ, ବାନପ୍ରସ୍ଥ ଜୀବନ । ମର୍ଣ୍ଣିଂଡେଲିରେ ସେ ପଢ଼ିଲା, ପଢ଼ିଲା ମାନେ ଅନ୍ୟ କିଏ ପଢ଼ି ତା’କୁ ଶୁଣାଇ ଦେଲା—ମିସେସ୍‍ ଏନି ଜୋନ୍‌ ତା’ ମୃତ୍ୟୁରେ ଏଲିଜି ଲେଖିଛନ୍ତି...ଏଲିଜି ! ପ୍ରାଣସ୍ପର୍ଶୀ ମର୍ମ ଛୁଆଁ । ନୀରଦ ଦୃଢ଼ ହେଲା...ତା’ ମୃତ୍ୟୁରେ ବି କିଏ ଜଣେ ଶୋକର ଗୀତିକା ଲେଖି ପାରିଲା ! ରାଜା ଥିଲା ବୋଲି ଅତୀତର ସ୍ୱପ୍ନ ଦେଖିଲାନି କି ଆଜି ଭିକାରୀ ପାଲଟିଲା ବୋଲି ଦୁଃଖ କଲାନି । ସେ ବଞ୍ଚିବ । ତା’ ବଞ୍ଚିବାରେ ଆଶାରେ ଟ୍ରକ ଟ୍ରକ ଇସ୍ପାତର କରେଣ୍ଟ ଅଭେଦ୍ୟ ଦୃଢ଼ତା ।

 

ବଞ୍ଚିବାପାଇଁ ଆତ୍ମୀୟତା ଥିଲେ ହେଲା । ଇଚ୍ଛା ଟିକକ ସବୁକିଛି।

 

(ମିସେସ୍‌ ଏନି ଚା’ ଟ୍ରେ ଆଣି ନୀରଦ ସାମ୍ନାରେ ଥୋଇଲେ । ବାହାରେ ବରଫର ଝଡ଼ ଆକାଶର ପାହାଚ ପାର ହୋଇ, ଉଚ୍ଚା ଉଚ୍ଚା ଅଟ୍ଟାଳିକା, ୟୁକାଲପଟାସ୍‌ ଶାଖାର ପତ୍ର ଛୁଇଁ ଛୁଇଁ, ନୟାନ୍ତ ନହ-ନହକା ଦେହ ହାତ ନେଇ ଫେରୁଛି । ଘର ଭିତରେ ଉଷ୍ମତା ମାନେ ମୃତ—ସୌଦାଗରର ଧନଲୋଭୀ ମନ ।

 

: ଏନି, ସେ, ପୂର୍ବ ଦିଗରେ ସ୍କାଇଲାଇଟ୍‌ଟା ଖୋଲା ଅଛି...

 

: ହଁ । ବନ୍ଦ କରିବି ?

 

: ବହୁତ ଭଲ ହୁଅନ୍ତା । ଆରାମ ଲାଗନ୍ତା ।

 

ସ୍କାଇଲାଇଟ ବନ୍ଦ ହେଲା । ନୀରଦ ଚା’ କପରେ ଚୁମାଦେଲା । ଏନି ରନ୍ଧା ଘରକୁ ଫେର୍‌ ଲେଉଟିଲେ... ଏ ରୁମରେ ଭେଜିଟେବ୍‌ଲ ଫ୍ରାଇର ବାସ୍ନା ।

 

ଅନ୍ୟ ଏକ ଗର୍ଭିଣୀ କୃଷ୍ଣଚୂଡ଼ା ରଙ୍ଗର ସନ୍ଧ୍ୟାରେ ନୀରଦ ଏନିଙ୍କ ପ୍ରାଇଭେଟ୍‌ ରେସିଡ଼ାନ୍‌ସକୁ ଗଲା । ଏନି ଭୂତ ଦେଖିଲା ଭଳି ଚମକିଲେ ।

 

: ୟୁ ! ନୀରଦ୍‌ ? ହ୍ୱାଓ ? ଏଲାଇଭ୍‌ଘୋଷ୍ଟ !

 

: ୟେସ୍‌ ମ୍ୟାଡ଼ାମ୍‌...

 

: ଓ୍ୱାଟ୍‌ ! ୟୁ ଆର୍‌ ଘୋଷ୍ଟ ? ନୋ...ନୋ...ନୀରଦ୍‌ ।

 

ଏତେ ଆଦର ! ଏତେ ଅଭ୍ୟର୍ଥନା ! ବନ୍ଦାପନା ! ନୀରଦ ଅଣନିଶ୍ୱାସୀ ହୋଇଯାଉଛି ।

 

ବାହାରର ନିମିଳିତ ଅନ୍ଧକାରରେ କିଛି ଅଶୁଭ ଲଗ୍ନର ଉପକ୍ରମଣିକା । ଭିତରେ, କିଛି ଆତ୍ମିକ ଆଳାପ । ନୀରଦ କିଛି ଦେଖି ପାରୁ ନ ଥିଲା । କେବଳ ଟିକେ ଅନୁଭବର ସ୍ପର୍ଶ ପାଉଥିଲା–ଅନ୍ଧ ପାଇଁ ଯେ କୌଣସି ସହର, ଯେତେ ହରେକ ରକମର ଆଲୁଅ, ନଈପଠାର ଅନ୍ଧାର କାଳରାତ୍ରି ।

 

: ମ୍ୟାଡ଼ାମ ! ଆଶା ନ ଥାଇ ବଞ୍ଚିବାରେ ଲାଭ କ’ଣ ଥାଇପାରେ...ସନ୍ଦିଗ୍‌ଧ ପ୍ରଶ୍ନବାଚୀ-

 

ମିସେସ୍‌ ଏନି ତା’କୁ ବୁଝେଇଲେ—ଜୀବନକୁ ଲାଭ ଓ ଲୋଭର ତରାଜୁରେ କେବେ ତଉଲି ହୁଏନା । ଯନ୍ତ୍ରଣାକୁ ସହି ପାରୁନ ବୋଲି, ଦୈହିକ ଗଞ୍ଜଣାକୁ ଆଦରି ପାରୁନ ବୋଲି ଲିଭିଯିବା ପାଇଁ ଏତେ କ୍ରାନ୍ତିକାରୀ ଚେଷ୍ଟା । ନିବୁଜ କୋଠରୀରେ ଜଳି ଜଳି ନିଃଶେଷ ହୋଇ ଲିଭିଯିବା ବରଂ ଧନ୍ୟବାଦାର୍ହ । କିନ୍ତୁ ସ୍ରୋତ ମୁହଁକୁ ଠେଲି ହୋଇ, ଦମକାଏ ପବନର ଆଘାତରେ ନିଜେ ଲିଭିଗଲେ ସେଥିରେ ଅଣୁମାତ୍ର ପ୍ରାପ୍ତି କି ସଂପୃତ୍ତି ମିଳେନା ।

 

ପରେ ପରେ ମିସେସ୍‌ ଏନି ନିଜ ଅତୀତର ଅଶ୍ରୁଳ ପୃଷ୍ଠାରୁ କିଛି ପଢ଼ିବା ଆରମ୍ଭ କଲେ–ସେ କିମିତି ଅଭିମାନରେ ଭାଙ୍ଗିଯାଇ ଆଜିଯାଏ ଅବିବାହିତା ହୋଇ ରହିଛନ୍ତି...ପଥର ଉପରେ, କାଠର କ୍ରସ୍‌ ଉପରେ ଅଭିମାନ କରି ସେ ଆଜି ଶାପମୁକ୍ତା ପରୀ ହୋଇପାରି ନାହାନ୍ତି...ତାଙ୍କର ମନେ ପଡ଼େ ମିଷ୍ଟର ଇଲିୟଟ୍‌ ଜୋନ୍‌—କେତେ ରୋମାନ୍‌ସ—କେତେ ଗୋଲାପୀ ସ୍ୱପ୍ନ । କେତେ ହିପଟୋଜନ୍ ନିଶା—କିନ୍ତୁ ସବୁ ଦୂର ଆକାଶର ଅଗଣାରେ ଉଡ଼ୁଥିବା ପକ୍ଷୀର ଡେଣାପରି ଝାପ୍‌ସା ହୋଇଛି । ଏଇ ମିଚିଗାନ୍‍ ଲାବୋରେଟାରିରେ ଏକ୍‍ସପ୍ଲୋଜନ୍ ହେଲା, ସେଥିରେ ତାଙ୍କର ସର୍ବାଙ୍ଗ ଜଳିଗଲା । ସେ ପାଉଁଶ ମୁଠେ ହୋଇ ଲେଲୀହାନ, ସର୍ବସ୍ୱ ଚାଟି ନେଉଥିବା ଅଗ୍ନି ପିଣ୍ଡୁଳାରେ ହଜିଗଲେ । (ନୀରଦ ! ସେ ଜଳିଗଲେ । ତୁମେ ବଞ୍ଚିଗଲ । ମୁଁ ଆଜି ଅଭିମାନ ଭାଙ୍ଗିଛି । ତୁମର ଆଖି ନାହିଁ, ସତ । କିନ୍ତୁ ତୁମର ସେ ଆଖିହୀନ, ଦୃଷ୍ଟିହୀନ କୋରଡ଼ରେ ମୁଁ ଦେଖି ପାରୁଛି—ସେଠି ମରଣ ଅପେକ୍ଷା ଜୀବନମାନେ ବେଶୀ ଦୀପ୍ତିମନ୍ତ, ମତୁଆଲା । ନୀରଦ, ତୁମେ ବଞ୍ଚିଯାଅ । ଜୀବନ ବହୁତ ରୋମାଣ୍ଟିକ । ଦେଖିବାର ଦୃଷ୍ଟି ନଥାଉ, କିନ୍ତୁ ଉପଭୋଗ କରିବା ପାଇଁ ବାସନା ଥିଲେ ତୁମେ ଖୁବ୍ ଅନାୟାସାରେ ବଞ୍ଚିପାରିବ)

 

ଓଃ....କେତେ ଆଶୁ ଚିନ୍ତା...ସମ୍ୱେଦନା ...ସମ୍ଭାବ୍ୟ ଉତ୍ତରଣ....

 

ବାହାରେ ସର୍ବଗ୍ରାସୀ ଝଡ଼...ବରଫର ଝଡ଼...

 

: ମୁଁ ଯାଏ, ମ୍ୟାଡ଼ାମ୍‌ ।

 

: ଯିବ? କୁଆଡ଼େ ?

 

: ଯେଉଁଠିକି ପାରିବି...

 

: ବାହାରେ ଯେ ଝଡ଼... ଅନ୍ଧାର...

 

: ମୁଁ ଯେ ଅନ୍ଧ...ଅନ୍ଧ ପାଇଁ ଆଲୁଅ ଆଉ ଅନ୍ଧାର ଏକା ଜିନିଷ...ପରେ ମିସେସ୍ ଏନିଙ୍କ ଭାଷା ଟିକେ ଓଦାଳିଆ ଜଣାପଡ଼ୁଥିଲା ।

 

: ନୀରଦ, ତୁମେ ଯାଅନି, ବାହାରେ ଝଡ଼ର ଅନ୍ଧାର ଆଉ ଅନ୍ଧାରର ଝଡ଼ । ତୁମେ ଯାଅନି, ମତେ ଭୀଷଣ ଏକାଟିଆ ଲାଗୁଛି.ବିପଦକୁ ମୁଣ୍ଡେଇବ ? ରାତି ପାହିଯାଉ, ସକାଳ ହେଉ, ତୁମେ ଯିବ ।

 

ନୀରଦ ନିଜକୁ ବୁଝେଇ ଦେଲା । ତା’ ଆଖିରେ ଝାପ୍‍ସା ନିଦ...ପେଟରେ ଭୋକ...କୁହାଟ...ଆଶାରେ ରକ୍ତର ବାମ୍ଫ...

 

(ରନ୍ଧାଘରୁ ଏନିଙ୍କ ସ୍ୱର—ନୀରଦ ଅନ୍ଧାରଟାରେ ବୋର୍ ହେଉଛ ବୋଧେ...ଏ ପଟକୁ ଆସ, କିଛି ଗପ କରିବା...)

 

ନୀରଦ ନିଦରେ ଘୁମେଇଗଲା ।

 

ସୋଫା ଉପରେ ଏନିଙ୍କ ନ୍ୟୁଡ୍‍ ଦେହ...ରକ୍ତରେ ନିଆଁ ଟକ୍ ମକ୍ ଫୁଟୁଛି, ହାଡ଼ ଭିତରେ ଅଗ୍ନିର ଆଗ୍ନେୟ ସ୍ରୋତ... ଛାତିରୁ ସାପ ପରି ମୋଡ଼ି ହୋଇ ବାମ୍ଫ ବାହାରୁଚି...ମୁହଁରେ ବିନ୍ଦୁ ବିନ୍ଦୁ କୋଟି କମକରା ଘର୍ମ...ତାଙ୍କରି ତଳ ଓଠକୁ କିଏ ନଖରେ ଝୁମ୍ପୁଛି । କାନ୍ଥରେ ନଗ୍ନ ଚିତ୍ର...ଇଲିୟଟ୍‍ଙ୍କ.ହସନ୍ତ ମୁହଁର ସ୍ନାପ୍...ଶେଯ ଉପରେ ନୀରଦ । ଏନିଙ୍କ ସର୍ବାଙ୍ଗରେ କନ୍ଦମ୍ୱ ପାଖୁଡ଼ା ବିଞ୍ଚି ହୋଇ ପଡ଼ୁଛି । ଆଇନାରେ ନ୍ୟୁଡ୍‍ ଦେହର ଚଉକଶ ମାଂସପେଶୀ, ମାଂସରେ ଢେଉ ଢେଉକା ସମୁଦ୍ରର କ୍ରମ..

 

ସନ୍ତର୍ପଣ । ମିସେସ୍ ଏନି ଜୋନ୍ ନୀରଦ ମୁହଁକୁ ନିରେଖି ଚାହିଁଲେ । ତା’ ଆଖି ବୁଜି ହୋଇ ଯାଇଛି । ୟେ କ’ଣ ? ଇଲିୟଟ୍‌ । ଇଲିୟଟ୍‌...

 

ନୀରଦ ସ୍ୱପ୍ନ ଦେଖୁଛି—ବିଳିବିଳେଇ ହେଲା....ଆଃ ମତେ ମାରନା...

 

ଉଭୟଙ୍କ ଭିତରେ କିଏ ଗୋଟାଏ ଡେଣାରେ ହାୟେନାର ପର ବାନ୍ଧି ବାଟବଣା ହେଉଛି । ତା’କୁ ଅକ୍ତିଆର କରିବାକୁ ହେବ ।

 

ମିସେସ୍ ଏନିଙ୍କ ଦେହକୁ ନୀରଦ ଜାବୋଡ଼ି ଧରିଲା...ଏନି ବି...ଏନି ନୀରଦ ମୁହଁରେ, ମୁଣ୍ଡରେ ହାତ ପାପୁଲିରେ ନରମା ଚୁମା ବୁଲାଇ ଆଣିଲେ । ନୀରଦ (ଓଃ...କି ପ୍ରଶାନ୍ତ) ସାହାରା ପାଇଗଲା । ପୁଳାଏ ପୁଲକ । ବ୍ୟବଧାନ ଦୂରେଇ ଗଲା । ବାଡ଼ ଭାଙ୍ଗିଲା । ମଣିଷରୁ ଦାନବ, ଦାନବ ହେଲେ ବୋଲି ଏତେ ନିକଟ, ନିକଟତମ ।

 

ରାତିର ଅଇଁଠା ଶେଯ । ସୂର୍ଯ୍ୟ ହସିଲା । ରାତିସାରା ସଙ୍ଗୀତ ଶୁଣି କ୍ଳାନ୍ତ । ଏନିଙ୍କ ତାଗିଦ୍...ନୀରଦ, ବିଛଣା ଛାଡ଼ ।

 

ଉଭୟେ ଉଭୟଙ୍କ ନଈରେ ବୁଡ଼ାଳି ସାଜିଲେ...ମଣି ମୁକ୍ତା ଠୁଳ କଲେ । ସମ୍ପଦର ସମ୍ଭାର ଶହେ ଭାରରେ ବୋହି ଆଣିଲେ ।

 

(ମିସେସ୍ ଏନି ଡାଇନିଙ୍ଗ୍ ଟେବୁଲ୍ ସଜେଇଲେ...କିଛି ଭୁଲି ଯାଇଛନ୍ତି ବୋଲି ଫେର୍ ଭିତରକୁ ଫେରିଲେ)

 

ତା’ ପରଠୁଁ । ଉଭୟେ । ମଣିଷ । ଦାନବ । ମଣିଷ...ଘୂର୍ଣ୍ଣନରତ ଚକ ।

 

ଦୁହେଁ ଚୁପ୍‍ଚାପ୍ ଖାଇବା ଆରମ୍ଭ କଲେ—

 

: ମୁଁ କାହିଁକି ପରାଜୟକୁ ସ୍ୱୀକାର କରି ପାରୁନି ?

 

: ସେ କିଛି ନୁହେଁ...

 

: ତୁମର ଆଖି ଅଛି ।

 

: ହୁଁ...ଏନି କାନ୍ଦିଲେ ।

 

: ତୁମେ କାନ୍ଦୁଛ ? ଛି...ଏନି । ଏନି, ତୁମେ ମୋର ଏତେ ନିଜର ହୁଅନା । ତୁମେ ପୂର୍ବର ସେଇ ମ୍ୟାଡ଼ାମ୍ ହୋଇଯାଅ । ଲାଲ୍ ଆଖି ଦେଖାଇ ମତେ ତାଗିଦ୍ କର । ଦର୍ଶନ ଦେଇ ଗାଇଡ୍ ହୁଅ...ମୁଁ ଫେର୍ ପାଠ ପଢ଼ିବି...ନୂଆ ନୂଆ କିଛି ସମ୍ପାଦିବି...

 

: ଆଚ୍ଛା ଏନି ସମ୍ଭବତଃ ଖୁସି ।

 

ଖିଆ ସରିଲା ।

 

ଅନ୍ୟ କେଉଁ ଆବେଗପୂର୍ଣ୍ଣ ବେଳାରେ—ହିଥ୍ ପାଖରେ ଥୁଆ ହୋଇଥିବା ରିଲାକସିଗ୍ ଚେୟାରରେ ବସି ନୀରଦ ଆରମ୍ଭ କରିଥିଲା...ଏନି, ଏ ସହରରେ ବି ଜୀବନଟା କଟକ ଆଉ ମିଚିଗାନ୍‌ର ଜୀବନ ଭଳି ଫର୍ମୁଲା ହୋଇ ପଡ଼ିଲାଣି...ଚାଲ ଅନ୍ୟ କିଛି ନୂଆ ଧନ୍ଦା ଅନ୍ୟଠାରେ ଆରମ୍ଭ କରିବା...ଖୋଜିବା—

 

: ହୁଁ—ଏନିଙ୍କ ଆଖିରେ ନିଦୁଆ ସ୍ୱର, କଣ୍ଠରେ ନିଦ୍ରାଳୁ ଝଙ୍କାର । ତେବେ ରାତି ପାହୁ, ଅନ୍ୟ କିଛି ଖୋଜିବା ।)

 

ବାହାରେ ଅନ୍ଧାର—ଭିତରେ ଆଲୁଅ, ଜିଜ୍ଞାସାର ଆଲୋକ ।

Image

 

କାଚଘରର ଶେଷକଥା

 

ମୁଁ ନିର୍ମଳକୁ ଅନେକ ସମୟରେ ନାନା ଆଳରେ, ଉପଦେଶ ଛଳରେ କହେ—ମଣିଷ ଏକ ନିଃସହାୟ ଅହଂର ହାହାକାର; ମଣିଷ କୌଣସି ମାନ ନିର୍ଦ୍ଧାରଣ ଐକାନ୍ତିକ ଏକକ ନୁହେଁ; ମଣିଷର ବିଭିନ୍ନ ରୂପ ଏବଂ ସେଇ ରୂପ ତା’ ସ୍ୱାର୍ଥ ହାସଲ ପାଇଁ ମୁଣ୍ଡରେ ପଗଡ଼ି ବାନ୍ଧି, ମୁହଁରେ ପାଉଡର ବୋଳି ହୋଇ ଅଭିନୟର ଆଶ୍ରୟ ନିଏ । କିନ୍ତୁ ନିର୍ମଳ ମୋ ସହିତ ଏକମତ ହୁଏନି । ସେ ମୋ କଥାକୁ ହସରେ ଫୁଙ୍କି ଦିଏ । କହେ—ଶଶି, ଅଭିନୟ ଜୀବନରେ ଏକ ଆଲେଖ୍ୟ ନୁହେଁ; ଏହା ଜୀବନରେ କେବଳ ଏକ ଉପକଥା...ତୁ କାହିଁକି ଏ ଜଞ୍ଜାଳମୟ ଜୀବନର ଏକ କଦର୍ଯ୍ୟ ଘଟଣାକୁ ଆଖିପୂରେଇ ଦେଖିବାର ଜିଜ୍ଞାସା ପାଇଁ ବ୍ୟାକୁଳ ହେଉଛୁ... ? ଆଖି ସଫାକର, ଦେଖ୍ ଦୁନିଆଁଟା, ଏ ମଣିଷଟା ଆଉ ତା’ର ବଞ୍ଚିବାଟା କେତେ ସୁନ୍ଦର...ବାସ୍ତବତାକୁ ପଛରୁ ଗୋଇଠାମାରି ଅଭିନୟଟାକୁ ଜାବୋଡ଼ି ଧରିବାର କିଛି ମାନେ ହୁଏ ? ମୋର ସମସ୍ତ ଉପଦେଶ ତା’ ଖିଆଲର ଘୂର୍ଣ୍ଣି ଭିତରେ ସତ୍ତା ହରେଇ ବସେ । ମୁଁ ଚୁପ୍ ରହେ ।

 

କିନ୍ତୁ...ସେଦିନ—ମୁଁ ଶୁଣିଥିଲି, ନିର୍ମଳ ପ୍ରାର୍ଥନା କରୁଥିଲା—ପ୍ରଭୁ ! ଶଶି ପରି ମତେ ଏକ କୁବେର କରି ଦିଅନ୍ତ କି ? ମତେ ହସ ମାଡ଼ିଲା । କାରଣ, ସେ ତା’ର ଅଭିନୟକୁ ସମସ୍ତଙ୍କ ଆଖି ସାମ୍ନାରୁ ଲୁଚେଇ ରଖିବା ପାଇଁ ଚେଷ୍ଟା କରୁଛି । ମୁଁ ମନେ ମନେ ତା’ ଶୁଭ ମନାସି ଥିଲି—ପ୍ରଭୁ ! ତା’ ବାଡ଼ି ଗଡ଼ିଆରେ ଡେଇଁଥିବା ସମସ୍ତ ମାଛମାନଙ୍କୁ ତମେ ପଛେ ସୁନାର କଙ୍କଣ ପିନ୍ଧେଇ ଦିଅ; କିନ୍ତୁ ସେ ଗାଡ଼ିଆର ପାଣି ପାରଦ ଭଳି ଆଉଟା ସୁବର୍ଣ୍ଣର ସ୍ରୋତ ନ ହେଉ । ପ୍ରଭୁ ! ସେ ଯଦି ଭୁଲରେ ତମଠୁଁ ବର ଚାହେଁ ହେ ବିଧାତା ! ମୁଁ ଯାହା ଛୁଇଁବି ତା’ ସୁନା ପାଲଟିଯାଉ—ପ୍ରଭୁ ! ତମକୁ ମୋ ବନ୍ଧୁର ସ୍ୱାର୍ଥ ପାଇଁ ଗୁହାରୀ—ତମେ ତଥାସ୍ତୁ କହିବନି...

 

ସମୟର କିଛିଟା ଅନ୍ତର୍ଦ୍ଧାନ ପରେ । ସେ ଦିନର ଏକ ସୀମନ୍ତିନୀ ସନ୍ଧ୍ୟା । ମୁଁ ତା’କୁ ପଚାରିଥିଲି—ନିର୍ମଳ ! ଏ ସ୍ୱପ୍ନ ଭିତରେ ବଞ୍ଚିବା ଅଭ୍ୟାସ ଛାଡ଼୍‍....ବାହାରକୁ ଆ’...ମୋ ହାତ ଧର୍...ମୁଁ ତତେ ଅନେକ ନୂଆ ଜିନିଷ ଦେଖାଇବି, ମଣିଷଦ୍ୱାରା ଗଢ଼ା ରାଜ୍ୟର ଜିଲ୍ଲା, ମହକୁମା, ସହର, ପଲ୍ଲୀର ଗଳି ଉପଗଳିରେ ତତେ ବୁଲେଇ ଆଣିବି; ସେମାନଙ୍କ ଆଖ୍ୟା,—ଉପାଖ୍ୟାନ ଶୁଣେଇବି, ତା’ର ବ୍ୟାଖ୍ୟା ବି କରିବି । ସେ କିନ୍ତୁ ରାଜି ହେଲାନି । ସମ୍ଭବତଃ ଭାବୁଥିଲା—ଏ ଘର୍ ଘର୍ ନିର୍ଘୋଷ ନାଦ ଶୁଣିଲେ ମୋ କାନ ତାବ୍‌ଦା ହୋଇପାରେ । ସେ ଶବ୍ଦ ମୋ ଭିତରୁ କିଶଳୟର ସଙ୍ଗୀତ ନେଇଯିବ । ମୁଁ ପାରିବିନି...ମୁଁ ମୋର କାଚର କାନ୍ଥଘେରା କୋଠିରେ ରହିବି...କାଚର ସ୍ପଷ୍ଟ, ସ୍ଫଟିକ ପରି ସ୍ୱଚ୍ଛ କାନ୍ଥ ଦେଇ ବାହାରର ଦୃଶ୍ୟ ଦେଖିବି, କିନ୍ତୁ ସେମାନଙ୍କଦ୍ୱାରା ଜାତ କି ସେମାନଙ୍କ ଯନ୍ତ୍ରଣାରୁ ସୃଜିତ ଦୁର୍ଦ୍ଦାନ୍ତ, ଦୁର୍ଦ୍ଦନ୍ତ ଲାଳିତ୍ୟ ଶୁଣି ପାରିବିନି । ମତେ କ୍ଷମାକର...

 

ଅତିମାତ୍ରାରେ ଆତ୍ମୀୟତା ବଢ଼ିଗଲେ ମଣିଷକୁ ଚିଟା ଲାଗେ । ପରେ ପରେ ନିର୍ମଳ ଅନୁଭବ କରିଥିଲା...ଶଶି ! ଘରଟା ଭିତରେ ବେକାର ହେବାକୁ ଇଚ୍ଛା ହେଉନି; କେତେ ରଙ୍ଗ ଦେଖିବି ? ତୁ ପରା ସବୁବେଳେ କହୁ ବାହାର ଶବ୍ଦ ନିହାତି ସଙ୍ଗୀତପୂର୍ଣ୍ଣ । ମତେ ବାହାରକୁ ନେ—ମୁଁ ଶବ୍ଦ ଶୁଣିବି...ତୋ’ ମୋ ଭିତରେ ବ୍ୟବଧାନ ସୃଷ୍ଟି କରୁଥିବା କାଚର କାନ୍ଥକୁ କିଛି ସମୟ ପାଇଁ ଭୁଲିଯିବି ।

 

ମୋର ଜୟ ହେଲା । ମୁଁ ମନେକଲି ଯେମିତି ହିମାଳୟ ଶୀର୍ଷରେ ବଞ୍ଚୁଥିବା ତୁଷାରମାନବକୁ ହାତମୁଠା କଲି । କାରଣ, ମୁଁ ସ୍ୱାର୍ଥପର । ମୋର ଏ ଆଶାତୀତ ଅତିକାୟ ‘ମୁଁ’ ପାଖରେ ତା’ ନିଃସଙ୍ଗ ଅହଂ ହାର ମାନିଲା ।

 

ନିର୍ମଳ ମୋ ଜଗତକୁ ଆସୁ । ମୁଁ କିନ୍ତୁ ତା’ କାଚଘର ଭିତରକୁ ଯାଇ ପାରିବିନି । ଯେହେତୁ ସମ୍ଭୋଗର ନିଶାରେ ମୁଁ ବାଉଳା ହେବି ଏବଂ ନିଜର ଅତି ପ୍ରିୟ ପୃଥିବୀକୁ ପାଶୋରିଯିବି-

 

ଦୃଶ୍ୟ : ଏକ ଚେତନା । ଶବ୍ଦ : ଏକ ଆବେଦନ ।

 

ନିର୍ମଳ ତା’ କାଚଘରର ଭିତରୁ ପାଦ କାଢ଼ିଲା । ଓଃ...ଏତେ ଶବ୍ଦ...ଓଃ ! ଏତେ ଆଲୋକ...

 

ୟେ କେବଳ ଆରମ୍ଭ ମାତ୍ର...

 

ମୁଁ ଫେରିଯିବି...

 

ତୁ ପରା ଶବ୍ଦ ଶୁଣିବୁ ?

 

ଦୀର୍ଘ ସମୟ ପାଇଁ ନିର୍ମଳ ଛଟପଟ ହେଲା । ସେ ରକ୍ତାକ୍ତ ଅବୟବ ଦେଖିଛି । କିନ୍ତୁ ରକ୍ତାକ୍ତ ଅବୟବ ଯେ ମଣିଷକୁ ଦୈହିକ ଆଘାତ ଦିଏ ଏବଂ ସେହି ଆଘାତ ଯନ୍ତ୍ରଣାର ଗୀତ ଗାଏ, କଲବଲ ହେବାର ଶବ୍ଦ ଶୁଣାଏ, ସେ କିଛି ଜାଣିପାରି ନ ଥିଲା ।

 

ତା’ ପଛେ ପଛେ କ୍ୱାରେଣ୍ଟାଲନ୍‌ରୁ ବଲ୍‍ଗା ଦଳ ସ୍ଲେଜ୍‍ ଗାଡ଼ି ସାଙ୍ଗରେ ପଦାକୁ ଆସିଲେ । ସେମାନେ ସମସ୍ତେ ଅଭିଭୂତ, ସ୍ତମ୍ଭୀଭୂତ ।

 

ନିର୍ମଳର ସ୍ଲେଜ୍‍ ଆଗରେ ଦୌଡ଼ିଲା, ବହୁତ ଦୂରକୁ ଆଗେଇ ଯାଉଥାଏ । ମୁଁ ତା’ ଗାଡ଼ି ବଲ୍‍ଗା ଏବଂ ତା’ ଦେହ ପଛରେ ଅଣନିଶ୍ୱାସୀ ହୋଇ ଦୌଡ଼ୁଥାଏ । ପରିଶେଷରେ ତା’ ବଲ୍‍ଗା ଦଳ ଥକିଗଲେ, ସ୍ଲେଜ୍‍ ଅଟକି ଗଲା । ମୋ କଳା ମଚ ମଚ ମୁହଁରୁ ବହିଯାଉଥିବା ଘର୍ମର ଧାରାକୁ ଦେଖି ସେ ପ୍ରଶ୍ନ କରିଥିଲା—ଶଶି ! ତୋ’ ମୁହଁ ଉପରେ ଏତେ ପାଣି ?

 

ଆରେ ବୁଡ଼ବକ୍, ପାଣି ନୁହେଁ, ଝାଳ । ବୁଝିଲୁ ? ଝାଳ...ଝା...ଳ...

 

ନିର୍ମଳ !...ବୁଝି ପାରିଲୁନି ? ଝା...ଳ ! ପରିଶ୍ରମର ଫଳ, ପରିଶ୍ରମର ପାରିଶ୍ରମିକ । ରକ୍ତର ରୂପାନ୍ତର...

 

ମତେ ଶୀତ ଲାଗିଲାଣି । ଚାଲ୍, ଘରକୁ ଫେରିବା । ମତେ ଜମ୍‌ମା ଭଲଲାଗୁ ନାହିଁ—ତୋ ରାଜ୍ୟର ପାଣି, ପବନ, ସୂର୍ଯ୍ୟ ଆଉ ଶବ୍ଦ ।

 

ଧୁତ୍, ଭଲ ଲାଗୁନି ? ଭଲ ଲାଗିବା ଏକ ମାନସିକ ଉତ୍ତେଜନା । ଭଲ ଲାଗିବ, ଯେତେବେଳେ ତୁ ଭଲ ପାଇବାକୁ ଇଚ୍ଛାକରିବୁ । (ଭଲ ପାଇବା ନ ପାଇବା ସବୁ କିଛି ମଣିଷର ଆତ୍ମକୈନ୍ଦ୍ରିକ ଉପରେ ନିର୍ଭର କରେ ।) ତୋଠି କ’ଣ ଇଚ୍ଛା ନାହିଁ ନା ଭଲ ପାଇବାର ନିଶାକୁ ଚାଖିବା ପାଇଁ ଜିଭ ନାହିଁ ?

 

ତା’ ସ୍ଲେଜ୍‍ ସେ ଚଉମୁହାଣୀରେ ଅଟକିଯାଇଛି...ତା’ ବଲ୍‌ଗାଦଳ ସୂର୍ଯ୍ୟକୁ ଅନାଇ ପାରୁ ନାହାନ୍ତି...କାରଣ, ଏତେ ଝାସ, ଏତେ ଅଗ୍ନିର ଝୁଲ ଏବଂ ଉଚ୍ଛ୍ୱାସ ।

 

ନିର୍ମଳ ମୋ ଆଖିକୁ ଅଷ୍ଟାଦଶ ଯୁଗର ରାଜା ପରି ଦେଖାଗଲା । କରେ ରାଜା ହେଉ । କିନ୍ତୁ ତାଠି ଲୋକଦେଖାଣିଆ, ମଣିଷର ତୋଟିଚିପା ରାଜକୀୟତା ନ ରହୁ ।

 

ହଠାତ୍ । ବା......ବୁ.....

 

ସେ ମୁହଁ ବୁଲାଇ ନେଲା....ନାକ ସାମ୍ନାରେ ଲାଭେଣ୍ଡର ଭିଜା ରୁମାଲ୍ ଝୁଲେଇଲା । ଶଶି ! ଆ—ଫେରିଯିବା...

 

କାହିଁକି ?

 

କାରଣ—ଏଠି ଏତେ ଦୁର୍ଗନ୍ଧ । ମୁଁ ଏ ଗନ୍ଧ ସହି ପାରିବିନି ।

 

ନା, ନା ତୁ ଭୁଲ୍‍ କହୁଛୁ । ଗନ୍ଧ, ଦୁର୍ଗନ୍ଧ, ବାସ୍ନା ବୋଲି କିଛି ନାହିଁ । ଇଏ ଖାଲି ଆଘ୍ରାଣ ଭିତରେ ଏକ ତଫାତ୍ । ଯାହାକୁ ତୁ ଆଜି ଦୁର୍ଗନ୍ଧ କହୁଛୁ, ସିଏ ବି ତୋ’ପାଇଁ ଗନ୍ଧ ହେବ, ଏବଂ ପରେ ପରେ ବାସ୍ନା ପାଲଟିବ । ଖାଲି ଯାହା ଟିକେ ସେଥିରେ ସଂଶ୍ଳିଷ୍ଟ ହୋଇ ଅଭ୍ୟସ୍ତ ହେବା ଆବଶ୍ୟକ ।

 

ବା.....ବୁ....

 

ନିର୍ମଳକୁ ଟିକେ କୁତୁ କୁତୁ ଲାଗିଲା । ସିଏ ସେ ଭିକାରୀର ଦରଦପୂର୍ଣ୍ଣ କଣ୍ଠ ଶୁଣିଲା । ଶଶି ! ଯେଉଁମାନେ ମୋ ପରି କାଚର କୋଠା ଭିତରେ ବସତି ରଚିବାର ସୁଯୋଗରୁ ବଞ୍ଚିତ ହୁଅନ୍ତି ଏବଂ ପରିଶେଷରେ ମୁଣ୍ଡ ଗୁଞ୍ଜିବା ପାଇଁ କାଠିକୁଟାର ଚାଳିଆକୁ ଆଶ୍ରୟ କରନ୍ତି ସେମାନଙ୍କ ଭାଷା କ’ଣ ଏତେ କାନ୍ଦୁଣୁ ମାନ୍ଦୁଣୁ ? କାହିଁ ସିଏ ତ ତୋ’ପରି ସ୍ପଷ୍ଟ ଭାବେ କିଛି ଉଚ୍ଚାରଣ କରିପାରୁନି ।

 

ଇୟେ ମିନତିର ସ୍ୱର । ସ୍ୱାଭାବିକତା ଆସିବ କୁଆଡ଼ୁ?

 

କାହିଁକି ?

 

କିଛି ଭିକ୍ଷା ଚାହୁଁଛି ।

 

ତେବେ ସେ ମୋ ଘର ପାଖକୁ ଆସୁ ।

 

ତୋ’ ଘର ଯେ ସେମାନଙ୍କର ବହୁତ ଦୂରରେ । ଆଉ ତୋ’ ଘରକୁ ସେମାନଙ୍କଠି କୌଣସି ସଂଯୋଗକାରୀ ରାସ୍ତା ନାହିଁ । ସେମାନେ ଯିବେ କେମିତି ? ସେମାନେ ପରା ମଣିଷ । ମଧ୍ୟମ ପନ୍ଥାର ଯାତ୍ରୀ...ସୁନ୍ଦର ରାସ୍ତାର ପଥିକ ।

 

ଏ...ତୋ ଦେହରୁ ଏମ୍‍‌ତି ଦୁର୍ଗନ୍ଧ କାହିଁକି ବାହାରୁଛି !

 

ବାବୁ ମୁଁ ରୋଗା...

 

ଔଷଧ ଖାଉନା...

 

ପଇସା ପାଇବି କେଉଁଠି...

 

ଆରେ ବୋକା, ଆରୋଗ୍ୟ ପାଇଁ ଧନର ଦରକାର କ’ଣ ? ଯାହା ଖାଲି ଭଗବାନଙ୍କର ଟିକେ କରୁଣା ହେଲେ ହେଲା...

 

ଭଗବାନ ପଥର ।

 

ଧୁତ୍, ଚାଲ ମୋ ସାମ୍ନାରୁ । ଭଗବାନ ପଥର ! ଚଣ୍ଡାଳ, କୋଢ଼ି କେଉଁଠିକାର ? ଭଗବାନ ପଥର ! ଆଉ ତୁ ? ଜୀବନ୍ତ !

 

ବା...ବୁ

 

ଦୁର୍...

 

ନିର୍ମଳ । ଦେ ଦି’ଟା ପଇସା ଦେ । ସେ ଚାଲିଯିବ । ଯେଉଁଠି ମୁଠାଏ ଭାତ ପାଇଁ ମଣିଷ ପତ୍ରଚଟା ଚମଛଡ଼ା କୁତ୍ତି ସହ ପ୍ରତିଦ୍ୱନ୍ଦ୍ୱୀ ହୋଇପାରେ ସେଠି ତୋ’ କାଚ ଘରର ଦର୍ଶନ ତା’କୁ ସାନ୍ତ୍ୱନା ଦେଇ ପାରିବନି । ଦେ ତା’କୁ ଭାତ ମୁଠାଏ କି ରୋଟି ଖଣ୍ଡେ ପ୍ରଥମେ । ତା’ପରେ ତୁ ଯଦି ତୋର ସେଇ ଭଗବାନ ବିଷୟରେ କି ତୋ କାଚଘର ବିଷୟରେ ଘଣ୍ଟା ଘଣ୍ଟା ତାତ୍ତ୍ୱିକ ଓ ବୌଦ୍ଧିକ ଉପାଖ୍ୟାନ ତା’କୁ ଶୁଣାଇବୁ, ସେ ଶୁଣିବ । ଆରେ ବାବୁ, ପେଟରେ ଭୋକ ଥିଲେ, ଖାଦ୍ୟ ଅଭାବରେ ଅଙ୍ଗ ପ୍ରତ୍ୟଙ୍ଗ କ୍ଷୁଧାରେ ଜଳୁଥିଲେ ସେଠି ତୋ’ ନୀତିଶାସ୍ତ୍ର ପାଣି ସିଞ୍ଚି ପାରିବନି । ବରଂ ଦିକିଦିକି ଜଳୁଥିବା ନିଆଁକୁ ଉଖୁରେଇ ଦେବ ସିନା...

 

ନିର୍ମଳ ବିରକ୍ତିରେ ଦି’ଟା ତମ୍ୱା ପଇସା ଭିକାରୀ ଉପରକୁ ପିଙ୍ଗି ଦେଲା । ଭିକାରୀ ଶାନ୍ତିରେ ପାଦ କାଢ଼ିଲା ।

 

ତା’ ବଲ୍‌ଗାଦଳ ସ୍ଲେଜ୍‍ ଟାଣିଲେ । ମୁଁ ତା’ ସହ ଦୌଡ଼ ଦେବାକୁ ପୂରାପୂରି ନାଚାର । ଅନୁରୋଧ କଲି—ନିର୍ମଳ ! ତୁ ଯାନର ବାହକ, କିନ୍ତୁ ମୁଁ...

 

ସେଇ ଆଗରେ ଦିଶୁଥିବା କଂକ୍ରିଟ୍‍ ବ୍ରିଜ୍ ଉପରେ ମୁଁ ଅଟକି ଗଲି । ମୋର ଚିହ୍ନା ମଣିଷ ସେଠି ଠିଆ ହୋଇଛି । ମୁଁ ନିର୍ମଳ ଉଦ୍ଦେଶ୍ୟରେ ପଛରୁ ଡାକ ଛାଡ଼ିଲି । ତା’ ଗାଡ଼ି ଅଟକିଲା । ମୋର ଚିହ୍ନା ମଣିଷ ସବୁ, କିଛି ସମୟର ଆଳାପ ପରେ ତା’ ହାତ ଭିଡ଼ି ଟାଣିନେଲି ବନ୍ଧୁ ନିର୍ମଳ ପାଖକୁ ।

 

ନିର୍ମଳ; ଇଏ ମୋର ବନ୍ଧୁ...ବନ୍ଧୁ ନିରୁତ୍ତାପ ଦାସ ।

 

ନିର୍ମଳ ନିରୁକୁ ଅନେଇ ରହିଲା । ତା’ପରେ ପ୍ରଶ୍ନ କଲା—ତମ ଦି’ ହାତର ପାପୁଲି...?

 

ଆଜ୍ଞା କଟିଗଲା ।

 

କ’ଣ ଜନ୍ମରୁ ?

 

ନା, ଜନ୍ମ ପରେ ।

 

କେମ୍‍ତି...

 

ଏ’ ବ୍ରିଜ୍ ତିଆରି କରୁ କରୁ ।

 

ତା’ହେଲେ ତମକୁ କିଛି ଅଡ଼ୁଆ ଲାଗୁନି...?

 

ନା ।

 

ତମେ କେମ୍‍ତି ବଞ୍ଚୁଛ..?

 

ଆଶାକୁ ନେଇ ।

 

ଆଶା !

 

ହଁ, ବଞ୍ଚିବା ପାଇଁ ଆଶା । ଜୀବନ ପାଇଁ ପ୍ରେମ ।

 

ତମେ ଏ ଦୁଃଖରୁ ମୁକ୍ତି ପାଇଁ ସରକାରଙ୍କୁ ଜଣାଉନା...?

 

ସରକାର କ’ଣ ମୋ ହାତ ଫେରାଇ ଦେବେ ?

 

ହାତ ହୁଏତ ସରକାର ଫେରାଇ ଦେଇ ପାରିବେନି । କିନ୍ତୁ ହାତ ଦେଇ ଅର୍ଜି ହେଉଥିବା ଉପାର୍ଜନ ତ ଦେଇପାରିବେ ।

 

ନିରୁ ଦୃଢ଼ ହେଲା । ସେ ସବୁ ବାଜେ କଥା । ମିଛ କଥା ।

 

ନିର୍ମଳ ମୁହଁରେ ଲକ୍ଷ୍ୟହରା ପକ୍ଷୀର ଆର୍ତ୍ତନାଦ । ଦେଖ୍, ସରକାରକୁ ତମେ ନିନ୍ଦା କରିପାରିବନି ।

 

କାହିଁକି ?

 

ତମେମତେ ପ୍ରଶ୍ନ କରୁଛ...?

 

ଆପଣଙ୍କଠୁ ବିଶ୍ଳେଷଣ ଚାହୁଁଛି ।

 

ଚୁପ୍...

 

ମୋ ଚିହ୍ନା ମଣିଷ ଚୁପ୍ ହେଲା । କିନ୍ତୁ ମନେକରୁଥିଲା—ଏମିତି ଏକ କାଚଘରର ଅଧିବାସୀ ସହ ତୁଚ୍ଛା ଯୁକ୍ତିରେ ସମୟ ନଷ୍ଟ ନ କରି ବରଂ ଜୀଇଁବା ପାଇଁ ଦି’ ପଇସା ଯୋଗାଡ଼ କରିବା ଦରକାର । ତା’ର ଆତ୍ମତୃପ୍ତି—ଯେଉଁ ଯଜ୍ଞରେ ସେ ନିଜର ହାତ-ପାପୁଲିକୁ ଆହୁତିରୂପେ ଢାଳି ଦେଇଛି, ସେ ଯଜ୍ଞରୁ ସେ ହୁଏତ ପୋଡ଼ିଯାଇଥିବା ଆହୁତିକୁ ଫେରାଇ ନ ଆଣିପାରେ । କିନ୍ତୁ ଯଜ୍ଞକୁଣ୍ଡର ପାଉଁଶ ମୁଠାକ ନିଜ ମୁଠାରେ ଧରି ସେ ସ୍ୱପ୍ନ ଦେଖି ପାରିବ—ଜୀବନରେ ବିନା ଆୟାସରେ, ବିନା ନାମରେ ବଞ୍ଚିବାର ଅର୍ଥ କ’ଣ ? ସେ ନିଜର ପାପୁଲି ବଳି ଦେଇ ହୁଏତ ଏକଲବ୍ୟ ହୋଇପାରିବନି, କିନ୍ତୁ ଗର୍ବ ପାଇଲା, ଗର୍ବରୁ ଆନନ୍ଦ ପାଇଲା । ଯେଉଁ ଆନନ୍ଦ ଆଜି ତା’କୁ ବଞ୍ଚିବାର ସ୍ୱାଦ ଚଖେଇ ପାରୁଛି, ସେହି ଆନନ୍ଦଦାୟକ ପ୍ରଶାନ୍ତିର ସ୍ରଷ୍ଟା ବଳିଦାନକୁ ମନେ ପକାଇ ସେ ଲୁହ ଢାଳିବ କିଆଁ ? ମୁଁ ଯଦି ଆଜନ୍ମ ହାତ ବିହୀନ କି ପାପୁଲି ବିହୀନ ହୋଇଥାନ୍ତି; ତେବେ ଭଗବାନଙ୍କୁ ହୁଏତ ଭଣ୍ଡ ବୋଲି ଭର୍ତ୍ସନା କରିଥାନ୍ତି; କିନ୍ତୁ ଜନ୍ମପରେ ପାପୁଲି ବିହୀନ ହୋଇପାରିଥିବାରୁ ନିଜକୁ ଅନ୍ୟମାନଙ୍କ ଦୈବିକ ଜୀବନରୁ ଉର୍ଦ୍ଧ୍ୱରେ ରଖିପାରିଛି ।

 

ନିର୍ମଳ ରାଗ ତମ୍ ତମ୍ ହେଲା । କାରଣ ଏକ ପାପୁଲି ବିହୀନ ମଣିଷ ତା’ପରି ଏକ ସୌମ୍ୟକାନ୍ତ ଯୁବକକୁ ଉତ୍ତର ଦେଇ ପାରିଲା । ତା’ର ଇଗୋ ଜଟାୟୁର ଯନ୍ତ୍ରଣା ପାଇଲା । ସେ ଯିବାକୁ ଉଦ୍ୟତ ହେଲା ।

 

ମୋ ଚିହ୍ନା ମଣିଷ ତା’କୁ ବାଧାଦେଲା, ଅନୁରୋଧ କଲା, ପ୍ରଶ୍ନ ପଚାରିଥିଲା—ଆଜ୍ଞା ! ଏଇ ପିଚୁ ରାସ୍ତାରେ ସୂର୍ଯ୍ୟଙ୍କ ତୀର୍ଯ୍ୟକ୍ ସ୍ନାୟୁରେ ଆପଣଙ୍କ ସ୍ଲେଜ୍ ଗଡ଼ି ପାରୁଛି ?

 

ନିର୍ମଳ ଅଭିମାନରେ ଉତ୍ତର ଦେଲାନି ।

 

ଫେର୍ । ସ୍ଲେଜ୍ ପାଇଁ ଚିକ୍‌କଣ ରାସ୍ତା ବରଫର ଲୋଡ଼ା, କିନ୍ତୁ କଦର୍ଯ୍ୟ ରାସ୍ତା ତତଲା ପଥରର ନୁହେଁ । ସ୍ଲେଜ୍ ଉପଭୋଗ୍ୟ ଶୀତରେ କିନ୍ତୁ ବସନ୍ତରେ ନୁହେଁ ।

 

ସିଏ ମୋ ସଉକି । ଏଥର ତା’ ମୁହଁର ଦର୍ପଣରେ ରାଗମାନେ ଛାଇ ହେଲେ ।

 

ଆଜ୍ଞା ! ନିଜର ସଉକି ପାଇଁ କ’ଣ ବାସ୍ତବତାକୁ ଉପେକ୍ଷା କରିବେ, ଅସ୍ୱୀକାର କରିବେ-? ନା ବ୍ୟତିକ୍ରମ, ପରୀକ୍ଷା-ନିରୀକ୍ଷା ନାଁରେ ଉଦ୍‌ଭଟକୁ ନିଜର କରିବେ ?

 

ନିର୍ମଳ ଆଙ୍ଗୁଠିର ଗଣ୍ଠି ମୋଡ଼ିଲା ।

 

ମୋ ଚିହ୍ନା ମଣିଷ ନିର୍ମଳର ଏ ଦୁର୍ଦ୍ଦଶା ଦେଖି ମୁରକି ହସ ହସିଲା । ଏକ ହସନ୍ତ ମୁହଁର ଦୀପ୍ତି ତା’କୁ କଦର୍ଯ୍ୟ କଲା । ନିର୍ମଳ ସହି ପାରିଲାନି । ତା’ ବଲ୍‍ଗା ଯେତେ ଛାଟ ପ୍ରହାର ଖାଇଲେ ଆଗକୁ ବଢ଼ି ପାରିଲାନି । ତେବେ...? ସେ ଏଠି କ’ଣ ଅଟକିଯିବ ? ସିଏ ଆଉ ତା’ କାଚର ଘରକୁ ଫେରିଯାଇ ପାରିବନି ।

 

ଶଶି । ସ୍ଲେଜ୍ ଚକ ଗଡ଼ୁନି...

 

ଯେହେତୁ ତୋ’ ବଲ୍‍ଗା ଦଳ ଇଚ୍ଛା କରନ୍ତିନି ।

 

କି ଆଶ୍ଚର୍ଯ୍ୟ ! ବଲ୍‍ଗାଙ୍କ ଇଚ୍ଛାରେ ମୋ ସ୍ଲେଜ୍ ଗଡ଼ିବ ? ମୋ ପରି ଏକ ମଣିଷର ଇଚ୍ଛା ଏଇ ତୁଚ୍ଛ ପଶୁମାନଙ୍କ ଇଚ୍ଛା ପାଖରେ ଜୋତା ? ମୁଁ ମଣିଷ । ସେମାନେ ପଶୁ । ମୁଁ ବିଜ୍ଞ । ସେମାନେ ଅଜ୍ଞ ।

 

ହଁ, ତୁ ମଣିଷ ଚେତନ ମନରେ । କିନ୍ତୁ ପଶୁ ଅବଚେତନ ସ୍ତରରେ । ତୋ’ ବଲ୍‌ଗାଦଳ ମଣିଷ ଅବଚେତନ ମନରେ ଏବଂ ପଶୁ ଚେତନ ସ୍ତରରେ । ହଇରେ, ଏକ ସଂଗ୍ରାମୀର କାହାଣୀ ପାଇଁ ତୋ’ ପଶୁମାନଙ୍କ କାନ ଠିଆ ଠିଆ ହୋଇ ପାରିଲା । କିନ୍ତୁ କେମ୍‍ତି ତୋ ମଣିଷଠି ଏତେ ବିରକ୍ତି, ଘୃଣା, କ୍ରୋଧ ଜାତ ହୋଇ ପାରିଲା ?

 

ନିର୍ମଳ ନିରୁପାୟ ।

 

ନିରୁ ବିଦାୟ ଘେନିବା ଆଗରୁ ନିର୍ମଳକୁ ଶୁଣେଇ ଦେଇଗଲା—ଆଜ୍ଞା ! ନିଜକୁ, ନିଜର ମୁଁକୁ ଏବଂ ଅହଂକୁ ଆହୁରି ନିଜର, ଅତି ନିଜର କରିବା ଅପେକ୍ଷା ନିଜଟାର ଆତ୍ମ-ଉତ୍ସର୍ଗରେ, ଅନ୍ୟକୁ ନିଜର କରିବାରେ ଯେତେ ଆନନ୍ଦ; କାଚର ଘର ଭିତରେ କୟେଦୀ ହୋଇ, କାଚର ଘରକୁ କମ୍ପ୍ରେସ୍‍ଡ଼ କରି ବାହାରର ଦୃଶ୍ୟ ଉପଭୋଗ କରିବାରେ, କି ଦୁଃଖ ସହିବାରେ କି ପଥର ପାହାଡ଼ରେ ମୁଣ୍ଡ ପିଟି ରକ୍ତ ଛୁଟେଇବାରେ ସେତେ ଆନନ୍ଦ ନ ଥାଏ । କାଚର ଘର ଭିତରେ ରହନ୍ତୁ-। କିନ୍ତୁ ଘରକୁ କମ୍ପ୍ରେସ୍‍ଡ଼ କରନ୍ତୁ ନାହିଁ । କାରଣ, ସାମାନ୍ୟ ଆଘାତରେ ଆପଣଙ୍କ କମ୍ପ୍ରେସ୍‍ଡ଼ କାଚଘରେ ଏକ୍‍ସପ୍ଳୋଜେନ୍ ହେବ ଏବଂ ସେଥିରେ ଆପଣଙ୍କ ଅତି ପ୍ରିୟ ନିଜଟା ମୁଠାଏ ପାଉଁଶ ହୋଇ ନିଜର, ସତ୍ତା, ସ୍ଥିତି ହରେଇବ । ତାହା ଶୂନ୍ୟରେ ଶୂନ୍ୟରେ ମହାଶୂନ୍ୟରେ ମିଶିଯିବ । ଆପଣ ଖୋଜିବେ କେମ୍‍ତି ? ସତ୍ତାଥିଲେ ତ ସ୍ଥିତିକୁ ଦରାଣ୍ଡିବେ । ଚାଲିଲି ।

 

ମୋ ଚିହ୍ନା ମଣିଷ ଚାଲିଗଲା ।

 

ହୁତ୍...ମୁର୍ଖ କେଉଁଠିକାର ? ଦିନେ ହାତ ପାପୁଲି ସାହାଯ୍ୟରେ ନରପତି ଥିଲା ବୋଲି ସ୍ୱର୍ଗ ଦେଖୁଥିଲା । ଆଜି ପାପୁଲି ବିହୀନ ନର ହେଲା ବୋଲି ନରକର ସନ୍ଧାନୀ ହେଉଛି ।

 

ଏହି ସାହିତ୍ୟିକ ଶବ୍ଦ ଫିଙ୍ଗି ମତେ ବେଶ୍ ମଜା ଲାଗୁଥିଲା । ମଜା ମାନେ—ନିର୍ମଳ ଅନ୍ତତଃ ବୁଝୁ ଯେ ତା’ କାଚଘର ବାହାରେ କେତେ ଜୀବନ ଆଉ ସେଇ ଜୀବନମାନଙ୍କର କେତେ ଜୟଯାତ୍ରା ।

 

ଶବଯାତ୍ରୀବେଳେ ଲୁହ ଗଡ଼ାଇଛି ବୋଲି ଶୋଭାଯାତ୍ରା ଉପରକୁ ଫୁଲ ଫିଙ୍ଗି ହୁଏନି ?

 

ତା’ ସ୍ଲେଜ୍‍ ଶବ ଭଳି ପଡ଼ି ରହିଲା । ଆଗକୁ ଗଡ଼ିଲାନି କି ପଛକୁ ବି ଫେରିଲାନି । ସେ ଉପାୟଶୂନ୍ୟ ।

 

ଶଶି ! କ’ଣ କରାଯିବ ?

 

ବରଂ ସ୍ଲେଜ୍‍କୁ ଛାଡ଼ି ପାଦରେ ଚାଲିଗଲେ ତୋ’ କାଚଘର ପାଖକୁ ଆସିବ ।

 

ମୁଁ ଯେ ଚାଲି ଜାଣେନା ।

 

ଅଭ୍ୟାସର ଅଭାବ ।

 

ମୋର ସିଧା କଥା ଓ ଖାପଛଡ଼ା ଭାବ ତା’କୁ ଅତିଷ୍ଠ କଲା । ଦେଖୁ ଦେଖୁ ଆମ ସାମ୍ନାରେ ଦଳେ ଛୁଆ ଜମିଗଲେ । ସେମାନଙ୍କୁ ବଲ୍‍ଗାର ନିସ୍ତେଜତା ଓ ସ୍ଲେଜ୍‍ର ଅବସ୍ଥା ବହୁତ କୌତୂହଳ ମନେହେଲା । ସେଇ ଶିଶୁ ଦଳଠି ବଲ୍‍ଗା ମୁଣ୍ଡ ଆଉଁସିବା ପାଇଁ ଅନେକ ସ୍ପୃହା ।

 

ବାରଣର ସ୍ୱର—ପାଖକୁ ଯାଆନି । ସିଏ କାମୁଡ଼ି ଦେବ...

 

ଏ ଛୁଆ ସବୁ ତମରି ?

 

ହଁ...

 

ତମ ସ୍ୱାମୀ ?

 

ନାହାନ୍ତି ।

 

କ’ଣ ମରିଗଲେ...?

 

ସ୍ୱାମୀ ମୋର କିଏ ନ ଥିଲେ । କେବେ ବି ନ ଥିଲେ...

 

ମୁଁ ମନେମନେ ଏହି ସମାଜକୁ ତିରସ୍କାର କରୁଥିଲି । ଏହି ସମାଜ ହିଁ ଏ ତରୁଣୀର ଜୀବନ ଆଉ ଛୁଆମାନଙ୍କ ଉତ୍ପାଦନ ଲାଗି ଦାୟୀ; ଏଇ ସମାଜର ବଡ଼ପଣ୍ଡାମାନେ ଏମିତି ଏକ ସୀମନ୍ତିନୀର ଆଖ୍ୟା ଦେଇ ପାରୁନାହାନ୍ତି । ଅଥଚ ତା’ ଦେହରୁ ଫୁଲତକ ନେଇସାରି ପରେ ତା’କୁ ଭରାବଜାରର ଗଳି ଉପଗଳିରେ ଶୁଖିଲା ଲତାଟିଏ କରି ଫିଙ୍ଗି ଦେଉଛି । ଏଇ ଛୁଆମାନେ ସେଇ ନାରୀର ଦୈହିକ କାମନାର କି ମାଂସାସୀ ଲାଳସାର କି ଯୌନ ଯନ୍ତ୍ରଣା ଉପଶମର ସ୍ମାରକୀ ନୁହନ୍ତି-। ବରଂ ତା’ ଭିତରେ ବଞ୍ଚିବା ପାଇଁ ପୂର୍ଣ୍ଣଭାବେ ବିକଶି ଉଠୁଥିବା ସ୍ପୃହାର ଦର୍ଶନ ଏମାନେ ପୁଞ୍ଜିବାଦୀ ସମାଜର ବିନାଶ ପାଇଁ ପ୍ରତ୍ୟେକ ଗୋଟିଏ ଗୋଟିଏ ଆଗ୍ନେୟ ପ୍ରସ୍ରବଣ, ଅଗ୍ନିର ସ୍ଫୁରଣ-। ମୁଁ ସେ ନାରୀକୁ ବେଶ୍ୟାର ଆଖ୍ୟା ଦେଇ ପାରୁନି । ବରଂ ତା’ ଗୋଡ଼ତଳେ ଗଡ଼ିଯାଇ ଦେହରେ ଲାଖିଥିବା ଧୂଳିମଳିକୁ ପୋଛିବା ପାଇଁ ତା’ କାନି ପାଇଁ ଅଳି କରୁଛି ।

 

କ’ଣ ଚାହୁଁଛ ତମେ ?

 

ଏଇ ଗାଡ଼ିଟା । ଆମେ ଖେଳିବୁ ।

 

ୟେ ଖେଳର ଜିନିଷ ନୁହେଁ, ଶିଶୁ ଦଳ ଚୁପ୍ ହେଲେ ।

 

ନିର୍ମଳ ସେଇ ନାରୀ ଦିଗରେ ପଇସା ମୁଠେ ଫିଙ୍ଗି ଦେଲା ।

 

ବଲ୍‌ଗାଦଳ ନିର୍ମଳ ହାତରୁ ଭୀଷଣ ପ୍ରହାର ଖାଇଲେ । ବିନା ଉଁଚୁଁରେ ସହିଗଲେ । ପାଦେ ହେଲେ ଘୁଞ୍ଚିଲେନି ।

 

ଶଶି ! ମୁଁ ଘରକୁ ଯିବି ।

 

ହଉ ଆସ୍‍, ମୋ’ କାନ୍ଧରେ ବସ । ମୁଁ ତତେ ପାର କରିବି ।

 

ଲୋକେ ହସିବେନି ?

 

ହସନ୍ତୁ । ସେମାନେ ନିଜର ନିଜର ତୃପ୍ତି ପାଇଁ ହସିବେ ।

 

ନିର୍ମଳ ମୋ କାନ୍ଧରେ ବସିଲା । ହଠାତ୍ ତା’ ବଲ୍‌ଗାଦଳ ସବୁଜ ବନାନୀ ମଧ୍ୟରେ ଅଦୃଶ୍ୟ ହେଲେ ।

 

ନିର୍ମଳକୁ ଅଡ଼ୁଆ ଅଡ଼ୁଆ ଲାଗିଲା । କିନ୍ତୁ ତା’ ସ୍ୱାର୍ଥ ଆଗରେ ବ୍ୟତିକ୍ରମଟା ବେଶୀ ଓଜନିଆ ମନେ ହେଲାନି । ମତେ ବି ନିର୍ମଳର ଭାରା ବାଧିଲାନି । କାରଣ, ଯେଉଁ ମଣିଷ ଟନ୍ ଟନ୍ ଭାରା ବୋହି ଜାଣିଛି, ତା’କୁ କେମିତି ନିର୍ମଳ ଭଳି ଏକ ସାରହୀନ ପଦାର୍ଥ ଓଜନବିହୀନ ଭାରା ନିସ୍ତେଜ କରାଇଦେବ !

 

ମତେ ଭାରି ଖୁସି ଲାଗୁଥାଏ । ଆମ ପଛରେ ଅନ୍ୟମାନଙ୍କ ତାଳି ମାଡ଼, ହସ ଧ୍ୱନି । ସିଏ ମୋ କାନରେ କ’ଣ ଚୁପ୍ ଚୁପ୍ ବାଟସାରା କହି ଚାଲିଥାଏ । ମୁଁ କିନ୍ତୁ ଶୁଣି ପାରୁନି । ଯେହେତୁ ମୋ ପଛରେ ବର୍ଷା ପରି ବିଚ୍ଛୁରି ହୋଇ ପଡ଼ୁଥିବା ହସର ଲାଳିତ୍ୟ ଓ ତାଳିମାନଙ୍କର ସଙ୍ଗୀତ ବେଶ୍ ମନମତାଣିଆ ଜଣାଯାଉଥିଲା ।

 

କିଛି ବାଟ ଟପିଗଲା ପରେ ଆମେ ନିର୍ମଳର କାଚଘରେ ପହଞ୍ଚିବାକୁ ଆହୁରି କିଛି ବାଟ ବାକି ଅଛି ।

 

ଆମେ ମଣିଷ । ଜଣ କିମ୍ୱା ଗଣ କିମ୍ୱା ଉଭୟଙ୍କ ସ୍ୱାର୍ଥ ହାସଲ୍ ପାଇଁ ଆମେ ଅଭିନେତା, ଅଭିନେତ୍ରୀ । ମୁଁ ଅଭିନୟ କଲି । ଗଣର ସ୍ୱାର୍ଥ ପାଇଁ ମତେ ମୋ ବନ୍ଧୁର କାଚଘର ଭାଙ୍ଗିବାକୁ ପଡ଼ିବ । ଯେଉଁ ସମାଜରେ ମଣିଷ ଚାଳ କୁଡ଼ିଆ ଖଣ୍ଡେ ନ ପାଇ ମୁକ୍ତ ଆକାଶ ତଳେ ପ୍ରକୃତିର ସବୁ ଦାଉକୁ ଦେହରେ ସମ୍ଭାଳି ପାରୁଛି, ସେଇ ସମାଜରେ କାଚକୋଠାର ଆବଶ୍ୟକତା କ’ଣ ? ମୋ ବନ୍ଧୁର ଶୁଭ ମନାସିଲି । ଦୂରରୁ ଲକ୍ଷ୍ୟ କରି ତା’ କାଚଘର ଉଦ୍ଦେଶ୍ୟରେ ଢେଲା ଫିଙ୍ଗିଲେ ବିସ୍ଫୋରଣ ହେବ ଏବଂ ସେଇ ବିସ୍ଫୋରଣରୁ ମୁଁ ହୁଏତ ରକ୍ଷା ପାଇ ଯାଇପାରେ । କାରଣ ମୁଁ ଚାଲି ଶିଖିଛି । ନିର୍ମଳ କିନ୍ତୁ ସେଇ ସର୍ବଗ୍ରାସୀ ଏକ୍‌ସପ୍ଳୋଜେନରେ ଖଣ୍ଡିଆ ଖାବରା ହେବ । ହୁଏତ ସେ ଚିରଦିନ ପାଇଁ ଟଳି ପଡ଼ିବ । ତା’ର ଦିଗ୍‍ଦ୍ରଷ୍ଟା ହେବାକୁ ଚାହିଁଲି । ନିର୍ମଳ କାଚଘରୁ ମୁକ୍ତି ପାଇବ । ମୋ କାନ୍ଧରେ କିଛି ଦିନ ପାର ହେବା ପରେ ଚାଲି ଶିଖିବ ଏବଂ ମଣିଷ ଜୀବନର ସଂଜ୍ଞା, ଅର୍ଥ ଓ ତା’ର ସତ୍ତା, ପତ୍ତା ପାଇବ ।

 

ନିର୍ମଳ ! ମୋ ପାଦରେ କଣ୍ଟା ଫୋଡ଼ି ହୋଇଗଲା...

 

ନିର୍ମଳ ଭୂଇଁ ଉପରେ ଠିଆ ହେଲା । ବେଦନାରେ ତା’ ମୁହଁ ଗର୍ଭବତୀ ନାରୀପରି ବିରସ ଦେଖାଯାଉଥିଲା ।

 

ନିର୍ମଳ ! ତୁ ଏଇଠି କ୍ଷଣେ ବସିରହ । ମୁଁ ଆସେ...

 

କୁଆଡ଼େ ଯିବୁ ?

 

ତୋ’ର ମନେଥିବ କି ନା, ମୁଁ ଜାଣେନା । ତୋ’ ଘର ସାମ୍ନାରେ ଗୋଟିଏ କଣ୍ଟା ଗଛ । ସେ ଗଛରୁ କଣ୍ଟା ତୋଳିଆଣି ମୋ ପାଦରେ ଫୋଡ଼ିହୋଇ ଯାଇଥିବା କଣ୍ଟା ବାହାର କରିବି ।

 

ମତେ କିନ୍ତୁ ଏକାଟିଆ ଲାଗିବ...

 

ଜନ୍ମରୁ ଯିଏ ଏକାଟିଆ କାଚଘରେ ବନ୍ଦୀ ହୋଇ ଶିଖିଛି, ତା’କୁ ଏଇ ସବୁଜ ପ୍ରାଙ୍ଗଣର ନିଃସଙ୍ଗତା ଭଲ ଲାଗିବନି ?

 

ତା’ ଘରମୁହାଁ ହେଲି । ଭାବୁଥିଲି...ନିର୍ମଳ ! ତୋ’ କାଚ ସୌଧର ଆଜି ସମାଧି ହେବ । ମୃତ୍ୟୁ ହେବ । ତୁ ମୁକ୍ତି ହେବୁ । ଚାଲି ଶିଖିବୁ ।

 

ଏକ ଅତିଶୟ ଉଚ୍ଚା ଗଛର ଶୀର୍ଷରେ ଠିଆ ହୋଇ କାଚର ଘରକୁ ଟେକା ଫିଙ୍ଗିଲି । ବିସ୍ଫୋରଣ ହେଲା । ଭିନ୍ନ ଗନ୍ଧ ଚହଟିଗଲା ।

 

ଓଃ...ଏତେ ତୃପ୍ତି । କାରଣ ପ୍ରାପ୍ତିର ଆଶା ଥିଲା ।

 

ମୁଁ ଫେରିଲି । ନିର୍ମଳ ଭାରି ଭୟ ପାଇଥିଲା ସମ୍ଭବତଃ ।

 

ଶଶି ! ଏଇ ଆଗରୁ ଯେଉଁ ଭୟଙ୍କର ଶବ୍ଦ ହେଲା, ସେଥିରେ ମୁଁ ଚମକି ଗଲି । ଶବ୍ଦର କାରଣ...

 

ଆକାଶ ଫାଟି ଯାଇନି...

 

କାରଣ... ?

 

ମୁଁ ଶବ୍ଦର କର୍ତ୍ତା...

 

କର୍ତ୍ତା ?

 

ହଁ, ତୋ’ କାଚଘରର ଧ୍ୱଂସକାରୀ ।

 

ନିର୍ମଳ ଜ୍ଞାନଶୂନ୍ୟ ହୋଇ ଲଙ୍ଗଳା ଭୂଇଁରେ ଲୋଟିଗଲା । ନଈଧାରର ଆଞ୍ଜୁଳାଏ ପାଣି ତା’ ମୁହଁରେ ସିଞ୍ଚିଲି । ମୁଁ ପ୍ରାର୍ଥନା ବାଢ଼ିଲି ପ୍ରଭୁ ! ତମେ କେବେ ମନେ କରିବନି ଯେ ମୋ ନିଜର ସ୍ୱାର୍ଥପାଇଁ ମୋ ବନ୍ଧୁର ସମସ୍ତ କିଛି ନଷ୍ଟ । ବରଂ ପରିବେଶର ଇଚ୍ଛା ପାଇଁ ତା’ ଦୁଃଖ ସହି ନ ପାରି ତା’ କାଚ ଘରକୁ ମୁଁ ଗୁଣ୍ଡ କଲି । ସେ ମୁକ୍ତ ହେବ । ମଣିଷ ହେବ । ଚାଲି ଶିଖିବ ।

 

ନିର୍ମଳ ଆଖି ଖୋଲୁଥିଲା । ତା’ ନିମୀଳିତ । ଆଖିରେ ନ ଥିଲା ଜଳନ୍ତା ସୂର୍ଯ୍ୟର ରକ୍ତଧାର । କିନ୍ତୁ ମଣିଷର ନିରୋଳା ରକ୍ତ ପରି ତା’ ସ୍ୱଚ୍ଛ ଆଖିରେ ଥିଲା ଏକ ଫୁଟନ୍ତା ଜହ୍ନର ପୁଷ୍ପିତା ସକାଳ ।

Image